ମନେପଡ଼ନ୍ତି ସ୍ୱଭାବ କବି

ସାଇ ସନ୍ତୋଷିନୀ ଗନ୍ତାୟତ

ଆମ ପରମ୍ପରାରେ ପ୍ରତି ପୂର୍ଣ୍ଣିମା ଗୁରୁତ୍ୱପୂର୍ଣ୍ଣ । ଏହାକୁ ଏକ ପବିତ୍ର ତିଥି ଭାବରେ ପାଳନ କରାଯାଇଥାଏ । ଏହି କ୍ରମରେ ପ୍ରତି ବର୍ଷ ଶ୍ରାବଣ ମାସରେ ପଡୁଥିବା ଶ୍ରାବଣ ପୂର୍ଣ୍ଣିମା ମଧ୍ୟ ଏକ ପବିତ୍ର ତିଥି । ଏହି ଶ୍ରାବଣ ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମା ନାମରେ ଖ୍ୟାତ । ଏହା ମୂଳତଃ ଏକ କୃଷି ଭିତ୍ତିକ ପର୍ବ ଅଟେ । ଏହି ଅବସରରେ କୃଷି କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀଙ୍କ ପୂଜନ ହୋଇଥାଏ । ତା’ସହ ଗୃହପାଳିତ ଗୋଧନଙ୍କର ମଧ୍ୟ ।

ପୁଣି ଏହି ତିଥି ପ୍ରଭୁ ବଳଭଦ୍ର ଠାକୁରଙ୍କ ପବିତ୍ର ଜନ୍ମତିଥି ମଧ୍ୟ । ବଳବାନ ହେଲେ ମଧ୍ୟ ଭଦ୍ର ସେ । ତେଣୁ ପ୍ରଭୁଙ୍କ ନାମ ବଳଭଦ୍ର ! ହଳଧାରୀ ଜଗତ ହିତକାରୀ ଠାକୁର ଏହି ଦିନ ପୂଜିତ ହୁଅନ୍ତି । ଲଙ୍ଗଳଧୂଆ ପୁନେଇଁ ଭାବେ ଗାଁ ଗହଳିରେ ପରିଚିତ ଏହି ପର୍ବରେ ହଳ ଲଙ୍ଗଳ ଆଦି ପୂଜା କରିବା ମାଧ୍ୟମରେ ଆମେ ଆମ କୃଷି ଭିତ୍ତିକ ଧର୍ମୀୟ ଭାବନା ଓ ପରମ୍ପରାର ସୁରକ୍ଷା କରି ଆସୁଛୁ ।

ଶ୍ରାବଣ ପୂର୍ଣ୍ଣିମାର ଉପର ବର୍ଣ୍ଣିତ ମହତ୍ତ୍ଵ ସହିତ ଆଉ ଏକ ସାରସ୍ୱତ ମହତ୍ତ୍ଵ ଆମ ପାଇଁ ଯୋଡ଼ି ହୋଇରହିଛି । ଏହା ହେଲା ୧୮୬୨ ମସିହା ଅଗଷ୍ଟ ମାସର ୯ ତାରିଖରେ ପଡ଼ିଥିବା ଏହି ଶ୍ରାବଣ ପୂର୍ଣ୍ଣିମାର ପବିତ୍ର ତିଥିରେ ଜନ୍ମଗ୍ରହଣ କରିଥିଲେ ଆମ ସାହିତ୍ୟର ଯୋଗଜନ୍ମା ସ୍ୱଭାବ କବି ଗଙ୍ଗାଧର ମେହେର । ଓଡ଼ିଶା ପ୍ରଦେଶର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବରପାଲି ଗ୍ରାମର ଏକ ଅଭାବୀ ତନ୍ତୁବାୟ ପରିବାରର ସୁପୁତ୍ର ଭାବେ ଜନ୍ମଗ୍ରହଣ କରିଥିଲେ ସେ ।

ଏହି ଅଭାବ ମଧ୍ୟରେ ହିଁ ତାଙ୍କ ସାରା ଜୀବନ ବିତିଥିଲା । ତଥାପି ସେ ଥିଲେ ମାଆ ସରସ୍ୱତୀଙ୍କ ବରପୁତ୍ର । ତାଙ୍କ ସହଜାତ ସାହିତ୍ୟ ସାଧନା ହିଁ ତାଙ୍କ ମଧ୍ୟରେ କବିତ୍ୱର ଭାବ ସୃଷ୍ଟି କରିଥିଲା । ପ୍ରକୃତିର ବାହ୍ୟ ରୂପ ଓ ଅନ୍ତର୍ନିହିତ ରୂପ ଉଭୟକୁ ସେ ଅନୁଭବ କରି ନିଜ କାବ୍ୟ ସାଧନାରେ ସଫଳ ହୋଇ ପାରିଥିଲେ । ଫଳରେ ସମସ୍ତ ସା°ସାରିକ ଅଭାବ ଅନାଟନକୁ ଭୁଲି ସେ ହୋଇ ପାରିଥିଲେ ସ୍ୱଭାବ କବି ।

ସ୍ୱଭାବ କବି ଗଙ୍ଗାଧର ମେହେର ପ୍ରତି ଓଡ଼ିଆଙ୍କ ପାଇଁ ସର୍ବଦା ପ୍ରାତଃ ସ୍ମରଣୀୟ । ତାଙ୍କ ନାମ ଉଚ୍ଚାରଣ କରିବା ମାତ୍ରେ ଆମ ମନକୁ ଆସିଯାଏ ସେ ଗାଇ ଯାଇଥିବା ପ୍ରସିଦ୍ଧ ପଦ୍ୟା°ଶ :

“ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?”

ଏହାର ଅର୍ଥ ଆମେ ସମସ୍ତେ ଜାଣୁ ଯେ ମାତୃଭୂମି ଆମର ମାଆ ଭଳି । ତେଣୁ ଆମ ହୃଦୟରେ ମାତୃଭୂମି ପ୍ରତି ମମତା ରହିବା ସ୍ୱାଭାବିକ । ତେବେ କବି ଗଙ୍ଗାଧର ଆମ ମାତୃଭାଷାକୁ ମଧ୍ୟ ମାତୃତୁଲ୍ୟା ମଣିଛନ୍ତି । ମାତୃଭାଷା ପ୍ରୀତି ଆମ ହୃଦୟରେ ରହିବା ଉଚିତ ବୋଲି ମତ ବ୍ୟକ୍ତ କରିଛନ୍ତି । କବିଙ୍କ ଏହି ଉଚ୍ଚାରଣର ଗୁରୁତ୍ୱ ସେତେବେଳେ ଥିଲା,ଏବେ ମଧ୍ୟ ରହିଛି ଏବଂ କାଳକାଳକୁ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ତଥା କରଣୀୟ ହୋଇ ରହିଥିବା ଭଳି ମନେହୁଏ ।

ଗଙ୍ଗାଧରଙ୍କ କବିପ୍ରାଣ ପ୍ରକୃତିକୁ ଆଧାର କରି ରଚନାମାନ ଲେଖି ଯାଇଥିଲେ ମଧ୍ୟ ଓଡ଼ିଆ ଭାଷା ପ୍ରୀତି ତାଙ୍କ ମନରେ ସବୁବେଳେ ରହି ଆସିଛି । ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ଏବଂ ଓଡ଼ିଆ ଜାତିର ସ୍ୱାଭିମାନ ରକ୍ଷା ପାଇଁ ସେ ଆଜୀବନ ସକ୍ରିୟ ଥିଲେ । ଉତ୍କଳ ସମ୍ମିଳନୀ ସହିତ ମଧ୍ୟ ସେ ଜଡ଼ିତ ଥିଲେ । ତାଙ୍କ ମାତୃଭାଷା ପ୍ରେମ କେତେ ପ୍ରଗାଢ ଥିଲା ତାଙ୍କ ଲିଖିତ ‘ଭାରତୀ ରୋଦନ’ କବିତା ପଢିଲେ ବେଶ୍ ଜଣାପଡ଼େ । ଏହି କବିତାରେ ବର୍ଣ୍ଣିତ ଉତ୍କଳ ଭାରତୀଙ୍କ କାତର ବର୍ଣ୍ଣନା ପାଠକଙ୍କ ହୃଦୟକୁ ମନ୍ଥି ପକାଏ । କବି ଗଙ୍ଗାଧର କିଭଳି ଅନ୍ତରର ସହିତ ମାତୃଭାଷାର ସୁରକ୍ଷା ପାଇଁ ବିଳାପ କରୁଥିଲେ ତାଙ୍କର ଏହି ଗୀତ ପଦକରୁ ଅନୁଭବ କରିହୁଏ । କବିଙ୍କ ଭାଷାରେ :

ନିଜ ଘରେ ବସି ନିର୍ବାସନ ଦୁଃଖ
ଆମ୍ଭ କି ଲଲାଟ ଲିଖନ
ମାତୃଭାଷା ମନା ଭାଇ ସଙ୍ଗ ବିନା
ବିକଳ ହେଉଛି ଜୀବନ

ଦେଶପ୍ରେମ କବି ଗଙ୍ଗାଧରଙ୍କର ସହଜାତ ପ୍ରବୃତ୍ତି ଥିଲା । କିନ୍ତୁ ସେହି ଦେଶପ୍ରେମକୁ ସେ ଓଡ଼ିଆ ଭାଷା ଏବଂ ଓଡ଼ିଆ ଜାତିର ସମୃଦ୍ଧି ସାଧନ କରିବା ଦିଗରେ ଉତ୍ସର୍ଗ କରି ଦେଇଥିଲେ । ଏହାରି ମାଧ୍ୟମରେ ହିଁ ସେ ନିଜର ଦେଶପ୍ରେମ ପ୍ରକଟ କରି ଯାଇଛନ୍ତି । ଗଙ୍ଗାଧର ନିଜ ଉତ୍କଳ ମାଟିକୁ ଭାରତ ବିଖ୍ୟାତ କରିବାର ସ୍ୱପ୍ନ ଦେଖିଛନ୍ତି । ଏ ଦିଗରେ ସେ ମଧୁସୂଦନଙ୍କ ଭଳି ଉତ୍କଳ ପ୍ରାଣ ବୋଲି ନିଜର ପରିଚୟ ପ୍ରଦାନ କରିଛନ୍ତି । ଓଡ଼ିଆ ଭାଷା ହିଁ ଓଡ଼ିଶା ମାଟିର ଏବଂ ଓଡ଼ିଆଙ୍କ ସ୍ଵାଭିମାନର ପରିଚୟ ସୃଷ୍ଟି କରିପାରିବ ବୋଲି ଆଶା ରଖିଛନ୍ତି ।

‘ଉତ୍କଳ ଲକ୍ଷ୍ମୀ’, ‘ଉତ୍କଳ ଗୌରବ’ ଓ ‘ଉତ୍କଳ ଭାରତୀଙ୍କୁ ନିବେଦନ ‘ଆଦି କବିଙ୍କ ସର୍ଜନାରୁ କବିଙ୍କ ଦେଶପ୍ରେମୀ ମନଟି ଯେ କେତେ ବ୍ୟାକୁଳ ଥିଲା, ତାହା ଅନୁଭବ କରିହୁଏ । ତେଣୁ ସେ ନିଜ ‘ଉଦବୋଧନ’ରେ ଗାଇ ଯାଇଛନ୍ତି :

ଯା’ ଭାଷା ଦୁର୍ବଳା କାହିଁ ତାର ଜ୍ଞାନ ?
କାହିଁ ତାର ରାଜ ଦୁଆରେ ସମ୍ମାନ ?
ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା ।

ମାତୃଭାଷା ପୋଥି ଛୁଇଁବାକୁ କରେ
ଅନ୍ୟ କେଉଁ ଜାତି ଲଜ୍ଜା ବୋଧ କରେ ?
ଉଠ ଭାଇ ଉଠ ନବୀନ ଆଲୋକେ,
ଶୋଇଥିଲେ ଚାହିଁ ହସୁଥିବେ ଲୋକେ ।

ଶୁଭକର୍ମ ପଥେ ହୁଅ ଅଗ୍ରସର,
ଚକ୍ଷୁ ମଳିବାକୁ ନାହିଁ ଅବସର ।
ମାତୃଭୂମି ମାତୃଭାଷାର ବଦନ
ଦୀପ୍ତ କର ଦେଇ ଧନ ଧ୍ୟାନ ମନ । (ଉଦବୋଧନ)

ସତରେ ସ୍ୱଭାବ କବିଙ୍କ ଅବଦାନ ଅତୁଳନୀୟ । ଯୁଗଯୁଗ ପାଇଁ ତାଙ୍କ କୃତିରାଜି ଅସାଧାରଣ । ଅଭାବ ଜର୍ଜରିତ ହୋଇଥିଲେ ମଧ୍ୟ କବିଭାବକୁ ନେଇ ବଞ୍ଚିବା ଥିଲା ତାଙ୍କ ଜୀବନର ବୈଶିଷ୍ଟ୍ୟ । ଏହି ବୈଶିଷ୍ଟ୍ୟ ହିଁ ତାଙ୍କୁ ମାତୃଜାତି, ମାତୃଭୂମି ଓ ମାତୃଭାଷାର ସଚ୍ଚା ସେବକ ଭାବେ ଗଢି ତୋଳିଥିଲା । ଜୀବନ ସାରା ମାତୃସେବାକୁ ସେ ଆଦର୍ଶ ମଣି ଆସିଛନ୍ତି । ସୁତରାଂ ସ୍ୱଭାବ କବି ସଦାସର୍ବଦା ସ୍ମରଣୀୟ ହୋଇ ରହିଛନ୍ତି ଓ ରହିଥିବେ ।

ଅତିଥି ଅଧ୍ୟାପିକା (ଓଡ଼ିଆ) ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରମଣଗୁଡ଼ା, ରାୟଗଡ଼ା

ଲେଖକ ପରିଚୟ

ସାଇ ସନ୍ତୋଷିନୀ ଗନ୍ତାୟତ ଅପ୍ରେଲ ୨୦୨୩ ରେ ଓଡ଼ିଆ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଡିଷ୍ଟିଙ୍କସନ ସହ ଉତ୍ତୀର୍ଣ୍ଣ ହେବାପରେ ସ୍ୱଭାବ କବି ଗଙ୍ଗାଧରଙ୍କ ଜୟନ୍ତୀରୁ ନିଜର ପ୍ରଥମ ଲେଖା ଆରମ୍ଭ କରିଛନ୍ତି୍ । ଓଡ଼ିଆ ପ୍ରବନ୍ଧ ରଚନାରେ ଆଗ୍ରହୀ ନବାଗତା ଲେଖିକା ସମ୍ପ୍ରତି ରାୟଗଡ଼ା ଜିଲ୍ଲା ରମଣଗୁଡ଼ାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଆ ଭାଷାର ଅତିଥି ଅଧ୍ୟାପିକା ଭାବେ ନିୟୋଜିତା ।

Related Posts

Leave a Reply

Your email address will not be published. Required fields are marked *