ପ୍ରଦୀପ କୁମାର ପଣ୍ଡା

ସୁଖକର ନଥାଏ ସେ ଘର
ବା ଏତେ ସୁଖ ଯେ ସମ୍ଭାଳି ହେଉ ନଥାଏ ।
ଭିଡ଼ିମୋଡ଼ି ହେବାକୁ ଜାଗା ଅଣ୍ଟୁ ନଥାଏ
କେଉଁଟା ତଳ
କେଉଁଠି ଛାତ
ଦିଗବଣା ଦିଗ ବିଦିଗ
ଯେଉଁଠି ଭୂ ସେଇଠି ବ୍ୟୋମ
ସେଇଠି ସ୍ଵପ୍ନ
ଧ୍ଵନି ଅଶ୍ରୁତ
କେଉଁ ଅଜଣା ରାଇଜର ଗୀତ ।
ଏତେ ସାନ ବ୍ରହ୍ମାଣ୍ଡ
ଦେହସାରା ଘଷି ହେଉଥାଏ
ସୁଖ ଛକିଥାଏ ସୁଖ
ଦୁଃଖ ଦୁଆର ମାଡୁ ନଥାଏ ।
ମୁଁ ତଥାପି ଯୁଝୁଥାଏ
ରକମରକମ ରସ ଢୋକୁଥାଏ
ଝାମ୍ପି ଓଟାରି ଆଣୁଥାଏ ଲିତାଏ ଶ୍ଵାସ
କାହା ବକ୍ଷର ଅଣନିଃଶ୍ଵାସରୁ,
ଛାତିରେ ମୋର ଜାଗା ସୃଜୁଥାଏ ।
କେଉଁ ଖନିକାରର ଇଅଁଳା ଅଙ୍ଗୁଳି
ଆଉଁସିଦିଏ ମୋର ଅଧାଗଢ଼ା କପୋଳ
ମୁଁ ଶୋଇଥାଏ,
ଧିରେଧିରେ ପାଆଁଳି ଆସୁଥାଏ ମୋର ହାତପାଦ ।
ଯେତେବେଳେ ନିଦରୁ ଉଠେ
ତାହା ସକାଳ ନଥାଏ,
ଦୀର୍ଘତମ ମହାକାବ୍ୟରୁ ଖିଏ ସ୍ମୃତି
ଗୁରେଇ ହେଉଥାଏ
ମୋର ପ୍ରାଣ ଅପାନ ଉଦାନ ସମାନ ବ୍ୟାନ,
କେଉଁ ମଧୁମିତାର କୋମଳ କରୁଣା
ନିକଟେଇ ଆସେ
ଚୁମା ଦିଏ ଘନଘନ,
ମୁଁ ଗୋଡ଼ ଛାଟେ, ବାଜେ ଆକାଶରେ
ଆମ୍ପୁଡ଼େ ମାଟି, ଖଳଖଳେଇ ଯାଏ ବସୁଧା
ଆଃ, କେତେ ଅସ୍ପର୍ଶ୍ୟ ତା’ର ସ୍ପର୍ଶ !
ମେଘ ତାରା ଚନ୍ଦ୍ର ସୂର୍ଯ୍ୟ ଶୂନ୍ୟପଥ
କଳାଗର୍ତ୍ତ, କିଛି ହିଁ ଉଜଳୁ ନଥାଏ,
ଲୁହ ବି ସୁସ୍ଵାଦ୍ୟ, କ୍ଷତ ବି ମଧୁର
ସନ୍ନିକଟ ଦୂରଦୂରାନ୍ତର, ଏତେଏତେ ମଣ୍ଡଳ ଯେ
ଆଖି ଖୋଲି ହେଉ ନଥାଏ ।
କେଉଁ ପର୍ଜନ୍ୟର ଇଙ୍ଗିତରେ
ଅହରହ ବୃଷ୍ଟି ଝରୁଥାଏ
ମୁଁ ଓଦା ସରସର,
ଅଗ୍ନି ସମିଧା ଧୂମ ଜ୍ଵାଳା
ମସ୍ତ ମସଗୁଲ ସଭିଏଁ ସୁଧାପାନରେ ।
ନଦୀ ପରି ଏକ ଶାଗୁଆ ସ୍ନାୟୁ
ସୁନାଦରେ କଳକଳ ଖଳଖଳଉ ଥାଏ
ମୋର କୋଳରେ,
ଦେବତାମାନେ ଆସି ସ୍ନାହାନ କରନ୍ତି
ମହକିଯାଏ ଠାକୁରଘର,
ଋଷିମାନେ କମଣ୍ଡଳୁ ଭରି
ନେଇଯା’ନ୍ତି ମୋର ନୀଳରକ୍ତ,
ଜୀବନେଇ ଉଠେ କାଳ ତ୍ରିକାଳ ମହାକାଳ
ଖେଳାଇ ଦିଏ ଧାରେ ସ୍ମିତ ମୁଁ
ସେମାନଙ୍କ ଅଜ୍ଞାତରେ ।
ମୁଁ ଯେମିତି ଏକ କବିତା
କିଏ ଜଣେ ରଚୁଥାଏ, କବି ମୋର ମାତା
ପ୍ରଶାନ୍ତ ଗର୍ଭଶୋକରେ ଶୋଇ ପଡ଼ିଥାଏ,
ନୀଳ ସମୁଦ୍ରରେ ଈଶ୍ଵରପ୍ରାୟ ପଦ୍ମ
ଧିରେଧିରେ ଫୁଟୁଥାଏ ।
ମତେ ସବୁ ଦିଶୁଥାଏ
ମୋର କଅଁଳ ମଥାର ସାତ ତାଳ ଗହୀରରେ,
ଦ୍ଵାର ସେ ପାଖରେ କିଏ କିଏ
ଫାଶ ଧରି, ମାଳ ଧରି, ଷଠିଆଇର ଦୋଳି ଧରି
ମୋତେ ଅପେକ୍ଷା କରିଛନ୍ତି,
ନାଦ ମତେ ଶୁଭୁଥାଏ,
ନାଭିରୁ ଉଦ୍ଗାରି ଆସୁଥାଏ ଯେଉଁ ଧ୍ଵନି
ତାକୁ ମୁଁ କଣ୍ଠରେ ଅଟକାଇ ରଖିଥାଏ ।
ରଚନା ମୋର ସରି ନଥାଏ
ଅଭବ ଥାଏ ଯିଏ ମତେ ରଚୁଥାଏ ।
ସେ ଯେବେ ପ୍ରାଣପଣେ ମାଟିକୁ ଖୁରାଏ,
ଆହା ଆହା ସ୍ଵାହା କରେ ମାଟି,
ସେ ଯେବେ ପ୍ରସାରି ଦିଏ କୋଳ,
ବୁଜି ଦିଅନ୍ତି ଈଶ୍ଵର ଯେବେ ଆଖି,
ଦ୍ଵାର ଖୋଲେ
ମୁଁ ଜନ୍ମ ହେଉଥାଏ ।
ତଥାପି ସରେନାହିଁ ଗଢ଼ଣ,
ତା’ର ମଲା ପରେ ବି
ସେ ମୋତେ ଗଢ଼ୁଥାଏ,
କାଠ ହେଲା ପରେ ବି ମୋର ହାତଗୋଡ଼
ମୁଁ ରଚି ହେଉଥାଏ ।
ଈଶ୍ଵରଙ୍କୁ ଯିଏ ଜନ୍ମଦିଏ
ସେ ଜଣେ ମା’
ଖୋଦ ଈଶ୍ଵରଙ୍କୁ ଜଣା ନଥାଏ ।
ବୃନ୍ଦାବନ ବିହାର, ସରଲା, ପୋ. ଧନକଉଡ଼ା, ସମ୍ବଲପୁର – ୭୬୮୦୦୬, mail – dr.pradip55@gmail.com
ଲେଖକ ପରିଚୟ
ସଦ୍ୟ ପ୍ରକାଶିତ “ଯଦି ସେ ଈଶ୍ଵର ହୋଇଥାନ୍ତି !” ସମେତ ଏଯାବତ ୮ ଗୋଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଓ ଗବେଷକ ସତ୍ତ୍ୱେ ସାହିତ୍ୟ ପ୍ରତି ରୁଚି ରଖେ । କବିତା ବ୍ୟତୀତ ଆଲୋଚନା, ନିବନ୍ଧାଦି ରଚନା ବି ଭଲଲାଗେ ମୋତେ ।