ଚାଲ ଆମେ ମିଶି ପଳେଇଯିବା ଜହ୍ନକୁ

ତାରାପ୍ରସାଦ ଜେନା

ରକେଟରେ ବସି ଚାଲ ଆମେ ମିଶି
ପଳେଇଯିବା ଜହ୍ନକୁ
ସେଇଠାରେ କେତେ ମଜା କରି ସତେ
ବଢ଼େଇଦେବା ପ୍ରେମକୁ
…….ରକେଟରେ ବସି ଚାଲ ଆମେ ମିଶି….. ! ୦ !

ଥଣ୍ଡାଥଣ୍ଡା ମନ କାଟି ସବୁଦିନ
ହସିବା ପ୍ରାଣ ଖୋଲି
କିଛି ବାଜେ ପାପ ଦେବନାହିଁ ଧାପ
ଚଳିବା ପୁଣ୍ୟ ଖାଲି,
ସତ ସାଥେ ପଡ଼ି ଯୋଡ଼ି ଗପ ପେଡ଼ି
ଉଚ୍ଚକୁ ନେବା ନାମକୁ
…….ରକେଟରେ ବସି ଚାଲ ଆମେ ମିଶି….. ! ୧ !

ଜୋଛନାରେ ଭିଜି ନାଚୁଥିବା ମଜି
ଭାବିବା ଜହ୍ନ ମିତ
ଦୁନିଆର ଭୟ ରଖିବାନି ଲୟ
ଗାଇବା ସୁଖ ଗୀତ,
ଆଶା ଅଭିସାର ନୁହେଁ ଜମା ଦୂର
ମାନିବା ଭଲ କାମକୁ
…….ରକେଟରେ ବସି ଚାଲ ଆମେ ମିଶି….. ! ୨ !

ସପନର ଆଖି ହୋଇଯିବା ସାକ୍ଷୀ
ଅଳସ ଘାରି ନିଦ
ପୃଥିବୀର ମାୟା ମାଡ଼ିବନି ଛାୟା
ଘୃଣା କି ଆଉ ବାଦ,
ଆପଣାର ହେଜି ସଲ୍ଲଜରେ ରାଜି
ଓଠରେ ଓଠ ଚୁମାକୁ
…….ରକେଟରେ ବସି ଚାଲ ଆମେ ମିଶି….. ! ୩ !

ସା.-ରଣପୁର (ଗୋଡ଼ିପାଟଣା ସାହି), ଡାକ- ରାଜ ରଣପୁର, ୭୫୨୦୨୬, ଦୂରଭାଷ-୯୩୪୮୦୫୪୩୦୦

ଲେଖକ ପରିଚୟ

ଗୀତି କବିତାରେ ଆଧୁନିକ ବିଷୟ ବସ୍ତୁକୁ ସହଜ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରିବାରେ ଗଭୀର ବିଶ୍ଵାସୀ । ଲୋକଗୀତ ଢାଞ୍ଚାରେ ଗୀତ ଲେଖି ପୁନଶ୍ଚ ଲୋକଗୀତର ପ୍ରକାଶ ଧାରାକୁ ଉଜ୍ଜୀବିତ କରିବାରେ ସତତ ଚେଷ୍ଟିତ । ଶିଶୁ ସାହିତ୍ୟରେ ମଧ୍ୟ ଜଣେ ସଫଳ ଲେଖକ । ଓଡ଼ିଆ ବର୍ଣ୍ଣବୋଧକୁ ଯଥୋଚିତ ସମ୍ମାନ ଦେବାରେ ଅଙ୍ଗୀକାର ବଦ୍ଧ !

Related Posts

Leave a Reply

Your email address will not be published. Required fields are marked *