ମାଆ, ମାଟି ଓ ମମତାର ଭାଷା : ମାତୃଭାଷା

ସତ୍ୟନାରାୟଣ ଗନ୍ତାୟତ

ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ । ଶିଶୁଟିଏକୁ ଜନ୍ମ ଦିଏ ମାଆ । ତା ପହିଲି କୁଆଁ ଶୁଣୁଶୁଣୁ ହିଁ ଭୁଲିଯାଏ ଟିକକ ଆଗରୁ ସେ ଭୋଗିଥିବା ତା ଦେହର ଦୁଇ ଶହ ଛ’ଖଣ୍ଡି ହାଡ଼ଙ୍କୁ ଏକାନଟେ ଭାଙ୍ଗି ପକାଇବା ଭଳି ଦୁସହ ପ୍ରସବ ବେଦନା । ଅପତ୍ୟ ସ୍ନେହର ସଲିଳ ବୁହାଇ ଲାଳନପାଳନରେ ଲାଗିଯାଏ । ଶିଶୁର ହସକାନ୍ଦ ଅଙ୍ଗଭଙ୍ଗୀ ଯେମିତି ମାଆ ଭାବେ ସେ ବୁଝିପାରେ ସେମିତି ଶିଶୁଟି ବି କଥା କହିବା ଆଗରୁ ବି ଠିକ୍ ଠିକ୍ ଚିହ୍ନିପାରେ, ବୁଝିପାରେ ମାଆକୁ । ଏହା ଭିତର ଦେଇ ମାଆକୁ ହିଁ ଅନୁକରଣ କରି କରି ଶିଶୁ କଥା କହିବା ଆରମ୍ଭ କରେ । ଶିଶୁର ସେଇ ଦରୋଟି କଥା ହିଁ ମାତୃଭାଷା !

ସେମିତି ମାଆ ପରି ହିଁ ଆମ ମାଟି ମାଆ । ମାଟି ମାଆ କୋଳରେ ରହୁଥିବା ତା ସନ୍ତାନମାନଙ୍କ କଥିତ ଭାଷା ମାତୃଭାଷା । ଏକ ଏକ ଭୂଖଣ୍ଡରେ ବହୁଜନଙ୍କ ମୁଖ ନିଃସୃତ ମନ, ପ୍ରାଣ, ହୃଦୟର ଭାଷା ମାତୃଭାଷା । ଆମ ଓଡ଼ିଶା ଏଭଳି ଭାଷା ଭିତ୍ତିରେ ଗଠିତ ଓଡ଼ିଆ ଭାଷାଭାଷୀଙ୍କ ଅଧ୍ୟୁଷିତ ଏକ ଅନନ୍ୟ ପ୍ରଦେଶ, ଯା ଭିତରେ ସମାହିତ ଅଞ୍ଚଳ ଭିତ୍ତିକ ବହୁ ଭାଷା । ତନ୍ମଧ୍ୟରୁ ସାନ୍ତାଳୀ ,ସୌରା ଭଳି ଭାଷା ତ ନିଜସ୍ୱ ଲିପି ନେଇ ସମୃଦ୍ଧ । ଭାବ ବିନିମୟ ମାଧ୍ୟମରେ ସଂହତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହୁଏ ଯେବେ ମାତୃଭାଷାମାନଙ୍କୁ ଜନସମୂହ ଓ ରାଷ୍ଟ୍ର ଗ୍ରହଣ କରିଥାନ୍ତି । ଏହା ଯଦିଓ ଏକ ପ୍ରାଥମିକତା ମାତୃଭାଷାର ସମ୍ମାନ ଓ ସମୃଦ୍ଧି ପାଇଁ, ତଥାପି ବିବିଧତା ଭରା ଏହାର ବ୍ୟାପକ ଓ ବହୁଳ ବ୍ୟବହାର ହିଁ ପ୍ରକୃତ ପକ୍ଷେ ମାତୃଭାଷା ଲୋଡ଼ିଥାଏ ସୁରକ୍ଷା ସହ ସ୍ୱକୀୟ ସମୃଦ୍ଧି ପାଇଁ ।

ଏହି ପରିପ୍ରେକ୍ଷୀରେ ପାଳିତ ହୋଇ ଆସୁଥିବା ଆଜିର ଏହି ଆନ୍ତର୍ଜାତିକ ମାତୃଭାଷା ଦିବସ ଏବେ ପଦାର୍ପଣ କରିବ ତା ରୌପ୍ୟ ଜୟନ୍ତୀ ବର୍ଷରେ, ଯା’ର ହର୍ଷ ପଶ୍ଚାତରେ କିନ୍ତୁ ରହିଛି ବିଷାଦର ଇତିହାସ । କାରଣ ପାକିସ୍ତାନରେ ପୂର୍ବ ପାକିସ୍ତାନ ନିବାସୀମାନେ ଊର୍ଦ୍ଦୁ ସହ ସେମାନଙ୍କ ସାର୍ବଜନୀନ ମାତୃଭାଷା ବଙ୍ଗଳାକୁ ବି ରାଷ୍ଟ୍ରୀୟ ସ୍ତରରେ ଗ୍ରହଣ ପାଇଁ ୧୯୫୨ମସିହାର ଆଜିର ଦିନରେ ସଂଗ୍ରାମ କରିଥିଲେ ଏବଂ ସେହି ଜନ ଆନ୍ଦୋଳନକୁ ଅବଦମିତ କରିବାକୁ ଶାସକଙ୍କ ପକ୍ଷରୁ ହୋଇଥିବା ଗୁଳି ଚାଳନାରେ ଭାଷା ପାଇଁ ଆବଦସ୍ ସଲାମ, ଅବଦୁଲ ବରକତ୍, ରଫିକ୍ ଉଦ୍ଦିନ୍ ଅହମ୍ମଦ, ଅବଦୁଲ ଜବାର୍ ଓ ସଫିଉର୍ ରହମାନଙ୍କ ଭଳି ଭାଷା ବୀର ଶହୀଦ ହୋଇଥିବା ବେଳେ ଶହଶହ ସଂଖ୍ୟାରେ ଭାଷା ପ୍ରେମୀ ଆହତ ହୋଇଥିଲେ । ବିଶ୍ୱ ଇତିହାସରେ ଭାଷା ପାଇଁ ବଳିଦାନର ଏହା ଏକ ଅପୂର୍ବ ଦୃଷ୍ଟାନ୍ତ । ସୁତରାଂ ଏହି ମହାନ ଦିବସଟି ଆନ୍ତର୍ଜାତିକ ସ୍ତରରେ ମାତୃଭାଷାଙ୍କ ସୁରକ୍ଷା ଓ ସମୃଦ୍ଧି କଳ୍ପେ ଉତ୍ସର୍ଗୀକୃତ ହୋଇ ବିଶ୍ୱ ସ୍ତରରେ ପାଳନ ହୋଇ ଆସୁଛି । ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ଆଜିର ଦିନରେ ବଙ୍ଗଳା ଦେଶବାସୀ ଢାକା ସ୍ଥିତ ଶହୀଦ ମିନାରକୁ ଯାଆନ୍ତି ଓ ସ୍ୱକୀୟ ଭାଷା ସଂଗ୍ରାମ ଓ ବଳିଦାନର ଐତିହ୍ୟକୁ ମର୍ମେମର୍ମେ ଅନୁଭବ କରତଃ ଭାଷା ଭାବନାକୁ ଆହୁରି ଜାଗ୍ରତ କରନ୍ତି । ଏଭଳି ଆତ୍ମିକ ସ୍ତରୀୟ ପାଳନରେ ହିଁ ଆଜିର ଦିବସର ଗୌରବ ସନ୍ନିହିତ ।

ସମକାଳର ସକଳ ଭାଷା ଚିନ୍ତନ ଶେଷରେ ଏହି ନିଷ୍କର୍ଷ ମିଳିଥାଏ ଯେ ବ୍ୟବହାର ବିନା ଯେକୌଣସି ଭାଷା ଗୌଣ ହୋଇ ନଗଣ୍ୟ ସ୍ଥିତିକୁ ଚାଲି ଆସିଯାଏ । ଏହା ମୂଳତଃ ମାତୃଭାଷା କ୍ଷେତ୍ରରେ ବେଶୀ ପ୍ରଯୁଜ୍ୟ । ବିଭିନ୍ନ ଭାଷା କୌଣସି ନା କୌଣସି କାରଣରୁ ଶିଖିବା ଓ ବ୍ୟବହାର କରିବା ସର୍ବାଦୌ ସ୍ପୃହଣୀୟ ହୋଇଥିଲେ ହେଁ ନିଜ ମାଆଠୁ ଶିଖିଥିବା ଭାଷା ଓ ନିଜ ମୂଳ ଭୂଖଣ୍ଡର ଲୋକମୁଖର ଭାଷାର ବ୍ୟବହାର କ୍ଷେତ୍ରରେ ଉଦାସୀନ ହେବା, ସଙ୍କୋଚ କରିବା, କୁଣ୍ଠାଭରେ ପରିପ୍ରକାଶ କରିବା ମାଧ୍ୟମରେ କେବେବି ଶୁଦ୍ଧପୂତ ମନୋଭାବ ପୋଷଣ ନକଲେ ମାତୃଭାଷା ଅଚିରେ ଅପାଙ୍କ୍ତେୟ ହୋଇ ବିସ୍ମୃତି ଗର୍ଭକୁ ଚାଲି ଯିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ସାର୍ବଜନୀନ ବ୍ୟବହାର ସାଙ୍ଗକୁ ମାତୃଭାଷାରେ ଶିଶୁଶ୍ରେଣୀରୁ ଅଧ୍ୟୟନାରମ୍ଭ ସହ ସକଳ ବିଦ୍ୟା ଏହି ମାଧ୍ୟମରେ ଅଧ୍ୟୟନ କରିପାରିବା ଭଳି ସମ୍ଭାବନା ସୃଷ୍ଟି ହେଲେ ପର୍ଯ୍ୟାୟ କ୍ରମେ ମାତୃଭାଷା ବି ଦାପ୍ତରିକ ଭାଷା ହେବା ସହ ଐଦ୍ୟୋଗିକ ଓ ବୃତ୍ତିଗତାଦି କ୍ଷେତ୍ର ସମେତ ଅନ୍ୟାନ୍ୟ ସକଳ କ୍ଷେତ୍ରରେ ଗ୍ରାହ୍ୟ ହୋଇ ସମୃଦ୍ଧ ହେବ ।

ମାତୃଭାଷା ଦିବସ ପାଳନ ମଧ୍ୟରେ ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଚିନ୍ତନ ମଧ୍ୟ ସନ୍ନିହିତ । ତା ହେଲା ମଣିଷ ହିଁ ଭାଷା ବ୍ୟବହାରକାରୀ । ଭାବ ବିନିମୟ ହିଁ ସବୁ ଭାଷାଙ୍କ ଧ୍ୟେୟ । ଏ କ୍ଷେତ୍ରରେ ସାମ୍ୟ ହିଁ କାମ୍ୟ । ଭାଷାଙ୍କ ଭିତରର ପ୍ରୀତି ଯେତେ ଅଭେଦ୍ୟ ହେବ, ମାନବିକତା ସେତେ ଉଦ୍ଭାସିତ ହେବ ।
ସୁତରାଂ ମମତା ଓ ସମତା ହିଁ ଧ୍ୟେୟ ହେଉ ମାଆ ମାଟି ଓ ମାତୃଭାଷାଙ୍କ ନିରାଜନା ପାଇଁ ।

“ସୁହାସିତମ୍”,କସ୍ତୁରୀ ନଗର, ରାୟଗଡା : ୭୬୫୦୦୧, ମୋବାଇଲ – ୯୪୩୭୯୦୯୬୭୫

ଲେଖକ ପରିଚୟ

‘ଥୁଣ୍ଟାଗଛ’ ଓ ‘ଛବିର ମଣିଷ’ ଶୀର୍ଷକ କବିତା ସଂକଳନର ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସ୍ତମ୍ଭକାର ଭାବେ ମଧ୍ୟ ବେଶ୍ ସୁପରିଚିତ । ବିବିଧତାରେ ସ୍ୱତଃ ଉଦ୍ଭାସିତ ସ୍ୱକୀୟ ନିଷ୍ଠାପର ସୃଜନ ମାଧ୍ୟମରେ ଆପଣାକୁ ଭାଷା ସାହିତ୍ୟ କ୍ଷେତ୍ରରେ ଜୀବନ ବ୍ୟାପୀ ସମର୍ପି ଆସିଥିବା ସ୍ରଷ୍ଟା ସମ୍ପ୍ରତି ଦିବଙ୍ଗତ ଅନୁଜ ସ୍ୱନାମଧନ୍ୟ ସ୍ରଷ୍ଟା ଗନ୍ତାୟତ ଶିବପ୍ରସାଦ ଓ ଦିବଙ୍ଗତା ଅଗ୍ରଜା ସୁଲେଖିକା ନିର୍ମଳାଙ୍କ ସର୍ଜନାର ସଂକଳନ ଓ ପ୍ରକାଶନରେ ନିମଗ୍ନ ।

Related Posts

Leave a Reply

Your email address will not be published. Required fields are marked *