ପ୍ରଦୀପ କୁମାର ପଣ୍ଡା

ମୋର ପ୍ରକୃତରେ ଜନ୍ମ ହେବାର ଥିଲା
ଅନ୍ତରୀକ୍ଷ କୋଣର ଗୋଟିଏ ଛୋଟ ଲିଭା ଲିଭା ତାରାରେ,
ଏ ପୃଥିବୀ ନାମ୍ନୀ ଗ୍ରହପିଣ୍ଡଟି ବହୁତ ବଡ଼ ହୋଇଗଲା ମୋ ପାଇଁ ।

ଏତେ ବଡ଼ ଯେ
ଭାଗ ଭାଗ କରିବାକୁ ପଡ଼ିଲା ମାଟିକୁ, ଦେବାକୁ ହେଲା ହିଡ଼ ।

କାହାର କାନ୍ଦଣା ଶୁଭିଲା ଫଟା ଦଦରା
କର୍କଶ ରାଗରେ ବନ୍ଧାହେଲା କାହାର ହସ ।

କିଛି ଫଳ ଏଠି ଖାଇବାକୁ ମନା
ସୁନ୍ଦରତା ଏକ ଉପପାତ, ପ୍ରେମ ଏକ ରୂପକଥା,
ପଡ଼ୋଶୀର ଘର ଏଠି ଯୋଜନ ଯୋଜନ ଦୂର ।

ଅରଣ୍ୟକୁ ଚତରାଇ ପୋତିବାକୁ ହେଲା କାଠ ଅହଂକାର,
ପ୍ରଜାତି ତ ଛପ୍ନାକୋଟି, ଭାଙ୍ଗିବାକୁ ହେଲା ଖୋଦ୍ ମଣିଷକୁ,
ରାକ୍ଷସ ଦେବତା, ଡାହାଣୀ ଚିରଗୁଣୀ,
ଭଗବାନମାନେ ଏଠି ଗଳିରେ ମୋହଲ୍ଲାରେ
ରାସ୍ତା କଡ଼ର ପଥରରେ, କାଠରେ,
କାହାର ପାଦ ଓ ପାପୁଲିରେ ପିଟା ହେଲା କଣ୍ଟା ।

ଅସତୀ ନାରୀର ଚିତ୍ର ଆଙ୍କିବାକୁ ନିଯୁକ୍ତ ହେଲେ
ଦଳେ ସତସତିଆ ପୁରୁଷ ବିଚ୍ ବଜାରରେ,
ସକାଳ ହେଲେ ଏଠି ଫୁଲ ତୋଳ ଓ
ରାତି ହେଲେ ଭୁଜାଲି ଧରି ବାହାରିପଡ଼ ପଦାକୁ
ରଙ୍ଗେଇବାକୁ ଧରିତ୍ରୀ ।

ପ୍ରକୃତରେ ମୋ ପରି କୁନି ଜୀବଟିଏ ପାଇଁ
ବହୁତ ଦୁର୍ବୋଧ୍ୟ ହୋଇଗଲା ଏଇ ବିରାଟ ପୃଥିବୀ ।

କ୍ଷଣକ ପାଇଁ ହେଲେ ସେଇ ଅପହଞ୍ଚ ଅଦୃଶ୍ୟ ଛୋଟ ତାରାରେ
ଯଦି ହୋଇଥାନ୍ତା ମୋର ଜନ୍ମ,
କେଡ଼େ ସୁଖରେ ମୁଁ କାଳାତିପାତ କରୁଥାନ୍ତି ସେଠି ଓ
ଉଲ୍ଲାସରେ ଦେଖୁଥାନ୍ତି ମୋର ଝରକାରୁ
ଦୂରଦୂର ସୁଦୂରରୁ ଦିଶୁଥାନ୍ତା ଏଇ ବିଶାଳ ଭୁବନ
ନିହାତି ଛୋଟ, ଲିଭା ଲିଭା !

ବୃନ୍ଦାବନ ବିହାର, ସରଲା, ପୋ. ଧନକଉଡ଼ା, ସମ୍ବଲପୁର – ୭୬୮୦୦୬, mail – dr.pradip55@gmail.com

ଲେଖକ ପରିଚୟ

ସଦ୍ୟ ପ୍ରକାଶିତ “ମାର୍ଗ ସହଜ” ସମେତ ଏଯାବତ ୯ ଗୋଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଓ ଗବେଷକ ସତ୍ତ୍ୱେ ସାହିତ୍ୟ ପ୍ରତି ରୁଚି ରଖେ । କବିତା ବ୍ୟତୀତ ଆଲୋଚନା, ନିବନ୍ଧାଦି ରଚନା ବି ଭଲଲାଗେ ମୋତେ ।

Related Posts

Leave a Reply

Your email address will not be published. Required fields are marked *