ବିନୟ ମହାପାତ୍ର

ପଉଷ ମାସର କୁହୁଡ଼ିଆ ଶୀତ ସକାଳରେ ଗରମଗରମ ରେଜେଇ ଭିତରେ ଆଖି ବୁଜି ଶୋଇ ରହି ଅନ୍ଧାର ହୋଇଛି, ଅନ୍ଧାର ହୋଇଛି କହିହେଲେ, ସକାଳ କେବେ ବି ଆସିବନି । ସକାଳ ସୂର୍ଯ୍ୟର ସୁନେଲି କିରଣ ଆଉ ଉଷୁମ୍ ପରଶ ପାଇବା ହେଉ ଅବା ଦିବାସୂର୍ଯ୍ୟର ପ୍ରଚଣ୍ଡ ଆଲୋକ, ସବୁକିଛି ଆଖି ଖୋଲିଲା ପରେ ହିଁ ଦୃଷ୍ଟିକୁ ଆସିବ । କେତେଦିନ ଏମିତି ଆଖି ବୁଜିବୁଜି ଶୋଇବାର ବାହାନା କରିବ, ଆଉ ଚୁପଚାପ ସବୁ ସହୁଥିବ । ଏତିକି କହି ସଦାନନ୍ଦ ଟିକେ ଚୁପ୍ ରହି ନାତୁଣୀ ମୁହଁକୁ ଚାହିଲେ । ଶାକମ୍ବରୀ ସେମିତି କାଠଟା ପରି ଠିଆ ହୋଇ ଜେଜେଙ୍କ ଭାଷଣ ଶୁଣୁଥାଏ । ତା ମୁହଁରେ ଡରଟା ଏବେବି ସ୍ପଷ୍ଟ ଦିଶୁଥାଏ । ତାର ଏଇ ଡର, ଜେଜେଙ୍କ ଭାଷଣ ଶୁଣି ନୁହେଁ ବରଂ ଆଜି କଲେଜରୁ ଫେରିବାବେଳେ ରାସ୍ତାରେ ଯାହାସବୁ ଘଟିଲା, ସେଇକଥା ମନେପକାଇ ଏବେବି ତା ଦେହ ଶିତେଇ ପଡୁଛି । ସଦାନନ୍ଦ ଶାକମ୍ବରୀର ଏ ଅବସ୍ଥା ଦେଖି ଟିକେ ନରମି ଗଲେ, ସ୍ୱରକୁ ଟିକିଏ କୋମଳ କରିି କହିଲେ “ଆରେ, ସେଇଠି ସେମିତି କାହିଁକି ଠିଆ ହେଇଛୁ ? ଆ ! ମୋ ପାଖରେ ବସ୍ ।” ଶାକମ୍ବରୀ ଆସି ସୋଫା ଉପରେ ଜେଜେଙ୍କ ପାଖରେ ବସିଗଲା । ସଦାନନ୍ଦ ତାକୁ ପାଖକୁ ଆଉଜାଇ ନେଇ ତାର ମୁଣ୍ଡ ସାଉଳେଇ ଦେଉଦେଉ କହିଲେ:

ତୁ ଜାଣିଚୁ, ତୋ ନାଆ ଶାକମ୍ବରୀ କିଏ ଦେଲା ? ତୋ ଜେଜେମା ତୋର ଏଇ ନାଆଁଟା ରଖିଛି । ତୁ ଯେତେବେଳେ ଜନ୍ମ ହେଲୁ ତୋତେ ଦେଖି ତୋ ଜେଜେମା କେତେ ଖୁସି ହୋଇଥିଲା । କହିଲା ମୋ ଘରକୁ ଲକ୍ଷ୍ମୀ ଆସିଲେ, ତୋ ମୁହଁକୁ ଦେଖି କହିଲା, ଦେଖ କି ତେଜ ଅଛି ଝିଅଟାର ମୁହଁରେ, ସତେ ମାଆ ଦୂର୍ଗାଙ୍କର ତେଜ ! ୟା’ର ନାଆ ଦୂର୍ଗା ରଖିବା, ହେଲେ କଣ ଭାବିଲା କେଜାଣି, ଟିକିଏ ଭାବି କହିଲା, ନାହିଁ ଦୂର୍ଗା ପୁରୁଣାକାଳିଆ ଲାଗୁଚି, ତା ନାଆ ଶାକମ୍ବରୀ ରଖିବା । ଜାଣିଛୁ ଶାକମ୍ବରୀ କାହା ନାଆଁ ? ଶାକମ୍ବରୀ ମୁଣ୍ଡ ହଲେଇ ହଁ କହିଲା, ସେଇଟା ପରା ମାଆ ଦୁର୍ଗାଙ୍କର ଆଉ ଗୋଟିଏ ନାଆଁ । ସଦାନନ୍ଦ ଟିକେ ମୁରୁକି ହସିଲେ, ଆଉ ଶାକମ୍ବରୀ ବି ଟିକିଏ ହସିଦେଲା । ତା ମୁହଁ ଉପରୁ ଡରର ବାଦଲ ଧୀରେଧୀରେ ଯେପରି ପତଳା ହୋଇଆସୁଥିଲା । ଜେଜେଙ୍କ ପାଖରେ ବସିଲେ ଏମିତି ହୁଏ । ସତରେ ଜେଜେଙ୍କ ପାଖରେ ଯେପରି ଅଭୟଛତ୍ର ଅଛି । ସେଇ ଛତ୍ର ଛାୟାତଳେ ନା ଖରାକୁ ଡର ନା ବର୍ଷାକୁ । ଜେଜେ ପରା ବାପାଙ୍କର ବି ବାପା !

ଶାକମ୍ବରୀ, ଚୁଲବୁଲି ସାଧାରଣ ଝିଅଟିଏ । ମାଆବାପାଙ୍କର ଗେହ୍ଲା ଝିଅ, ଜେଜେ ଆଉ ଜେଜେ ମାଆଙ୍କର ସତେ ଆଖିର ଡୋଳା । ଶାକମ୍ବରୀକୁ ଯେତେବେଳେ ଦେଢବର୍ଷ ହୋଇଥିଲା ସେତେବେଳେ ତାର ମାଆ ସୁଧରାଣୀଙ୍କର ଗର୍ଭାଶୟରେ ଇନଫେକ୍ସନ ହୋଇଯାଇଥିଲା । ଯାହାଫଳରେ ଅପରେଶନ କରି ତାଙ୍କ ଗର୍ଭାଶୟକୁ ବାହାର କରି ଦିଆଗଲା । ଡାକ୍ତର କହିଲେ ସେ ଆଉ ମାଆ ହୋଇ ପାରିବେନି । ଏକଥା ଶୁଣି ସୁଧାରାଣୀ ବହୁତ କାନ୍ଦିଥିଲେ, ପୁଅଟିଏ ପାଇଁ କେତେ ଦେବୀଦେବତାଙ୍କୁ ପୂଜା କରିଥିଲେ, ହେଲେ ତାଙ୍କ ଡାକ କେହି ଶୁଣିଲେନି । ସେ ସମୟରେ ଜେଜେ ବୋହୂକୁ ବହୁତ ବୁଝାଇଥିଲେ । କହିଲେ ମାଆରେ ତୁ ଆଜି ଯୁଗରେ ବି ପୁଅ ଆଉ ଝିଅ କଥା ଭାବୁଛୁ ? ଆରେ ପୁଅ କଣ ବେଶି ପାରିବାର ? ତୁ ଦେଖୁନୁ ଆଜି ଝିଅମାନେ ଯାଇ କେଉଁଠି ପହଞ୍ଚିଲେଣି ? ଶାକମ୍ବରୀ ପରି ଝିଅ ଆମର ଅଛି, ଦେଖିବୁ ସେ ପୁଅମାନଙ୍କ ଅପେକ୍ଷା ଆହୁରି ଆଗକୁ ଯିବ । କୋଉ ପୁଅ ବି ତା ସରି ହୋଇପାରିବ ନାହିଁ । ଜେଜେମା ସୁଧାରାଣୀଙ୍କ ମୁଣ୍ଡ ଆଉଁସୁ ଆଉଁସୁ କହିଲେ ତୁ ମୋର ସୁନାନାକି ବୋହୂ, ବୋହୂ ନୁହଁ ତ ମୋର ଜନ୍ମକଲା ଝିଅଠାରୁ ବଳିକି । ଆଜିକାଲି ପୁଅମାନେ ବାପାମାଆଙ୍କର ଖବର ନେଉନାହାନ୍ତି, ଦେଖୁନୁ ସେ ପଟ୍ଟନାୟକ ବାବୁଙ୍କର କଣ ଅବସ୍ଥା ! ଦୁଇ ଦୁଇଟା ପୁଅ ଜନ୍ମ କରିଥିଲେ, ସେମାନଙ୍କୁ ପାଠ ପଢେଇ ଇଞ୍ଜିନିୟର କରେଇଲେ । ଦି’ଜଣଯାକ ସରକାରୀ ଚାକିରି କରି ଭଲଭଲ ପୋଷ୍ଟରେ ଅଛନ୍ତି । କିନ୍ତୁ ବାପାମାଆଙ୍କର ସେବାଯତ୍ନ ତ ଦୂରର କଥା ଦିନେକାଳେ ଆସି ବାପାମାଆଙ୍କୁ ଦେଖି ଯିବାକୁ ବି ଆସୁନାହାନ୍ତି । କଣ ନା ସମୟ ମିଳୁନି । ବୁଢା ବାପାମାଆ ଗାଆଁରେ ଅନାଥ ପରି ପଡ଼ି ରହିଛନ୍ତି । ଝିଅଟିଏ ଜନ୍ମ କରିଥିଲେ ବୋଲି ସେ ମାସରେ ଥରେ ଦି’ଥର ଆସି ବାପାମାଆଙ୍କ ଖବର ନେଉଛି । କେବେକେବେ ପାଖରେ ନେଇ ରଖି ସେବା ଶୁଶ୍ରୂଷା କରୁଛି । ସବୁ ପୁଅବୋହୂ କଣ ତୁମ ପରି ହୋଇଛନ୍ତି ? ପୁଅଙ୍କ ଅପେକ୍ଷା ଝିଅ ଲକ୍ଷେ ଗୁଣରେ ଭଲ ।

ଶାକମ୍ବରୀକୁ ପିଲାଟି ଦିନରୁ ପରଘର ପାଇଁ ନୁହେଁ, ବରଂ ସମାଜ ପାଇଁ ଯୋଗ୍ୟ ନାଗରିକଟିଏ ହେବା ପାଇଁ ଶିଖା ଯାଉଥିଲା । ଏକ ନିର୍ଭୀକ ସ୍ୱାବଲମ୍ବୀ ଏବଂ ସ୍ୱାଭିମାନୀ ନାଗରିକ ହେବ ସିଏ । ଭଲ ଝିଅଟିଏ ହେବ, ଆଦର୍ଶ ଛାତ୍ରୀ, ଯୋଗ୍ୟ ଅଧିକାରୀ ହେବ ସମାଜ ପାଇଁ । ଭଲ ପତ୍ନୀଟିଏ ହେବ, ସୁଗୃହିଣୀ, ଆଦର୍ଶ ବୋହୂ ହେବ । ଝିଅ ବୋଲି କେବେବି ତା ମନରେ ଏ ଭାବନା ନଆସୁ କି ସେ ପୁଅ ମାନଙ୍କଠାରୁ କୌଣସି ଗୁଣରେ କମ୍, ସେଥିପାଇଁ ତାର ମନୋବଳକୁ ବଢାଇବାରେ ସମସ୍ତେ ସହଯୋଗ କରୁଥିଲେ । ପାଠପଢାରେ, ଖେଳକୁଦରେ ସବୁପ୍ରକାର କାମରେ ଆଗଭର ହୋଇ ଶ୍ରେଷ୍ଠତା ପାଇଁ ସେ ନିଜେ ବି ପୁରା ଚେଷ୍ଟା କରୁଥିଲା ।

ପିଲାଟିଦିନରୁ ଜେଜେ ନାତୁଣୀଙ୍କର କେମିଷ୍ଟ୍ରି ଖୁବ୍ ଜମେ । ସଦାନନ୍ଦ ବାବୁ ଆଉ ଶାକମ୍ବରୀ ଦି’ଜଣଙ୍କ ରାଶି କୁଆଡେ ଗୋଟିଏ ରାଶି, ମେଷ ରାଶି । ସଦାନନ୍ଦ କହନ୍ତି ‘ମେଣ୍ଢା ମୁଣ୍ଡ ଭାରି ଟାଣ’ ଆଉ ଶାକମ୍ବରୀ ବାକିଟା ପୂରଣ କରି କହିଦିଏ, ‘ତା ମୁଣ୍ଡକୁ ସାବଧାନ’ ଦିହେ ପୁଣି ସାଙ୍ଗ ହୋଇ ହୋହୋ ହୋଇ ବଡ଼ ପାଟିରେ ହସି ଘର ଫଟେଇ ଦିଅନ୍ତି । ଜେଜେମା ପାଟିଟାଏ କରି କହନ୍ତି, ବୁଢାଟିଏ ହେଲଣି ଆସି, ନାତୁଣିକୁ ଏଇଆ ଶିଖାଅ, ଅଣ୍ଡିରା ଚଣ୍ଡିଟାଏ ହେବ ଯେ ଦେଖିବ ! ଜେଜେ ହସିହସି କହନ୍ତି ତା ନାଆଁ ଶାକମ୍ବରୀ ରଖିଛଟି । ପୁଣି ଡରୁଛ କାହିଁକି ? ମୋ ନାତୁଣି ଦୂର୍ଗା, ରାଣୀ ଦୂର୍ଗାବତୀ ହେବ, ବିରାଙ୍ଗନା । ଡରିଡରି ଜୀଇଁବନି, ବରଂ ଡରେଇବ ସିଏ, ଯିଏ ଅନ୍ୟାୟ କରିବ । ସେଇ ହିସାବରେ ସଦାନନ୍ଦ ନାତୁଣୀକୁ ପ୍ରତି ପଦକ୍ଷେପରେ ନିର୍ଭୀକ ହେବାକୁ ଶିଖେଇ ଆସିଛନ୍ତି । କହନ୍ତି ଡର ତ ସମସ୍ତଙ୍କୁ ଲାଗେ, କୁକୁର ଭୂକିଲେ ସାମ୍ନାରେ ଠିଆ ହୋଇଥିବା ଲୋକଟାବି ଡରେ, କିନ୍ତୁ କୁକୁର ଭୂକେ କାହିଁକି ? କାରଣ କୁକୁରକୁ ବି ଡର ଲାଗେ, ହେଲେ ସେ ନିଜ ଡରକୁ ଲୁଚାଇ ସବୁବେଳେ ମଣିଷକୁ ଡରାଇବାକୁ ଚେଷ୍ଟାକରେ । ଉଭୟଙ୍କୁ ଡରଲାଗେ କିନ୍ତୁ ଉଭୟ ନିଜ ଡରକୁ ଲୁଚାଇ ଅନ୍ୟକୁ ଡରାଇବାକୁ ଚେଷ୍ଟା କରନ୍ତି । ଶେଷରେ ଯିଏ ନିଜ ଡରକୁ ଜିତିବାରେ ସଫଳ ହେଲା, ସିଏ ଜିତିଲା । ତେଣୁ ନିଜ ଡର ଉପରେ ବିଜୟ ଲାଭ କରି ପାରୁଥିବା ବ୍ୟକ୍ତି ହିଁ ସାହସୀ ମଣିଷ ହୋଇପାରେ ।

ହେଲେ, ଆଜି ଶାକମ୍ବରୀ ଡରିଗଲା ଦିଇଟା ଲଫଙ୍ଗା ପିଲାଙ୍କର କମେଣ୍ଟ ଶୁଣି । ସେ ପିଲା ଦି’ଟା ଶାକମ୍ବରୀ ପଛେପଛେ ସାଇକେଲରେ ଗୁଡ଼ାଏ ବାଟ ଯାଏ କମେଣ୍ଟ କରି କରି ଡାକୁ ଗୋଡ଼େଇଲେ ଆଉ ସେ ପ୍ରାଣ ବଞ୍ଚାଇ ଡରିଡରି ଘରକୁ ଆସି ଜେଜେଙ୍କୁ ସବୁ କହିଲା । ଶାକମ୍ବରୀ ଡରିବା ଝିଅ ନୁହେଁ, କିନ୍ତୁ ଲଢେଇ ଝଗଡ଼ାକୁ ସବୁବେଳେ ଆଭଏଡ୍ କରିବାକୁ ଚେଷ୍ଟାକରେ । ସେ ଚାହିଁଥିଲେ ପିଲା ଦୁଇଟାକୁ ସେଇଠି ଭଲ କରି ପାନେ ଦେଇପାରିଥାଆନ୍ତା । କିନ୍ତୁ ଚୁପଚାପ୍ ଚାଲିଆସିଲା ।

ସଦାନନ୍ଦ ବାବୁ ଶାକମ୍ବରୀ ମୁଁହକୁ ଚାହିଁଲେ । ପଚାରିଲେ, “ଆଜି ତ ତୁ ଆସିଗଲୁ, କାଲି ପୁଣି କଲେଜ ଯିବୁ । ସେ ପିଲା ଦିଟା ପୁଣି ଆସିବେ, ପୁଣି କମେଣ୍ଟ କରିବେ, ସେତେବେଳେ ତୁ କଣ କରିବୁ ?”

ଶାକମ୍ବରୀ ଡରିଡରି କହିଲା, ସେ ପିଲା ଦିଟା ପୁରା ବଦମାସ ପରି ଦେଖା ଯାଉଥିଲେ, ସେଇଥିପାଇଁ ମୁଁ ଲଢେଇ କରିବାକୁ ଚାହୁଁ ନଥିଲି ।
ସଦାନନ୍ଦ କହିଲେ, ଲଢିବାକୁ କିଏ କହୁଛି ? ଲଢେଇ ତ ସବୁ ଜିନିଷର ଶେଷପନ୍ଥା ନୁହେଁ ! ତୁ କଣ ଜାଣିନୁ, ମହାତ୍ମାଗାନ୍ଧୀ ବିନା ଲଢେଇରେ ଏତେ ବଡ଼ ଦେଶଟାକୁ ସ୍ୱାଧୀନ କରିଦେଇଥିଲେ । ବାର୍ତ୍ତା ହେଉଛି ଉତ୍ତମ ପନ୍ଥା । ଜାଣିଛୁ, ଭାରତ ପାକିସ୍ଥାନ ପରସ୍ପରର ସବୁଠାରୁ ବଡ଼ ଶତ୍ରୁ, ଦୁଇ ଦେଶ ନିଜ ନିଜର ସେନାକୁ ସୀମାର ଦୁଇପାଖରେ ସବୁବେଳେ ସଜାଗ କରି ରଖିଛନ୍ତି, ଯୁଦ୍ଧ କରିବାକୁ । କିନ୍ତୁ ଯୁଦ୍ଧ ହେଉନି, ଜାଣିଛୁ କଣ ପାଇଁ ? ଶାକମ୍ବରୀ ପ୍ରଶ୍ନିଳ ଆଖିରେ ଜେଜେଙ୍କ ମୁହଁକୁ ଚାହିଁରହିଥାଏ । ଜେଜେ ଥରେ ଶାକମ୍ବରୀ ମୁହଁକୁ ଚାହିଁ ପୁଣି କହିବା ଆରମ୍ଭ କଲେ, କହିଲେ, ‘ବାର୍ତ୍ତା’, ବାର୍ତ୍ତା ହେଉଛି ଶ୍ରେଷ୍ଟ ପନ୍ଥା । ଦୁଇ ଦେଶ ମଧ୍ୟରେ ସବୁବେଳେ ଦ୍ୱିପକ୍ଷୀୟ ବାର୍ତ୍ତା ବିନିମୟ ଚାଲିଛି । ଯେଉଁଦିନ ଏହି ବାର୍ତ୍ତା ବିନିମୟ ବନ୍ଦ ହୋଇଯିବ, ଜାଣ ସେହି କ୍ଷଣରେ ସୀମାନ୍ତରେ ଘମାଶାନ ଲଢେଇ ଆରମ୍ଭ ହୋଇଯିବ । ତୁ ସାହସୀ ଝିଅଟେ, କରାଟେରେ ବ୍ଲାକବେଲ୍ଟ ଚମ୍ପିୟନ, କିନ୍ତୁ ତାର ଅର୍ଥ ନୁହେଁ ସବୁବେଳେ ନିଜର ଶକ୍ତି ପ୍ରଦର୍ଶନ କରିବୁ କିମ୍ବା ଅନ୍ୟକୁ ଡରେଇବୁ । ଶକ୍ତି ଅନ୍ୟର ରକ୍ଷାପାଇଁ ବ୍ୟବହାର କରିବା ବୀରତ୍ୱର ସବୁଠାରୁ ବଡ଼ ଗୁଣ ଏବଂ ନିଜ ଆତ୍ମରକ୍ଷା ପାଇଁ ତ ଶକ୍ତି ନିଶ୍ଚୟ ପ୍ରଦର୍ଶନ କରିବ । କଛି ଲୋକ କଥାରେ କଥାରେ ବୁଝି ଯାଆନ୍ତି, ଆଉ କିଛି ‘ଲାତ୍ କା ଭୂତ’ ଥାଆନ୍ତି । ତାଙ୍କୁ କଥାରେ ନୁହେଁ ବରଂ ହାତରେ ବୁଝାଇବାକୁ ପଡେ । ତୁ ତ ଦୁଇଟିଯାକ ବିଦ୍ୟାରେ ନିପୂଣ, ଡରିବାର କିଛି ନାହିଁ, ବୁଝିଲୁନା ? ଶାକମ୍ବରୀ ଟିକେ ହସିଦେଲା । ସଦାନନ୍ଦ ତା ପିଠି ଥାପୁଡେଇ ସ୍ନେହରେ କୋଳେଇ ନେଲେ ।

ପରଦିନ ସକାଳେ, ସବୁଦିନ ପରି କଲେଜ ଯିବା ପାଇ ବାହାରି ପଡ଼ିଲା ଶାକମ୍ବରୀ । ସଦାନନ୍ଦ ସକାଳୁ ତାକୁ ଅବଜର୍ଭ କରୁଥାଆନ୍ତି । ତା ମୁହଁରେ ଏକ କନଫିଡେନ୍ସର ତେଜ ଝଲକୁଥାଏ । କାଲିର ଡର ତା ମନରେ ତା ବ୍ୟବହାରରେ କେଉଁଠି ବି ନଜର ଆସୁନଥିଲା । ହେଲେ ସଦାନନ୍ଦଙ୍କ ମନରେ ଅଳ୍ପଟିକେ ଡର ଥାଏ । ଯେତେ ହେଲେ, ଝିଅଟାଏ ତ । ଯଦି କିଛି ଓଲଟାପାଲଟା ହୁଏ, ଆଉ ସେ ହାଣ୍ଡଲ କରି ନପାରେ ? ହୁଏତ ସଦାନନ୍ଦଙ୍କର ଏପରି ଡର, ନାତୁଣୀ ପ୍ରତି ନିଜର ଅତ୍ୟଧିକ ସ୍ନେହ ବା ପ୍ରୋଟେକ୍ଟିଭ ମନୋବୃତ୍ତି ଯୋଗୁ ହେଉ କିମ୍ବା ଆମ ସମାଜର ସେହି ପୁରୁଣା ମନୋବୃତ୍ତି, ଝିଅଙ୍କୁ ଦୁର୍ବଳ ଭାବିବା ଏବଂ ତାଙ୍କର ଶକ୍ତିକୁ କମ୍ କରି ଆଙ୍କିବାର ମନୋଭାବ ଯୋଗୁ ହେଉ, ମଣିଷ ମନରେ ଏ ପ୍ରକାର ଡର ବହୁତ ସ୍ୱାଭାବିକ୍ । ଯେତେହେଲେ ସଦାନନ୍ଦ ତ ଏଇ ସମାଜର ସାଧାରଣ ମଣିଷଟିଏ ! ସଦାନନ୍ଦ ସ୍ଥିର କଲେ ସେ ଆଜି ଶାକମ୍ବରୀର ଅଜାଣତରେ ତା ପଛେପଛେ ତାଠାରୁ ଟିକେ ଦୂରତା ରଖି ତାକୁ ଫଲୋ କରିବେ । ସେ ଠିକ୍ ଠାକ୍ ନିରାପଦରେ କଲେଜରେ ପହଞ୍ଚିଗଲା ପରେ ଘରକୁ ଫେରିବେ । ଏବଂ କଲେଜ ଛୁଟି ସମୟରେ ମଧ୍ୟ ସେୟା କରିବେ । କିଛିଦିନ ଏପରି କରିବାକୁ ସେ ମନେମନେ ସ୍ଥିର କରିନେଇଥିଲେ । ଯେତେହେଲେ ଶାକମ୍ବରୀ ତାଙ୍କର ହୃଦୟଠାରୁ ବି ଅଧିକ ନିଜର ଥିଲା ।

ଶାକମ୍ବରୀ ଆଗେଆଗେ ତାର ସାଇକେଲରେ ଚାଲୁଥାଏ, ଆଉ ସଦାନନ୍ଦ କିଛି ଦୂରତା ରଖି ତା ପଛେପଛେ ସାଇକେଲରେ ଚାଲୁଥାନ୍ତି । କିଛିବାଟ ଗଲାପରେ କଲୋନୀର ଶେଷରେ ଗୋଟାଏ ଛକ ପଡ଼େ, ଡାହାଣ ପଟକୁ ଗଲେ କଲେଜ ଏବଂ ବାଆଁପଟ ରାସ୍ତାଟା ବଜାର ଆଡ଼କୁ  ସିଧା ଗଲେ କଚେରୀ ଛକ ଆସେ । କଲେଜପଟକୁ ରାସ୍ତାଟା ଟିକେ ନିଛାଟିଆ, ବେଶି ଭିଡ଼ଭାଡ଼ ହୁଏନା ସେ ରାସ୍ତାରେ । ଶାକମ୍ବରୀ କଲେଜ ରାସ୍ତାର କିଛି ଦୂର ଯିବାପରେ ସେ ପିଲା ଦୁଇଟି ଯେପରି ତାକୁ କେଉଁଠି ଅପେକ୍ଷା କରିଥିଲେ । ସେମାନେ ବାହାରି ତା ପଛେପଛେ ତାକୁ ଫଲୋ କରିବା ଆରମ୍ଭ କରିଦେଲେ ଏବଂ ମଝିରେ ମଝିରେ ବିଭିନ୍ନ କମେଣ୍ଟ ବି କରୁଥାଆନ୍ତି । କିଛିବାଟ ଯାଇ ଶାକମ୍ବରୀ ସାଇକେଲରୁ ଓହ୍ଲାଇ ପଡ଼ିଲା । ଏବଂ ପିଲା ଦୁଇଟି ଯାଇ ତା ପାଖରେ ପହଞ୍ଚିଗଲେ । ଶାକମ୍ବରୀ ତାଙ୍କୁ କହିଲା, ଭାଇ, ମୁଁ ଯଦି ତୁମର ଭଉଣୀ ହୋଇଥାନ୍ତି ତେବେ ବି କଣ ତୁମେ ମୋ ସହିତ ଏପରି ବ୍ୟବହାର କରିଥାଆନ୍ତ ? ତୁମର କଣ କେହି ଭଉଣୀ ନାହାନ୍ତି । ତାର ଏଇକଥା ଶୁଣି ସେ ପିଲା ଦୁଇଜଣଙ୍କ ଭିତରୁ ଜଣେ କହିଲା, ସରି ସିଷ୍ଟର ଭୁଲ ହୋଇଗଲା ଏବଂ ଆର ପିଲାଟି ଆଡକୁ ଚାହିଁ କହିଲା, ଆରେ ଚାଲ, ତାକୁ ଯିବାକୁ ଦେ । କିନ୍ତୁ ଅନ୍ୟ ପିଲାଟି ଟିକେ ଅଲଗା ପ୍ରକାରର ଥିଲା । ସେ ଶାକମ୍ବରୀକୁ ଚାହିଁ କହିଲା, ହେ ମିସ୍, ସବୁ ସୁନ୍ଦରୀ ଝିଅଙ୍କୁ ଆମେ ଯଦି ସିଷ୍ଟର କହିବୁ ତେବେ ରୋମାନ୍ସ କାହା ସାଙ୍ଗେ କରିବୁ ?

ଶାକମ୍ବରୀ ସେ ପିଲାଟିକୁ ଟିକେ ଭଲ କରି ଦେଖିଲା, ପୁଣି କହିଲା, ସରି, ଏଇଟା ମୋର ଭୁଲ । ସବୁ ପୁଅଙ୍କୁ ରାମ ଭାବି ପୂଜା କଲେ ରାବଣ ମାନେ ପୁଣି କୁଆଡେ ଯିବେ ? ତାଙ୍କୁ ପୁଣି ଦଣ୍ଡ କିଏ ଦେବ ? ପିଲାଟି ସାଙ୍ଗେସାଙ୍ଗେ ବଡ଼ ପାଟିରେ ହସିଦେଇ କହିଲା, ରାବଣ କହିଲଣି ଯେତେବେଳେ, ତାହା ହେଲେ ଏବେ ସୀତା ହରଣଟା ବି ହୋଇଯାଉ, କହି ସେ ଶାକମ୍ବରୀର ହାତକୁ ଧରି ପକାଇଲା । ବିଚରା ସେଇଠି ସିଏ ତା ଜୀବନର ମସ୍ତବଡ଼ ଭୁଲଟାଏ କରିଦେଲା । ସେ ହୁଏତ ଠିକ ଭାବେ ବୁଝିପାରି ନଥିଲା ଶାକମ୍ବରୀକୁ । ଶାକମ୍ବରୀ ନିଜକୁ ସମ୍ଭାଳି ନେଇ ହଠାତ୍ ତାର ଆଣ୍ଠୁ ଉଠାଇ ସିଧା ମାରିଲା ଆଣ୍ଠୁଆଟାଏ ସେ ପିଲାର କୋଳସନ୍ଦାକୁ । ହଠାତ୍ ଯେପରି ହଜାର ଭୋଲ୍ଟର କରେଣ୍ଟ ଲାଗିଗଲା ପିଲାଟା ଦେହରେ । ସେ ନିଜର ଅଣ୍ଡକୋଷକୁ ଜାବୁଡିଧରି ସେଇଠି ନଇଁ ପଡ଼ିଲା । ଏଇ ସମୟରେ ଶାକମ୍ବରୀ ଜୋର ଲଗାଇ ମାରିଲା ତାର କହୁଣୀକୁ ତା ପିଠି ଉପରେ । ବିଚରା ଟୋକାଟା ଏପରି ଶକ୍ତ ପ୍ରହାର ଆଶା କରିନଥିଲା, ସମ୍ଭାଳି ପାରିଲା ନାହିଁ ଏହି ଅତର୍କିତ ଆକ୍ରମଣ, ଯନ୍ତ୍ରଣାରେ ଗଡ଼ିଗଲା ସେଇ ରାସ୍ତାଟା ଉପରେ । କିଛି ଲୋକ ବି ସେତେବେଳକୁ ଜମା ହୋଇ ଯାଇଥିଲେ ସେ ଜାଗାରେ । କିଏ ଜଣେ ପୋଲିସକୁ ବି ଫୋନ କରିଦେଲା । ସଦାନନ୍ଦ ଭିଡ଼ ଭିତରେ ଠିଆ ହୋଇ ସବୁ ଦେଖୁଥାନ୍ତି । କିଛି ସମୟ ଭିତରେ ପୋଲିସ ଗାଡ଼ି ଆସି ପହଞ୍ଚିଗଲା ଏବଂ ଶାକମ୍ବରୀର ସାହାସିକତା ପାଇଁ ତାର ପ୍ରଶଂସା କରିବା ସହିତ ପିଲାଟିକୁ ଇଭଟିଜିଂ ମାମଲାରେ ସାଙ୍ଗରେ ଥାନାକୁ ନେଇଗଲେ ।

ସେତେବେଳକୁ ଜେଜେ ଶାକମ୍ବରୀ ସାମ୍ନାରେ ପ୍ରକଟ ହୋଇଗଲେ, ତା ପିଠିରେ ହାତ ପକାଇ ତାକୁ କହିଲେ, ତୁ ଆଜି ମୋତେ ବଡ଼ ନିରାଶ କଲୁ । ଶାକମ୍ବରୀ କିନ୍ତୁ ବୁଝି ପାରୁନଥାଏ ଜେଜେ କ’ଣ କହିବାକୁ ଚାହୁଁଛନ୍ତି । ଜେଜେ ହସିହସି କହିଲେ, ଆଜି ଆଉ କିଛି ଅଧିକ କରାଟେ ଦେଖିବାକୁ ଇଚ୍ଛା ଥିଲା, ହେଲେ…., ଶାକମ୍ବରୀ ଟିକେ ହସିଦେଲା, ହସି ହସି କହିଲା, ଜେଜେ ତମେବି, ତୁମେ ସେ ପିଲାଟିକୁ ଦେଖିଲନା, ବିଚରା ଏଇ ଦେଶୀ ମେଡିସିନରେ କେମିତି ଚିତ୍ ହୋଇଗଲା, କରାଟେ ତା ପାଇଁ ଓଭରଡୋଜ ହୋଇ ଯାଇଥାଆନ୍ତା । ଦିହେଁ ଏକା ସାଙ୍ଗରେ ହସି ଉଠିଲେ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।

Related Posts

Leave a Reply

Your email address will not be published. Required fields are marked *