‘ଆଧ୍ୟାତ୍ମିକ ଚେତନାର ସ୍ଵର’ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଢେଙ୍କାନାଳର ଏକ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ଏ ମାଟିର ବରିଷ୍ଠ ଆଦର୍ଶ ଶିକ୍ଷକ ତଥା ପଣ୍ଡିତ କବି ଶିବ ପ୍ରସାଦ ଶତପଥୀଙ୍କର ମାନସ ସନ୍ତାନ ପୁସ୍ତକ “ଆଧ୍ୟାତ୍ମିକ ଚେତନାର ସ୍ଵର”ପୁସ୍ତକର ଲୋକର୍ପଣ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ବରେଣ୍ୟ ବିଶିଷ୍ଟ କବି ନୃସିଂହ ପ୍ରସାଦ ତ୍ରିପାଠୀ ମହୋଦୟ ମୁଖ୍ୟଅତିଥି ଭାବରେ ଶୁଭ ଉଦଘାଟନ କରି କବିଙ୍କର ବହୁମୂଖୀ ପ୍ରତିଭାକୁ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଶିଷ୍ଟ କବି ଅଟଳ ବିହାରୀ ଦାଶ ପୁସ୍ତକଟି ଉପରେ ଗଭୀର ଭାବରେ ସମୀକ୍ଷା କରି ଆଜିର ଆଧ୍ୟାତ୍ମିକ ଚେତନାର ଅବକ୍ଷୟର ଏହି ସନ୍ଧିକ୍ଷଣରେ ପଣ୍ଡିତ ଶିବ ପ୍ରସାଦ ଶତପଥୀଙ୍କ ଦ୍ୱାରା ରଚିତ “ଆଧ୍ୟାତ୍ମିକ ଚେତନାର ସ୍ଵର” ପୁସ୍ତକ ଏକ ଯୁଗଧର୍ମୀ ସାହିତ୍ୟ କୃତୀ ବୋଲି ଅବିହିତ କରିଥିଲେ ।

ଏହା ନିଶ୍ଚିତ ଭାବରେ ଏକ ଶୁଭଙ୍କର,ସ୍ଵାଗତଯୋଗ୍ୟ ଏବଂ ପ୍ରଶଂସନୀୟ ପଦକ୍ଷେପ । ଏହି ପୁସ୍ତକ ମାଧ୍ୟମରେ ଲେଖକ ସମାଜର ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ସଂସ୍କାରିତ, ଶୃଙ୍ଖଳିତ, ମାର୍ଜିତ ଏବଂ ଆଧ୍ୟାତ୍ମିକ ଚେତନାର ସ୍ଵରରେ ପ୍ରଭାବିତ ଜୀବନଯାପନ କରିବା ପାଇଁ ଦିଗ୍ଦର୍ଶନ ଦେଇ ତାଙ୍କର ବିଦବତ୍ତାର ପରିଚୟ ଦେବା ସହିତ ସଠିକ ସମାଜ ସଂସ୍କାରକର ଭୂମିକା ନିର୍ବାହ କରିଛନ୍ତି ବୋଲି କବି ଅଟଳ ବିହାରୀ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସନ୍ତାନର ଜନକ କବି ପଣ୍ଡିତ ଶିବ ପ୍ରସାଦ ଶତପଥୀ ସ୍ଵରଚିତ ବହିଟି ବିଷୟରେ ସମ୍ୟକ ସୂଚନା ପ୍ରଦାନ କରି ବିଭିନ୍ନ ଶାସ୍ତ୍ର ସବୁରୁ ସଂଗୃହିତ ଆଧ୍ୟାତ୍ମିକ ଜ୍ଞାନକୁ ସମାଜରେ ବିତରଣ କରି ଏକ ଆଧ୍ୟାତ୍ମିକ ପରିବର୍ତ୍ତନର ସୂତ୍ରଧର ସାଜିବାକୁ ଏହି ପୁସ୍ତକଟିକୁ ରଚନା କରିବାକୁ ପ୍ରୟାସ କରିଛନ୍ତି ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ସଭାପତି ଭାବରେ ମଞ୍ଚ ଅଳଙ୍କୃତ କରିଥିବା ରାଜ୍ୟ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଶରତ କୁମାର ମିଶ୍ର ପୁସ୍ତକଟିର ଆରମ୍ଭରୁ ଶେଷଯାଏଁ କିପରି ଭାବରେ କବି ନିରବଚ୍ଛିନ୍ନ ସଂଗ୍ରାମ ଜାରିରଖି ପୁସ୍ତକଟି ପ୍ରକାଶ କରିଥିଲେ ସେସବୁକୁ ସବିଶେଷ ବର୍ଣ୍ଣନା କରିଥିଲେ । ପୁସ୍ତକଟିକୁ ପ୍ରକାଶ କରିଥିବା ଭୁବନେଶ୍ୱରର ମାଷ୍ଟର ମାଇଣ୍ଡର ପରିଚାଳକ ତଥା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ମହୋଦୟଙ୍କୁ ସାଦର ସମ୍ଵର୍ଦ୍ଧନା ଅର୍ପଣ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମକୁ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସଂଯୋଜନା ତଥା ସୁପରିଚାଳନା କରିଥିବା ବେଳେ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ସ୍ଵୀୟ ବକ୍ତବ୍ୟ ଉପସ୍ଥାପନ କରିବା ଅବସରରେ ପୁସ୍ତକଟି ସାମ୍ପ୍ରତିକ ସମାଜରେ ଆଧ୍ୟାତ୍ମିକ ଚେତନାର ଅଭ୍ୟୁଦୟ କରି ଏକ ବୈପ୍ଳବିକ ପରିବର୍ତ୍ତନର ସୂତ୍ରଧର ସାଜିଥିଲେ ଓ ଉପସ୍ଥିତ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରାରମ୍ଭରେ ବେଦମାତା ଗାୟତ୍ରୀଙ୍କର ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ଵଳନ, ଧୂପ ଓ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲାବେଳେ ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ର ସୁମଧୁର ସ୍ଵରରେ ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପୌତ୍ର ରାଜାଙ୍କ ପାଇଁ ଷୋଳପାଲା ପରିବେଷଣ କରାଯାଇଥିଲା ।

Related Posts

Leave a Reply

Your email address will not be published. Required fields are marked *