ବିଶ୍ୱେଶ୍ୱର ମାଝୀ

– ରାକ୍ଷୀ ନବ ରାକ୍ଷୀ, ଚିକିମିକି ମଖମଲି ରାକ୍ଷୀ ।

ଡାକ ଶୁଣି ଧାଇଁ ଆସିଲା ସରଳା । ରାକ୍ଷୀର ମାଳ ଗୋଟିଏ ବାଉଁଶରେ ସଜାଇ ସାଇକେଲରେ ଲଗାଇ ଜଣେ ଲୋକ ବିକ୍ରି ଉଦ୍ଦେଶ୍ୟରେ ଡାକୁଥିଲେ । ସୁନ୍ଦର ସୁନ୍ଦର ରାକ୍ଷୀମାନ ଦେଖି ସମ୍ଭାଳି ପାରିଲାନି ସରଳା । ଗୋଟିଏ ରାକ୍ଷୀ ବାଛି ଦାମ ପଚାରିଲା । ଉତ୍ତର ପାଇଲା ପଚାଶ ଟଙ୍କା ।

– ଭାଇ ଆଉ ଟିକେ କମ୍ ଦାମର ରାକ୍ଷୀ ଦେଖାଅ, ମୋ ପାଖରେ ତିରିଶ ଟଙ୍କା ଅଛି ।

– ବାଛିଚ ଯେତେବେଳେ ଏଇଟିକୁ ନିଅ, ତିରିଶ ଟଙ୍କା ହିଁ ଦିଅ । ମୋର ଲାଭ ନହେଲା ନାହିଁ । ରାକ୍ଷୀ ତ ହୃଦୟର କଥା, ମନ ଯେଉଁଟା ଚାହୁଛି ସେଇଟା ଇ’ ନିଅ ଭଉଣୀ ବୋଲି ବିକ୍ରିବାଲା କହିଲେ ।

ସରଳା ଅଗତ୍ୟା ତିରିଶ ଟଙ୍କା ଦେଇ ସେଇ ରାକ୍ଷୀଟି ଧରି ଘରକୁ ଫେରିଲା । ମନଟା ଭାରି ଖୁସି ଥାଏ ।

ବାଟରେ ମନେପଡ଼ିଲା, ତା’ର ତ ଭାଇ ନାହିଁ, ରାକ୍ଷୀ କିଣିଲା କାହିଁକି ? ହେତୁ ହେଲାଦିନୁ ରାକ୍ଷୀ ଦିନ ମନକୁ ମାରି ରହିବାକୁ ପଡ଼େ । ଆଜି କାହିଁକି ସେ ଭୁଲିଗଲା ରାକ୍ଷୀଟି କିଣିଲାବେଳେ । ତା’ର ସମ୍ବଳ ଥିଲା ସେତିକି ପଇସା, ବୃଥା ଗଲା । ଅଭାବୀ ଘର, ମାଆ ଦେଖିଲେ ପିଟିବ ବୋଲି ଅଣ୍ଟାରେ ଲୁଚାଇ ଘରକୁ ଆସିଲା ।

ଲୁଚାଇ ବାରମ୍ବାର ଦେଖୁଥାଏ, ମମତା ଲାଗିଯାଇଥାଏ ରାକ୍ଷୀଟିରେ । କାଲି କାହାକୁ ବାନ୍ଧି ଭାଇ ବୋଲି ମଧୁର ଡାକ ଡାକିପାରନ୍ତା କି ! ହଠାତ୍ ମନେପଡ଼ିଲା ସେ ରାକ୍ଷୀବାଲାଙ୍କୁ ସେ ଭାଇ ଡାକୁଥିଲା ଓ ସେ ବି ତାକୁ ଭଉଣୀ ବୋଲି କହୁଥିଲେ । କେତେ ନିଷ୍କପଟ ମଣିଷ ସିଏ । ରାତି ପାହିଲେ ରାକ୍ଷୀ ପୂର୍ଣ୍ଣମୀ, ତାଙ୍କୁ ହିଁ ରାକ୍ଷୀଟି ବାନ୍ଧିବ । ସପ୍ତାହେ ହେଲା ସେ ଡାକୁଥିଲେ, ସରଳା ଆଜି କାହିଁକି କିଣିବାକୁ ମନ ବଳାଇଲା, ସଂଯୋଗ କିଛି ଅଛି ନିଶ୍ଚିତ ।  ରାତିରେ ଭଲରେ ଶୋଇ ପାରିଲାନି, ଉଠପଡ଼ ହେଉଥାଏ, କେତେବେଳେ ରାତି ପାହିବ !

ସକାଳୁ ଗାଧୋଇପାଧୋଇ କାନ ଡେରି ବସିଲା ଦାଣ୍ଡରେ ତାଙ୍କ ଡାକକୁ । ଦିନ ଏଗାରଟା ବାଜିଲା, କାହିଁ ଦେଖା ନାହିଁ ? ଆଉ ଟିକେ ଆଗକୁ ଗାଆଁ ମୁଣ୍ଡକୁ ଗଲା । ଆଜି ତ ଶେଷ ବିକ୍ରି, ସେ ସହଳ ଆସିଥାନ୍ତେ ! ମନକୁ ପାପ ଛୁଇଁଲା । ଆଉ କିଛି ସମୟ ପରେ ବଜାର ଆଡୁ ଆସୁଥିବା ଦୁଇଜଣ ସାଇକେଲ ଆରୋହୀଙ୍କ କଥାବାର୍ତ୍ତାରୁ ସେ ଜାଣିଲା ଅଭାଗିନୀର ଭାଇଟିଏ ପାଇବା ଭାଗ୍ୟରେ ନାହିଁ । ସଡ଼କ ଦୁର୍ଘଟଣାରେ ସେ ସକାଳେ ଡାକ୍ତରଖାନାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ସେମାନେ ଆହୁରି କଥା ହେଉଥିଲେ, “ବିଚରା ରାକ୍ଷୀ ବେପାର କରେ, ନିଜର ଭଉଣୀ କି ଭାଇ କେହି ନାହାନ୍ତି ।”

ଆଖିର ଅମାନିଆ ଲୁହକୁ ପୋଛି ପକାଇ ଫେରୁଥିଲା ଘରକୁ, ବାଟରେ ସୁନ୍ଦର ନିମ୍ବ ଗଛଟିର ଛାଇ ଓ ପବନ ସରଳା ଅନୁଭବ କଲା । ମନେପଡ଼ିଲା ଆମ ଦାରୁଦିଅଁ ଜଗନ୍ନାଥଙ୍କ ବିଗ୍ରହ ଏଇ ନିମ୍ବଗଛରୁ ଗଢା ହୁଅନ୍ତି । ଗଛଟିଏ କଣ ନଦିଏ ! ପ୍ରତିବଦଳରେ କିଛି ମାଗେ କି ? ଯନ୍ତ୍ରଚାଳିତ ପରି ରାକ୍ଷୀଟି ସେଇ ଗଛରେ ବାନ୍ଧି ମନେମନେ ଶପଥ ନେଲା, ଆଜିଠାରୁ ପ୍ରତିଦିନ ସେ ତା ଭାଇକୁ ଦେଖିଯିବ ଓ ସୁରକ୍ଷା ଦେବ ମଧ୍ୟ ।

ଚନ୍ଦ୍ରଶେଖରପୁର, ଭୁବନେଶ୍ୱର, ମୋ: ୯୧୭୮୪୬୬୧୬୧

ଲେଖକ ପରିଚୟ

ମହାନଦୀ କୂଳରେ ଜନ୍ମ ହେବାର ସୌଭାଗ୍ୟ ପ୍ରକୃତିର ଅପରୂପ ଶୋଭା ଦେଖିବାର ଅନେକ ସୁଯୋଗ ଦେଇଛି । ପେସାରେ ବ୍ୟାଙ୍କର ହେବାର ଦାୟ ମଧ୍ୟରେ ସାହିତ୍ୟକୁ ଜାରି ରଖିଥିଲି ।  ଛନ୍ଦୋବଦ୍ଧ କବିତା କିଛି ଆମ ମାଟିର, ସଂସ୍କୃତିର ତଥା ଐତିହ୍ୟର ଜୟଗାନ ସହ ଅସ୍ମିତା ସ୍ମରଣ କରିବା ଲକ୍ଷରେ ଲେଖନୀ ଚାଳନା କରେ ।

Related Posts

Leave a Reply

Your email address will not be published. Required fields are marked *