ଏଲି ମହାନ୍ତି
ଫେରିଆସ
ଆଉଥରେ ସେ ସମୁଦ୍ରକୂଳର ଗାଁକୁ ଯିବା ।
ଜମାଳପୁରର ସେଇ ‘ଏକାଡ଼େମୀ’ ହାଇସ୍କୁଲ
ଯୋଉଠି ହଳଦିଆ ଫ୍ରକ ପିନ୍ଧା ଝିଅଟେ
ଏବେ ବି ନାକ ସୁଁସୁଁ କରେ ଅନ୍ଧାର ହେଲେ
“ଲିଲି” ବୋଲି ଡାକି
କାନେଇବା ପ୍ରତିଧ୍ୱନିକୁ
ଯାହା ଡାକର ପ୍ରତିଧ୍ୱନି ଫେରିବ ସେ ଶୁଣେଇବ ଗପ ।
ସ୍କୁଲ ହତାରେ କୋଣିକିଆ ହେଇ
ବସିଛି କନିଅର ଗଛ
ତାକୁ ପାଣ୍ଡିଚେରୀର ଓରଭିଲ୍ କଥା କହିବନି
ଏତେଦିନ ହେଲା ଆକାଶତଳେ ବସି ମନ୍ତ୍ର ଜପୁଥିବା
ଧୋକଡ଼ି ବୁଢୀ ସେ, ହସିଦବ….
ଆସ ଆଉଥରେ କାଦରାୟାଁ ଗାଁକୁ ଯିବା
ନଈ ପାରିହେବା କଥା ଭାବୁଛ ?
ଏବେ ଗତି ବଦଳିଲାଣି ଗୋଡ଼ର
ନଉକାର ଚିତ୍ର ଆଙ୍କି
ପୁରସ୍କାର ପାଇଲେ ସେଦିନ କିଏ ଜଣେ ଚିତ୍ରକର,
ନଈ ବି ଦୂରରୁ କୁହୁଡ଼ି ଭଳି ସୁନ୍ଦର
ଆସ ଗପିଗପି ଯିବା
କହିବି କେମିତି
ତୁମକୁ ଖୋଜିଖୋଜି ଥରେ ପଣ୍ଡିଚେରୀ ଯାଇଥିଲି
ଯେମିତି ଅଦୃଶ୍ୟ ହେଇ ଲଡୁ ଖାଇବା ଲୋଭରେ
ତୁମେ ମଗେଇଥିଲ “ବଶୀକରଣ ବିଦ୍ୟା” ବହି
ମାତ୍ର ପଞ୍ଚମ ଶ୍ରେଣୀରେ…
ବିଶ୍ୱାସ କର
ସେଦିନ ସତରେ କାହିଁକି ଲାଗିଲା
ଏତେ ବଡ଼ ସଂସାରରେ
କାହାକୁ ଖୋଜିବା ଯେମିତି
ଗୋଟିଏ ମସ୍ତବଡ଼ ପିଲାଳିଆମୀ ଆଉ
ଭେଟ ହେବାଟା ବି ଯୋଗର କଥା ।
ତଥାପି ଆସ ଥରେ
ଘର ସାମ୍ନାରେ ଲଙ୍ଗଳା ହେଇ ଠିଆ ହେଇଥିବା ସେଦିନର
ସୁଲତାନ୍ କୁ ଖୋଜିବା
ଦେଖିବ, ସେ ତୁମକୁ ଏଥର
ତା’ ମାର୍ବଲ ଗାଧୁଆ ଘର କଥା କହିବ
ଜମା କହିବନି ନଈକଥା, ଡଙ୍ଗାକଥା କି ସ୍କୁଲ ଦିନର
ଚିରା ପ୍ୟାଣ୍ଟ କଥା
ସେ ସିନା କହିବନି
ହେଲେ, ତୁମେ ବୁଝିସାରିଥିବ
ସବୁଦିନେ ସୁଲତାନର ରାଜକୀୟତା ଉପରେ ହିଁ ଜୀବନର ନଜର ।
ଆସ
ଘେରାଏ ଘୁରିଆସିବା
ଗୋଟିଏ ଛାପିଛାପିକା ଜହ୍ନରାତିରେ….
ବାରିପଦା, ମୟୂରଭଞ୍ଜ, ମୋ – ୯୪୩୯୩୭୮୩୯୦
ଲେଖକ ପରିଚୟ
କବିତା ବହି “ଚିତ୍ର ଆଖିର ବାଘ” ପ୍ରଚୁର ମାତ୍ରାରେ ପାଠକୀୟ ପ୍ରଶଂସା ଗୋଟେଇଛି ସତ ହେଲେ ସୋସିଆଲ ମିଡ଼ିଆରେ ଲେଖିବାକୁ ମୁଁ ଭଲପାଏ । ତେବେ ସ୍କୁଲରେ ପଢିଲାବେଳୁ ହିଁ ଲେଖିବା ମୋ ପାଇଁ ଏକ ନିଶା ଥିଲା କହିଲେ ଭୁଲ ହେବନି । ମୋ ପ୍ରଥମ ଲେଖା ଏକ ଡିଟେକ୍ଟିଭ୍ ଉପନ୍ୟାସ ଥିଲା ଯଦିଓ ସମୟ ଅନ୍ତରାଳରେ ତାହା ପ୍ରକାଶିତ ହୋଇପାରି ନାହିଁ ।