ମଧୁମିତା ମିଶ୍ର

ଲେଖନୀ ସ୍ୟାହିକୁ କହିଲା:
କିଛି ଲେଖିବା…
ଆଗେଇ ଆସିଲା,
ଆସ ! ଲିପିବଦ୍ଧ କରିବା କିଛି
ସୁଖ ଦୁଃଖର କାହାଣୀ…
କିଛି ସ୍ଵପ୍ନ ତଥା ବାସ୍ତବତାର ରାଗିଣୀ…

ଲେଖିବା ପୁଣି କିଛି
ବିତିଯିବା ଗତ ମୁହୂର୍ତ୍ତକୁ
ଲିପିବଦ୍ଧ କରିଯିବା ପୁଣି
ଆଗାମୀ ଏକ ଭବିଷ୍ୟତକୁ

ଆସ ପୁଣି ଲେଖିଦେବା
ଅକୁହା ଅଶୁଣା କିଛି ବ୍ୟାକରଣ
ନିର୍ମାଣ କରିବା ଆସ
ନୂତନ ସୃଜନୀ … ନୂତନ ସଂସ୍କରଣ…

ହସିଲା ସ୍ୟାହି ! କହିଲା:
ଏ ନୁହେଁ ଆମ ପରିଧିରେ
ଲେଖାଯାଏ ନାହିଁ ଜୀବନ
କେବେ କେଉଁ ଲେଖନୀ ମୁନରେ

ଏ ଜୀବନ ତ ମହାକାବ୍ୟ…
ରଚୟିତା ଯା’ର ପରମେଶ୍ଵର
ଅନୁଭବ ଅନୁଭୂତି ଭବିତବ୍ୟର
ଏହା ଯେ ଏକ ସ୍ମୃତି ସମ୍ଭାର ।

ଭୁବନେଶ୍ଵର, ଖୋର୍ଦ୍ଧା

ଲେଖକ ପରିଚୟ

“ଲେଖକର କେବଳ ବ୍ୟକ୍ତିତ୍ୱ ଥାଏ…ବ୍ୟକ୍ତିଗତ ବୋଲି କିଛି ନଥାଏ” ଏହି ସିଦ୍ଧାନ୍ତ ସହ ଆଗେଇ ଚାଲିଥିବା ଲେଖିକା ମଧୁମିତା ମିଶ୍ର ନିଜ ଲେଖନୀ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ଯଥାସାଧ୍ୟ ଉନ୍ନତି କରିବାକୁ ସର୍ବଦା ପ୍ରଚେଷ୍ଟାରତ । ତାଙ୍କ ଲିଖିତ ଗଳ୍ପ,କବିତା, ଏବଂ ଧାରାବାହିକ କାହାଣୀ ବିଭିନ୍ନ ପତ୍ରପତ୍ରିକା, ଅନଲାଇନ୍ ସାଇଟ ତଥା podcast ରେ ପ୍ରକାଶ ପାଇ ପାଠକୀୟ ସ୍ଵୀକୃତି ଲାଭ କରୁଛି ।

Related Posts

Leave a Reply

Your email address will not be published. Required fields are marked *