ସନ୍ତୋଷ କୁମାର ନାୟକ

ସ୍ନିଗ୍ଧ ସରଳ ନୁହଁଇ ଅଟେ ମୁଁ ରୁକ୍ଷ ଦେହୀ
ଧାଇଁ ଆସିଅଛି କାଳ ବୈଶାଖୀ କ୍ଷୁବ୍ଧ ହୋଇ
ଆଗମନେ ମୋର ଜଳଦ ଦେଇଛି ହୃଦୟ ଖୋଲି
ମୂଷଳ ଧାରାରେ
ବରଷା ସାଥିରେ
ତୁମୁଳ କରକା
ଦେଉଛି ଢାଳି ।
ଗରଜି ଗରଜି ପବନ ବହୁଛି ତୀବ୍ରତର
ଚଗଲି ଚପଳା ହସି ଦେଉଅଛି ଥରକୁ ଥର
ବଜ୍ର କମ୍ପନେ ବସୁନ୍ଧରା ଛାତି ଯାଉଛି ଥରି
ଆତଙ୍କିତ ଜୀବ
କରୁଛନ୍ତି ରବ
ମହାବଳଶାଳୀ
ଯାଉଛି ଡରି ।
ପତର ସାଥିରେ ଝଡ଼ି ପଡୁଅଛି ବୃକ୍ଷ ଶାଖା
ସରୀସୃପ ଅବା କୀଟ ପତଙ୍ଗର ନାହିଁ ଯେ ଦେଖା
ଉଛୁଳି ଉଠୁଛି ମହାସିନ୍ଧୁ ନୀର ଫୁଲାଇ ଦେହ
ଯେତେ ଜଳଚର
ହୋଇଣ ଅଥିର
ଡାକନ୍ତି ଆତୁରେ
ହେ ! ଲୀଳାମୟ ।
ଡରନାହିଁ ମୋତେ ମର୍ତ୍ତ୍ୟ ଜୀବ ମୁଁ ଉଗ୍ରରୂପା
ଦକ୍ଷିଣ ପଶ୍ଚିମ ଆକାଶୁ ଆସିଛି କରିବି କୃପା
ରବି ଟାଣପଣ ଭାଙ୍ଗିବାକୁ ମୁହିଁ କରି ଶପଥ
ଆସିଅଛି ଆଜି
ଜିତିବାକୁ ବାଜି
ତୃଷିତ ପ୍ରାଣରେ
ଭରି ଅମୃତ ।
ଦେଖିଲି ଯାହା ମୁଁ ଏକଛତ୍ରବାଦୀ ତପନ ଖଳ
ନିରୀହ ଜୀବନ ଉପରେ ଦେଖାଏ ଆପଣା ବଳ
ଲୋତକ ଝରାଇ କାନ୍ଦୁଛି ଚାତକ ଶୁଖିଲା ପାଟି
ଜଳ ଟୋପେ ପାଇଁ
ଉପରକୁ ଚାହିଁ
ଆଁ କରିଅଛି
ଦୀର୍ଣ୍ଣ ମାଟି ।
ଦିନମଣି ତେଜେ ଜଳି ଯାଇଅଛି ବିଶାଳ ବନ
ତୃଷ୍ଣା ବିକଳେ ବିଚଳିତ ଅଛି ସକଳ ମନ
ପୀଡ଼ିତ ପ୍ରାଣର ମଙ୍ଗଳ ଲାଗି ମୁଁ ଆସିଛି ଧାଇଁ
ରୂପ ଭୟଙ୍କର
କୋମଳ ଅନ୍ତର
ଡରନାହିଁ ମୋତେ
ମୁଁ କ୍ଷୀଣ ସ୍ଥାୟୀ ।
ବିଷମ କଟକ, ରାୟଗଡ଼ା, ମୋ – ୮୨୪୯୪୯୯୫୧୨
ଲେଖକ ପରିଚୟ
କବିଙ୍କ ଅନେକ କବିତା ଶିଶୁ ପ୍ରତିଭା, ନନ୍ଦନ କାନନ, ଧ୍ଵନି ପ୍ରତିଧ୍ଵନି, ଉନ୍ମେଷ ଆଦି ପତ୍ରପତ୍ରିକାରେ ସ୍ଥାନ ପାଇଛି । ତାଙ୍କର ପାଞ୍ଚୋଟି କବିତା ‘କାବ୍ୟ ତୀର୍ଥ’ ପୁସ୍ତକରେ ପ୍ରକାଶିତ । ଶିଶୁ କବିତାରୁ ଆରମ୍ଭ କରି କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ କବି ଲେଖନୀ ଚାଳନା କରିଛନ୍ତି ।