ମଧୁମିତା ମିଶ୍ର
ପଥର ପଥରେ ପଡ଼ି ରହିଥାଏ ନଯାଏ କାହାରି ଦୃଷ୍ଟି…
ପଥର କୁହେନା କେବେ ସେ ଅଟଇ ଈଶ୍ୱରଙ୍କର ହିଁ ସୃଷ୍ଟି…।
ପଥର ଆସିଲେ କାହାରି ବାଟରେ ଗୋଡ଼ରେ ଆଡ଼େଇ ହୁଏ…
ପଥର ରହିଲେ ନଈର ଭିତରେ ଅସ୍ତିତ୍ୱ ହଜେଇ ଥାଏ… ।।
ପଥର ବୋଲି ସେ ହତାଦର ସଦା କାହାରି ନୁହଇ ପ୍ରିୟ…
ପଥର ଖୋଜଇ ତୃଷାର୍ତ୍ତ ପଥିକ ନେବାକୁ ପଥେ ଆଶ୍ରୟ…।
ପଥର ହେଉ କି ଛୋଟ କିମ୍ବା ବଡ଼ ଅବିଚଳିତ ତା’ ମନ…
ପଥର ହୃଦୟ ବହି କେହି କେବେ ନେଇ ପାରେନା କା’ ମନ… ।।
ପଥର ବାହାରି ଆସିଲେ ଦୂଷିତ ହୁଏ ଖାଦ୍ୟ ଚଲାପଥ…
ପଥର ଫୁଟେଇ ବାହାରି ଆସିଲେ କୂପ ହୁଏ ଜଳେ ପୂର୍ତ୍ତ…।
ପଥର ଭିତରେ ଉଠିଲେ ହୁଏ ସେ ଚାରା ଦିନେ ମହାଦ୍ରୁମ…
ପଥର ଫିଙ୍ଗିଲେ କାହାପରେ ଥରେ ଫେରାଏ ଦିନେ ଯେ କର୍ମ…।।
ପଥର କିନ୍ତୁ ଯେ ଜୀବନ୍ତ ହୁଅଇ ବିଭୁ ସ୍ପର୍ଶ ଲଭିଗଲେ…।
ପଥର ଭିତରେ ପ୍ରଭୁ ମିଳିଥାଏ ବିଶ୍ଵାସ ମନରେ ଥିଲେ… ।।
ଭୁବନେଶ୍ଵର, ଖୋର୍ଦ୍ଧା
ଲେଖକ ପରିଚୟ
“ଲେଖକର କେବଳ ବ୍ୟକ୍ତିତ୍ୱ ଥାଏ…ବ୍ୟକ୍ତିଗତ ବୋଲି କିଛି ନଥାଏ” ଏହି ସିଦ୍ଧାନ୍ତ ସହ ଆଗେଇ ଚାଲିଥିବା ଲେଖିକା ମଧୁମିତା ମିଶ୍ର ନିଜ ଲେଖନୀ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ଯଥାସାଧ୍ୟ ଉନ୍ନତି କରିବାକୁ ସର୍ବଦା ପ୍ରଚେଷ୍ଟାରତ । ତାଙ୍କ ଲିଖିତ ଗଳ୍ପ,କବିତା, ଏବଂ ଧାରାବାହିକ କାହାଣୀ ବିଭିନ୍ନ ପତ୍ରପତ୍ରିକା, ଅନଲାଇନ୍ ସାଇଟ ତଥା podcast ରେ ପ୍ରକାଶ ପାଇ ପାଠକୀୟ ସ୍ଵୀକୃତି ଲାଭ କରୁଛି ।