ନବବର୍ଷ ନୂତନ ସମ୍ଭାବନା

ବିନୟ ମହାପାତ୍ର

ନବବର୍ଷ ଆସୁଛି !
ଏଥିରେ ନୂଆ କ’ଣ ଅଛି ?
ଇଏ କିଛି ନୂଆ କଥା ନୁହେଁ,
ଗତ ବର୍ଷ ନବବର୍ଷ ଆସି ଥିଲା,
ଆସନ୍ତା ବର୍ଷ ବି ଆସିବ,
ତିନି ଶହ ପଅଁଷଠି ଦିନରେ
ଏଇମିତି ବାରମ୍ବାର ଆସୁଥିବ ।

ନବବର୍ଷ, ଏମିତି କିଛି
ବର୍ଷକରେ ଥରେ ଆସୁଥିବା,
ଦିନିକିଆ ପର୍ବଟିଏ ନୁହେଁ,
ରଙ୍ଗବିରଙ୍ଗି ଅଭିନନ୍ଦନପତ୍ର ପଠାଇବା,
ରାତିଅଧେ ଚକମକି ବାଣ ଫୁଟାଇ
ପାର୍ଟି ପିକନିକ୍ ଆଉ ଆଲୁଅ ରୋଷଣୀରେ
ନୂଆବର୍ଷ ମନେଇବା ଏବଂ ପୁଣି ଭୁଲିଯିବା ।

ପ୍ରତିଟି ନୂତନ ବର୍ଷ,
‘ତିନି ଶହ ପଅଁଷଠି ପୃଷ୍ଟାର’
ଅନେକ ଆଶାର ନୂଆ ଉପହାର !
ତିନି ଶହ ପଅଁଷଠି ସମ୍ଭାବନାର
ଏକ ରଙ୍ଗୀନ ଫୁଲହାର !
ପ୍ରତି ଦିନ, ଏକ ନୂତନ ଦିବସ
ପ୍ରତିଟି ସ୍ୱପ୍ନ ଏକ ନୂତନ ସନ୍ଦେଶ ।
ଗୋଟିଏ ବର୍ଷ ମଣିଷ ଜୀବନରେ
ବହୁତ କିଛି ଦେଇ ନେଇପାରେ,
ବହୁତ କିଛି ବଦଳିଯାଏ ଗୋଟିଏ ବର୍ଷରେ
ପ୍ରତିଟି ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ ସାଥିରେ ।
ଆଜିର ଗୋଟିଏ ଇଟା ଆସନ୍ତା ପାଇଁ
ନୂଆ ଏକ ତାଜମହଲ ମୂଳଦୁଆ ହେବ,
ପ୍ରତିଟି ନୂତନ ସୁଯୋଗ,
ପ୍ରତିଟି ଦିନକୁ ନୂଆ ରୂପ ଦେବ ।

ଆସ ବନ୍ଧୁ, ନୂତନ ବର୍ଷକୁ
ନୂଆ କରି ଜୀଇଁଯିବା,
ପୁରୁଣା ଦିନର ଅଭିଜ୍ଞତା ସାଥେ ନେଇ,
ନୂଆ କରି ଜୀବନକୁ ସଜାଇବା ।
ପ୍ରତିଟି ନୂତନ ଦିନ
ନୂଆନୂଆ ସ୍ୱପ୍ନ ନେଇଆସୁ
ସବୁରି ଜୀବନେ ଖୁସିର କୁସୁମ ବରଷୁ ।
ନୂତନ ଯୌବନ ଆସୁ ସବୁରି ଜୀବନେ,
ଖେଳିଯାଉ ନବ ଉଦ୍ଦୀପନା,
ଭରିଯାଉ ନବୀନ ପୁଲ୍ଲକ ପ୍ରତି ଜନ ମନେ ।

ଏଇ ବର୍ଷ ଖୁସି ତ ଆସିବ ଅନେକ,
ସୁଖ ସାଥେ କିଛି ଦୁଃଖ ବି ଆସିବ,
ସୁଖ ସବୁ ବାଣ୍ଟିଯିବା ଆପଣା ଭିତରେ
ଏକ ଆରେକର ହାତ ଧରିନେବା
ପ୍ରତିଟି ଦୁଃଖ ମୁହୁର୍ତ୍ତରେ ।
ହେ ନବବର୍ଷ,
ନୂଆଖୁସି ସାଥେ ନେଇଆସ,
ହୁଅ ତୁମେ ସବୁରି ଜୀବନେ,
ସ୍ୱପ୍ନିଳ ସ୍ୱର୍ଣ୍ଣମୟ ବର୍ଷ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

4 thoughts on “ନବବର୍ଷ ନୂତନ ସମ୍ଭାବନା

  1. Wishing you and your family a very happy, healthy and prosperous new year,2024.Lord Jagannath bless you with more and more courage and strength to write a lot for your loving reader and bring more and more laurels for future endeavours.
    All the best ….

Leave a Reply

Your email address will not be published. Required fields are marked *