ଡା. ଶୈଳେଶ୍ଵର ନନ୍ଦ ପାଇବେ ‘ଶ୍ରୀଜଗନ୍ନାଥ ସମ୍ମାନ’

ଭୁବନେଶ୍ଵର : ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ ପକ୍ଷରୁ ଅକ୍ଷୟ ତୃତୀୟା ଉପଲକ୍ଷେ ଆସନ୍ତା ମଇ ୧୦ ତାରିଖରେ ୨୩ତମ ପୁସ୍ତକ ‘ଅପରୂପ ଶ୍ରୀଜଗନ୍ନାଥ’ର ମୁଦ୍ରଣ କାର୍ଯ୍ୟ ଆରମ୍ଭ ହେବ । ଏହି ଅବସରରେ ଭାରତୀୟ ବିଦ୍ୟାଭବନଠାରେ ସ୍ଵତନ୍ତ୍ର କାର୍ଯ୍ୟକ୍ରରେ ଶ୍ରୀଜଗନ୍ନାଥ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯିବ । ସାହିତ୍ୟିକ, ଅଭିନେତା, ନାଟ୍ୟ ନର୍ଦ୍ଦେଶକ ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଡା. ଶୈଳେଶ୍ଵର ନନ୍ଦଙ୍କୁ ‘ଶ୍ରୀଜଗନ୍ନାଥ ସମ୍ମାନ’ ପ୍ରଦାନ କରାଯିବ । ସେହିପରି ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କୁ ‘ଦେବୀ ସୁଭଦ୍ରା ସମ୍ମାନ’, ପ୍ରଫେସର ଉମେଶ ଚନ୍ଦ୍ର ଚିନ୍ନରାଙ୍କୁ ‘ଶ୍ରୀ ବଳଭଦ୍ର ସମ୍ମାନ’, ପ୍ରବାଚକ ପଣ୍ଡିତ ଦାଶରଥି ସାମନ୍ତରାୟଙ୍କୁ ‘ଶ୍ରୀସୁଦର୍ଶନ ସମ୍ମାନ’ ଓ ଧର୍ମ ପୁସ୍ତକ ପ୍ରକାଶକ ଧର୍ମଗ୍ରନ୍ଥ ଷ୍ଟୋରକୁ ‘ଶ୍ରୀନନ୍ଦିଘୋଷ ସମ୍ମାନ’ ପ୍ରଦାନ କରାଯିବ ବୋଲି ସଂସ୍ଥାନର ସଭାପତି ଡା. ଆଶୋକ କୁମାର ମହାପାତ୍ର ଓ ସମ୍ପାଦକ ପୀତବାସ ରାଉତରାୟ ସୋମବାର ଦିନ ଘୋଷଣା କରିଛନ୍ତି ।

ଏଥିସହ ଚିତ୍ରଶିଳ୍ପୀ ବଳଦେବ ମହାରଥୀଙ୍କ ଅଙ୍କିତ ପ୍ରଚ୍ଛଦପଟ ଚିତ୍ର ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଡ. ସୁବାସ ପାଣି, ମୁଖ୍ୟବକ୍ତା ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ. ସୁରେନ୍ଦ୍ରନାଥ ଦାଶ ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟିକା ପ୍ରାଧ୍ୟାପିକା ଡ. ଅର୍ଚ୍ଚନା ନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Related Posts

Leave a Reply

Your email address will not be published. Required fields are marked *