ଭୁବନେଶ୍ଵର : ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ‘ସାରସ୍ଵତ ସମାଜ’ର ମାସିକ କବିତା ଆସର ଓ ଆଲୋଚନାଚକ୍ର ଗୋଦାବରୀଶ ସାହିତ୍ୟ ସଂସଦରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ରାଜକିଶୋର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଅମ୍ବରେଶ ଶତପଥୀ ଯୋଗ ଦେଇଥିଲେ । ନିଜ ଭାଷଣରେ ଜଗନ୍ନାଥ ସଂସ୍କୃତି ପରମ୍ପରାକୁ ନେଇ ଆମ ଭାଷା ଓ ସାହିତ୍ୟ କେତେ ଉନ୍ନତ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଅଧ୍ୟାପିକା ସରୋଜିନୀ ପାଣି ଆମ ଓଡ଼ିଆ ଭାଷା ବିଶ୍ଵ ଦରବାରରେ ଆଦୃତ ଲାଭ କରିଛି ବୋଲି ନିଜ ବକ୍ତବ୍ୟରେ କହିଥିଲେ ।
ସେହିପରି ଅନୁଷ୍ଠାନର ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିଲାବେଳେ ଏହି ଅବସରରେ ଅନୁଷ୍ଠିତ କବିତା ଆସରରେ କବିମାନଙ୍କ ମଧ୍ୟରେ କବି କୀର୍ତ୍ତିମୟୀ ମହାନ୍ତି, ସଙ୍ଗୀତ ରଥ, ରଜନୀକାନ୍ତ ପଟ୍ଟନାୟକ, ଅଲେଖ ରାଉତ, ରଞ୍ଜିତ ତ୍ରିପାଠୀ, ଦେବରାଜ ବିଶୋଇଙ୍କ ସମେତ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଓ କମଳା ନେହେରୁ ମହାବିଦ୍ୟାଳୟର ବହୁ ଛାତ୍ର ଯୋଗ ଦେଇଥିଲେ । ଏହି ଆସରକୁ କବି ଧରିତ୍ରୀ ମହାନ୍ତି ଓ ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ ସଂଯୋଜନା କରିଥିଲେ । ପରିଶେଷରେ ସମାଜସେବୀ ମହାମାୟା ତେଜାନି ଧନ୍ୟବାଦ ଅର୍ପଣ କରିଥିଲେ ।