ଏଲି ମହାନ୍ତି

ଏଥର ତାକୁ ଯେମିତି ହେଲେ ବି ପୋଷାକଟିଏ ବାଛି ନେବାକୁ ହେବ । ଏତିକି ଭାବି ସେ ହଲରେ ପଶିଲା ଯଦିଓ ଆଗରୁ ବି ସେ ଏଠିକି ଆସି କେତେଥର ଫେରିଛି ମନଦୁଃଖରେ । ମନ ଦୁଃଖରେ ଏଇଥିପାଇଁ ଯେ, ତା ମନଲାଖି ପୋଷାକଟିଏ ତାକୁ ମିଳିନି ଓ କେବେ ଯଦି ମିଳିଛି ବି ସେ ଅନେକ ମୂଲ୍ୟରେ ଯାହା ଦବାକୁ ସେ ସକ୍ଷମ ହେଇପାରିନି । ଏଥର କିନ୍ତୁ ସେ କୌଣସି ଗୋଟେ ପୋଷାକ ନେଇଯିବ ତାକୁ ମାନୁ କି ନମାନୁ ।
ଏଠି କେତେ ରକମର ପୋଷାକ । କିନ୍ତୁ ସେ ସବୁ ନେବା ପାଇଁ ଅନେକ ସର୍ତ୍ତ । ପୋଷାକ ସହିତ ତୁମକୁ ଦିଆଯିବ କିଛି ସଂଳାପ । ସେ ସବୁ ତୁମକୁ ଅଭିନୟ ସହ କହିବାକୁ ହେବ । ସେ ସଂଳାପ ପୁଣି ତୁମ କିଣିବାର ସାମର୍ଥ୍ୟ ଅନୁସାରେ ଦିଆଯିବ । ତୁମକୁ ସେସବୁ ଭଲ ଲାଗିବ କି ନଲାଗିବ ସେଥିରେ ତୁମେ କିଛି ଯୋଡ଼ତୋଡ଼ କରିପାରିବନି । ଯଦିକଲ ତାହା ଲେଖା ହେଇ ରହିବ ତୁମ ଭୁଲ ହିସାବରେ । ପରବର୍ତ୍ତୀ ପୋଷାକ କିଣିବା ସମୟରେ ସେ ଭୁଲର ହିସାବନିକାଶ ହେବ । ତେଣୁ ପ୍ରଥମରୁ ସାବଧାନ କରିଦିଆଯିବ । ପୋଷାକର ଯତ୍ନ ତୁମକୁ ନେବାକୁ ହେବ ଓ ଯଦି ସଂଳାପ ମଝିରେ ପୋଷାକ ଚିରିଲା ତୁମେ ସେଇମିତି ଚିରା ପୋଷାକରେ ହିଁ ରହିବ ସମୟ ସରିବା ଯାଏ ।
ଅନେକ ସମୟରେ କେହିକେହି ବିଦ୍ରୋହୀ ହେଇ ଉଠନ୍ତି ଓ ନିଜ ବିରୁଦ୍ଧରେ ଯୁଦ୍ଧ କରିବାକୁ ପୋଷାକପତ୍ର ଚିରି ବାହାରି ଆସନ୍ତି ଅସମୟରେ ମଞ୍ଚ ତଳକୁ । ଶୁଣିଛି ସେମାନେ କୁଆଡ଼େ ସେଇମିତି ନଙ୍ଗଳା ଘୁରି ବୁଲନ୍ତି । କୋଉଠି ସେମାନଙ୍କୁ ଠଉରେଇ ଦିଆଯାଏନି । ସେମାନଙ୍କୁ ଦେଖିଲା ମାତ୍ରେ ସମସ୍ତେ ଘଉଡ଼ାନ୍ତି ବିରକ୍ତିରେ ।
ଏତେ କଥା ମନକୁ ଆସିବା ସହ ସେ ସେମିତି ଘୁରିବୁଲିଲା ଓ ଚାରିଆଡ଼େ ନଜର ପକେଇ ଖୋଜିଲା । ତା’ ପାଖରେ ଯେତିକି ଅର୍ଥ ଅଛି ସେ ଅନୁସାରେ ତାକୁ ପୋଷାକର ଥାକ ଦେଖେଇ ଦିଆଯାଇଛି । ଏ ପୋଷାକ ସବୁ ଭାରି ମୁଲାୟମ । କଅଁଳ ଶିଶୁ ପରି ଥାକରେ ଶୋଇଛନ୍ତି । ସେମାନଙ୍କୁ ପିନ୍ଧି ସାରିବା ପରେ ସେମାନେ ସେହି ଶରୀର ଦ୍ୱାରା ଚଳପ୍ରଚଳ ହୁଅନ୍ତି । ଶରୀରଟେ ପୋଷାକକୁ ଆଲୁଅ ଦେଖାଏ, ପାର୍ଟି, ପାର୍ବଣ ଓ ପ୍ରକୃତି ସବୁ କିଛି ସହ ମିଶାଏ । ପୋଷାକ କେବେ ବିଛଣାରେ ଶୁଆଏ ତ କେବେ ପୁଣି ବିଛଣା ହୁଏ ଘୋର ବିପତ୍ତିରେ । ପରିଚୟ, ପରବାୟ ଅନେକ କିଛି ନେଶି ହୁଏ ପୋଷାକରେ । ଏତେ ସବୁକୁ ଭାବି ପୋଷାକଟେ ନବାକୁ ହେବ ।
ଗତଥର ଏମିତି ପୋଷାକଟେ ନେଇଗଲା ଖାମଖିଆଲି ମନରେ । ଓଃ ! କି ହଇରାଣ ନହେଇଛି !! ଯେତେବେଳେ ଦେଖ କୋଉଠି ଗୋଟେ କଣା ଦିଶିଲାଣି । କେମିତି ଏତେ ସଜ ତିଆରି କପଡ଼ା ସେଇଟା ଥିଲା କି ପୁରୁଣା ରଦ୍ଦି ଥିଲା କେଜାଣି, ଛୁଇଁଲେ ଚିରିଲା । ରଫୁ କରିକରି ନାକେଦମ ।
ମନେ ପଡ଼ିଲା ପ୍ରଥମ ଜନ୍ମଦିନ । କେତେ ଖୁସିରେ ଆଲୁଅର ଛାଉଣୀ ତଳେ ହାଲୁକା ଗୀତ ବାଜିବା ସହ ସାଙ୍ଗସାଥି, ଅତିଥି, ସମସ୍ତଙ୍କ ଗହଣରେ ସେ ମାତିଥିଲା ଖେଳରେ । ସମସ୍ତଙ୍କ ଆଖି ତା ପୋଷାକ ଉପରେ । ଆହାଃ ! କେତେ ସୁନ୍ଦର, ଏତିକି ଯେମିତି ସମସ୍ତଙ୍କ ମୁହଁର ଅଭିବ୍ୟକ୍ତିରେ ଥିଲା । ଅଚାନକ ହିଁ ବୋଳି ହେଇଗଲା ଦଲକାଏ ଥଣ୍ଡା ପବନ । କାଶିକାଶି ଅଥୟ । ପରେ ଜଣାପଡ଼ିଲା ତାକୁ ପ୍ରତି ଛଅ ମାସ ଅନ୍ତରରେ ତାଜା ରକ୍ତ ନବାକୁ ପଡ଼ିବ । ସମସ୍ତେ ଚିନ୍ତାରେ । ଆହାଃ ! ଏମିତି କେମିତି ଛାଡ଼ିଦେଇ ହେବ ଆଖି ସାମ୍ନାରେ ଜଳନ୍ତା ଦୀପ ଶିଖାର ସରି ଆସୁଥିବା ଆଲୁଅକୁ ? ଦି’ହାତ ପାପୁଲି ଘୋଡ଼େଇ ନିହାତି ଅଟକେଇବାକୁ ହେବ ପ୍ରତିଘାତର ପବନକୁ ।
ଜେଜେମା, ଆଈ ଭଳି ବୟସର କିଛି କୋଳ ତାକୁ ସେତେବେଳେ ଖୁବ ଉଷୁମ ଲାଗୁଥିଲା ଓ ସେମାନେ କହୁଥିଲେ, ଆରେ ଏତେ ଦାମୀ ପୋଷାକଟା ଏମିତି ଚିରିଗଲା କେମିତି ଏତେ ଅଳ୍ପ ଦିନରେ, ତାକୁ ରଫୁ କରିଦେଲେ ହେବ । ରଫୁ ହେଇଥିବା ପୋଷାକ ବାହାର ଦୁନିଆ ପାଇଁ ଲୁଚେଇ ରଖେ ତା ଛିଦ୍ର । ଅଚିହ୍ନା କେହି ଜାଣିପାରେନି ଛୁଞ୍ଚିର ଷଡ଼ଯନ୍ତ୍ର । ଏଥର କିନ୍ତୁ ଦେଖିଚାହିଁ ନିଜ ସାମର୍ଥ୍ୟ ଅନୁସାରେ ଭଲ ପୋଷାକଟେ ସେ ନବ । ହଉପଛେ ଟିକେ ଫିକା ରଙ୍ଗ ।
ଆରେ ଫିକା ରଙ୍ଗରୁ ପୁଣି ମନେପଡ଼ିଲା ତା ଘରପାଖ ଝିଅଟି କଥା । କେତେ ଶାନ୍ତ ଅଥଚ ସବୁବେଳେ ଫିକା ରଙ୍ଗ ପୋଷାକ ପିନ୍ଧି ପଛରେ ଚାଲେ । ଲୋକେ କୁହାକୁହି ହୁଅନ୍ତି, ପୋଷାକର ରଙ୍ଗ ଭଳି ତା’ ମନ କୁଆଡ଼େ ଫିକା ପଡ଼ିଯାଇଛି । ସେ କିନ୍ତୁ ପ୍ରଥମରୁ ଗୋଟେ ସୁନ୍ଦର ରଙ୍ଗର ପୋଷାକ ପିନ୍ଧିଥିଲା । କେତେ ସୁନ୍ଦର ଜରିକାମ, ରଙ୍ଗୀନ ପଥର ଓ ଚୁମକି ବି ଲାଗିଥିଲା ସେଥିରେ । ଆହାଃ ! ବିଚାରି ସେଇ ଗୋଟିଏ ଅନ୍ଧାର ରାତିରେ ପୋଷାକ ଚିରି ଫାଳଫାଳ । କେଜାଣି କୋଉଠି ଗୋଟେ ବିଜୁଳି ପଡ଼ିଲା ଗଛରେ ଓ ସେ ଗଛର ଡାଳ ସବୁ ଲଦି ହେଇଗଲା ଝିଅଟିର କଞ୍ଚା ଦେହ ଉପରେ । ସକାଳ ପାହୁଣୁ ସବୁ ଶବ୍ଦ ବଖାଣି ଦେଇ ଗପ ଶେଷରେ ନିରବ ମୁହଁଟେ ପରି ଡବଡବ । ସେ ଝିଅର ପୋଷାକ ତିନ୍ତିଥିଲା ବର୍ଷାରେ । ଯାଃ ! ସେଇଠୁ ତ ସେ ଆଉ ବୋଧେ ଡରରେ ଅନେଇଲାନି ପୋଷାକ ଆଡ଼େ କେବେବି । ହେଲେ ସେ କଣ ବୁଝିଲା ସେଇ ଫିକା ରଙ୍ଗ ପୋଷାକରେ ତା’ର ପରେପରେ ନେସିମେସି ହେଲା କେବେ ଚୂଲି ପାଉଁଶ, କଳା, ମାଟି ଏମିତି କେତେ କଣ ! ଓଃ ! କେତେ ଅପରିଷ୍କାର ଦିଶିଲା ସେ ପୋଷାକଟା ଶେଷରେ ! ଯିଏ ଯାହା ପାରିଲା ଅଇଁଠାମଇଁଠା ପୋଛି ପକେଇଲା ସେଇ କାନିରେ । ଶେଷଯାଏ । ଏମିତିକି ବିଚାରି ଚିତା ଯାଏ ଗଲା ବି ସେହି ଫିକା ରଙ୍ଗରେ ?
ନା’ରେ ବାବା, ସେମିତି ଫିକା ରଙ୍ଗ ମୋର ନବାର ନାହିଁ. ଏତିକି ଭାବି ସେ ଧୀରେ ଅପସରି ଗଲା ଅନ୍ୟ ପାଖକୁ । ରଙ୍ଗ ଅନୁସାରେ ରୋଲ ଟିଏ ବି ମିଳିବା ଦରକାର ଯେ, ତା ମନକୁ ଏକଥା ବି ଆସିଲା । ରୋଲ ଦିଆଯିବ ଘାସ କଟାଳିର ହେଲେ ପୋଷାକ ପିନ୍ଧିଥିବ ରଜାର । କଣ ହବ ଦେଲେ ? ପାରିଶ୍ରମିକ ଗୋଟେ ଘାସ କଟାଳିକୁ ଯେତିକି ମିଳିବ ସେଥିରେ ସେ ରାଜା ପୋଷାକର ରକ୍ଷଣାବେକ୍ଷଣ ସମ୍ଭବ ହବ ତ ?
ସେମିତି ବି କେତେ ଜଣକୁ ସେ ଭେଟିଛି । ଜଣକୁ ଗୋଟେ କୁଷ୍ଠ ରୋଗୀ ରୋଲ ମିଳିଲା । ହେଲେ ପୋଷାକଟି ବିଚରାର ଭାରି ସୁନ୍ଦର । ସେ ଯେତେଥର ମଞ୍ଚକୁ ଗଲା ଲୋକ ତା’ ପୋଷାକକୁ ଖୁଣିଲେ । ଦେଖ କେଡ଼େ ଅଭାଗା, ଏତେ ସୁନ୍ଦର ପୋଷାକରେ ଧୀରେ ଧୀରେ ଉଈ ଚରି ଯାଉଛି । ଟିକେ ଛୋଟ ପୋଷାକଟେ ଅଛି । ହଉ ଚଳେଇ ନବ ନହେଲେ । ସେ ଜାଣେ, ପୋଷାକ ନେଇ ବାହାରକୁ ଗଲେ ଅନେକ ଦୂର ଯାଏ ଧାଡ଼ି ଲମ୍ବିଥିବ । ପୋଷାକ ନବାର ଅର୍ଥାତ ସେଇଆ । ପୋଷାକ ଅନୁସାରେ ସେମାନେ ଦ୍ୱାର ଦେଖେଇ ଦେବେ କୋଉପଟେ ବାହାରକୁ ଯିବ ତୁମେ । ଯେତେ ଛୋଟ ପୋଷାକ ନବ ସେତେ ଶୀଘ୍ର ପୁଣି ତୁମକୁ ଫେରିବାକୁ ପଡ଼ିବ, କାରଣ ତୁମ ପୋଷାକ ମାପର ଖାଦ୍ୟ ଓ ପାରିଶ୍ରମିକ ବି ମିଳିବ । ଛୋଟିଆ ପୋଷାକ ମାନେ ତୁମେ ଅସ୍ତବ୍ୟସ୍ତ ହେବ ଭୋକରେ, ଶୀତ କି ଉତ୍ତାପରେ । କେବେ କୋଉଠି ବିନା ପୋଷାକର ଶରୀରରେ ଲାଗିଯିବ ଜୋକ କି ସେମିତି କିଛି ଯିଏ ଶୋଷିନେବ ରକ୍ତ । ତେଣିକି ତୁମେ ପୁଣି ଫେରିବ, ମଝି ଆସରରୁ ଠିକ ଆସର ଜମି ଆସୁଥିବାବେଳେ । ସମସ୍ତେ ଖୁବ ମଜା କରୁଥିବେ ହେଲେ ତୁମେ ଫେରିବାକୁ ବାଧ୍ୟ ହେବ ।
କଣ କରିବୁ ତାହେଲେ, ତାକୁ ତା’ ମନ ପଚାରିଲା । ପାଖରୁ ସଂଚୟ ସରି ଆସୁଛି । ଏବେ ପୋଷାକଟେ ନନେଲେ ହୁଏତ ତାପରେ ନଙ୍ଗଳା ମୁକୁଳା ପଡ଼ିବାକୁ ହେବ କୋଉ ଅନ୍ଧାର ଘରେ । ପୋଷାକ ନେଲା ପରେ ସେହି ଅନୁସାରେ କାମ ମିଳିବ ଓ ପାରିଶ୍ରମିକ । ନଚେତ ଖାଡ଼ା ଓପାସ । ଟିକେ ଲମ୍ବା ପୋଷାକଟେ ଟଙ୍ଗା ହେଇଛି ଗୋଟେ କଡ଼କୁ । ମଇଳା ଦିଶୁଛି । ହେଇପାରେ କୋଉ ପଶୁ ଚମଡ଼ାରେ ତିଆରି । କି ପଶୁ ହେଇଥିବ କେଜାଣି ? ହାତୀ ଫାତି ହେଇଥିଲେ ଭଲ । ହାତୀ ଅଭିନୟଟା ବି ମନ୍ଦ ନୁହେଁ । ଖାଲି ଯାହା ଗଜ ଉଦ୍ଧାରଣ ଅଷ୍ଟକମଟା ମନେରଖିବାକୁ ହେବ । ସମୟରେ ସଂଳାପ କହି ନପାରିଲେ ମଞ୍ଚ ଅନ୍ଧାର । ତୁମକୁ ଠେଲି ଦିଆଯିବ ତଳକୁ । ସେଇଠୁ ପୁଣି କେତେ ବାଟ ଅନ୍ଧାର ଆଉ ସନ୍ତସନ୍ତିଆ ସେ ମଞ୍ଚ ତଳ । ଘୁଷୁରିଚୁଘୁରି ଆସିଲାବେଳକୁ ତଣ୍ଟି ଶୁଖି ଅଠା ।
କୋଉ ଗୋଟେ ସୁନ୍ଦୁରିଆ ପଶୁ କି ପକ୍ଷୀ ପୋଷାକ ନେଲେ ହୁଅନ୍ତା, ହେଲେ ଯଦି ପଞ୍ଜୁରୀ ଭିତରେ ରହିବାର ରୋଲ ମିଳିଲା ? ଯିବ ପୁରା ବ୍ୟର୍ଥ ହେଇଯିବ ପୋଷାକ । ଆଉ କୋଉ ଆକାଶ ନା ଜଙ୍ଗଲ ଥିବ ଯେ ପୋଷାକ ଦେଖେଇବ ଉଡ଼ିଉଡ଼ି ନହେଲେ ଦୌଡ଼ିଦୌଡ଼ି ? ମଞ୍ଚର ଅନ୍ଧାର କୋଣରେ ବସିଥାଏ ଯୋଉ ଶୁଆ ପୋଷାକ ପିନ୍ଧା କଳାକାର, ବିଚରା ତା ଡେଣାର ମାପ ବି ସେ ମନେ ରଖିନି । କେବେ ଡେଣା ଟିକେ ପୁରା ଖୋଲିଥିଲା କେଜାଣି ? ଆଉ ସେ ଚୁଇଁ ଚଢେଇ ? କେତେଥର କହିଲାଣି ଆଉ କିଛି ରୋଲ ଦିଅ, ହେଲେ ସବୁର ଗୋଟେ ସମୟ ଅଛି ନା ! ଖାଲି ତୁମେ କହିଦେଲେ ହବ କି ? ଏମିତି ନିହାତି ଯଦି ବିରକ୍ତ ହେଇ ପୋଷାକ ଚିରିଲ ତାହେଲେ ପଡ଼ିଥିବ ସେମିତି ମଞ୍ଚ ତଳ ଅନ୍ଧାରରେ ତୁମ ସମୟ ସରିବାଯାଏ । ସେଟ ତ ତିଆରି ହେଇଥାଏ ନା ? କାହା ପରେ କିଏ ମଞ୍ଚକୁ ଆସିବ, କଣ କରିବ, କଣ କହିବ ସବୁ ଆଗରୁ ଶିଖା ହେଇଥାଏ, ସେଠୁ ଟିକେ ଏପଟସେପଟ ହେବାର ନାହିଁ । ଆଉ ତୁମେ ଯଦି ପୋଷାକ ଚିରି ମଞ୍ଚକୁ ନଆସିବ ତୁମ ଜାଗାରେ ଆଉ ଗୋଟେ କିଏ ଠିଆହେବ । ସେ ପାଇଁ ବି କଳାକାର ହାଇଁପାଇଁ । ଏ ବାଟରେ ସମସ୍ତଙ୍କୁ ଯିବାର ଅଛି । ନଗଲେ କେତେଦିନ ଓପାସ ରହିବ ?
ତଥାପି ତାକୁ ତ ପୋଷାକଟେ ନବାର ଅଛି. ସେ ଗତ ଅଭିନୟରେ ସଂଳାପ ଭୁଲ କରି ପଡ଼ିଥିଲା ଅନ୍ଧାରରେ । କେତେଥର ଭୁଲ କରିଥିଲା ସବୁ ତାକୁ କୁହାହେଲା ଶେଷରେ । ସମସ୍ତଙ୍କୁ କୁହାଯାଏ । ଏଇଟା ଏଠିକାର ନିୟମ । ମଞ୍ଚରୁ ଓହ୍ଲେଇ ଆସିବାବେଳେ ତୁମକୁ ପାଣି ପଣା ଦେଇ ଘଡ଼ିଏ ବସା ଯିବା ପରେ ଲିଷ୍ଟ ଦିଆଯିବ ଭୁଲ ଭଟକାର । ସେତେବେଳେ ମୁଣ୍ଡରେ ହାତ ମାରିଲେ ଆଉ କିଛି ଉପାୟ ନାହିଁ । ସେହି ଅନୁସାରେ ପାରିଶ୍ରମିକ ମିଳିବ ଓ ପୁଣି ତୁମେ ପୋଷାକଟେ କିଣିବ ସେଥିରେ ।
ପୋଷାକ ଫେରେଇବାର ବି ନିୟମ ଅଛି । ମଞ୍ଚରେ ଆଲୁଅ ଥିବାଯାଏ ତୁମେ ତୁମ ସଂଳାପ ଓ ପୋଷାକ ପ୍ରତି ଯତ୍ନବାନ ହେବ । ସମୟ ସରି ଆସିବାର ସଂକେତ ଆସିଲେ ତୁମେ ଧୀରେଧୀରେ ପୋଷାକକୁ ଖୋଲିବ ହେଲେ ତୁମେ ଖୋଲୁଛ ବୋଲି କେହି ଜାଣିବେନି ଓ ମଞ୍ଚ ଅନ୍ଧାର ହେଲାବେଳକୁ ପୋଷାକ ଛାଡ଼ି ତୁମକୁ ସେମିତି ଆସିବାକୁ ହେବ ପୁଣି ଏଇ ରଙ୍ଗ ମହଲକୁ । କେହିକେହି ସମୟ ସାରିବାର ସଂକେତ ଦେଖିପାରନ୍ତିନି । ସେମାନଙ୍କୁ ମାଡ଼ ପଡ଼େ ଓ ଜୋର କରି ପୋଷାକ ଖୋଲି ନିଆଯାଏ ତାଙ୍କ ଦେହରୁ । ଓଃ, ସେ ଭୟଙ୍କର ଅବସ୍ଥା ଦେଖି ହୁଏନି ! କାହା ମୁଣ୍ଡ ଚୁନା ହେଇ ପଡ଼ିଥାଏ, କାହା ପେଟ ଛାତିରୁ ରକ୍ତ ବୋହୁଥାଏ, କାହା ଛାତିରେ ମୁଣ୍ଡା ମାରିଯାଇଥାଏ ପୁଳେ ପବନ ।
କେହି କେହି ଏକଦମ ଶେଷଯାଏ ଧରି ରଖିଥାନ୍ତି ତାଙ୍କ ପୋଷାକ ଖୁବ ଯତ୍ନରେ । ସେ ପୋଷାକ ସମସ୍ତଙ୍କୁ ମିଳେନି । ସେଥିପାଇଁ ଟପ ଲେବଲର ପରିଶ୍ରମ ଦରକାର । ତୁମେ ଯଦି ପୋଷାକ ଉପରେ ମଡ଼େଇ ପାରିବ ଟିକେ ଆଲୁଅ ତାହେଲେ ସେଇଟା ଆଉ ଚିରିବନି ଶେଷଯାଏ । ହେଲେ ସେ ଆଲୁଅ ମିଳେ ବି ଖୁବ କଷ୍ଟରେ । କେତେ ଜଣଙ୍କର ତ ସେଇ ମଞ୍ଚରେ ପୋଷାକ ଚିରିଯାଏ । ହେଲେ ସମୟ ନସରିଲେ ତା କାମ ବନ୍ଦ ହୁଏନି । ସେ ସେଇମିତି ଚିରା ପୋଷାକରେ କାମ କରେ । କାହାର ପଟେ ହାତ ଝୁଲୁଥାଏ କାନ୍ଧ ପାଖରୁ, କାହାର ଗୋଟେ ଗୋଡ଼ ଅଧାରୁ ନାହିଁ । କାହାର ଗୋଟେ ଆଖି କି କାନ ନଥାଏ ।
ଏ ପୋଷାକର ମାୟା ବି ଖୁବ ନିଆରା । ନେଲ ତ ମଲ ନନେଲ ତ ବି ମଲ । ନବାକୁ ତ ହବ । ଏତିକି ଗୁଣୁଗୁଣୁ ହେଇ ସେ ପଶିଲା ଆଉ ଗୋଟେ ବିଭାଗରେ…….
ବାରିପଦା, ମୟୂରଭଞ୍ଜ, ମୋ – ୯୪୩୯୩୭୮୩୯୦
ଲେଖକ ପରିଚୟ
କବିତା ବହି “ଚିତ୍ର ଆଖିର ବାଘ” ପ୍ରଚୁର ମାତ୍ରାରେ ପାଠକୀୟ ପ୍ରଶଂସା ଗୋଟେଇଛି ସତ ହେଲେ ସୋସିଆଲ ମିଡ଼ିଆରେ ଲେଖିବାକୁ ମୁଁ ଭଲପାଏ । ତେବେ ସ୍କୁଲରେ ପଢିଲାବେଳୁ ହିଁ ଲେଖିବା ମୋ ପାଇଁ ଏକ ନିଶା ଥିଲା କହିଲେ ଭୁଲ ହେବନି । ମୋ ପ୍ରଥମ ଲେଖା ଏକ ଡିଟେକ୍ଟିଭ୍ ଉପନ୍ୟାସ ଥିଲା ଯଦିଓ ସମୟ ଅନ୍ତରାଳରେ ତାହା ପ୍ରକାଶିତ ହୋଇପାରି ନାହିଁ ।