ଆରପାରିରେ ବିଶ୍ଵ କବି ଜୟନ୍ତ ମହାପାତ୍ର

ଭୁବନେଶ୍ୱର : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଦ୍ଵିଭାଷିକ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଆଉ ନାହାନ୍ତି । ରବିବାର ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । କିଛିଦିନ ତଳେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବରୁ ତାଙ୍କୁ ବଡ଼ ମେଡ଼ିକାଲ ଭେଷଜ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଥିଲେ । ହେଲେ ଗତକାଲି ଅଗଷ୍ଟ ୨୭ ତାରିଖ ସନ୍ଧ୍ୟାବେଳେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା । ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ତାଙ୍କ ସ୍ଵାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା ଏବଂ ରାତି ପ୍ରାୟ ୯ ଟାରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ମେଡ଼ିକାଲରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

କବି ମହାପାତ୍ର ୧୯୨୮ ମସିହା ଅକ୍ଟୋବର ୧୧ରେ ପିତା ସାମୁଏଲ ମହାପାତ୍ର ଓ ମାତା ସୁଧାଂଶୁବାଳା ଦାସଙ୍କ ଔରସରୁ ତିନିକୋଣିଆ ବଗିଚାରେ ଜନ୍ମଗ୍ରହଣ କରିଥିଲେ । ଷ୍ଟିୱାର୍ଟ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ରେଭେନ୍ସା କଲେଜରେ ସ୍ନାତକ ଓ ପାଟଣା ବିଶ୍ଵବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ରେଭେନ୍ସା ସମେତ ଗଙ୍ଗାଧର ମେହେର ଓ ବିଜେପି କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟନିର୍ବାହ କରିଥିଲେ । ୧୯୮୬ ରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅଧ୍ୟାପନା ସହିତ ଇଂରାଜୀ ସାହିତ୍ୟରେ ତାଙ୍କର ବିଶେଷ ରୁଚି ରହିଥିଲା ।

ଏକାଧାରରେ ଅନୁବାଦକ, ପତ୍ରିକା ସମ୍ପାଦକ, ସମାଲୋଚକ ଭାବେ ଜୟନ୍ତଙ୍କ ସୁଖ୍ୟାତି ଥିଲା । ଓଡ଼ିଶାରେ ଜନ୍ମିତ କବିଙ୍କ ମଧ୍ୟରେ ସେ ହିଁ ଏକମାତ୍ର କବି ଥିଲେ ଯିଏ ଇଂରାଜୀରେ କବିତା ରଚନା କରି ବିଶ୍ଵସ୍ତରରେ ଅଧିକ ସ୍ଵୀକୃତି ଲାଭ କରିଥିଲେ । ଇଂରାଜୀ କବିତା ପୁସ୍ତକ ଭାବେ ‘ରିଲେସନସିପ୍’ ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ପୁରସ୍କୃତ ହୋଇଥିଲା । ତାଙ୍କ ଇଂରାଜୀ କବିତା ପୁସ୍ତକ ‘କ୍ଲୋଜ୍ ଦ ସ୍କାଏ’, ‘ଟେନ୍ ବାଏ ଟେନ୍’, ‘ଏ ରେନ୍ ଅଫ୍ ରାଇଟସ୍’, ‘ୱେଟିଂ’, ‘ଦ ଫଲ୍ସ ଷ୍ଟାର୍ଟ’ ଇତ୍ୟାଦି ଭିତରେ ‘ଇଣ୍ଡିଆନ ସମର୍’ ଓ ‘ହଙ୍ଗର୍’ ପାଇଁ ସେ ସମଗ୍ର ଦେଶରେ ଚର୍ଚ୍ଚିତ କବି ଭାବେ ପରିଚୟ ହାସଲ କରିଥିଲେ । ସାମଗ୍ରିକ ସାହିତ୍ୟ ସାଧନା ପାଇଁ ତାଙ୍କୁ ୨୦୦୯ରେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ ହୋଇଥିଲେ । ହେଲେ ୨୦୧୫ ରେ ଦେଶରେ ବଢୁଥିବା ଅସହିଷ୍ଣୁତାକୁ ଦେଖି ସେ ତାହାକୁ ଫେରାଇ ଦେଇଥିଲେ । ସାହିତ୍ୟ ସାଧନା ପାଇଁ ସେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ବିଶ୍ଵ କବି ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ତାଙ୍କ ଟୁଇଟରେ ସେ କହିଛନ୍ତି, ଭାରତରେ ଇଂରାଜୀ କବିଙ୍କ ମଧ୍ୟରେ ତାଙ୍କ ରଚନାକୁ ସର୍ବାଧିକ ପଢାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ତାଙ୍କ ଦେହାନ୍ତ ବିଷୟରେ ଜାଣି ସେ ଦୁଃଖିତ । ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ । ତାଙ୍କ ଜ୍ଞାନ ଓ ବିଚାର ଶକ୍ତି ଯୁବପିଢିଙ୍କୁ ସର୍ବଦା ରାସ୍ତା ଦେଖାଇବ । ତାଙ୍କ କବିତାରେ ଥିବା ସୁମଧୁର ଶବ୍ଦ ସଂଯୋଜନା, ମାନବୀୟ ଅଭିବ୍ଯକ୍ତିର ପରିପ୍ରକାଶ କରିଥାଏ । ମଣିଷର ଦୈନନ୍ଦିନ ଜୀବନ ବିଶେଷ କରି କଟକକୁ ନେଇ ତାଙ୍କ ବର୍ଣ୍ଣନା ଓଡ଼ିଆ ଜନଜୀବନକୁ ପ୍ରଭାବିତ କରୁଥିଲା । ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ଆଜି ସୋମବାର ଦିନ ରାଷ୍ଟ୍ରୀୟ ସମ୍ମାନ ସହ କବିଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିବା ସହ ଟୁଇଟ କରି କହିଛନ୍ତି ଯେ ଖ୍ଯାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ରଙ୍କର ସାହିତ୍ୟରେ ଓଡ଼ିଶା ମାଟିର କଥା ପ୍ରସ୍ଫୁଟିତ ହୁଏ । କବିତା ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନଯାତ୍ରାର କଥା କହିବା ତାଙ୍କର ଅନନ୍ୟ କୃତି । ତାଙ୍କ ବିୟୋଗରେ ସାହିତ୍ୟ ଜଗତ ଜଣେ ଉଜ୍ଜ୍ଵଳ ପ୍ରତିଭାଙ୍କୁ ହରାଇଲା । କବି ମହାପାତ୍ରଙ୍କ ବିୟୋଗରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମହାପାତ୍ର ଜଣେ ଉଚ୍ଚକୋଟୀର କବି ଥିଲେ ଓ ତାଙ୍କ ବିୟୋଗରେ ସାହିତ୍ୟ ଜଗତର ଅପୂରଣୀୟ କ୍ଷତି ହେଲା ବୋଲି ପାତ୍ର ତାଙ୍କ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ସେହିଭଳି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ହୃଷୀକେଶ ମଲ୍ଲିକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *