ମଧୁମିତା ମିଶ୍ର

ସୂର୍ଯ୍ୟ ଆସିଥିଲା । ସବୁବେଳେ ସେ ଆସେ । ସବୁଦିନ ସେ ଆସେ । କିନ୍ତୁ ମୋ ପାଖରେ ସମୟ ନଥାଏ । ତେଣୁ ସେ ତା ବାଟରେ ଆସେ ଓ ଚୁପ୍ ଚାପ୍ ଚାଲିଯାଏ । ସେଦିନ ବୋଧେ ମୁଁ ଶୂନ୍ୟ ମନରେ ବସିଥିଲି । ତେଣୁ ବୋଧେ ସେ ଚାହିଁଲା..କିଛି ଅକୁହା କହିବା ପାଇଁ । ତାକୁ ଏମିତି ମୁହଁ ଶୁଖେଇ ଗୁମ୍ ମାରି ଠିଆ ହେବା ଦେଖି ପଚାରିଦେଲି -“କଣ..କିଛି କହିବୁ ?”

ଛଳଛଳ ଆଖିରେ ବିକଳ ହୋଇ ଚାହିଁ ସେ କହିଲା-
“ମୋର କଣ କିଛି କଷ୍ଟ ନାହିଁ !! ଆଲୋକ ଦେବା କ’ଣ ଏତେ ସହଜ ? ଯାହା ସଂସ୍ପର୍ଶରେ ସଚରାଚର ବିଶ୍ଵ ଉତ୍ତାପ ପାଏ..କେବେ କିଏ ଭାବିଛି କି ସେ କେତେ ପରିମାଣରେ ଦହନ ସହେ ?ନିଜକୁ ଜାଳି ଅନ୍ୟକୁ ରାସ୍ତା ଦେଖେଇବା କଣ ଏତେ ସହଜ ?”
ମୁଁ ମଧ୍ୟ ପଚାରି ଦେଲି..”ଏ ସବୁ ମୋତେ କାହିଁକି କହୁଛୁ ? କାରଣଟା ପ୍ରଥମେ କହ ତା’ ପରେ ଶୁଣିବି ।”

ହସିଲା ସେ..ଏପରି ଏକ ହସ ଯାହା କାନ୍ଦଠୁ କିଛି କମ୍ ନ ଥିଲା । କହିଲା-
“ତୁ ଯଦି ଦହନ କଥା ନବୁଝିବୁ ତ ଆଉ କିଏ ବୁଝିବ !! ଜୀବନର କଷ୍ଟକୁ ଓଠ ତଳେ ଚାପି ଧରି ଲୁହକୁ ଆଖିରେ ଲୁଚାଇ ଦୁନିଆ ଆଗରେ ହସିଦେବା ତ ମୁଁ ତୋଠୁ ଶିଖିଛି । ପ୍ରତିକ୍ଷଣ ଜଳିଜଳି ଅନ୍ୟକୁ ଖୁସି ବାଣ୍ଟିବା ତ ତୋଠୁ ଶିଖିଛି । ଜ୍ୱଳନ୍ତ ଅଗ୍ନିରେ ଚାଲି ଅନ୍ୟର ପାଦ ତଳେ ପଣତ ବିଛେଇ ଦେବା ତ ତୁ ହିଁ ଶିଖେଇଦେଇଛୁ । ପର ପାଇଁ ବଞ୍ଚି ପ୍ରତି ମୁହୂର୍ତ୍ତରେ ମରିବାକୁ ଚୟନ କରିବା ଦକ୍ଷତା ତୋ ପାଖରୁ ମୁଁ ଶିଖିଛି । ଆଉ ତୋତେ ମୋ ଅନ୍ତର୍ଦାହ କହିବିନି ତ ଆଉ କାହାକୁ କହିବି ?”

ମୋ ଆଖିରେ ଲୁହ ଭର୍ତ୍ତି । ସୂର୍ଯ୍ୟ ହୃଦୟରେ ଏତେ କୋମଳତା ଏତେ ଆମୀୟତା ଆଉ ଏତେ ଆତୁରତା ଅଛି ଦେଖି ମୁଁ ନିଶବ୍ଦ ହେଇ ଯାଇଥିଲି । ହାତ ବଢ଼େଇଲି । ପାଖକୁ ଆସିଲା । ଆହୁରି ନିକଟକୁ ଡାକିଲି । ସୂର୍ଯ୍ୟର ସବୁ ଯନ୍ତ୍ରଣା ଏକାଠି କରି ନିଜ ଭିତରେ ଠୁଳ କରି ନେବାର ଦକ୍ଷତା ଅଛି ମୋର । ଗାଢ଼ ଆଲିଙ୍ଗନରେ ତାର ପ୍ରତ୍ୟେକ ସ୍ପନ୍ଦନ, ଅସହ୍ୟ ଦହନ ମୋ ଭିତରକୁ ଟାଣି ନେଇଗଲି । ଧୀରେଧୀରେ ସେ ଶୀତଳ ହେଲା ଓ ପୁନଃ ଜ୍ଜଳନ ପାଇଁ ପ୍ରସ୍ତୁତ ହେଲା । ଆଉ ମୁଁ…? ଏତେ ଅଗ୍ନି ନିଜ ବକ୍ଷରେ ଦବେଇ ରଖି ସାରିଥିଲି…ଯାହା ମୋତେ ତରଳାଇ ପାରୁନଥିଲା…!!

ଭୁବନେଶ୍ଵର, ଖୋର୍ଦ୍ଧା

ଲେଖକ ପରିଚୟ

“ଲେଖକର କେବଳ ବ୍ୟକ୍ତିତ୍ୱ ଥାଏ…ବ୍ୟକ୍ତିଗତ ବୋଲି କିଛି ନଥାଏ” ଏହି ସିଦ୍ଧାନ୍ତ ସହ ଆଗେଇ ଚାଲିଥିବା ଲେଖିକା ମଧୁମିତା ମିଶ୍ର ନିଜ ଲେଖନୀ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ଯଥାସାଧ୍ୟ ଉନ୍ନତି କରିବାକୁ ସର୍ବଦା ପ୍ରଚେଷ୍ଟାରତ । ତାଙ୍କ ଲିଖିତ ଗଳ୍ପ,କବିତା, ଏବଂ ଧାରାବାହିକ କାହାଣୀ ବିଭିନ୍ନ ପତ୍ରପତ୍ରିକା, ଅନଲାଇନ୍ ସାଇଟ ତଥା podcast ରେ ପ୍ରକାଶ ପାଇ ପାଠକୀୟ ସ୍ଵୀକୃତି ଲାଭ କରୁଛି ।

Related Posts

Leave a Reply

Your email address will not be published. Required fields are marked *