ଚନ୍ଦ୍ରାୟଣ-୩ ସଫଳ କାହାଣୀ

ବିଶ୍ୱେଶ୍ୱର ମାଝୀ

ରାତିରେ ଆଲୋକ ଦେଖାଏ ଶଶାଙ୍କ
ଶୀତଳତା ଭରିଦିଏ
ଗୁରୁଦ୍ରୋହୀ ଶାପ ପକ୍ଷେ ଆଲୋକିତ
ପକ୍ଷେ ଅନ୍ଧକାର ସହେ ।

ଶିବଙ୍କ ଜଟାରେ ଶୀତଳତା ଭରି
ରାହୁକେତୁ କୋପ ସହ
ଗ୍ରହ ମଧ୍ୟେ ଗଣା ପ୍ରଭାବିତ କରେ
ଜୀବନକୁ ଚନ୍ଦ୍ର ଗ୍ରହ ।

ତେଇଶ ସାଲର ଅଗଷ୍ଟ ସାତରେ
ସନ୍ଧ୍ୟାର ଛଅଟା ଚାରି
ପୂର୍ବ ନିର୍ଦ୍ଧାରିତ ବିରଳ ମୁହୁର୍ତ୍ତ
ସର୍ବ ସଫଳତା ଭରି ।

ବିକ୍ରମ ଲାଣ୍ଡର ଚନ୍ଦ୍ରାୟଣ ତିନି
ପାଦ ଥାପିଲା ତହିଁରେ
ଫଟୋ ପଠାଇବ ଜହ୍ନ ବିଷୟରେ
କି ଦ୍ରବ୍ୟ ଅଛି ତହିଁରେ ।

ଅଭିନନ୍ଦନୀୟ ଇସ୍ରୋ ବୈଜ୍ଞାନିକ
ପୂର୍ବ ବିଫଳତା ଭୁଲି
ସଫଳତା ଆଣି ଦେଶକୁ ଗର୍ବିତ
ଦକ୍ଷିଣ ମେରୁରେ ଚାଲି ।

ବୈଜ୍ଞାନିକ ଯୁଗ ସଫଳତା ପରେ
ସଫଳତା ଅନ୍ତହୀନ
ଅନନ୍ତ ପ୍ରକୃତି ଆହ୍ଵାନ କରୁଛି
ରାବଣର ଅଭିମାନ ।

ବୈଦିକ ବିଜ୍ଞାନ ଜ୍ୟୋତିଷ ଗଣନା
ଗୁରୁତ୍ୱପୂର୍ଣ୍ଣ ଗ୍ରହର
ସତେଇଶ ପତ୍ନୀ ନକ୍ଷତ୍ର ରୂପରେ
ସେବା କରନ୍ତି ଯାହାର ।

ଦିନ ରାଶିଫଳ ଚନ୍ଦ୍ରର ଗଣନା
ଉପରେ ନିର୍ଭରଶୀଳ
ମନର କାରକ ଚନ୍ଦ୍ର ଗ୍ରହ ଯେଣୁ
ପ୍ରଭାବ ଅନେକ ତା’ର ।

ଘାତ ଚନ୍ଦ୍ର ବୋଲି ଶାସ୍ତ୍ରରେ ସତର୍କ
ବାଣୀ ସୂଚୀତ କରାଏ
ଜହ୍ନ ମାମୁଁ ବୋଲି କୁନାକୁ ବୁଝାଇ
ବୋଉ ଖୁଆଏ ଶୁଆଏ ।

ଚନ୍ଦ୍ର ରାଇଜରେ ମାଧ୍ୟାକର୍ଷଣର
ପ୍ରଭାବ ଅଳପ ଗ୍ରାହ୍ୟ
ଗ୍ରୀଷ୍ମରେ ଉତ୍ତାପ ଶୀତଦିନେ ଥଣ୍ଡା
ମଣିଷ ପାଇଁ ଅସହ୍ୟ ।

ଘର କରିବାକୁ ଆଗ୍ରହୀ ମଣିଷ
ଜଳ ଅମ୍ଳଜାନ ହୀନ
ପ୍ରକୃତି କୋଳରେ ଅଯଥା ପରୀକ୍ଷା
ଦଶମଥା ପଡ଼େ ମନ ।

ପୃଥ୍ୱୀଲୋକ ସୃଷ୍ଟି ମଣିଷ ପାଇଁ କି
ଆକାଶ ପାତାଳ ଦୁଇ
ସୁର ଅସୁରଙ୍କ ପାଇଁ ସୁନିଶ୍ଚିତ
କରିଛନ୍ତି ଜଗ ସାଇଁ ।

ଖଣିର ଖନନ ଆକାଶେ ଗମନ
ପ୍ରକୃତି ବିରୋଧୀ କଥା
ଆପଣା ଲୋକରେ ସନ୍ତୁଷ୍ଟ ନହୋଇ
ଅନ୍ୟଲୋକେ ଘୁରେ ମଥା ।

ସାବଧାନ ହେଉ ବିଜ୍ଞାନୀ ମଣିଷ
ସରଗେ ବାନ୍ଧିବ ସିଡ଼ି
ରାବଣର ଇଛା ପୂରଣ କି ହେଲା
ଲଙ୍କା ସିନା ହତଶିରୀ !

ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୧୭୮୪୬୬୧୬୧

ଲେଖକ ପରିଚୟ

ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି ।  ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।

Related Posts

Leave a Reply

Your email address will not be published. Required fields are marked *