ରାମକୃଷ୍ଣ

ଏଇ ନାଆ ଖଣ୍ଡିକ
ମୋର ଏକମାତ୍ର ସମ୍ବଳ
ଯାହା ସହିତ ଓହ୍ଲାଇ ଦିଆଗଲା ମୋତେ
ଏ ଅଜ୍ଞାତ ନଈ କୂଳରେ
ଯାହାକୁ ବାହି ନେବାକୁ ହେବ
ବଢିଲା ସ୍ରୋତରେ ସମୁଦ୍ରକୁ …
ଆଗକୁ ତାପରେ
ପାରି ହେବାକୁ ଅଛି ସାତଟି ସମୁଦ୍ର
ଯାହାର କୂଳ କିନାରା, ବ୍ୟାପ୍ତି ଓ ଗଭୀରତା
କିଛି ଜଣାନାହିଁ ମୋତେ …
ଶୈଶବରେ ଏ ନାଆକୁ
କାଗଜର ଡଙ୍ଗା କରି
ଖେଳୁଥିଲି ବର୍ଷା ଜଳରେ
ଗଜା ମେଲୁଥିବା ସ୍ଵପ୍ନ ସବୁ
ଅପେକ୍ଷାରେ ଥିଲେ
ସେ ନାଆରେ ସବାର ହେବାକୁ,
ରକ୍ତରେ ଯେତେବେଳେ ଉଠିଲା ଜୁଆର
ଏ ନାଆରେ ଶରତର ଜହ୍ନ ରାତିରେ
ନୌବିହାର କଲି ଜଳପରୀ ସହିତ …
ତାକୁ ପୁଣି ପଠାଇ ଦେଲି ଦିନେ
ସ୍ଵପ୍ନର ସୌଦାଗର ହାତରେ
ଜାଭା ସୁମାତ୍ରା ବାଲି ଓ ବର୍ଣ୍ଣିଓ
ସଂସାର ପାଲଟିଲା ସତେ ବା
ଫୁଲଫଳରେ ଭର୍ତ୍ତି ଗୋଟେ ଜାହାଜ ।
ଦିନେ ପୁଣି ତିମି ମାଛର ପିଛା କରିଥିଲି
ଏ ମୋର ଛୋଟିଆ ନାଆରେ
ସାତ ଦିନ, ସାତ ରାତି ଲଢିଥିଲି
ସମୁଦ୍ର ସହିତ ଏକାକୀ ନିରସ୍ତ୍ର
ସମୟର କ୍ଷୁଧାରେ ଯଦିଓ
ତଳିତଳାନ୍ତ ମୋର ସ୍ଵପ୍ନ
ଫେରିଥିଲି ତଥାପି ତାର କଙ୍କାଳ ସହିତ
ମୋର ନାଆରେ କିନ୍ତୁ ଉଛୁଳୁଥିଲା
ସାତ ଜନ୍ମର ଉଲ୍ଲାସ …
ଥଳକୂଳ ହୀନ ସମଦ୍ର ମଝିରେ ଏବେ
ଏ ମୋର ଭଙ୍ଗା ଦଦରା ନାଆ
ଏକାକୀ ଯାତ୍ରୀ ମୁଁ ଏବେ
ଆଉ ତାର ଏକାକୀ ନାଉରି
ପବନର ସହଯାତ୍ରୀ ମୁଁ
ଦିଗ ଜଣାନାହିଁ
ବାଗ ଜଣାନାହିଁ ବାହିବାର …
ନାଆ ବୁଡ଼ିଯାଏ ଝଡ଼ରେ ବାରମ୍ବାର
ସତେବା ମୁଁ ବି ବୁଡ଼ିଯାଏ ତା ସହିତ
ପୁଣି ଉଠିଆସେ ଜଳ ସମାଧିରୁ
ନାଆ ମୋତେ ଦିଏ ଜୀବନ୍ୟାସ
ଯାତ୍ରା ଜାରି ରହେ ପୁନର୍ବାର ।
କୁଦୋପାଲି, ବରଗଡ଼
ଲେଖକ ପରିଚୟ
ଏଯାବତ ୯ ଖଣ୍ଡ କବିତା ସଂକଳନ ପ୍ରକାଶିତ ହୋଇସାରିଥିବାବେଳେ ୧୦ମ କବିତା ସଂକଳନ ‘ଅଛି’ ପ୍ରକାଶନ ଅପେକ୍ଷାରେ । ଦୁଇଟି ପ୍ରବନ୍ଧ ଓ ଗୋଟିଏ ଗଳ୍ପ ସଂକଳନ ସହିତ ଦୁଇଟି ଇଂରାଜୀ ନନ୍ ଫିକ୍ସନ୍ ପ୍ରକାଶିତ ହୋଇସାରିଛି । ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଥିବା ଲେଖକ ଦ୍ଵିତୀୟ ଶ୍ରେଣୀ ପଢିବାବେଳେ ପାଠ୍ୟକ୍ରମରେ ଥିବା ଗଳ୍ପର ପ୍ରଭାବରେ କିଛି ଗଳ୍ପ ଲେଖିଥିଲେ । କିଛି କବିତା ଲେଖିଥିଲେ ସମ୍ବଲପୁରୀ ଭାଷାରେ । ସେତେବେଳେ ସେସବୁ ସାହିତ୍ୟ ବୋଲି ଯଦିଓ ଜାଣି ନଥିଲେ ସେ । ମଝିରେ ମଝିରେ ଦୀର୍ଘ ଶୂନସ୍ଥାନ । ଗପ, ଉପନ୍ୟାସ, କବିତାର ପରେବେଶଟି କିନ୍ତୁ ରହିଥାଏ ସବୁବେଳେ ତାଙ୍କ ଜୀବନର ଚଲାବାଟରେ । ହାଇସ୍କୁଲ ସମୟରେ ପୁଣି ଲେଖାହୁଏ କିଛି କବିତା । ପୁଣି ଏକ ଦୀର୍ଘ ନିରବତା । କବିତାର ପ୍ରକୃତ ମୂଳଦୁଆ ପଡ଼େ ଛାତ୍ର ଜୀବନରେ ସତୁରି ଦଶକର ଶେଷଭାଗରେ ।