ମିନତୀ ମିଶ୍ରଙ୍କ ‘ମିନୁର ମିନି କବିତା’ ଲୋକାର୍ପିତ

ଭୁବନେଶ୍ୱର : ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ସପ୍ତମ କବିତା ସଂକଳନ ‘ମିନୁର ମିନି କବିତା’ ଉନ୍ମୋଚିତ ହୋଇଯାଇଛି । ପ୍ରକାଶକ ତଥା ଲେଖକ ସରୋଜ ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଫନୀ ମହାନ୍ତି ମୁଖ୍ୟ ଅତିଥି, ବିଶିଷ୍ଟ ସମାଲୋଚକ ବସନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା, ସଂଘମିତ୍ରା ମିଶ୍ର ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ।

କବିତାରେ ବଞ୍ଚୁଥିବା ଶ୍ରୀମତୀ ମିଶ୍ରଙ୍କ ଛୋଟଛୋଟ କବିତାରେ ସଂକଳିତ ହୋଇଥିବା ଉନ୍ମୋଚିତ ସଂକଳନଟି ଏକ ସଫଳ ସୃଷ୍ଟି କହିଲେ ଭୁଲ ହେବନି । ପ୍ରକାରନ୍ତରେ କବିତା ମଲମଠୁ ମୁଲାୟମ୍‍ ପୁଣି ବିଷଠୁ ବିଷାକ୍ତ । ସାହିତ୍ୟକୁ ଆସିବା ପରେ ଜୀବନର କୌଣସି କଥା ଆଉ ବିଲୁପ୍ତ ହୁଏନି ଏବଂ ତାହା ଚିରକାଳ ପାଇଁ ଏହି ପୃଥିବୀରେ ରହିଯାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଭାଷାବିତ ଦେବାଶିଷ ମହାପାତ୍ରଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିବା ଏହି ଉତ୍ସବରେ ନିଜ ଲେଖକୀୟ ଅନୁଭବ ରଖିବା ସହିତ କବି ମିନତୀ ମିଶ୍ର ସ୍ୱରଚିତ କେତୋଟି ମିନି କବିତା ପାଠ କରିଥିଲେ ଏବଂ କବି କଳ୍ପାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନା ଥାଉ ଯେ ଅରୁଣ କୁମାର ଦାସ ଏବଂ ଅବିନାଶ ସାହୁଙ୍କ ସହଯୋଗରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଦେବୀପ୍ରସନ୍ନ ପଟ୍ଟନାୟକ, ଶକୁନ୍ତଳା ବଳିଆରସିଂହ, ଜୟନ୍ତୀ ରଥ, ସୀତେଶ ତ୍ରିପାଠୀ, ସରଳ ଦାସ, ରମେଶ ପଟ୍ଟନାୟକ, ସୂର୍ଯ୍ୟ ମିଶ୍ର, ସୁରେନ୍ଦ୍ର ପାଣିଗ୍ରାହୀ, କମଳ କୁମାର ମହାନ୍ତି, ବାସନ୍ତୀ ମହାନ୍ତି, ବିଜୟ ଶତପଥୀ ପ୍ରମୁଖଙ୍କ ସହ ବହୁ ବିଶିଷ୍ଟ ଲେଖକ ଓ ସାହିତ୍ୟାନୁରାଗୀ ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *