ସାଂସ୍କୃତିକ ଆଦାନପ୍ରଦାନରେ ଓଡ଼ିଆ ଅସ୍ମିତା ବଞ୍ଚି ରହୁ

ଭୁବନେଶ୍ଵର :

“ଆୟୁଷ ମୋର ଯେତିକି ବଢେ
ସେତିକି ନୂଆ କୀରତି ଗଢେ
ଦିନକୁ ଦିନ ମୁଁ ଯଉବନ
ଆଗାମୀ ପାଇଁ ଦେଖେ ସପନ
ରୂପ ଗୁଣରେ ମୋ ସରି
ଆଉ ଅଛି ବା କେ ସରସା !
ମୁଁ ଓଡ଼ିଆ ଭାଷା ….।”

ଏଇ ଗୀତରେ ଗୁଞ୍ଜରିତ ହୋଇ ଉଠିଥିଲା ଜୟଦେବ ଭବନ । ଅବସର ଥିଲା ଓଡ଼ିଆ ମିଡ଼ିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଓଡ଼ିଶା ଇତିହାସ, ଲୋକକଳା ଓ ସଂସ୍କୃତି ଆଦିର ସମାହାରକୁ ନେଇ ଗଢା ‘ଭାଷା ସଙ୍ଗୀତ’ର ଶ୍ରୋତାର୍ପଣ ଉତ୍ସବ । କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଯୋଗ ଦେଇ ଏହି ସଙ୍ଗୀତରେ ଉଭୟ ଆଧୁନିକତା ଓ ପଲ୍ଲୀପଣ ଭରି ରହିଛି ବୋଲି କହିଥିଲେ । ଏହା ନୂଆ ପିଢିର କଣ୍ଠଶିଳ୍ପୀମାନଙ୍କୁ ପ୍ରେରଣା ଦେବ ବୋଲି ସେ ମତ ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି/ କଥାକାର ତଥା ଗୀତିକାର ଦେବଦାସ ଛୋଟରାୟ କହିଥିଲେ, “ଭାଷା ହେଉଛି ପରିବହନର ମାଧ୍ୟମ । କିନ୍ତୁ ଭାଷା ଅପେକ୍ଷା ସଙ୍ଗୀତ ଅଧିକ ସୁଦୂରପ୍ରସାରୀ ହୁଏ ବୋଲି ସେ କହିଥିଲେ । ଯଦି ଆମେ ନିଜ ସଂସ୍କୃତିକୁ ସମ୍ମାନ ଦେବା, ତେବେ ସଂସ୍କୃତିର ଆଦାନପ୍ରଦାନ ଆହୁରି ଦ୍ରୁତ ହୋଇପାରିବ । କିନ୍ତୁ ଏହି ଆଦାନପ୍ରଦାନ ମଧ୍ୟରେ ଓଡ଼ିଆର ଅସ୍ମିତା ଯେଭଳି ବଞ୍ଚି ରହେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ ।”

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ, “ଓଡ଼ିଶାର ଭବିଷ୍ୟତ ହେଉଛନ୍ତି ଯୁବ ଓଡ଼ିଆ । ତେଣୁ ଭାଷାକୁ ନାଟକ, ସିନେମା, ସଙ୍ଗୀତ, ଗପ ଆଦି ମାଧ୍ୟମରେ ସେହି ଯୁବ ପିଢିଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ ହେବା ଆବଶ୍ୟକ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର କୌଣସି ନିର୍ଦ୍ଦିଷ୍ଟ ଲୋକ କରିବ, ତାହା ନୁହେଁ, ଆମେ ସମସ୍ତେ ଆମ ଭାଷାର ରାଜଦୂତ ବୋଲି ସେ ନିଜର ମତ ଦେଇଥିଲେ ।” ଅନ୍ୟତମ ଅତିଥି ଭାବେ ଶ୍ରୋତାର୍ପିତ ଗୀତାର କଣ୍ଠଶିଳ୍ପୀ ଅଭିଜିତ ମିଶ୍ର ଯୋଗ ଦେଇ ଏହି ଗୀତ ତାଙ୍କର ଏକ ବଡ଼ ଦାୟିତ୍ଵ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଗୀତର ଗୀତିକାର ଶୁଭ୍ରାଂଶୁ ପଣ୍ଡା ସ୍ଵାଗତ ଭାଷଣ ପ୍ରଦାନ କରିଥିଲା ବେଳେ ମଞ୍ଚ ପରିଚାଳନା କରିଥିଲେ ଅଂଶୁମାନ ଜେନା । ଶେଷରେ ଧନ୍ୟବାଦ ଦେଇଥିଲେ କବି ପବିତ୍ର ମୋହନ କର ।

Related Posts

Leave a Reply

Your email address will not be published. Required fields are marked *