ଅରୁଣ କୁମାର ମିତ୍ର

ହଜାର ଜନମ ଧରି
ବାରମ୍ବାର ଆସିବି ଫେରି
କାଉ କିମ୍ବା କୁମ୍ଭାଟୁଆ ବେଶେ,
ଅଥବା ମୟୂର ହୋଇ
ମସ୍ତକେ ଶିଖା ନେଇ
ନାଚୁଥିବି ଘନ ଉଲ୍ଲାସେ
ପାହାଡ଼ ପର୍ବତାକୀର୍ଣ୍ଣ
ଏଇ ସେଇ କଳିଙ୍ଗ ପ୍ରଦେଶେ ।

ବିଷମ ବାସନା ମନେ
ବୁଲୁଥିବି ବନେ ବନେ
ହରିଣ କିମ୍ବା ଭଲ୍ଲୁକର ବେଶେ,
ଅଥବା ବ୍ୟାଘ୍ର ହୋଇ
ଭୟଙ୍କର ରୂପ ନେଇ
ଗହନ ଅରଣ୍ୟ ପରିବେଶେ,
ଶାଳ ପିଆଶାଳ ଭରା
ଏଇ ସେଇ ଉତ୍କଳ ପ୍ରଦେଶେ ।

ନହେଉ ପଶୁ ବା ପକ୍ଷୀ
ସମସ୍ତେ ଖୁସି ହେବେ ଦେଖି
ମଲ୍ଲି କିମ୍ବା ଟଗରର ବେଶେ,
ଅଥବା ସୁଗନ୍ଧରାଜ
ରୂପରେ ହେବି ବିରାଜ
ଶିରି ଜଗନ୍ନାଥଙ୍କ ପାଦଦେଶେ,
ଶାନ୍ତିର ତପୋବନ
ଏଇ ସେଇ ଠାକୁରଙ୍କ ଦେଶେ ।

ଉତ୍କଳ ଈଶ୍ୱରୀ ଦେଖିବି ନୟନ ଭରି
ଆବିର୍ଭୁତା ସଦା ସୁନା ବେଶେ
ଅଥବା ମାତୃ ସ୍ନେହେ
ଆଚ୍ଛନ୍ନ ରହିବି ମୋହେ
ନିରୂପମ ଏଇ ପରିବେଶେ,
ସ୍ନେହ ମମତାରେ ପୂର୍ଣ୍ଣ
ଏଇ ସେଇ ଠାକୁରାଣୀଙ୍କ ଦେଶେ ।

ଯାଜପୁର ରୋଡ଼, ଯାଜପୁର

ଲେଖକ ପରିଚୟ

କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *