ବିନୟ ମହାପାତ୍ର
ମନ ପଚାରିଲା : କୋଳି ଖାଇବାକୁ ଯିବୁ ?
ମୁଁ ଟିକିଏ ଆଗ୍ରହ ଦେଖାଇ ପଚାରିଲି, କୋଳି ? କି କୋଳି ? କେଉଁଠି ଅଛି ?
ମନ କହିଲା : ଛାଡ୍ ସେ କଥା, ଆଗ କହ, କୋଳି ଖାଇବାକୁ ଯିବୁ, କି ନାହିଁ ?
ମୁଁ ଟିକେ ଭାବେ, ଓଠ ଉପରେ ଟିପ ଠକ୍ ଠକ୍ କରେ, ଆଖି ଡୋଳାକୁ ଉପର ତଳ, ବାଆଁ ଡାହାଣ ଘୁମାଇ ପୁଣି ଭାବିଲି । ବହୁତ ଗହନ ଚିନ୍ତନ ପରେ ଜବାବ ଦେଲି । ହଁ ଯିବି ! ହେଲେ ପଚାରି ପାରିନି କୋଳି ଖାଇବା ପରି ଏକ ମାମୁଲି କଥାକୁ ମନ ଏତେ ସିରିୟସ ହୋଇ କାହିଁକି ପଚାରୁଛି ! ମନେମନେ ଭାବିଲି, ସାରୁ ଭିତରେ ମାରୁ ନାହିଁ ତ ? ସେଇଥିପାଇଁ ଅନେକ କିଛି ଭାବେ, ହଁ ନାହିଁର ଡଙ୍ଗାରେ ବସି ଏ କୂଳ ସେ କୂଳ ହୁଏ । ଲାଭ କ୍ଷତିର ଅଙ୍କ କଷେ । ପୁଣି ବହୁତ କିଛି ଭାବିଲା ପରେ ହଁ କହେ ।
ମନ ପୁଣି ପଚାରେ : କୋଳି ଖାଇବା ପାଇଁ ତ ଯିବୁ, ହେଲେ ଜଙ୍ଗଲରେ ବାଘ ଦେଖିଲେ ଡରିବୁନି ତ ?
ମନର ଏଇ ପ୍ରଶ୍ନଟି ମୋତେ ପୁଣି ସତେଯେପରି ଭାବନାର ଗଭୀର ଜଳକୁ ଟାଣିନିଏ । ମୁଁ ଟିକିଏ ଘାବରେଇ ଯାଏ । କୋଳି ଖାଇବା ପରି ଏକ ସାମାନ୍ୟ ପ୍ରସଙ୍ଗ ଭିତରକୁ ହଠାତ୍ ଏ ବାଘ କେଉଁଠୁ ଡିଆଁ ମାରିଲା । କାହିଁ ଆଗରୁ ତ କେହି କହି ନଥିଲା ଏ କଥା, ବାଘ ଜଙ୍ଗଲକୁ କୋଳି ଖାଇଯିବା କଥା । ଜଙ୍ଗଲରେ ବାଘ ଥାଏ । ଏ କଥା କିଛି ନୂଆ କଥା ନୁହେଁ । ଯେବେଠୁ ଜଙ୍ଗଲ ଅଛି, ସେବେଠୁ ଜଙ୍ଗଲରେ ବାଘ ଅଛନ୍ତି । ବାଘ ବଳୁଆ ନା ମଣିଷ ବଳୁଆ ? ହଁ ବାଘର ବଳ ବେଶି ହୋଇପାରେ, କିନ୍ତୁ ମଣିଷ ଭଳି ବୁଦ୍ଧି ତ ବାଘର ନାହିଁ ! ବାଘର ଖାଲି ବଳୁଆ ଦେହ, ସେ ଜଙ୍ଗଲର ରାଜା, କିନ୍ତୁ ମଣିଷର ବନ୍ଦୁକ ସାମ୍ନାରେ ବାଘ ବା କଣ ? ଜଙ୍ଗଲରେ କେତେଟା ବାଘ ଥିବେ, ଆଉ ଆମେ ମଣିଷ କେତେ ଅଧିକ ? ତଥାପି ମନ ମୋତେ ବାଘ ବାଘ କହି ଡରଉଛି କାହିଁକି ? ଜଙ୍ଗଲକୁ ମୁଁ ଆଗରୁ ବି ଅନେକଥର ଯାଇଛି, କାହିଁ କେବେ ତ ବାଘ ମୋ ସାମ୍ନାକୁ ଆସିନି । ମୋତେ ଡରେଇବା ପାଇଁ ମନର ଏଇଟା ଗୋଟେ ଚାଲ୍ ନୁହେଁ ତ !
ବାଘ କଣ କୋଳି ଖାଏ ? ନା କୋଳି ଜଙ୍ଗଲ ବାଘର ରହିବା ଜାଗା ?? ମୁଁ ସାମାନ୍ୟ ଆଶ୍ଵସ୍ତ ହୁଏ । ଶେଷରେ ଏଇ ନିସ୍କର୍ଷରେ ପହୁଞ୍ଚେ ଯେ, ବାଘ ରହୁଥିବା ଅଗନାଅଗନି ବନସ୍ତ ଭିତରେ କୋଳିଗଛ ନଥାଏ, କିମ୍ବା କୋଳିଗଛ ଥିବା ଜଙ୍ଗଲରେ ବାଘ ରହେନା । ଯେଉଁଠି ବାଘ ନଥିବାର ସମ୍ଭାବନା ଏତେ ଅଧିକ, ସେଇଠି ପୁଣି ବାଘର ଭୟ କାହିଁକି ? ମୁଁ ହଠାତ୍ ନିର୍ଭୀକ ହୋଇଯାଏ, ଛାତିଫୁଲାଇ ବାହାଦୁରୀ ଦେଖାଇ କହେ, ମୁଁ ବାଘକୁ ଡରେନା । ଚାଲ କୋଳି ଖାଇବାକୁ ଯିବା ।
× × × × × ×
ମୋ ମନ ଆଉ ମୁଁ, ଆମେ ଦି’ଜଣ କୋଳି ଖାଇବାକୁ ଗଲୁ । ଅଗନାଅଗନି ବନସ୍ତ, କେତେ ବଡ଼ବଡ଼ ଗଛ, ଦିନରେ ସୂର୍ଯ୍ୟକିରଣ ବି ତଳେ ପଡ଼େନା । ତାଆରି ମଝାମଝି ଛୋଟିଆ ଜାଗାଟିଏ ସେଇଠି ଥାଏ କୋଳିଗଛର ବଣଟି । ଏତେ ଦାମିକା ଦାମିକା ଶାଳ ପିଆଶାଳ ଜଙ୍ଗଲର ଗଛମାନଙ୍କ ଭିତରେ ଏଇ ମାମୁଲି କୋଳିବଣଟିକୁ କେହି ପଚାରନ୍ତି ନାହିଁ । ବାକି ବଡ଼ଗଛ ମାନଙ୍କ ପରି ଗୋଟିଏ ବି କୋଳି ଗଛରେ ଜଙ୍ଗଲ ବିଭାଗର ଷ୍ଟାମ୍ପ ବାଜିନି କିମ୍ବା ରଙ୍ଗ ଟୋପେ ବି ଲାଗିନି । ବଡ଼ ମୂଲ୍ୟହୀନ ଅନାଥଙ୍କ ପରି ଦିଶୁଥାଆନ୍ତି କୋଳିଗଛ ଗୁଡ଼ିକ, ହେଲେ କେତେ ଜାତିର ନାଲି ଟହ ଟହ ପାଚିଲା କୋଳି । ଗଛସବୁ ନାଲି ଟକଟକ କୋଳିରେ ନେନ୍ଥି ହୋଇ ରହିଥାଆନ୍ତି । ଚାରି ଦିଗରେ ବାସ ମହକି ଯାଉଥାଏ । ପାଟିରୁ ଆମର ଲାଳ ଗଡ଼ି ଆସିଲା । ଆମେ ଆଉ ଅପେକ୍ଷା କରି ପାରୁନଥିଲୁ । ଆମେ ପୁରାପୁରି ଆସ୍ୱସ୍ତ ହୋଇଗଲୁ, ଜଙ୍ଗଳବିଭାଗ ଗଛଗୁଡ଼ିକର ମାଲିକ ନୁହେଁ, କିମ୍ବା ବାଘ କୋଳି ଗଛ ବିଷୟରେ ଏତେ ସିରିୟସ ନୁହେଁ । ତେଣୁ ଆମେ କୋଳିଗଛରେ ଚଢିଲୁ, କୋଳି ତୋଳିଲୁ । କଣ୍ଟା ବାଜି ଦେହରୁ ରକ୍ତ ଝରିବାକୁ ଲାଗିଲା, ଲୁଗା ଚିରିଲା, ତଥାପି ଆମେ ଭୟ ନକରି ଗଛରେ ଚଢିଲୁ, କୋଳି ତୋଳିଲୁ ।
ଏତେ ସୁନ୍ଦର କୋଳି ଦେଖି ଲୋଭ ସମ୍ଭାଳି ହେଉନଥାଏ । ଶେଷରେ କୋଳି ଗୋଟିଏ ପାଟିରେ ଦେବା ବେଳକୁ କେଉଁଠି ଥିଲା କେଜାଣି, ଗର୍ଜନ କରି ମାଡ଼ି ଆସିଲା ବାଘମାମୁଁ । ନିଶକୁ ଫୁଲାଇ ଭୁଇଁରେ ତାର ଲାଂଜ ପିଟିଲା । ରାଗରେ ଗର୍ଜନ କରି କହିଲା : କିଏରେ ରାଜାଙ୍କ ଜଙ୍ଗଲରୁ କୋଳି ତୋଳୁଛି ?
ଆମେ କହିଲୁ : ବାଘ ମାମୁଁ ଆମେ !
ଆମେ ? ଆମେ ଅର୍ଥ ? କିଏ ତୁମେ ?? ତମେ କଣ ମନ୍ତ୍ରୀ, ଅଫିସର, ନା କଟୁଆଳ ନା ଜଗୁଆଳୀ ଯେ ଜଙ୍ଗଲରେ ପଶି ମନଇଚ୍ଛା କୋଳି ତୋଳିନେବ ? କୋଳି ଖାଇବ ? ତୁମେ କଣ ଜାଣିନ, ଜଙ୍ଗଲରେ ଯାହାବି ଅଛି ସେସବୁ ରାଜାଙ୍କର ! କେବଳ ରାଜାଙ୍କ ପାଖଲୋକ, ତାଙ୍କର ଚେଲାଚାମଣ୍ଡା ଭୋଗ କରିବେ । ତୁମେ ଏଇଠି କୋଳି ଖାଉଛ, ଏ କଥା ରାଜାଙ୍କ କାନକୁ ଗଲେ ତୁମକୁ ଶୂଳି ହୋଇଯିବ, ଜେଲ ହୋଇଯିବ ।
ମନ ଟିକିଏ ଭାବେ, ପୁଣି କହେ : ଏ ଜଙ୍ଗଲ କଣ ରାଜାଙ୍କର ? ଏ ଜଙ୍ଗଲ ତ ଏ ଦେଶର ଜନ ସାଧାରଣଙ୍କର । ରାଜା ତ ଖାଲି ଜଗୁଆଳୀ । ଏଇ କୋଳି ସମସ୍ତଙ୍କ ପାଖରେ ଠିକ୍ ସମୟରେ ଠିକ୍ ଭାବରେ ପହୁଞ୍ଚାଇବା ରାଜାର ଦାୟିତ୍ଵ । ମନ୍ତ୍ରୀ ଅଫିସରଙ୍କ ଦାୟିତ୍ଵ । ଗଣତନ୍ତ୍ର ଦେଶରେ ଜନତା ହାତରେ ସବୁକିଛି । ଜନତା ଚାହିଁଲେ ରାଜାଙ୍କୁ ବଦଳେଇ ଦେବେ । ରାଜା ଲୋକଙ୍କର, ରାଜା ଲୋକଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ । ରାଜା ବଡ଼ ନା ଜନତା ବଡ଼ ??
ମନର ଉତ୍ତର ଶୁଣି ବାଘର କ୍ରୋଧ ଚରମ ସୀମାରେ ପହଞ୍ଚିଗଲା । ରାଗରେ ବାଘ ଆଖିରେ ସତେ ନିଆଁ ଜଳି ଉଠିଲା । ବାଘ ଗର୍ଜନ କଲା । ଭୁଇଁରେ ଲାଂଜ ପିଟିଲା । ପୁଣି କହିଲା :
ଆମକୁ ନିୟମକାନୁନ ଶିଖାଅନା । ତୁମେ ସବୁ ଜନତା ରାଜାଙ୍କୁ ଗଦିରେ ବସେଇଛ ବୋଲି ରାଜାଙ୍କ ଉପରେ ରାଜା ହେବାକୁ ଚେଷ୍ଟା କରନା । ଭୁଲି ଯାଅନା, ତୁମେ ସବୁ ଜନତା ରାଜାଙ୍କୁ ଯୋଗ୍ୟ ବୋଲି କିମ୍ବା ଦୟା ଦେଖାଇ ସିଂହାସନରେ ବସାଇନ । ତୁମର ବୋତଲେ ମଦ କି ମାଉଁସ ଭୋଜି ପାଇଁ, ଗାଆଁ କ୍ଲବ ପାଇଁ ପଇସା ଲୋଡ଼ା, ଟଙ୍କା ନେଇ ବୋତଲେ ମଦ ବଦଳରେ ଭୋଟ ବିକିବା କଥା ଭୁଲିଗଲ ? ରାଜା ଭୋଟ କିଣି ରାଜା ହେଲେ, କିଣାବିକାର କାରବାରରେ ପୁଣି ଅଧିକାର କଥା କାହିଁକି କହୁଛ ? ତୁମେ ତ ଜାତି, ଧର୍ମ, ମନ୍ଦିର ମସଜିଦ୍ ନାଆଁରେ ଭୋଟ ଦେଇ ପ୍ରତିନିଧି ନୁହେଁ ରାଜା ଭାବରୁ ନେତାଙ୍କୁ ଗଦିରେ ବସେଇଛ ଏବେ ଏ ସ୍ୱାଧିନତା, ନାଗରିକ ଅଧିକାର କଥା କାହିଁକି ଭାବୁଛ ? ନେତାଙ୍କୁ କେବେ ପଚାରିଛ, ଗତ ପାଞ୍ଚ ବର୍ଷରେ ସେମାନେ ତୁମ ପାଇଁ କଣ କରିଛନ୍ତି ?
ମନ ଜବାବ ଦେଲା:
ହଁ, କେତେଥର ପଚାରିଛୁ, ଯେତେବେଳେ ପ୍ରତିଶୃତି କଥା ପଚାରିଛୁ ରାଜା କଥା ବଦଳେଇ ଦିଅନ୍ତି । ମୋ ଧର୍ମ ବିପଦରେ ପଡିଛି, ସେମାନେ ମୋ ଧର୍ମର ରକ୍ଷକ, ତାଙ୍କୁ ବାଛିବାକୁ କୁହନ୍ତି, ଆଉ ପୁଳାଏ ଆସି ମୋ ସମ୍ବିଧାନ ବିପଦରେ ପଡିଛି ସମ୍ବିଧାନର ରକ୍ଷକ ସେମାନେ, ତାଙ୍କୁ ଭୋଟ ଦେବାକୁ କହୁଛନ୍ତି, ରାଜା ହେବା ପାଇଁ ସେମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଛି । ସତମିଛ କହି ସେମାନେ ନିଇତି ଆମକୁ ଡରାଉଛନ୍ତି । ବାଘମାମୁଁ ସତ କୁହ, ଜଣେ ଭୟାତୁର ମଣିଷ କଣ ଏକ ସଠିକ୍ ନିର୍ଣ୍ଣୟ ନେଇପାରିବ? ଭୟାତୁର ମଣିଷର ନିଷ୍ପତ୍ତିରେ ଭୁଲ ବି ହୋଇପାରେ ଏବଂ ଅଯୋଗ୍ୟ ବ୍ୟକ୍ତି ରାଜ ଆସନରେ ବିରାଜମାନ ହୋଇଯାଉଛି । ଆଜି ସେବା ପାଇଁ କେହି ଜନପ୍ରତିନିଧି ହେବାକୁ ଚାହୁଁନି, ସମସ୍ତେ ନିଜ ସ୍ୱାର୍ଥ, ନିଜ ଅହଂକାର ତୁଷ୍ଟି ପାଇଁ ରାଜନୀତିକୁ ନିଜର ପେଶା କରିନେଇଛନ୍ତି । ଦେଶ ସ୍ୱାଧୀନତା ପାଇଁ ସବୁ ଉଚ୍ଚଶିକ୍ଷିତ, ନିଜର ଅର୍ଥକାରୀ ଲୋଭନୀୟ ଆୟର ପନ୍ଥାକୁ ଛାଡ଼ି ସଂଗ୍ରାମରେ ଯୋଗ ଦେଇଥିଲେ । ସେ ନେତାମାନଙ୍କ ଭିତରେ ଗୋଟି ନେତାର ନାଆଁ କୁହ ଯିଏ ଅଶିକ୍ଷିତ ଥିଲା ! କିନ୍ତୁ ଆଜି, ଯିଏ କୌଣସି କାମ ପାଇଁ ଯୋଗ୍ୟ ନୁହେଁ ସେଇମାନେ ହି ରାଜନୀତିରେ ଧଳା ପୋଷାକ ପିନ୍ଧି ନେତା ସାଜିଛନ୍ତି । ବିଚରା ସବୁ ଚୋରଙ୍କ ଭିତରୁ କାହାକୁ ବାଛିବ ? ସେମାନଙ୍କ ଭିତରୁ ଯାହାକୁ ବାଛିଲେ ବି ସେ କଳା ଥିବ ? କାଉ ଭିତରେ ବଗ ଖୋଜିଲେ କାହୁଁ ମିଳିବ !
ବାଘ କହିଲା:
ତୁମେ କାହା ଭିତରୁ କାହାକୁ ବାଛିବ ସେ କଥା ମୁଁ ଜାଣେନା, ତମେ କଣ ନିଷ୍ପତ୍ତି ନେବ ବା ନେଉଛ ସେଥିରେ ମୋର କିଛି ଯାଏ ଆସେନା । ସିଂହାସନରେ ଯିଏ ବସିଲା ସେ ମୋ ରାଜା, କେବଳ ତାର ହୁକୁମ ମୁଁ ମାନିବାକୁ ବଚନବଦ୍ଧ । ମୋତେ ଯାହା ଆଦେଶ ଅଛି, ତାହା ହେଉଛି, ଏ ସବୁ କୋଳି କେବଳ ଜନତାଙ୍କୁ ଦେଖାଇବା ପାଇଁ । ଏ କୋଳି କେବଳ ରାଜା, ତାଙ୍କର ଅମାତ୍ୟମାନେ ହିଁ ତୋଳି ପାରିବେ, ଖାଇ ପାରିବେ ଏବଂ ସେମାନଙ୍କ ପ୍ରିୟ ପାତ୍ରମାନଙ୍କ ମଧ୍ୟରେ ବାଣ୍ଟି ପାରିବେ । ତୁମମାନଙ୍କ ପାଖରେ ପହଞ୍ଚିବା ଆଗରୁ ସେସବୁ ଆମ ହାତକୁ ଆସିବ । ଆମଠୁ ବଳିଲେ, ଚେଲାଚାମଣ୍ଡାଙ୍କ ପେଟକୁ ଯିବ, ସେଇଠୁ ବଳିଲେ ଯାଇ ତୁମ ପାଖରେ ପହଞ୍ଚିବ । ଘରକୁ ଯାଅ, ଘରେ କୋଳିର ଅପେକ୍ଷା କର । ତେଣିକି ତୁମର ଭାଗ୍ୟ । ଯଦି ତୁମକୁ ମିଳିଗଲା, ତେବେ ଭଗବାନଙ୍କୁ ଧନ୍ୟବାଦ କହିବ, ଯଦି ନମିଳିଲା ତେବେ ଆର ବର୍ଷ ପାଇଁ ଅପେକ୍ଷା କରିବ । ହଁ ଯିବା ଆଗରୁ ଯେତେକ କୋଳି ତୋଳିଛ ସେସବୁ ମୋ ସାମ୍ନାରେ ରଖିଦେଇ ଯାଅ ।
ବାଘର ରାଗ ଦେଖି ଆମେ ବହୁତ ଡରିଗଲୁ । ଗଛରୁ ଓହ୍ଲେଇଲୁ । ଯେତେ କୋଳି ତୋଳିଥିଲୁ ସବୁ ନେଇ ବାଘମାମୁଁ ସାମ୍ନାରେ ଚୁପଚାପ୍ ରଖିଦେଲୁ । ବାଘ ମାମୁଁ ଥରେ ଆମକୁ, ପୁଣି ଥରେ ଭୋକିଲା ଆଖିରେ କୋଳି ଆଡ଼କୁ ଚାହିଁଲା ଏବଂ ଚିତ୍କାର କରି କହିଲା:
ଆଉ ଚାହିଁ ରହିଛ କଣ ? ଯାଅ, ପଳାଅ ଏଇଠୁ । ଜଲଦି ପଳାଅ । ନହେଲେ ଜେଲ ହୋଇଯିବ, ଜୋରିମାନା ହୋଇଯିବ ।
ଆମେ ଏକା ମୁଁହା ହୋଇ ଧାଇଁଲୁ ଘର ଆଡ଼କୁ । ହେଲେ ମୁଁ ଯେତେବେଳେ ଥରେ ପଛକୁ ଫେରି ଚାହିଁଲି, ଯାହା ଦେଖିଲି, ମୁଁ ମୋ ଆଖିକୁ ବିଶ୍ଵାସ କରି ପାରୁ ନଥିଲି । ବାଘ ମାମୁଁ ଗୋଟିକ ପରେ ଗୋଟିଏ କୋଳି, ଟପ୍ ଟାପ୍ ତା ପାଟିରେ ପକାଇ ଚାଲିଛି । ତାର ମିଠାମିଠା ସ୍ୱାଦର ଆନନ୍ଦ ନେଉଛି । ମନକୁ ପଚାରିଲି, କିରେ ବାଘ କଣ ସତରେ କୋଳି ଖାଏ ?
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।