ବିନୟ ମହାପାତ୍ର
ବୈଶାଖର ଧୁଉ ଧୁଉ ଦିପହରେ
ସବୁ କିଛି ଜଳୁଛି ଯେମିତି,
ଜନପଦ, ନଗରର ରାଜରାସ୍ତା,
ବୃକ୍ଷର ପ୍ରତିଟି କୀଶଳୟ
ସବୁ କିଛି ଜଳିଯାଏ ଏଠି ।
ଜଳିଯାଏ ପଥିକର ପାଦ,
ତୁମେ କି ଜାଣିଛ ?
ତିଳେ ଧୁଆଁ ଦିଶେନି କେଉଁଠି,
ସମସ୍ତେ କିନ୍ତୁ ନୀରବରେ
ଜଳୁଛନ୍ତି ଏଠି ।
ଅଭିଯୋଗ କରିବେ ତ
କା’ ପାଖେ କରିବେ ?
ପ୍ରକୃତିକୁ ଧ୍ଵଂସ କରି
ନିଜକୁ କିପରି ବଞ୍ଚାଇ ପାରିବ !
ଶୁନ୍ ଶାନ୍ ରାଜରାସ୍ତା,
ସବୁକିଛି ଆଉଜି ଯାଇଛି ସତେ,
ବନ୍ଦ କୋଠରୀର
ନିବୁଜ ଚାରି ଚୌହଦି ଭିତରେ,
ମୃଗତୃଷ୍ଣା ଭ୍ରମିତ କରିଦିଏ,
ଜନପଥ ପିଚୁ ସଡ଼କରେ,
ଶିତଳତା ସ୍ୱପ୍ନ ଏଠି,
ଜଳିବାଟା ଚିରନ୍ତନ ସତ୍ୟ ଜୀବନରେ ।
ବୈଶାଖ ତ ବାହାନା କେବଳ,
ଦେହ ସିନା ଜଳିଯାଏ
ଧୁଉ ଧୁଉ ଜ୍ୱଳନ୍ତ ସୂର୍ଯ୍ୟ କିରଣରେ ।
ମନ କିନ୍ତୁ ଜଳିଯାଏ, ବିନା ନିଆଁ ବିନା ଧୁଆଁ
ଯେମିତି ସୂର୍ଯ୍ୟ ଜଳୁଥାଏ
ଦିନରାତି ଚବିଶ ପ୍ରହର,
ଅଗ୍ନି ଜଳୁଥାଏ ନିହାରିକା ଆଉ
ସମଗ୍ର ନକ୍ଷତ୍ର ମଣ୍ଡଳେ,
ଅଗ୍ନିର ଲେଲିହାନ ଶିଖାରେ ଶିଖାରେ
ବ୍ରହ୍ମାଣ୍ଡ ଜୀବନ୍ତ ଯେପରି ଜ୍ୱଳନ୍ତ ଭାଟିରେ ।
ଜଳିବା ହିଁ ଜୀବନ,
ଶରୀର ତ ଜଳିବାର ଇନ୍ଧନ କେବଳ,
ଜଳୁଛି ବୋଲି ତ ବଞ୍ଚିଛି
ବଞ୍ଚିବା ପାଇଁ ଜଳିବା ଜରୁରୀ ।
ପ୍ରେମ ଜଳେ, ଜାଳିଯାଏ ନିତି
ପ୍ରଣୟର ଅଗ୍ନି ବ୍ୟାପିଯାଏ
ହୃଦୟରୁ ଅନ୍ୟ ହୃଦୟକୁ,
ପ୍ରେମ ଯଦି କରିବାକୁ ମନ
ଜଳିବାକୁ ପ୍ରସ୍ତୁତ ରହିଥାଅ ସାଥୀ ।
ପଟିଆ, ଭୁବନେଶ୍ୱର
ଲେଖକ ପରିଚୟ
ପିଲାଟି ଦିନରୁ ଗଳ୍ପ ଓ କବିତା ଲେଖିବା ମୋର ଗୋଟିଏ ନିଶା ଥିଲା । ସ୍କୁଲ କଲେଜର ପାଠପଢା ସମୟରେ ଏବଂ ଓଡ଼ିଶାରେ ରହଣି ସମୟରେ ନୟମିତ ଲେଖାଲେଖି କରୁଥିଲି । କିନ୍ତୁ ୩୦ ବର୍ଷ ଓଡ଼ିଶା ବାହାରେ (ଦିଲ୍ଲୀ) ରହଣିରେ ସେଥିରେ ନିଷ୍କ୍ରିୟତା ଆସିଥିଲା । ହେଲେ ଡିସେମ୍ବର ୨୦୧୬ରୁ ଓଡ଼ିଶା ଫେରିବା ପରେ ପୁଣିଥରେ ଲେଖାଲେଖିରେ ସକ୍ରିୟ ଅଛି । ନିଜ ବ୍ଲଗ୍ kathakabita.blogspot.com, mokathamokabita.wordpress.com ରେ ସଙ୍କଳିତ କରିବା ସହିତ “ଷ୍ଟୋରିମିରର” ଓ “ପ୍ରତିଲିପି” ପାଇଁ ନିୟମିତ ଲେଖାଲେଖି କରୁଛି । ବର୍ଷ ୨୦୨୦~୨୨ ମଧ୍ୟରେ ଦୁଇଟି କବିତା ସଙ୍କଳନ ଓ ଦୁଇଟି ଗଳ୍ପ ସଙ୍କଳନ ପୁସ୍ତକ ଆକାରରେ ପ୍ରକାଶିତ ହୋଇସାରିଛି । ବିଭିନ୍ନ ଅନଲାଇନ୍ ମାଗାଜିନରେ ମଧ୍ୟ ମୋର ଗଳ୍ପ ଓ କବିତାଗୁଡ଼ିକ ନିୟମିତ ପ୍ରକାଶିତ ପାଉଛି ।
ସମସ୍ତଙ୍କ କବିତା ରୁଚିପୂର୍ଣ୍ଣ୍ ଖୁସି ଲାଗିଲା । ସଂସ୍କାର ଓ ବିପ୍ଳବ କବିତା ଲେଖିଲେ ଭଲ ହୁଅନ୍ତା । ଯେମିତି ନ୍ୟାୟ ଓ ଅଧିକାର ମାଗିବା । ବଞ୍ଚିବାର ସ୍ବପ୍ନ ଭିତରେ ମାଜିବା ଓ ହଜିବା ଇତ୍ୟାଦି ।