ଅତନୁ ସବ୍ୟସାଚୀଙ୍କ ‘ସବ୍ୟସାଚୀର ଶବ୍ଦ’ ପୁସ୍ତକ ଉନ୍ମୋଚିତ

ଗଭୀର ଅନୁଭୂତି ଓ ଅଭିଜ୍ଞତା ନଥିଲେ କବିତା ଲେଖିହୁଏ ନାହିଁ : ସୀତାକାନ୍ତ ମହାପାତ୍ର

ଭୁବନେଶ୍ୱର : ବିଶ୍ଵ ମାତୃଭାଷା ଦିବସ ଅବସରରେ ଆଜି ରାଜ୍ୟ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କବିତା ସଂକଳନ ‘ସବ୍ୟସାଚୀର ଶବ୍ଦ’ ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ଭାରତୀୟ ବିଦ୍ୟାଭବନ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜ୍ଞାନପୀଠ ପୁରସ୍କାରରେ ଭୂଷିତ ବିଶିଷ୍ଟ ସାହିତ୍ୟିକ ପଦ୍ମ ବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର ପୁସ୍ତକ ଉନ୍ମୋଚନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଅତନୁଙ୍କ କବିତାରେ ତିନୋଟି ମୁଖ୍ୟ କଥା ରହିଛି- ତାଙ୍କ ବାପା, ବୋଉ ଏବଂ ଚିତ୍ରୋତ୍ପଳା ନଦୀ । ଏମାନଙ୍କ ଉପରେ ସେ କବିତା ଲେଖିଛନ୍ତି । ‘ସବ୍ୟସାଚୀର ଶବ୍ଦ’ ଅନୁଭୂତିର କବିତା ବୋଲି ଦର୍ଶାଇ ସେ କହିଥିଲେ ଯେ, ଗଭୀର ଅନୁଭୂତି ଓ ଅଭିଜ୍ଞତା ନଥିଲେ କବିତା ଲେଖିହୁଏ ନାହିଁ ।

ସମ୍ମାନିତ ଅତିଥି ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ପୁସ୍ତକ ଉପରେ ଆଲୋଚନା କରି କହିଥିଲେ ଯେ, ଅତନୁଙ୍କ କବିତାରେ କାରୁଣ୍ୟର ସ୍ବର ରହିଛି । ତାଙ୍କର ଜୀବନାନୁଭୂତି ପ୍ରଚୁର । ତେଣୁ ସେ ଆହୁରି ଲେଖନ୍ତୁ ବୋଲି ଶ୍ରୀମତୀ ମିଶ୍ର ଉପଦେଶ ଦେଇଥିଲେ । ଲେଖକ ଅତନୁ ସବ୍ୟସାଚୀ ନିଜ କବିତା ରଚନା ଉପରେ ଆଲୋକପାତ କରି କହିଥିଲେ ‘ମୋ ବୋଉ ମୋ ପ୍ରେରଣା । ମତେ ସେ ହିଁ କଲମ ଧରେଇଛନ୍ତି ।’ ସେ ଦର୍ଶାଇଥିଲେ, ଆଗରୁ କିଛିକିଛି କବିତା ଲେଖିଛି । କିନ୍ତୁ ବିଶେଷ ପ୍ରକାଶ ପାଇନାହିଁ । ପିଲାଦିନେ ମନପବନ ଓ ମୀନାବଜାରରେ ମୋର କିଛି ଲେଖା ପ୍ରକାଶିତ ହୋଇଛି । ମୋ ମନର ଆବେଗ ଓ ଭାବପ୍ରବଣତା କବିତା ଆକାରରେ ବାହାରି ଆସିଥିଲା । ସେସବୁ ଆଜି ସଂକଳିତ ହୋଇଛି ।

ଉତ୍ସବରେ ସଭାପତିତ୍ଵ କରି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୌରହରି ଦାସ କହିଥିଲେ, ଆଜି ଗୋଟିଏ ଭଲ ଦିନ । ଆଜି ଆନ୍ତର୍ଜାତିକ ମାତୃଭାଷା ଦିବସ । ମାତୃଭାଷା ବଞ୍ଚିବ, ଯଦି ମାତୃଭାଷାରେ ଆମେ ଲେଖିବା । ଆଜି ଅତନୁବାବୁ ନିଜ ବହି ଉନ୍ମୋଚନ କରାଇ ମାତୃଭାଷାର ସେବା କରିଛନ୍ତି । ମାଆ ବାପା ସାହିତ୍ୟର ସେବା କଲେ ତା’ର ପ୍ରଭାବ ପିଲାଙ୍କ ଉପରେ ପଡ଼େ । ଏହାର ପ୍ରକୃଷ୍ଟ ଉଦାହରଣ ଅତନୁବାବୁ । ସେ ଜଣେ ସଫଳ ରାଜନେତା ଓ ମନ୍ତ୍ରୀ । ଆଜି କବି ଭାବେ ସେ ନୂଆ ପରିଚୟ ପାଇଲେ ବୋଲି ଡକ୍ଟର ଦାସ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ ପୁସ୍ତକର ପ୍ରକାଶକ ବ୍ଲାକ ଈଗଲ ବୁକ୍ସ ପକ୍ଷରୁ ଅଶୋକ ପରିଡ଼ା ସମସ୍ତଙ୍କୁ ସ୍ଵାଗତ କରିଥିବାବେଳେ ନିଳୟକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସାହିତ୍ୟିକ ଶତ୍ରୁଜିତ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଲେଖକ, ବିଧାୟକ ଦେବୀ ମିଶ୍ର, ରାଜନେତା, ଲେଖକଙ୍କ ପରିବାର, ଶୁଭେଚ୍ଛୁ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *