ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ପ୍ରକୃତିର ବର୍ଣ୍ଣନା କାଳଜୟୀ । ଏହା ଆମ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ଭଞ୍ଜଙ୍କ ସାହିତ୍ୟରେ ପ୍ରକୃତି ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ବର୍ଣ୍ଣନା ରହିଛି ବୋଲି କଳିଙ୍ଗ ଭାରତୀ, ଉତ୍କଳ ଛାତ୍ର ସାହିତ୍ୟ ସମାଜ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହଯୋଗରେ ଅନୁଷ୍ଠିତ ୮୨ତମ ଭଞ୍ଜ ଜୟନ୍ତୀର ପଞ୍ଚମ ସନ୍ଧ୍ୟାରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମିଶନ ରୋଡ଼ ସ୍ଥିତ ଭଞ୍ଜମଣ୍ଡପ ଠାରେ ମୁଖ୍ୟ ଅତିଥି ସିଏମସି ମେୟର ସୁବାସ ସିଂ କାର୍ଯ୍ୟକ୍ରମ ଉଦଘାଟନ କରି ଉପେନ୍ଦ୍ର ଭଞ୍ଜ କାବ୍ୟ ଓ ସାହିତ୍ୟ ମାଧ୍ୟମରେ ଓଡ଼ିଆ ଜାତିକୁ ଆଦର୍ଶର ବାର୍ତ୍ତା ଦେଇଛନ୍ତି ବୋଲି କହିଥିଲେ । ଅଧ୍ୟାପକ ଦାଶ ବେହେନୁରଙ୍କ ଅଧ୍ୟକ୍ଷତାରେ ମୁଖ୍ୟବକ୍ତା ଡ. ବାବାଜୀ ଚରଣ ପଟ୍ଟନାୟକ ଓ ସମ୍ମାନିତ ବକ୍ତା କାମରଜୁ ସାହାଣୀ, ଅଧ୍ୟାପକ ନଳିନୀ ପ୍ରଭା ଦାଶ, ଡ. ଅଂଶୁମାନ କର ପ୍ରମୁଖ ଭଞ୍ଜ ସାହିତ୍ୟରେ ପ୍ରକୃତି ଶୀର୍ଷକରେ ଆଲୋଚନା କରିଥିଲେ ।
କଳିଙ୍ଗ ଭାରତୀର ସଭାପତି ଡାକ୍ତର ଶୈଳେଶ୍ଵର ନନ୍ଦ ସ୍ଵାଗତ ଭାଷଣ, କାର୍ଯ୍ୟ ନିର୍ବାହୀ ସଭାପତି ପ୍ରଭାତ କୁମାର ନନ୍ଦ ଅନୁଷ୍ଠାନର ସାହିତ୍ୟ ସାଧନା ଓ ଗବେଷଣା ଉପରେ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ଡ. ସିଦ୍ଧାର୍ଥ ମହାନ୍ତି ଧନ୍ୟବାଦ ଦେଇଥିଲେ । ଉପଦେଷ୍ଟା ଆଇନଜୀବି ପ୍ରସନ୍ନ କୁମାର ନନ୍ଦ, ଉପସଭାପତି ରଣଜିତ କର, ସାଗରିକା ପ୍ରହରାଜ, କିଶୋର ମହାନ୍ତି, ଶକ୍ତି ଶଙ୍କର ମହାନ୍ତି, ଜ୍ଞାନ ରଞ୍ଜନ ନନ୍ଦ, ଅନୁପ ମାର୍ଥା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନିତ୍ୟ ପ୍ରଜ୍ଞା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଲକିପ୍ରଜ୍ଞା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା ।