ସେଇ ଦରିଆ ସେଇ ଦିଗନ୍ତ

ପ୍ରଣତୀ ତ୍ରିପାଠୀ

ଶରୀର ସୁନ୍ଦର ସତ
ପ୍ରେମଠୁ ନୁହେଁ…
ସୁନ୍ଦରତା ଏକ ମୋହାସକ୍ତ
ଆକର୍ଷଣ ସତ
ହୃଦୟଠୁ ନୁହେଁ…

ଦିଗନ୍ତ ନଥିଲେ ଦରିଆ
ମେଘ ମଲ୍ହାର ନଥିଲେ ନୀଳିମା
ଅଦୃଶ୍ୟ ସେ ହାତର ଶୃଙ୍ଗାର ନଥିଲେ ସୁଷମା…
ନିଃସର୍ତ୍ତ ନିଟୋଳ ଆଶ୍ଳେଷର ଅନୁଭବ ନଥିଲେ … ସେ ଅନୁପମା…
ଭୋଗ କି’ଭାଗରେ କି ସୁନ୍ଦର ହୁଏ !

ତେଣୁ ହେ ପ୍ରକୃତି ପୁରୁଷ
ଅନନ୍ୟ ପ୍ରେମର ଆହ୍ଲାଦରୁ
ନିଗାଡ଼ି ଦେଇ ସବୁ ପୁଲକିତ ନିର୍ଯ୍ୟାସ…
ଆସ… ମିଠା ନଈର ଭଉଁରୀରେ ଅଥଳକୁ ବୁଡ଼ି ଯିବା….
ଅଣଚାଶ ପବନକୁ ମାତ୍ ଦେଇ
ହୃଦୟକୁ ଡେଣା କରି ଦିଗହରା ହବା…
ବରଫକୁ ନିଶ୍ୱାସର ଆଞ୍ଚ ଦେଇ
ତରଳେଇ ତରଳେଇ ଜଳକ୍ରିଡ଼ା କରିବା…
ଜହ୍ନିଫୁଲ ପରି ଜହ୍ନକୁ ମହୁଆ ସଂଜରେ ତୋଳି ଆଣି
କଳଙ୍କକୁ ମାଖି ହେଇ ବୁଝିବା…

ଆସନା… !
ବିଧି ଲେଖିସାରିଥିବା ଏ’ ମାଟିର
ଶେଷ ମୂହୁର୍ତ୍ତଟା ଆଖିରେ ବିକଳ ହେଇ ବତୁରିବା ଆଗରୁ…
ମନର ବେଦୀପରେ ଧରାବନ୍ଧା ନୀତିନିୟମକୁ ଜାଳି ଦେଇ…
ହଳଦୀବସନ୍ତ ପିଠିରେ ଉଦ୍ଦିଷ୍ଟ ଥିବା ସବୁ ଫଗୁଣର ହାଟ ବସେଇ
ପ୍ରତ୍ୟେକଟି ନିରାସକ୍ତ ଇଛାର ସବୁଜ ସଉଦା କରିବା…

ନିଶ୍ୱାସରୁ ବିଶ୍ୱାସର
ମହମହ ମହକ ମଉଳିବା ଆଗରୁ
ଆସ, ଥରେ ଛାତିରୁ ଛାତିରେ ଏଇ ନିଆରା ସମ୍ପର୍କର ଛାଇକୁ ଓ…
ସେଇ ଦିଗନ୍ତ ଯାଏ ଲମ୍ବା ଏକ ଗାର କରି ଟାଣିଦେବା…

ଚାହିଁଚ କ`ଣ ଆସନା !
ଆସ…
କାଳେ ଦିନ ନଇଁଯିବ …!
ସଂଜକୁ କିଏ ଚଉରା ମୂଳେ ଲିପିଦବ…!
ଜହ୍ନିଫୁଲ ଝରିଯିବ …!
ଦ୍ୱିତୀୟା ଜହ୍ନଟା ବୁଡ଼ି ଯିବ…
ଅନ୍ଧାରରେ ଆଉ ମୁହଁକୁ ମୁହଁ ନଦିଶିବ…!
ଆସ…
ଆସ ପା କହୁଚି…!

ଗୋଠପାଟଣା, ଭୁବନେଶ୍ଵର

ଲେଖକ ପରିଚୟ

ସ୍କୁଲ ପଢିଲାବେଳୁ ହିଁ ଲେଖାଲେଖି କରେ, କିନ୍ତୁ ଚୁପଚାପ, ଅପ୍ରକାଶ୍ୟରେ । କବିତା ଲେଖିବାକୁ ଭାରି ଭଲପାଏ, କିନ୍ତୁ କାହାକୁ ପଢେଇବାକୁ ସାହସ କୁଳେଇ ପାରେନା । ସେହି ଦାୟରେ ତେଣୁ କେବେ କେଉଁଠିକି ପ୍ରକାଶ ପାଇଁ ବି ପଠାଇ ନାହିଁ । ଏବେ ଯେବେ ଫେସବୁକ ପରି ସୋସିଆଲ ମିଡ଼ିଆ ସହିତ ପରିଚୟ ହେଲା ସେତେବେଳେ ଆଶ୍ଵସ୍ତ ହେଲି ଓ ତାକୁ ହିଁ ମାଧ୍ୟମ କରିଦେଲି ନିଜ କବିତା ସବୁକୁ ଲେଖିବାକୁ । ପାଠକ ସ୍ୱୀକୃତି ମିଳେ, ଆହୁରି ଲେଖିବାକୁ ପ୍ରୋତ୍ସାହନ ବି । ଏଯାବତ କୌଣସି ସଂକଳନ ପ୍ରକାଶିତ ହୋଇନାହିଁ ।

Related Posts

Leave a Reply

Your email address will not be published. Required fields are marked *