ଅରୁଣ କୁମାର ତ୍ରିପାଠୀ
ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ୨୦୧୨ ମସିହାରୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ ପାଳନ କରାଯାଉଅଛି । ଏହି ଦିନ ଅର୍ଥାତ୍ ଅଗଷ୍ଟ ୨୯, ୧୯୦୫ ରେ ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥ ଏକ ରାଜପୁତ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତୃଦତ୍ତ ନାମ ଥିଲା ଧ୍ୟାନ ସିଂହ କିନ୍ତୁ ସୂର୍ଯ୍ୟାସ୍ତ ପରେ ମଧ୍ୟ ଚନ୍ଦ୍ର ଆଲୁଅରେ ସେ ହକି ଅଭ୍ୟାସ କରୁଥିବାରୁ ଏବଂ ହିନ୍ଦିରେ ଜହ୍ନଙ୍କୁ ଚାନ୍ଦ କୁହାଯାଉଥିବାରୁ ତାଙ୍କ ନାମ ହେଇଗଲା ଧ୍ୟାନଚାନ୍ଦ । ଯଦିଓ ଭାରତ ତତ୍କାଳୀନ ସମୟରେ ପରାଧୀନ ଥିଲା, କିନ୍ତୁ ମେଜର ଧ୍ୟାନଚାନ୍ଦ ୧୯୨୮, ୧୯୩୨ ଏବଂ ୧୯୩୬ ଅଲମ୍ପିକରେ ଭାରତକୁ ହାଟ୍ରିକ୍ ବିଜୟ ଦେଇଥିଲେ । ତାଙ୍କ ହକି କ୍ୟାରିଆର ଯାହା ୧୯୨୬ ରୁ ୧୯୪୯ ମଧ୍ୟରେ ଚାଲିଥିଲା, ସେଥିରେ ସେ ୫୭୦ ଗୋଲ୍ କରିଥିବାର ତାଙ୍କ ଆତ୍ମଜୀବନୀ ପୁସ୍ତକ “ଗୋଲ୍” ରୁ ସୂଚନା ମିଳେ । ଛୁଆବେଳେ ଆମେ ଚତୁର୍ଥ ଶ୍ରେଣୀରେ ପଢୁଥିଲୁ, କିଭଳି ତାଙ୍କ ହକି ବାଡ଼ିରେ ବଲ୍ ଟି ଅଠାଭଳି ଲାଗିରହୁଥିଲା ଏବଂ ବାରମ୍ବାର ହକିବାଡ଼ି ତାଙ୍କୁ ପରିବର୍ତ୍ତନ କରିବା ନିମନ୍ତେ କୁତ୍ସାରଟନା ସହକାରେ ଆଦେଶ ମିଳୁଥିଲା ।
ଦେଶର କ୍ରୀଡ଼ାବୀତମାନଙ୍କୁ ପ୍ରଶଂସା ଏବଂ ସମ୍ମାନିତ କରିବା ଏହି ଉତ୍ସବର ମହତ୍ତ୍ୱ । ଏହି ଦିନ ଭାରତର ମାନନୀୟ ରାଷ୍ଟ୍ରପତି ବିଶିଷ୍ଟ କ୍ରୀଡ଼ାବିତ୍ ଏବଂ ତାଙ୍କର ଗୁରୁ (କୋଚ୍)ମାନଙ୍କୁ ପୂର୍ବରୁ ଚୟନ ହେଇଥିବା ବିଭିନ୍ନ ପୁରସ୍କାର ପ୍ରଦାନ କରନ୍ତି । ସେଗୁଡ଼ିକ ହେଉଛି ମେଜର୍ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ମୌଲାନା ଆଜାଦ୍ ଟ୍ରଫି ଓ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର । ୨୦୦୪ ରୁ ତେଞ୍ଜିଂ ନର୍ଗେ ଜାତୀୟ ସାହସିକତା ପୁରସ୍କାର ମଧ୍ୟ ଏହିଦିନ ପ୍ରଦତ୍ତ ହୁଏ । କ୍ରୀଡ଼ା କ୍ଷେତ୍ରରେ ନାଗରିକଙ୍କ ଆଗ୍ରହ ଜନ୍ମାଇ ସେଥିରେ କ୍ୟାରିଅର ଏବଂ କ୍ରୀଡ଼ା କସରତ ଦ୍ୱାରା ଶାରୀରିକ ସନ୍ତୁଳନ ରଖିବା କ୍ଷେତ୍ରରେ ମଧ୍ୟ ଏହି ଦିବସ ବାର୍ତ୍ତା ଦିଏ ।
ଭାରତ ସରକାର ଏବଂ ଓଡ଼ିଶା ସରକାର ବିଭିନ୍ନ ଉତ୍ସବ ଏବଂ ଦିବସ ପାଳନ କରନ୍ତି । ସବୁଥିର କିଛି ନା କିଛି ଉଦ୍ଦେଶ୍ୟ ଥାଏ । ସେହି ଉଦ୍ଦେଶ୍ୟମାନଙ୍କୁ ଜନଜୀବନରେ ଲଗେଇ ଦେଲେ ମାନବ ଜୀବନ ସୁଖମୟ ହେବ । ଆମେ ଛୁଆ ଥିବା ସମୟରେ କ୍ରୀଡ଼ାରେ ଭଲ ଖେଳୁଥିବା ପିଲାଙ୍କ ପାଠ ହେଉ ନଥିଲା ବୋଲି ଏକପ୍ରକାର ଧାରଣା ରହିଥିଲା । ପାଠ ଭଲ ହେବା ପିଲାର ଖେଳ ହୁଏ ନାହିଁ । ସେୟାତ ଥିଲା ଆନୁଷ୍ଠାନିକ ଉତ୍ସବମାନଙ୍କର ଉପଲବ୍ଧି କିନ୍ତୁ ସ୍କୁଲରୁ ଫେରି ସମସ୍ତେ ଗାଁ ଦାଣ୍ତରେ ଖେଳିବାର । ବିଭିନ୍ନ ପ୍ରକାର କ୍ରୀଡ଼ା କସରତରେ ଗାଁ ଦାଣ୍ତ କମ୍ପି ଉଠୁଥିଲା । ଏଭଳିକି ଛୁଆଙ୍କ ଖେଳରୁ ମାଡ଼ଗୋଳ ତାଙ୍କ ମା’ମାନଙ୍କୁ ସଂକ୍ରମିତ କରୁଥିଲା । କିନ୍ତୁ ଶେଷରେ ରାତି ପାହିଲେ ମୁହଁ ଦେଖାଦେଖି ହେବୁ ବୋଲି କଥାବାର୍ତ୍ତା ବନ୍ଦ କରୁ ନଥିଲେ କେହି । ଆଜିକାଲି କାଦୁଅ ହେଉଛି ବୋଲି ଗାଁ ଦାଣ୍ତରେ ଆଉ ଧୂଳିମାଟି ନାହିଁ । ଆସ୍ତେ ଆସ୍ତେ ତାହାର ସ୍ଥାନ ପ୍ରାୟତଃ କଂକ୍ରିଟ୍ ନତୁବା ପେଭର୍ ବ୍ଲକ ନେଇସାରିଲାଣି । ଗାଁ ଦାଣ୍ତ ହିଁ ନାହିଁ । ଯଦି ଟିକିଏ ସଂସ୍କୃତି ପ୍ରେମୀ ହେଇ ସେହି କଂକ୍ରିଟ୍ କୁ ଦାଣ୍ତ ବୋଲି ଭାବିନେବା ତେବେ ବି ସେହି ଦୃଷ୍ଟିକୁ ଅପହୃତ କରିନେଉଛି ଛୋଟ ଛୁଆଙ୍କଠାରୁ ବଡ଼ ପିଲାଙ୍କ ୧୬ ରୁ ୧୭ଟି ବିଷୟ ଏବଂ ତଦଜନିତ ଟ୍ୟୁସନ । ପୁଣି ଆଜି କାଲି ଆଉ କେହି ବେଶି ଛୁଆ କରୁନାହାନ୍ତି । ଏକୋଇରବଳା ବିଶିକେଶନ ! ତା ଦେଇ ସମସ୍ତ ଆଶା ରଖୁଛନ୍ତି ପିତାମାତା । ଆମ ଛୁଆ ପାଠ ଯେମିତି ପଢିବ, ଡ୍ୟାନ୍ସ (ନୃତ୍ୟ) ବି ସେହିଭଳି କରିବ, କରାଟେ ବି ଶିଖିବ, ମ୍ୟୁଜିକ୍ (ସଙ୍ଗୀତ) ରବିବାରକୁ ଥରେ ଯିବ, ଆଉ କେତେ କଣ, କିନ୍ତୁ ଛୁଆଙ୍କୁ ସ୍ଥିତପ୍ରଜ୍ଞ ଏବଂ ସର୍ବଗୁଣ ସମ୍ପନ୍ନ କରିବାରେ ପିତାମାତା ଅଜସ୍ର ଦୁର୍ନୀତି ତଥା ନିଜର ଦୃଷ୍ଟିଭଙ୍ଗୀକୁ ଶତ ପ୍ରତିଶତ ନିବେଶ କରିଦଉଅଛନ୍ତି । ଫଳତଃ ମେସିନ୍ ଭଳି ହେଇଯାଉଛି ଶିଶୁର ମାନସ । ଛୁଆଙ୍କୁ ଅନ୍ୟୁନ ଅଧ ଘଣ୍ଟେ ତ ଖେଳିବାକୁ ଛାଡ଼ନ୍ତୁ, ସାମାଜିକ ସମ୍ପର୍କ ବୃଦ୍ଧି ହବା ସହିତ ନେତୃତ୍ୱର କୌଶଳ ମଧ୍ୟ ବୃଦ୍ଧି ହେବ । କିନ୍ତୁ ମନମୋଟିଆଙ୍କ ଉତ୍ତର ଆସୁଛି, ଆମେ କଣ ପାର୍କ ନଉନୁ କି ? ଆମ ଛୁଆ ଭିଡ଼ିଓ ଗେମ୍ ଜୋନ୍ ଯାଇ ସାଙ୍ଗ ମେଳରେ ଖେଳୁଛି ମ !
ଆମେ ଛୁଆ ସମୟରେ ଯେଉଁସବୁ ଖେଳ ଖେଳୁଥିଲୁ ସେଗୁଡ଼ିକ ହେଉଛି, ଗୋବର ବାଡ଼ି, ଲୁଚୁ ଲୁଚାଣି, ବିଷ ଅମୃତ, ବୋହୂ ଚୋରି, ପାହାଡ଼ ପାଣି, ଡାଳ ମାଙ୍କୁଡ଼ି, କବାଡ଼ି, ଛୁଆଁ ଛୁଇଁ, ଲଡୁ ଚୋରି, ଖପରା ଖେଳ, ଆଦି କେତେ କଣ । ଯାହାବି ଖେଳ ହବ ପ୍ରତିଭାଗୀଙ୍କ ସଂଖ୍ୟା ଅନୁସାରେ ସେୟା ରହୁଥିଲା । ସଂଖ୍ୟା ଦୁଇ ଜଣ ଛୁଆଁ ଛୁଇଁ ଖେଳି ପାରିବେ । ଅନ୍ୟ ପ୍ରାୟ ଖେଳ ମାନଙ୍କରେ ପ୍ରଥମେ ପାଚିବାକୁ ପଡୁଥିଲା । ପାଚିବା ମାନେ ଅଯୁଗ୍ମ ସଂଖ୍ୟାର ପ୍ରତିଭାଗୀ ଗୋଲାକାର ରେ ହାତ ଛନ୍ଦି ପାଚି ଅବା ଦାନ୍ ହୁଅନ୍ତି । ହାତର ପାପୁଲି ଉପର କରି ଥୋଇବା ନତୁବା ତଳ ମୁହଁ କରି ଥୋଇବାରେ ସେୟା ନିର୍ଦ୍ଧାରିତ ହୁଏ । ମାନସାଙ୍କରେ ପଢିବା ବିଷୟ ଅଡ଼୍ ମେନ୍ ଆଉଟ୍ ନ୍ୟାୟରେ ଯିଏ ଭିନ୍ନ ଧରଣର ହାତ କରେ ସେ ବାହାରିଯାଏ, ଦାନ୍ ହୁଏ ଆଉ ଅନ୍ୟମାନେ ପାଚନ୍ତି । ଆଖି ଠରାଠରି ହେଇ ନିର୍ଦ୍ଧିଷ୍ଟ ପିଲାକୁ ଦାନ୍ କରିବାର ମିଠା ଷଡ଼ଯନ୍ତ୍ର ମଧ୍ୟ ହେଉଥିଲା । ଗୋବର ବାଡ଼ିରେ ଗୋଲାକାର ବୃତ୍ତ ମଧ୍ୟରେ ଅପରପଟେ ଦେଖୁଥିବା ପ୍ରତିଭାଗୀ ଗୋଟିଏ ବାଡ଼ିକୁ ଦି’ହାତରେ ଧରିଥାଏ ଏବଂ ତାହାକୁ ପଛପଟୁ ନେଇ ଗୋଲ୍ ରେ ପହଁଚାଯାଏ, କିନ୍ତୁ ସେହି ଅବସ୍ଥାରେ ଦାନ୍ ହେଇଥୁବା ପିଲାଟି ଛୁଇଁଦେଲେ ନିଜେ ଦାନ୍ ହବାକୁ ପଡ଼େ । ସୁରକ୍ଷା କବଚ ସଦୃଶ କାମ କରୁଥିଲା ପଥର ଅବା ଇଟା, ଯାହା ସେହି ସମୟରେ ଦାଣ୍ତରେ ରହୁଥିଲା । ପୁଣି ବିଷ ଅମୃତରେ ମଧ୍ୟ ସେହିଭଳି ଯାହାକୁ ଛୁଇଁଲେ ସେ ଷ୍ଟାଚୁ ସଦୃଶ ରହିଯାଉଥିଲା, ପୁଣି ଆଉ ଜଣଙ୍କ ସ୍ପର୍ଶରେ ସେ ଅମୃତ ଲାଭ କରୁଥିଲା । ଲଡୁ ଚୋରି କ୍ଷେତ୍ରରେ ତିନି ଜଣଙ୍କ ମଧ୍ୟରେ ଜଣେ ବଲ୍ କୁ ଏପଟରୁ ସେପଟ ହେବା ମଧ୍ୟରେ ନଜର ରଖି ଧରି ନେଉଥିଲା । ଖପରା ଖେଳରେ ବଲ୍ ସହାୟତାରେ ସାତଟି ଖପରା ଗଦାକୁ ଭାଙ୍ଗିଦେଇ ପୁଣି ଯୋଡ଼ିବାର କାମ ହେଉଥିଲା, ଦାନ୍ ହେଇଥିବା ପିଲାଟି ବହୁତ ହଇରାଣ ହୁଏ ଏହି ଖେଳରେ । ପୁଣି ବୋହୂଚୋରିରେ ହାତରେ ବାଲି ଏବଂ କିଛି ଅନ୍ୟାନ୍ୟ ପତ୍ରକୁଟା ସବୁ ଥୋଇଦେଇ ଦାନ୍ ହେଇଥିବା ପିଲାର ଆଖି ବନ୍ଦ କରି ଗୋଟିଏ ଜାଗାରେ ପକାଯାଇ ତାକୁ ଖୋଜିବାକୁ କୁହାଯାଉଥିଲା । ପାହାଡ଼ପାଣି କ୍ଷେତ୍ରରେ ମାଟିକୁ ପାଣି ଏବଂ ଚଟାଣକୁ ପାହାଡ଼ ସଦୃଶ ବିବେଚନା କରାଯାଉଥିଲା । ପାଣିକୁ ଆସିଲେ ଛୁଇଁ ଦେଲେ ଦାନ୍ ହବାକୁ ପଡୁଥିଲା । ପୁଣି ସେଥିରେ ରୁଢି ଏବଂ ଲୋକବାଣୀ ମଧ୍ୟ ଉଜ୍ଜୀବିତ ରହୁଥିଲା । “ତୋ ପାଣିକି ଆସିଲି, ମାଛ ଧରି ଖାଇଲି” । କବାଡ଼ି ଖେଳରେ ରାହା ଧରିବା ସମୟରେ ମଧ୍ୟ ଅନେକ ଗ୍ରାମ୍ୟଗୀତ ଉଜ୍ଜୀବିତ ରହୁଥିଲା । ଶେଷରେ ସଞ୍ଜ ହେଲେ “ଯାହା ଘରକୁ ଯିଏ ଯାଉ ନହେଲେ ବିଲେଇ ଲାଙ୍ଗୁଡ଼ ପୋଡ଼ି ଖାଉ” କହି ପାଠ ପଢିବା ନିମନ୍ତେ ପରୋକ୍ଷରେ ଆଦେଶ ମିଳୁଥିଲା । ପୁଣି କିଛି ଖେଳରେ ଜଣଙ୍କୁ ନେତୃତ୍ୱ ନେବା ନିମନ୍ତେ ପଡୁଥିଲା, ରାଜଦରବାର ନତୁବା ଗାଁ ପଞ୍ଚାୟତ ଭଳି ସେମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ । ଜାତିଜାତିକା ଫୁଲଫଳ ଧରି ଝିଅମାନେ ଖେଳୁଥିଲେ । ପ୍ରକୃତି ପ୍ରେମ ମଧ୍ୟ ଏଥିରେ ଜାଗ୍ରତ ହେଉଥିଲା ।
ଗାଁ ଦାଣ୍ତରେ ମାଟି ଥାଉ ନତୁବା କଂକ୍ରିଟ୍ କିନ୍ତୁ ଛୁଆଙ୍କୁ ପ୍ରାଚୀନ ଖେଳମାନଙ୍କ ସଂସ୍ପର୍ଶରେ ରଖିଲେ ଉତ୍କଳୀୟ ମଧରୁତା ରହିବା ସହ ସାମାଜିକ ସୌହାର୍ଦ୍ଦ୍ୟ ବଜାୟ ରହିପାରିବ । ପୁଣି ଉତ୍ତମ ପ୍ରଦର୍ଶନରେ ଆଜି କ୍ରୀଡ଼ାକୁ ନେଇ ଦେଶର ନାମ ଉଚ୍ଚା କରିବା ସହ ଭଲ ଚାକିରି ମଧ୍ୟ ସଂରକ୍ଷଣରେ ପାଇ ହେଉଛି । ଦେଶରେ ପାଳିତ ଦିବସମାନଙ୍କର ଭିତିରିଆ ଉଦ୍ଦେଶ୍ୟ ସବୁ ଜାଣିବା ଏବଂ ଜଣେଇବା ଏକ ଉତ୍ତମ ନାଗରିକର ଦାୟିତ୍ତ୍ୱ ଏବଂ କର୍ତ୍ତବ୍ୟ ମଧ୍ୟ ।
ପାରାବେଡ଼ା, ଜୟପୁର, ମୋ – ୯୦୭୮୮୩୮୬୨୭
ଲେଖକ ପରିଚୟ
ନବମ ଶ୍ରେଣୀ ପଢିଲା ସମୟରେ କବିତାରୁ ନିଜର ସାରସ୍ୱତ ଯାତ୍ରା ପ୍ରାରମ୍ଭ କରିଥିଲେ । ଅର୍ଥଶାସ୍ତ୍ର, ଲୋକ ପ୍ରଶାସନ, ସମାଜ ଶାସ୍ତ୍ର, ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ତଥା ଇଂରାଜୀ ସାହିତ୍ୟ ସ୍ନାତକୋତ୍ତର ହାସଲ କରିଥିବା ଶ୍ରୀ ତ୍ରିପାଠୀ ଆଦିବାସୀ ଅଧ୍ୟୟନରେ ବିଦ୍ୟାନିଶାନ୍ତ ( ଏମଫିଲ୍) ହାସଲ କରିଅଛନ୍ତି । ସାମ୍ପ୍ରତିକ ବିଷୟକୁ ନେଇ ରାଜ୍ୟର ବିଭିନ୍ନ ଖବରକାଗଜରେ ସ୍ତମ୍ଭ, ଗଳ୍ପ ତଥା କବିତାମାନ ଲେଖନ୍ତି । ଓଡ଼ିଆ ଏବଂ ଇଂରାଜୀ ମିଶାଇ ୭ ଟି ପୁସ୍ତକ ପ୍ରକାଶିତ ହୋଇ ସାରିଥିବାବେଳେ ନିକଟରେ ତାଙ୍କର ଆଉଏକ ପୁସ୍ତକ “ସତ କହିଲେ ସାଂଘାତିକ” ପ୍ରକାଶିତ ହୋଇଯାଇଛି ।