ମନୋଜ ମିଶ୍ର

ସବୁ ତାରାମାନେ
କାଳେ ଦିନେ
ପ୍ରେମିକା ଥିଲେ,
ଖୁବ ପ୍ରେମ କରୁଥିଲେ..

ସେମାନେ କବିତା ଲେଖିଲେ
ରଡ଼ ନିଆଁରେ ଜଳିଲେ
ଖୁବ ଜାଳିଲେ
ଆଉ..
ସୁନା ପରି ଦାଉଦାଉ ଝଟକିଲେ…

ହଠାତ ଦିନେ
ଖବର ଉଡିଲା..
ଆକାଶ ଶାଖାରେ
ସେମାନେ
ମାଳମାଳ ହେଇ ଟାଙ୍ଗି ହେଇଗଲେ..

ସମସ୍ତଙ୍କ ଆଖି
ଅଧାମେଲା ଥିଲା
ପ୍ରଶ୍ୱାସ ଦୁଆରୁ ଲାଭା ଉଛୁଳିଲା
କପାଳରୁ ବିଶ୍ୱାସର ଚିତା ଲିଭୁଥିଲା
ଜଣେ ଜଣକୁ ଚାହିଁ ରହିଥିଲେ
କିଏ କେତେ ପ୍ରେମ ବରଷିଲା
କାହା ବାରିରେ କିଏ କେତେ ଚଷି ହେଲା
ସେ’କଥା କେହିକାହା କାନେ
କହୁବି ନଥିଲେ..


ସବୁ ତାରା
ଏବେ କିନ୍ତୁ ଖୁବ ପାଖାପାଖି ଥିଲେ
ଦେହ ପରେ ଲେଖା
ଇତିହାସ ଫର୍ଦ୍ଦ ଚିରି
ନିଜନିଜ ପାଦ ପୋଛୁଥିଲେ..

ଆଜି ବୋଧେ ତାରାସବୁ
ପ୍ରେମ କଳା ଶିଖି ସାରିଥିଲେ..!!

ଲୋଧି ରୋଡ, ନୂଆଦିଲ୍ଲୀ

ଲେଖକ ପରିଚୟ

କବିତା, ଗଳ୍ପ, ସଙ୍ଗୀତ ଏବଂ ଚିତ୍ର ଦୁନିଆରେ ନିତି ହଜୁଥିବା ସରଳ ମଣିଷ

Related Posts

Leave a Reply

Your email address will not be published. Required fields are marked *