ପ୍ରଦୀପ କୁମାର ପଣ୍ଡା

ଶବ୍ଦ ଶୁଣିବାର ଦକ୍ଷତା ଆମର ଆଉ ନାହିଁ
ଆମେ ଖାଲି ଶୁଣୁ ଅର୍ଥ, ଯାହା ଶବ୍ଦଙ୍କର ନୁହେଁ ।

ଶବ୍ଦ ଥିଲା ତାହା
ଯାହା ଗଛ କହୁଥିଲା ଗଛ କଟାଳୀକୁ
ଉଞ୍ଚେଇଲାବେଳେ କୁରାଢି,
ଶବ୍ଦ ଥିଲା ତାହା
ଯାହା ନଈ କହୁଥିଲା ପଠାରେ ଏକୁଟିଆ ବସି
ପାଣିକି ଗୋଡ଼ି ଫିଙ୍ଗୁଥିବା କିଶୋରକୁ,

ଯାହା ଦେବତାମାନେ କହୁଥିଲେ ଆମକୁ
ନୂଆ ନୂଆ ପାପ କରି ଫେରି ଆସୁଥିଲାବେଳେ ସଂସାରକୁ
ଶବ୍ଦ ଥିଲା ତାହା,
ଆମେ ଶୁଣୁଥିଲୁ,
ଯେମିତି କିଛି କହି ହେଉ ନଥିଲା
ଭାବି ହେଉ ନଥିଲା ।

କଣ୍ଢେଇମାନଙ୍କ ସହ ଆମର କଥୋପକଥନର
କିଛି ଅର୍ଥ ନଥିଲା,
ଅନେକ ଦିନ ଯାଏଁ ମନେ ରଖିବାକୁ
ଆମର ପ୍ରେମ ଥିଲା,
କାରଣ ପ୍ରେମର କିଛି ଅର୍ଥ ନଥିଲା ।

ଆମେ ଶବ୍ଦମାନଙ୍କୁ ଭେଟୁଥିଲୁ, କାଖୋଉଥିଲୁ,
ଢେର୍ ଚୁମା ଖାଉଥିଲୁ,
ଯାହାଙ୍କର ଲିପି ନଥିଲା ।

ଆମେ ନିରବ ଥିଲୁ,
କଅଁଳ କଅଁଳ ଶବ୍ଦମାନଙ୍କ ମେଳରେ
କୁଁଢ଼ିକାଁଚି ଖେଳୁଥିଲୁ, ଗୀତ ଖାଉଥିଲୁ,
ଯାହାର ଭୋକ ଶୋଷ ନଥିଲା ।

ଆମକୁ ମନବୋଧ ଚଉତିଶା ମୁଖସ୍ଥ କରାଇଥିବା ମାଷ୍ଟ୍ରଙ୍କୁ
ଓଲଟ ଖଟରେ, କାନ୍ଧରେ,
ନଈକୂଳକୁ ବୋହି ନେଲାବେଳେ
ଆମେ କାନ୍ଦିଥିଲୁ, ଯାହାର ଭିତର ବାହାର କିଛି ନଥିଲା ।

ଆମର ନିରବତାର ବି ଥିଲା ଏକ ପ୍ରଗାଢ଼ ଶବ୍ଦ
ଯାହା ବୁଝି ପାରୁଥିଲା କୁନି ଏକ ଡଉଲ ବାଛୁରୀ ଓ
ଡହଡହ ଖରାରେ ସିଝୁଥିବା ବଉଳ ଗଛ,
କାରଣ ସେ ଶବ୍ଦରେ ନଥିଲା
ନ୍ୟାୟ, ସାଂଖ୍ୟ, ଋତ, ନିରୁକ୍ତ ।

ଶବ୍ଦମାନଙ୍କୁ ଧ୍ଵଂସ କରିବାକୁ
କେବେ ଆବିଷ୍କାର ହେଲା ଏ ଅର୍ଥବାଚକ ସୂକ୍ତ
ଆମକୁ କାଲ କରିଦେଲା !

ବୃନ୍ଦାବନ ବିହାର, ସମ୍ବଲପୁର

ଲେଖକ ପରିଚୟ

ସଦ୍ୟ ପ୍ରକାଶିତ “ମାର୍ଗ ସହଜ” ସମେତ ଏଯାବତ ୯ ଗୋଟି କବିତା ସଂକଳନ ପ୍ରକାଶିତ ହୋଇ ସାରିଛି । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଓ ଗବେଷକ ସତ୍ତ୍ୱେ ସାହିତ୍ୟ ପ୍ରତି ରୁଚି ରଖେ । କବିତା ବ୍ୟତୀତ ଆଲୋଚନା, ନିବନ୍ଧାଦି ରଚନା ବି ଭଲଲାଗେ ମୋତେ ।

Related Posts

Leave a Reply

Your email address will not be published. Required fields are marked *