ଦ୍ଵାର ପ୍ରାନ୍ତେ ଋତୁରାଣୀ

ଅରୁଣ କୁମାର ମିତ୍ର

ଶରତ ଆସିକି ଦ୍ବାର ପ୍ରାନ୍ତେ
ଖୁସି ଖୁସି ସୁଲଳିତ ପବନ
ଦେଖୁଅଛି ବରଷାର ଅନ୍ତେ
ଡାଳେ ପ୍ରଜାପତି, ଆସେ ଶୁଭକ୍ଷଣ ।

ମଧ୍ୟେ ମଧ୍ୟେ ଭାରି ବୃଷ୍ଟି
ନୂଆ ରୂପେ ଦିଶୁଅଛି ଧରଣୀ
କିଏ କଲା ଅପରୂପ ସୃଷ୍ଟି
ସଜବାଜ କିଏ କଲେ କେ ଜାଣି ।

କଳାଧଳା ମେଘମାଳା ମନ୍ଥର
କରୁନି ତ ଆଗ ଭଳି ଗର୍ଜନ
ଭାସି ଭାସି ଚାଲେ, ନାହିଁ ଖାତିର
ଆକାଶ ମାର୍ଗେ ଦେଖି ଉଡ଼େ ମନ।

ବାଜିଲା ବାଦ୍ୟ ଶାରୋଦୋତ୍ସବ
ବିଶ୍ଵକର୍ମା ଗଣପତି ବାବା
ଦଶଭୁଜା ନେଇ ମହାଉତ୍ସବ
କାଶଫୁଲ ଦେଖି, ଚିତ୍ତେ ଖୁସି ସବା ।

ସବୁଜ ସବୁଜେ ମିଶି କରେ ମେଳ
ସୁନେଲି ସୂର୍ଯ୍ୟ କର ତା ଉପରେ
ଅନାବିଳ ଜଳେ ମାଛ କରେ ଖେଳ
ସ୍ବର୍ଗ ଓହ୍ଲାଇ ଆସି ମଥା ପରେ ।

ଋତୁରାଣୀ ଗୀତ ଗାଏ ନିଶିଦିନ
ନିରିମଳ ଜଳରାଶି ନିରବ
ପୋଖରୀରେ ଗଛ ଛାୟା ହୁଏ ଲୀନ
ଶୁଭେ ଘର ଚଢ଼େଇର କଳରବ ।

ଯାଜପୁର ରୋଡ଼, ଯାଜପୁର

ଲେଖକ ପରିଚୟ

କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *