କେତେ ଧାର୍ମିକ ଆମେ ?

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଏବେ ଚାଲିଛି ପବିତ୍ର ଶ୍ରାବଣ ମାସ । ଏଇ ମାସଟା ଯାକ ନିରାମିଷ ଭକ୍ଷଣ କରିବା ସହିତ ସୋମବାର ଗୁଡ଼ିକରେ ଉପବାସ ରଖି ମହାଦେବଙ୍କୁ ଜଳଲାଗି କରାଯାଏ । ହଜାର ହଜାର ଭକ୍ତ ଦିନେ କିମ୍ବା ଦୁଇଦିନ ଆଗରୁ ପାଣି ନେଇ ସୋମବାର ଦିନ ମନ୍ଦିରରେ ଜଳ ଅର୍ପଣ କରି ଶିବ ଦର୍ଶନ କରି ସନ୍ତୋଷ ଲାଭ କରନ୍ତି । ଏପରିକି ମାସଟି ଯାକ କିଛି ଜଣ ଚୁଟି, ନିଶ, ଦାଢ଼ି ବି କାଟନ୍ତି ନାହିଁ । ଶ୍ରାବଣ ମାସର ପ୍ରତି ସୋମବାର ବଡ଼ି ଭୋଅରରୁ ଉଠି ଠାକୁର ଦର୍ଶନ ଓ ପୂଜାର୍ଚ୍ଚନା ସହ ଦାନ କରି ପୁଣ୍ୟ ଅର୍ଜନ କରନ୍ତି । ମାତ୍ର ସତ କହିବାକୁ ଗଲେ ପୁଣ୍ୟ କରିବା ଆଳରେ ଯାହା ଭକ୍ତଙ୍କ ସହ ହୁଏ, ତାହା କେତେ ଧର୍ମ କେତେ ଅଧର୍ମ ପାଠକ କହିବେ ।

କାଉଡ଼ିଆମାନଙ୍କ ପଟୁଆର ଦେଖି ଓ ‘ବୋଲବମ’ ଧ୍ୱନି ଶୁଣି ଯେଉଁଠି ମନରେ ଭକ୍ତି ଭାବନା ସୃଷ୍ଟି ହେଉଥିଲା, ଆଜିକାଲି ସେମାନଙ୍କ ଫିଲ୍ମି ଓ ଦ୍ଵିଅର୍ଥବୋଧକ ଶିବନାମ ଶୁଣି ମନ ବ୍ୟଥିତ ହେଉଛି । ପୁରୁଷ ଓ ମହିଳା ଉଭୟେ ପାଣି ନେଇ ଯାତ୍ରା କରୁଥିବାରୁ ସମୟ ସମୟରେ କଥା କଟାକଟି ଓ ଝଗଡ଼ା ବି ଦେଖିବାକୁ ମିଳୁଛି । ପବିତ୍ର ଜଳ କାନ୍ଧରେ ଧରି ଏସବୁ କରିବାକୁ ସେମାନଙ୍କ ବିବେକ କେମିତି ବାଧା ଦେଉନାହିଁ, ସେ ଆଉଗୋଟେ ପ୍ରଶ୍ନ ! ମିନି ଟ୍ରକ, ଟ୍ରାକ୍ଟରରେ ଗାଡ଼ି ଭର୍ତ୍ତି ଲୋକ ବୋଝଇ ହୋଇ ଜଳଲାଗି ପାଇଁ ଯାଉଥିବାର ଦେଖିବାକୁ ମିଳୁଛି, କିନ୍ତୁ ଉଚ୍ଚ ଶବ୍ଦଯୁକ୍ତ ଭଜନ ଓ ଜଣାଣରେ ଭକ୍ତି କମ, ମଉଜ ମଜଲିସ ବେଶୀ ଦେଖାଯାଉଛି । ନିରବରେ ଭକ୍ତି ନିବେଦନର ସମୟ ବୋଧେ ଆଉ ନାହିଁ ? ରାସ୍ତାରେ କାଉଡ଼ିଆମାନେ ଉପବାସ ପୂର୍ବରୁ ଖାଇବେ ଓ ବିଶ୍ରାମ ନେବେ ବୋଲି ସ୍ଥାନେସ୍ଥାନେ ବିଶ୍ରାମସ୍ଥଳୀର ନିର୍ମାଣ ହେଉଛି, ସେଠି ସେମାନେ ଗରମ ଗରମ ଖାଇବା ଖାଇ ବିଶ୍ରାମ ନେଇ ଖଟି କରିବା ବି ଦେଖାଯାଉଛି । ଏଥିରେ ବୈରାଗୀ ମହାଦେବଙ୍କ କିଭଳି ପୂଜା ପ୍ରସ୍ତୁତି ହଉଛି, ତାହା ସେମାନେ ହିଁ ଜାଣିବେ । ଶିବ ବାବା ଗଞ୍ଜେଇ ଖାଆନ୍ତି ବୋଲି କିଛି ଭକ୍ତ ଗଞ୍ଜେଇ, ମଦ ଆଦି ନିଶା ବ୍ୟବହାର ବି ଅନାୟାସରେ କରୁଛନ୍ତି, ଧନ୍ୟ ସେମାନଙ୍କ ଭକ୍ତି ଏବଂ ଧନ୍ୟ ଶ୍ରାବଣ ପାଳନ । ଉପବାସ ନହେଲା ଉତ୍ସବଟିଏ ଜାଣ !

ମନ୍ଦିରରେ ଦିଅଁ ଦର୍ଶନ କଥା ଆଲୋଚନା କରାଯାଉ । ଭକ୍ତଗଣ ଭଗବାନଙ୍କ ନିକଟରେ ଅର୍ପଣ କରିବା ପାଇଁ ଭୋଗ, ଦୀପ, କ୍ଷୀର ଆଦି ମନ୍ଦିର ପ୍ରାଙ୍ଗଣରେ ଥିବା ଦୋକାନରୁ କିଣିନେବା ଉଚିତ ମନେକରନ୍ତି । ସବୁ ତ ମିଳିଯାଉଛି କିଣା ଆଜିକାଲି, କଣ ଦରକାର ଘରୁ ସବୁ ସଜାଡ଼ି ନେବା ? ତେଣେ ଦୋକାନୀ ଦୀପ, ଭୋଗର ଦୁଇଗୁଣା ଦାମ ପଛକେ ନେଉ, ଚିନ୍ତା ନାହିଁ । ଏବେ ଆସିବା ଶିବଲିଙ୍ଗ ଉପରେ ଢଳା ହେଉଥିବା କ୍ଷୀର କଥାକୁ, ଦୋକାନୀ ମହାଶୟ ଗୋଟିଏ ଲିଟର କ୍ଷୀରକୁ ଚାରି ଲିଟର (ପାଣି ମିଶେଇ) କରି ନିଃସଙ୍କୋଚରେ ବିକ୍ରି କରନ୍ତି ଆଉ ଆମେ ବି କିଣିନେଉ । ହଁ ଠାକୁରଙ୍କ ଉପରେ ଢଳା ହଉଛି ତ, କ୍ଷୀର ପାଣିଆ ହେଲେ କଣ ହେଲା ! ପବିତ୍ର ଶ୍ରାବଣ ମାସରେ ଏତେ ବଡ଼ ଅଧର୍ମ ହେବା କଥା, ଆମେ ଦେଖି ବି ନଦେଖିଲା ଭଳିଆ ରହୁ । ଦୋକାନୀ ତ ବେପାର କରିବ, ତା ପାଇଁ ଏ କାମ ବର୍ଷଯାକର, ତେଣୁ ତାକୁ ବେଶୀ କିଛି ଫରକ ପଡ଼େନାହିଁ ।

ୟା’ପରେ ଆମେ ଯିବା ଟିକେ ପରିବା ହାଟକୁ । ବାବାରେ, ପରିବା ଦର ଯେ ଆକାଶଛୁଆଁ । କୌଣସି ପରିବା କିଲୋ ପିଛା ଷାଠିଏ ବା ସତୁରିରୁ କମ ନୁହେଁ । ଟମାଟୋ, ବିନ୍ସର ଦାମ ତ ନ କହିବା ଭଲ । ସାଧାରଣ କଞ୍ଚାଲଙ୍କା କିଲୋ ୩oo, ସେ ପୁଣି ପାଣି ଦେଇ ରଖିଦେବାରୁ ଶୀଘ୍ର ସଢ଼ି ଯାଉଛି । ଶାଗ ବିଡ଼ା ୧oରୁ ୧୫ ଟଙ୍କା । ନିରାମିଷ ରୋଷେଇ ପାଇଁ ପରିବା ଟିକେ ଦରକାର, ହେଲେ ଆକାଶ ଛୁଆଁ ଦର ଯୋଗୁଁ ବାଧ୍ୟ ହୋଇ ଲୋକେ ଆଳୁ ଉପରେ ଅଧିକ ନିର୍ଭରଶୀଳ । ଆମିଷ ବାରଗୁଡିକରେ ଅଲୋଡ଼ା ପରିବାଗୁଡ଼ିକ ଯେମିତି ପ୍ରତିଶୋଧ ନେବା ପାଇଁ ଅପେକ୍ଷା କରି ବସିଛନ୍ତି । ମନରେ ସନ୍ଦେହ ଆସେ, ସତରେ କଣ ଏସବୁ ପରିବା ଉତ୍ପାଦନରେ ଏତେ ଖର୍ଚ୍ଚ ହୁଏ ନା ବେପାର ପାଇଁ ଇଏ ପ୍ରକୃତ ସମୟ ଜାଣି ବେପାରୀ ନିଜ ଲାଭ ବାହାର କରିଦିଅନ୍ତି । ଏଭଳି ମାସରେ ଏଇଟା କଣ ଗୋଟିଏ କମ ଅଧର୍ମ କଥା !

ଏବେ ଆସିବା ଜଗତର ନାଥ ଜଗନ୍ନାଥଙ୍କ ବଡ଼ଦାଣ୍ଡକୁ, ପାଠକେ ଭାବୁଥିବେ ଏଠାରେ ତ ଅଧର୍ମ ଶବ୍ଦର ପ୍ରଶ୍ନ ହି ଉଠୁନାହିଁ ! ହଜାର ହଜାର ଭକ୍ତ ଶ୍ରୀକ୍ଷେତ୍ର ଦର୍ଶନ ସହ ମହାପ୍ରସାଦ ପାଇବା ଆଶାରେ ଯାଉଛନ୍ତି । ମାତ୍ର ମହାପ୍ରସାଦର ଦର ଏତେ ଯେ ଭକ୍ତମାନେ ନିରାଶ ହୋଇ ଫେରୁଛନ୍ତି । ପ୍ରତି ବ୍ୟଞ୍ଜନର ଦର ୨oo ରୁ ୪oo ଟଙ୍କା ବୃଦ୍ଧି ପାଇଛି ଯାହା ଗରିବ, ମଜୁରିଆ ପକ୍ଷେ କିଣିବା ଅସମ୍ଭବ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ନିରୁତ୍ସାହିତ କରିଛି । ଏହା ସହିତ ଯୋଡ଼ି ହୋଉଛି ଶ୍ରୀମନ୍ଦିର ଆନନ୍ଦବଜାର, ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାରରେ ଥିବା ଦଣ୍ଡିଆମାନଙ୍କର ଶୋଷଣ । ଏମାନେ ମହାପ୍ରସାଦକୁ ୫o ଟଙ୍କାରେ କିଣି ୧୫o ରୁ ୨oo ଟଙ୍କାରେ ଭକ୍ତଙ୍କୁ ବିକ୍ରି କରୁଛନ୍ତି । ୨o୧୮ରୁ ମହାପ୍ରଭୁଙ୍କ ମହାପ୍ରସାଦ ଦର ନିର୍ଦ୍ଧାରଣ ସହିତ ଆନନ୍ଦବଜାର ଓ ଅନ୍ୟ ସ୍ଥାନରେ ଦର ତାଲିକା ବିଷୟରେ ସୂଚନା ଦେବାର ନିୟମ କରାଯାଇଥିଲା, ହେଲେ ଦୁଃଖର ବିଷୟ ୫ ବର୍ଷ ଭିତରେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ କେବଳ ସ୍ୱୀକୃତିପ୍ରାପ୍ତ ମାହାସୁଆରମାନେ ମହାପ୍ରସାଦ ବିକ୍ରି କରିବାର ନିର୍ଦ୍ଦେଶ ଥିବା ସତ୍ତ୍ୱେ ଏଥିରେ ବ୍ୟତିକ୍ରମ ଦେଖାଯାଉଛି । ସେମାନଙ୍କୁ ଛାଡ଼ି ଅନ୍ୟମାନେ ଏଥିରେ ହସ୍ତକ୍ଷେପ କରୁଛନ୍ତି । ପରିଣାମ, ପତ୍ର ପକାଇ ଖାଇବାକୁ ଯାହା ପୂର୍ବେ ୫o ଟଙ୍କାରେ ମିଳୁଥିଲା, ତାହା ଏବେ ୨oo ଟଙ୍କାରେ ମିଳୁଛି । ଏପରିକି ସକାଳ ଭୋଗରେ ଲାଗୁଥିବା କୋଠଭୋଗ ବିକ୍ରିର ନିୟମ ନଥିବାବେଳେ, ଏହାକୁ ଉଲଂଘନ କରାଯାଉଥିବାର ଦେଖାଯାଉଛି । କୋଠଭୋଗରୁ ଅନେକାଂଶ ଗଚ୍ଛିତ ରଖାଯାଇ ପରେ ଆନନ୍ଦବଜାରରେ ୨ରୁ ୩ ଗୁଣା ଦରରେ ବିକ୍ରିହେବା କଥା ଜଣେ ସୁଆର ସେବକ ସ୍ୱୀକାର କରିଛନ୍ତି । ଏହି ଘଟଣାଟି ଉଭୟ ଭକ୍ତ ଓ ପରିଚାଳନା କମିଟି ପାଇଁ ଚିନ୍ତାର କାରଣ ହୋଉଛି । ଶ୍ରୀକ୍ଷେତ୍ରରେ ପ୍ରଭୁଙ୍କ ନିଜ ଭକ୍ତଗଣ ଧର୍ମମାସରେ ଅଧର୍ମ କାର୍ଯ୍ୟରେ ଲିପ୍ତ ହେବା ପ୍ରସଙ୍ଗ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତଗଣଙ୍କ ମନରେ କି ପ୍ରତିକ୍ରିୟା ଜାତ କରୁଥିବ, ତାହା ବିଚାରଯୋଗ୍ୟ ।

ଉପରୋକ୍ତ ବିଷୟରେ ଅବତାରଣା ଜରୁରୀ ମନେହୁଏ କାରଣ, ଆମେ ଶ୍ରାବଣ ମାସରେ ଧର୍ମ ପାଳନ କରୁଛେ ବୋଲି ନିଜ ମନକୁ ସିନା ବୁଝେଇ ଦେଉ, ହେଲେ ଗଭୀର ଭାବରେ ଅନୁଶୀଳନ କଲେ ଜଣାପଡ଼େ ୟା’ପଛର ପ୍ରକୃତ ବାସ୍ତବତା । ଭଗବାନଙ୍କୁ ଭୋଗ, ପୂଜାସାମଗ୍ରୀ ଅର୍ପଣ କରିବା ସମ୍ପୂର୍ଣ୍ଣ ରୂପେ ଭକ୍ତଙ୍କ ଉପରେ ନିର୍ଭରଶୀଳ, କାରଣ ଈଶ୍ୱର ସ୍ୱଦେହରେ ଆସି ମୋତେ ଏସବୁ ଦରକାର ବୋଲି କେବେ କହିନାହାନ୍ତି । ତେଣୁ ଅସତ ଉପାୟରେ ବା ଭେଜାଲ ସାମଗ୍ରୀ ଅର୍ପଣ ଦ୍ୱାରା ଧର୍ମ ତ ଅର୍ଜନ କରିହେଉ ନାହିଁ । ମାସ ଯାକ ନିରାମିଷ ଭକ୍ଷଣ ପରେ, ତା ପରଦିନଗୁଡ଼ିକରେ ଆମିଷ ପାଇଁ ଲୋକଙ୍କ ଗହଳି ଓ ପ୍ରତିଯୋଗିତା ଦେଖାଇ ଦିଏ ଯେ ଏହି ମାସଟି ଶେଷ ହେବା ପାଇଁ ଧାର୍ମିକ ଗୋଷ୍ଠୀଙ୍କ ଭିତରେ କେତେ ଆତୁରତା ଥାଏ । ଶେଷରେ ଓଡ଼ିଶାର ପୁଣ୍ୟଭୂମି ଶ୍ରୀକ୍ଷେତ୍ରରେ ମହାପ୍ରସାଦ ସେବାରେ ଦୁର୍ନୀତିର ପ୍ରବେଶ ଭକ୍ତଙ୍କ ମନରେ ଧର୍ମ ପ୍ରତି ସନ୍ଦେହ ସୃଷ୍ଟି କରେ । ଗୋଟିଏ ପରେ ଗୋଟିଏ, ଏତେ ଅଧର୍ମ କଲା ପରେ ବି ମଣିଷ ଖୁସି ଯେ ସେ ମାସ ଯାକ ଧର୍ମ ପାଳନ କରୁଛି । ଏବେ ବିଚାରଯୋଗ୍ୟ ଯେ ଧର୍ମ ନାମରେ ଶ୍ରାବଣ ମାସରେ ସତରେ କଣ ଧର୍ମର ପାଳନ କରାଯାଉଛି ?

ଭୁବନେଶ୍ୱର, ଫୋନ – ୬୩୭୦୫୧୬୪୭୮

ଲେଖକ ପରିଚୟ

ନିଜ ଲେଖନୀ ମାଧ୍ୟମରେ ସମାଜକୁ କିଛି ବାର୍ତ୍ତା ଦେବା ସହିତ ସମାଜର ଉନ୍ନତି ଦିଗରେ କିଛି ନୂତନତା ଆଣିବା ଏହି ଲେଖିକାର ଇଛା ଓ ସ୍ୱପ୍ନ । ମୋ ଲିଖିତ ଲେଖା ସବୁ ବାସ୍ତବଧର୍ମୀ ଏବଂ ସମାଜରେ ପ୍ରତିଦିନ ଘଟିଯାଉଥିବା ଘଟଣା, ଦୁର୍ଘଟଣାର ପ୍ରତିଫଳନ କହିଲେ ଠିକ ହେବ । ମୋ ସୃଜନ ଦ୍ୱାରା ପ୍ରଭାବିତ ହୋଇ କେହି ଜଣେ ବ୍ୟକ୍ତି କି ସମାଜରେ ପରିବର୍ତ୍ତନ ସମ୍ଭବ ହେଲା, ତେବେ ମୋ ଲେଖକ ଜୀବନ ସାର୍ଥକ ହୋଇପାରିଛି ବୋଲି କହିବି । ଗଳ୍ପ, ପ୍ରବନ୍ଧ, ଶିଶୁସାହିତ୍ୟ, ଅନୁବାଦରେ ଆଗ୍ରହ ରଖେ ।

Related Posts

Leave a Reply

Your email address will not be published. Required fields are marked *