ଲତିକା ମହାପାତ୍ର

ଟିକେ ରହିରହି ଯିବି
ଟିକେ ରହିରହି
ଭୋଗିବି ଏ ପଥକୁ
ପଢ଼ିବି ଏ ବର୍ଣ୍ଣମାଳା
ଶୁଣିବି ଶୁଣିବି ତା ମନ୍ଦ୍ର ମଧୁର ସଂଗୀତ …
ପବନରେ ଭାସୁଥିବା ଶବ୍ଦଙ୍କ ସାଇରୀ
ନାଆଁ ଅଜଣା ଧୂନ ସଂଗୀତର ସାରେଗାମା
ରାସ୍ତାର ଧାରେଧାରେ ସବୁଜିମା
ଆକାଶୀ ଐଶ୍ଵର୍ଯ୍ୟ …
ମୁଁ ଟିକେ ରହିରହି ଯିବି
ରହିରହି
ମୋର ପହଂଚିବାର ନାହିଁ କେଉଁଠି ବି
ଚାଲୁଚି ମୁଁ ଚାଲୁଥିବି
ମତୁଆଲା ହୋଇ
ମୋ ନିଶାରେ ଚୂର ହୋଇ
ମୋ ଗପ କହିକହି
ହୃଦୟର ଗୀତ ଗୁଣୁଗୁଣେଇ
ନାଆଁ ଅଜଣା ଏଇ ଚଲାପଥ ପରେ
ବାଟୋଇ ମୁଁ ମଗ୍ନ ବାଟୋଇ ।
ତାଳଚେର, ଅନୁଗୁଳ
ଲେଖକ ପରିଚୟ
ପିଲାଦିନେ ସାହିତ୍ୟ ବହି ଓ ବିଭିନ୍ନ ପତ୍ରପତ୍ରିକାରୁ କବିତା ପଢି ମୁଗ୍ଧ ହେଉଥିଲି । ବଡ଼ପାଟିରେ ଡଗଡଗ ହୋଇ ଆବୃତ୍ତି କରୁଥିଲି । ସେ ଶିଶୁଲେଖା ହେଉ କି ମନପବନ, ବାରମଜା ହେଉ କି ବିଲୁଆନନା । ଆଉଟିକେ ବଡ଼ ହେଲାପରେ ଘରକୁ ଆସୁଥିବା ଝଙ୍କାର, ସୁଚରିତାରୁ କବିତା ସବୁ ପଢୁଥିଲି ଆଉ ଏକ ବିଚିତ୍ର ଅବ୍ୟକ୍ତ ଆନନ୍ଦ ମୋତେ ଆନମନା କରୁଥିଲା । ପଞ୍ଚମ ଶ୍ରେଣୀରୁ ପଦକୁ ପଦ ଯୋଡ଼ି ମନକଥା ଲେଖିବା ଆରମ୍ଭ କରିଥିଲି । ମୋତେ ଲାଗେ କବି ଜଣେ ସଂସାର ବାହାରର ଲୋକ, ଭାବର ସମ୍ରାଟ, ଶବ୍ଦର ବିନ୍ଧାଣୀ, ପ୍ରେମର ପାରାବାର, ସଂସାରର ସବୁ ଲୋଭ-ମୋହର ଉର୍ଦ୍ଧ୍ଵରେ ଉଚ୍ଚାଙ୍ଗ ଚୈତନ୍ୟର ପ୍ରତିଭୂ ।