ଭୁବନଶ୍ଵର : ବିଶିଷ୍ଟ କବି ପ୍ରଫେସର ଡ. ରଞ୍ଜିତା ନାୟକ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଚେଳିତୋଳ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି । ଆସନ୍ତା ୫ ତାରିଖ ଦିନ ଚେଳିତୋଳ କଲ୍ଚରାଲ ଏକାଡ଼େମୀର ୩୪ତମ ବାର୍ଷିକ ଉତ୍ସବରେ ଏକାଡ଼େମୀ ପକ୍ଷରୁ ଡ. ନାୟକଙ୍କୁ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ବାବା ବଳିଆ ଏହି ପୁରସ୍କାର ପ୍ରଦାନ କରିବେ । ଏହି ପୁରସ୍କାର ସ୍ଵରୂପ ତାଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯିବ ବୋଲି ଏକାଡ଼େମୀ ସଭାପତି ପ୍ରଫେସର ଡାକ୍ତର ନିମାଇଁ ଚରଣ ପରିଜା ଓ ସମ୍ପାଦକ କୈଳାସ ଚନ୍ଦ୍ର ଦଳାଇ ଏଇ ମିଳିତ ବିବୃତ୍ତିରେ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଯେ ଡ. ନାୟକ ଏକାଧାରରେ ଜଣେ ଉଚ୍ଚକୋଟିର କବି ଓ ସାହିତ୍ୟ ସମାଲୋଚକ । ସେ ୧୧ ଖଣ୍ଡ କବିତା ଗ୍ରନ୍ଥ ଓ ୭ ଖଣ୍ଡ ସାହିତ୍ୟ ସମୀକ୍ଷା ଗ୍ରନ୍ଥର ସ୍ରଷ୍ଟା । ତାଙ୍କ କୃତି ମଧ୍ୟରେ ‘ଅତଳତଳ’, ‘ଝଡ଼ର ଆକାଶ’, ‘ପତ୍ରଝରା ଋତୁ’, ‘ପତନର ଛନ୍ଦ’, ‘ଏଇ କେତେ ଦିନ ହେବ’, ‘କାନ୍ଥ ଖରା’, ‘ନିଜ ଝର୍କାରୁ ଆକାଶ’, ‘ଓଡ଼ିଆ ଉପନ୍ୟାସର ଇତିବୃତ୍ତି (ସ୍ଵାଧୀନତା ପୂର୍ବବର୍ତ୍ତୀ)’, ‘ଓଡ଼ିଆ ସାହିତ୍ୟର ନାରୀ’, ‘କୁନ୍ତଳା କଥା ପ୍ରତିଭା’, ‘ସମାଲୋଚନା ସମ୍ଭାର’ ଓ ‘ସମୟରୁ ସମୟକୁ’ ଆଦି ଉଲ୍ଲେଖନୀୟ । ତାଙ୍କର ସାହିତ୍ୟ କୃତି ପାଇଁ ସେ ୧୯୯୭ ମସିହାର ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, କୁନ୍ତଳା କୁମାରୀ ସାବତ ପୁରସ୍କାର, ଗଙ୍ଗାଧର ମେହେର ସମ୍ମାନ, ଉପେନ୍ଦ୍ର ଭଞ୍ଜ ସମ୍ମାନ, ସଚ୍ଚି ରାଉତରାୟ ସମ୍ମାନ, ରାଉରକେଲା ଆଦର୍ଶ ପାଠାଗାର ବିଷୁବ କବିତା ପୁରସ୍କାର ଆଦି ଅନେକ ସମ୍ମାନ ପ୍ରାପ୍ତ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ ।