ରଥ ଗଡ଼ିଲେ ଲକ୍ଷେ, ଭାଙ୍ଗିଲେ ଲକ୍ଷେ

ଅରୁଣ କୁମାର ତ୍ରିପାଠୀ

ଜୟ ଶ୍ରୀଜଗନ୍ନାଥ । କୋଟି ଓଡ଼ିଆର ମଉଡ଼ମଣିଙ୍କ ଛନ୍ଦାଚରଣ ଯୁଗଳରେ ଅନନ୍ତକୋଟି ଦଣ୍ତବତ ଓ ପ୍ରଣାମ । ଭାରତ ସମ୍ବିଧାନକୁ ନେଇ ଚାଲେ ଏବଂ ସମ୍ବିଧାନ ଆମକୁ ଧାରା ୧୯ କ’ରେ ଭାଷଣ ଏବଂ ମତବ୍ୟକ୍ତ କରିବାର ଅଧିକାର ଦେଇଅଛି । ବିବାଦ ଉପୁଜିଲେ ସମ୍ବିଧାନର ସର୍ବୋଚ୍ଚ ସୁରକ୍ଷା ଦାତା ମାନ୍ୟବର ସୁପ୍ରିମ କୋର୍ଟ ତାହାର ତର୍ଜମା କରନ୍ତି । କଳାହାଣ୍ତିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ବଳି ପରମ୍ପରାକୁ ବିରୋଧ କରି ଜୟନ୍ତୀ ଦେବୀ ଓ ଅନ୍ୟମାନେ ବନାମ ଭବାନୀ ଶଙ୍କର ନିଆଲ୍ ଙ୍କ ସ୍ୱତନ୍ତ୍ର ଛୁଟି ପିଟିସନ ସଂଖ୍ୟା ୨୧୩୨୯ରେ ପରମ୍ପରା ସପକ୍ଷରେ ମତ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ । ପୁନଶ୍ଚ ନିୟମିଗିର, ଯାହାକୁ ଡଙ୍ଗରିଅ କନ୍ଧଗଣ ଦେବତା ବୋଲି ମାନନ୍ତି, ସେଠି ପଲ୍ଲିସଭା ମାଧ୍ୟମରେ ବେଦାନ୍ତକୁ ଖଣି ଦିଆଯିବ ନା ନାହିଁ ସେୟା ସ୍ଥିର କରିବାକୁ ଆଦେଶ ବି ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ । କହିବା ବାହୂଲ୍ୟ ଯେ, ଧାର୍ମିକ ପରମ୍ପରାମାନଙ୍କରେ ଆଘାତ ଦେବା ନୀତି ବିରୁଦ୍ଧ । ଗୋଟିଏ ମହାନ୍ ପରମ୍ପରାରୁ ଅନେକ ଉପପରମ୍ପରା ଅନୁସୃତ ହେଇପାରେ, କିନ୍ତୁ ମୂଳତଃ ଯାହା ଚଳିଆସିଛି ସେୟା ଚାଲେ ଏବଂ ତାହାକୁ ତ୍ୱରାନ୍ୱିତ କରିବା ଅନୁଗାମୀଙ୍କ କର୍ତ୍ତବ୍ୟ । ଧର୍ମ ଏକ ଶ୍ରଦ୍ଧାର ବିଷୟ ଯାହାକୁ ଯୁକ୍ତି ନତୁବା ତୁଳନାରେ ଜୟ କରିହୁଏ ନାହିଁ । ମନରେ ସନ୍ଦେହ ଆସିବା ଠିକ୍ ଅଛି, କିନ୍ତୁ ତାହାକୁ ଭାଳିବା ଦରକାର । ଆଜିର ବ୍ୟସ୍ତବହୁଳ ଦୁନିଆରେ ନିଜ କାମ କରିବା ପାଇଁ ଆମ ପାଖରେ ସମୟ ନାହିଁ, ପର କଥା ପଚାରେ କିଏ ?

ନିକଟରେ ଏକ ଆଲେଖ୍ୟ ପ୍ରତିବର୍ଷ ରଥ ନିର୍ମାଣ ବଦଳରେ ଏକ ଉତ୍ସର୍ଗୀକୃତ ରଥ ନିର୍ମାଣ ସମ୍ବନ୍ଧରେ ପ୍ରକାଶ ପାଇଅଛି । ସେହି ଅଭିଯୋଗମାନଙ୍କର ତର୍ଜମା ସହ ରଥଯାତ୍ରାର ଆଭିମୁଖ୍ୟ ଏବଂ ପବିତ୍ରତା ତଥା ଅର୍ଥନୈତିକ ଉନ୍ନତି ପରିପ୍ରେକ୍ଷୀରେ ରଥଯାତ୍ରାର ଭୂମିକା ବିଷୟରେ ଜଣେ ଜଗନ୍ନାଥପ୍ରେମୀ ଭାବେ ମତ ପରିବେଷଣ କରାଯାଇଅଛି ।

ଶ୍ରୀଗୁଣ୍ତିଚା ରଥଯାତ୍ରା ବର୍ଷକୁ ଥରେ ପାଳନ ହୁଏ, ଯେଉଁଠି ବିଭିନ୍ନ କିସମର କାଠ ଓଡ଼ିଶାର କିଛି ନିର୍ଦ୍ଧିଷ୍ଟ ବନଖଣ୍ଡରୁ ଅଣାଯାଏ । ଓଡ଼ିଶାରେ ସମୁଦାୟ ୧୦୧ ଟି ବନଖଣ୍ତ ରହିଅଛି । କେବଳ ନୟାଗଡ଼ ଏବଂ ଖୋର୍ଦ୍ଧା ଜଙ୍ଗଲରୁ ଯଦି କାଠ ଅଭାବ ପଡୁଛି ତେବେ ଅନ୍ୟ ବନଖଣ୍ତମାନଙ୍କୁ ଆଦେଶ ଦିଆଯାଇପାରେ । ପ୍ରତିବର୍ଷ ଭାତରେ ଅନୁନ୍ୟ ୩.୨୮ ଲକ୍ଷ ଗୃହ ନିର୍ମାଣ ହୁଏ ବୋଲି ଷ୍ଟାଟିଷ୍ଟାର ତଥ୍ୟ କହୁଅଛି । ଗୃହକର୍ମରେ କେତେ ପରିମାଣରେ କାଷ୍ଠ ବ୍ୟବହୃତ ହୁଏ, ସେୟା ସ୍କୁଲ ଯିବା ଛୁଆ ବି କହିପାରନ୍ତି । ସମଗ୍ର ବିଶ୍ୱରେ ବାର୍ଷିକ ୯୦୦ ମିଲିୟନ ବୃକ୍ଷ ଛେଦନ ହେଉଥିଲା ବେଳେ ଚଳିତ ବର୍ଷ ଫେବୃଆରୀ ୩ ତାରିଖରେ ଭାରତର ଜଙ୍ଗଲମନ୍ତ୍ରୀ ଗୃହରେ ସୂଚନା ଦେଇଅଛନ୍ତି ଯେ, ବିମାନ ଉଡ଼ାଣ, ବନ୍ଦର, ସଡ଼କ ପଥ ତଥା ବିଦ୍ୟୁତ୍ ଉତ୍ପାଦନ ଆଦି ୯୦ଟି କ୍ଷେତ୍ରର ବିକାଶ ନିମନ୍ତେ ସରକାର ୨.୩ ମିଲିୟନ ଗଛ ସଫା କରିବାକୁ ବାଧ୍ୟ ହେବେ । ଏହି ତୁଳନାରେ ରଥଯାତ୍ରାରେ ଲାଗୁଥୁବା ୨୧୮୮ କାଠ କିଛି ନୁହଁ । ଅଗଷ୍ଟ ୯, ୨୦୧୯ରେ ଭାରତରେ ଗୋଟିଏ ଦିବସରେ ୨୨୦ ମିଲିୟନ ବୃକ୍ଷ ରୋପଣ କରାଯାଇଥିଲା । ଭବିଷ୍ୟତକୁ ଆଖିଆଗରେ ରଖି ଏହିଭଳି ପ୍ରକ୍ରିୟାମାନ ତ୍ୱରାନ୍ୱିତ କରାଯାଇପାରେ । ବାହାଘରବେଳେ ବାଇଗଣ ରୁଆ ହେଲେ ସେୟା ଭୋଜିରେ ସମସ୍ୟା ସୃଷ୍ଟି କରିପାରେ ଭଳି ଯଦି ଆମେ ବେଳହୁଁ ସାବଧାନ ହେଇଯିବା କୌଣସି ସମସ୍ୟା ଆମକୁ ଅସୁବିଧାରେ ପକେଇପାରିବ ନାହିଁ । ଯେତେବେଳେ କୌଣସି ବିକାଶମୂଳକ କାର୍ଯ୍ୟରେ ଆମେ ଚାହିଁକି ମଧ୍ୟ ଗଛକଟାକୁ ଅଟକାଇ ପାରୁନାହେଁ, ତେବେ ଉଦାରବାଦୀ ଚିନ୍ତାଧାରା ରଖୁଥିବା ଧର୍ମରେ ଆମେ ସମ୍ପର୍କ ରଖୁ ବୋଲି ପରମ୍ପରା ବିରୋଧି ହେଇଯିବା କେତେଦୂର ସମୀଚୀନ ? ନିକଟରେ ସ୍ୱର୍ଗତ ପଦ୍ମଶ୍ରୀ ଡକ୍ଟର ରଜତ କୁମାର କରଙ୍କ ମୃତ୍ୟୁ ବାର୍ଷିକି ପାଳିତ ହେଇଯାଇଛି । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ତଥା ପାଲା ସଂସ୍କୃତିର ପୁନରୁଦ୍ଧାର ନିମନ୍ତେ କେନ୍ଦ୍ର ସରକାର ତାଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ । ତାଙ୍କ ଆବର୍ତ୍ତମାନରେ ସେ ପ୍ରଦାନ କରିଥିବା ଗୋଟିଏ ଅଟୋଗ୍ରଫ୍ ଭାଇରାଲ ହେଇଥିଲା ଯେଉଁଠି ତାରିଖ ଥିଲା  ୪.୪.୨୦୧୮ ଏବଂ ସନ୍ଦେଶ ରହିଥିଲା, “ପ୍ରଭୁ ଜଗନ୍ନାଥ ରହସ୍ୟମୟ, ତାଙ୍କ ଇଚ୍ଛାରେ ସବୁ ସମ୍ଭବ ।” ତାଙ୍କ ପ୍ରତିଷ୍ଠାରେ କେବେ ମଧ୍ୟ ଆଞ୍ଚ ଆସେ ନାହିଁ, ସେ ରଥରେ ବସିଲେ ସମସ୍ତଙ୍କ ଦୁଃଖ ଦୂର ହୁଏ, ପତିତପାବନ ନାମ ସାର୍ଥକ କରିବା ନିମନ୍ତେ ନବଦିନାତ୍ମକ ଯାତ୍ରା ସ୍ଥିରିକୃତ କରି ଲୋକଙ୍କ ଦୁଃଖ ବୁଝନ୍ତି । ଏହା ଓଡ଼ିଆଙ୍କ ବିଶ୍ୱାସ ତଥା ଚାରିଧାମରୁ ଶ୍ରେଷ୍ଠ ପୁରୀ ଧାମର ମହତ୍ତ୍ୱ । ଆମର ଜିଜ୍ଞାସାମାନଙ୍କ ସମାଧାନ ହେଇପାରୁ ନାହିଁ ବୋଲି ଧର୍ମିୟ ଭାବନାରେ ନିଜ ସହାନୂଭୂତି ରହିଅଛି ବୋଲି କଥାଛଳରେ କହି ମଞ୍ଜ କଥାକୁ କୁଠାରାଘାତ କରିବା କେତେଦୂର ଯୁକ୍ତିଯୁକ୍ତ ? ୧୧୫୦ ଖ୍ରୀଷ୍ଟାବ୍ଦରୁ ରଥଯାତ୍ରା ହେଉଛି ବୋଲି ଐତିହ୍ୟାସିକ ପ୍ରମାଣ ମିଳୁଛି, କିନ୍ତୁ ସୁର୍ପଣାଖାର ନାସିକା ଛେଦନ ପରିପ୍ରେକ୍ଷୀରେ ରାବଣ ତାଙ୍କୁ ଜଗନ୍ନାଥଙ୍କ ହାତଗୋଡ଼ ନଥିବାର ଉଦାହରଣ ଦେଇ ସାନ୍ତ୍ୱନା ଦେବାର ରାମାୟଣ କୁହେ । ତଦନାନ୍ତୀନ ସମୟରୁ ଆଜି ଯାଏଁ ରଥଯାତ୍ରା ହେଉଛି ଏବଂ କେବେ ମଧ୍ୟ କାଠର ଅଭାବ ରହୁନି ।

ଆଜି କିନ୍ତୁ କାଷ୍ଠକୁ ନେଇ କରୁଥିବା ଚିନ୍ତାବ୍ୟକ୍ତ ଧର୍ମ ବିରୁଦ୍ଧ ଆଚରଣ ବୋଲି ମନେହୁଏ । ପୁନଶ୍ଚ ରଥକାର୍ଯ୍ୟରେ ନିୟୋଜିତ ମହାରଣା, କମାର, ଭୋଇ, ରଙ୍ଗକାର ଆଦି ସେବକଙ୍କ କୌଳିକ ବୃତ୍ତି ଛଡ଼େଇ ଅଣନିୟୋଜିତ ରହିବା ନିମନ୍ତେ ଉକ୍ତ ଅନୁସନ୍ଧିତ୍ସା ପରୋକ୍ଷରେ ପ୍ରେରଣା ଦେବା ଭଳି ମନେହୁଏ । ଲୁପ୍ତପ୍ରାୟ ପ୍ରଜାତି ନିମନ୍ତେ ଇଣ୍ଟରନ୍ୟାସନାଲ ୟୁନିଅନ ଫର୍ କଂଜର୍ବେସନ ଅଫ ନେଚର୍ ତରଫରୁ ରେଡ୍ ଲିଷ୍ଟ ପ୍ରତିବର୍ଷ ଜାରି କରାଯାଇ ସଂପୃକ୍ତ ଜୀବମାନଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ମାଧ୍ୟମରେ ସଂରକ୍ଷଣ ଦିଆଯାଉଛି, କିନ୍ତୁ ଦୂରଦୃଷ୍ଟି ଅଭାବ ଚିନ୍ତାଧାରା ଅତୀତରେ ଏବଂ ବର୍ତ୍ତମାନ ବହୁତ କଳାକାରଙ୍କ ସ୍ୱତନ୍ତ୍ରତାକୁ ଅଚିରେ ହତ୍ୟା କରିଛି । ଆମର ପୋଷାକ ପୁରୁଣା ହେଇଗଲେ ଯେଉଁଭଳି ନୂତନ ପୋଷାକ ପିନ୍ଧୁ, ସେହିଭଳି ରଥ । ଭକ୍ତିରେ ପ୍ରଶ୍ନବାଚୀ ସୃଷ୍ଟି ହେଲେ ମନୁଷ୍ୟ ଧର୍ମତ୍ୟାଗ କରିବାକୁ ବେଳେବେଳେ ଭାବେ ।  ଅନ୍ୟ କୌଣସି ଧର୍ମର ପରମ୍ପରା ମାନଙ୍କରେ କେବେ ମଧ୍ୟ ଏହିଭଳି ତଥ‍ାକଥିତ ସଂସ୍କାର ତ ହେଉନାହିଁ ! ପୁଣି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥଯାତ୍ରା ପଶ୍ଚାତ୍ ରଥଚକ, ରଥ ଦଉଡ଼ି, ରଥର ବିଭିନ୍ନ ଉପକରଣ ଶ୍ରଦ୍ଧାଳୁମାନଙ୍କୁ ଛୋଟ ଛୋଟ ଆକାରରେ ପ୍ରଦାନ କରି ପ୍ରଚୁର ରାଜସ୍ୱ ରାଜକୋଷକୁ ପ୍ରଦାନ କରାଯାଉଛି, ଯାହାର ସର୍ବନିମ୍ନ ମୂଲ୍ୟ ରହିଅଛି ₹୨୦୦୦/- । ରଥଯାତ୍ରାରେ ପୁରୀକୁ ଆସୁଥିବା ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଦ୍ୱାରା ବହୁତ ପରିମାଣରେ ରାଜସ୍ୱ ତଥା ବିଦେଶୀ ମୁଦ୍ରା ଅର୍ଜନ କରିହୁଏ । ସଭ୍ୟତାର ଅଗ୍ରଗତିରେ ବ୍ୟବସ୍ଥା ପରିବର୍ତ୍ତନ ହୁଏ ବୋଲି ଆମେ ଯଦି ଧରିବସିବା, ତେବେ ଦେଶବିଦେଶରୁ ଆସୁଥିବା ଭକ୍ତଙ୍କ ଶ୍ରଦ୍ଧା କମିଯାଇପାରେ । ହେଲେ ଆମେ ଧର୍ମକୁ ଏବଂ ଧର୍ମୀୟ ପରମ୍ପରାମାନଙ୍କୁ ଯଦି ସମ୍ମାନ ନଦେବା ନାହିଁ, ରାଜ୍ୟ ସରକାରଙ୍କ ଦ୍ୱାରା ଅନାୟାସରେ ରୋଜଗାର ହେଉଥିବା ଏହି ବୃହତ୍ ପାଣ୍ଠିର ପରିପନ୍ଥୀ ହେଇଯିବାନି କି ? ମେସିନ ସହାୟତାରେ ବିଭିନ୍ନ କାଠକାମ କରାଯାଉଛି ତଥା ବିଭିନ୍ନ ସ୍ଥାନରେ କାଠ କାରିଗର ସବୁ ଜଙ୍ଗଲ ଧ୍ୱଂସ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ମାତ୍ର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କଥା ଉଠିଲେ, କାଠର ଅଭାବ ଓ ଗଛକଟା ଭଳି ବିଷୟ ଚର୍ଚ୍ଚା ହେଉଛି ଯାହା ନ୍ୟାୟସଙ୍ଗତ ନୁହେଁ ।

ନିକଟ ଅତୀତରେ ଶୈବପୀଠ ମାନଙ୍କରେ ଗଞ୍ଜେଇ ନିଷିଦ୍ଧ କରାଯାଇଛି । ଯୀଶୁଖ୍ରୀଷ୍ଟ କହିଥିଲେ, ‘ପାପକୁ ଘୃଣା କର । ପାପୀକୁ ନୁହଁ ।‘ ଅପରିଣାମଦର୍ଶୀ ନିଷ୍ପତ୍ତି ନିର୍ମାଣକାରୀ ଗଣ ରହିଲେ ଏହିଭଳି ଅବ୍ୟବସ୍ଥା ହୁଏ । ଯଦି ସଂସ୍କାର କରିବାର ଅଛି ତେବେ କୁପ୍ରଥାକୁ ଆମେ ନଷ୍ଟ କରିବା, ସେୟା ନକରି ସମୂଳେ ପରମ୍ପରାକୁ ବନ୍ଦ କରିଦେବା ସମୀଚୀନ ମନେହୁଏ ନାହିଁ । ଅନ୍ୟଧର୍ମର ସଂସ୍କାର ଧର୍ମଗୁରୁ ମାନଙ୍କ ହାତରେ ରହୁଥୁବା ସ୍ଥଳେ ହିନ୍ଦୁ ଧର୍ମର ଔଦାର୍ଯ୍ୟ ପାଇଁ ଯିଏ ନାହିଁ ସିଏ ଧର୍ମୀୟ ପରମ୍ପରାକୁ ସଂସ୍କାର କରିବା କଥା କୁହନ୍ତି । ଆମ ଭାରତୀୟ ମାନସିକତା ତ ସିଂହ ଭଳି, ସମ୍ଭବତଃ ସେଥିପାଇଁ ବାଘ ପୂର୍ବରୁ ସିଂହକୁ ଜାତୀୟ ପଶୁ ଘୋଷଣା କରାଯାଇଥିଲା । ସିଂହ ଯେମିତି ପ୍ରବଳ ଖାଇସାରି ଶୋଇପଡ଼େ, ଆମେ ବି ସେହିଭଳି ଶୋଇପଡୁ । କାଲିର ଚିନ୍ତା କାଲିକି କରିବା, ବିଲୁଆ ଅବା କୁକୁର ଭଳି ଗୋଷ୍ଠି ଗଠନ କରୁନା । ସିଂହ ସମୁଖରେ ହାତୀ ବି ଭୟ କରେ, କିନ୍ତୁ ତା ସମ୍ମୁଖରେ ଆସିଲେ ହିଁ ସେ ପ୍ରତିକ୍ରିୟାଶୀଳ ହୁଏ । ଯେବେ ଦରକାର ପଡ଼େ ସେ ନିଶ୍ଚୟ ଶିକାର କରେ, କିନ୍ତୁ ଅଯଥା ସଞ୍ଚୟ ସେ କରେନାହିଁ । ଚଷା ଲକ୍ଷେ ଜୀବ ପୋଷା ନ୍ୟାୟରେ ସିଂହ ଛାଡ଼ିଥିବା ଖାଦ୍ୟ ଖାଇ ଅନେକ ପଶୁପକ୍ଷୀ ଚଳନ୍ତି । ସିଂହ ବିପକ୍ଷରେ ଷଡ଼ଯନ୍ତ୍ର ହେଲେ ସେ ଜମା ଖାତିର କରେନି, କାରଣ ତାର ନିଜ ପରାକ୍ରମ ଉପରେ ପ୍ରବଳ ବିଶ୍ୱାସ ଥାଏ । ଭାରତରେ ହିନ୍ଦୁମାନଙ୍କ ଅବସ୍ଥା ମଧ୍ୟ ସେହିଭଳି । ଭାରତୀୟ ତତ୍କାଳୀନ ଶାସକ ଓ ତାଙ୍କ ପରିଜନ ସବୁ ଭିନ୍ନ ସାଂଜ୍ଞା ଧାରଣ କରି ସବୁବେଳେ ହିନ୍ଦୁମାନଙ୍କୁ ନୀଚା ଦେଖେଇବାକୁ ଚାହିଁଛନ୍ତି । ଭାରତକୁ ସର୍ବଦା ଅସ୍ଥିର ରଖିବାକୁ ଏମାନେ ବିଦେଶରୁ ପଇସା ନେଇ ପରୋକ୍ଷରେ ସେହିଭଳି ସାଂସ୍କୃତିକ ଆଦେଶ ଦେଇଅନ୍ତି । ସମ୍ବିଧାନରେ ଧାରା ୨୫ ବଳରେ ଧର୍ମ ପରିବର୍ତ୍ତନ ଆଇନ ତ ସିଦ୍ଧ ବୋଲି କୁହାଯାଇଅଛି, ଯାହା ଫଳରେ ଦେଶର ୮ ରୁ ୧୦ ରାଜ୍ୟରେ ହିନ୍ଦୁ ସଂଖ୍ୟାଲଘୁ ଓ ବିଶେଷ ଧର୍ମର ଲୋକେ ସଂଖ୍ୟାଲଘୁରୁ ସଂଖ୍ୟାଧିକ ହେଲେ । ଧର୍ମ ପରିବର୍ତ୍ତନ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅନୁମତି ନେବାକୁ ପଡ଼େ, କିନ୍ତୁ ଢିଲା ପ୍ରଶାସନିକ ବ୍ୟବସ୍ଥା ଯୋଗୁଁ ଭାରତୀୟ ଜନତତ୍ତ୍ୱରେ ବହୁତ ପରିବର୍ତ୍ତନ, ବିବର୍ତ୍ତନ ଓ ଭାରତର ମୂଳ ସଂସ୍କୃତି ଆସ୍ତେଆସ୍ତେ ଲୋପ ପାଇବାରେ ଲାଗିଛି । ପୁନଶ୍ଚ ସମ୍ଵିଧାନର ଧାରା ୨୮ ବଳରେ କେବଳ ହିନ୍ଦୁଙ୍କ ଦ୍ୱାରା ପ୍ରଦତ୍ତ ଧାର୍ମିକ ଶିକ୍ଷାକୁ ବନ୍ଦ୍ କରାଗଲା । ଏଣ୍ତାଓମେଣ୍ଟ ଆକ୍ଟ ୧୯୫୧  ଅନୁସାରେ କେବଳ ହିନ୍ଦୁଙ୍କ ମନ୍ଦିରର ଟଙ୍କାକୁ ସୁରକ୍ଷା ନାଁରେ ସେଠି ମିଳୁଥିବା କୋଟିକୋଟି ହିନ୍ଦୁଙ୍କ ଅନୁଦାନକୁ ସରକାର ମନଇଚ୍ଛା ବ୍ୟବହାର କଲେ । କିନ୍ତୁ ଅନ୍ୟ ସଂଖ୍ୟାଲଘୁ ଧାର୍ମିକ ସ୍ଥାନ ପାଇଁ ଏ ନିୟମ ଲାଗୁ ହେଲାନାହିଁ । ଆଜିବି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆମେ ମନ୍ଦିର ହୁଣ୍ତିରେ ପକାଉଥିବା ଅର୍ଥ ସରକାର ନେଇଯାଇ ଅନ୍ୟ ଧର୍ମର ଉନ୍ନତିରେ ଲଗାଉଛନ୍ତି । ୧୯୫୬ ରେ  ହିନ୍ଦୁଙ୍କ ପାଇଁ ସରକାରଙ୍କ ସମାନ ଆଇନ୍ ଲାଗୁ କଲେ କିନ୍ତୁ ସଂଖ୍ୟା ଲଘୁଙ୍କ ପାଇଁ ତାଙ୍କର ଧାର୍ମିକ ଆଇନ୍ କୁ ଅନୁମତି ଦେଲେ । ୧୯୭୬ ରେ ୪୨ତମ ସମ୍ବିଧାନ ସଂଶୋଧନ ଅନୁସାରେରେ ସଂସଦରେରେ ବିନା ଚର୍ଚ୍ଚାରେ ସମ୍ବିଧାନର ମୂଳ ଅଂଶକୁ ପରିବର୍ତ୍ତନ କରି ଧର୍ମ ନିରପେକ୍ଷତ‍ା ଶବ୍ଦକୁ ଲଦିଦେଲେ ଯାହାଫଳରେ ୮୦% ରୁ ଅଧିକ ହିନ୍ଦୁ ରହୁଥିବା ଦେଶ ହିନ୍ଦୁ ରାଷ୍ଟ୍ର ବୋଲି କହିପାରିଲା ନାହିଁ । କିନ୍ତୁ ଆମଠାରୁ ବାହାରିଥିବା ପଡ଼ୋଶୀ ସବୁ ଧାର୍ମିକରାଷ୍ଟ୍ର ନିଜର ବୈଶିଷ୍ଟ୍ୟ କଲେ । ୧୯୯୧ ଧାର୍ମିକ ନୀତି ବଳରେ ଶହଶହ ବର୍ଷରୁ ମୋଗଲଙ୍କ ଦ୍ଵାରା ନଷ୍ଟ ହେଇଥିବା ହିନ୍ଦୁ, ଜୈନ, ଶିଖ୍ ଙ୍କୁ ତାଙ୍କ ସାଂସ୍କୃତିକ ଓ ଧାର୍ମିକ ସଂସ୍ଥାକୁ ପୁନରୁଦ୍ଧାର କରିବା ପାଇଁ ଅଦାଲତ ଯିବାକୁ ପ୍ରତିବନ୍ଧ କରେଇ ଦିଆଗଲା । ୧୯୯୨ ସଂଖ୍ୟାଲଘୁ କମିଶନ ଗଠନ କରି ସଂଖ୍ୟାଲଘୁଙ୍କୁ ଅନେକ ସୁବିଧା ପ୍ରଦାନ ସହ ହିନ୍ଦୁଙ୍କ ଉପବିଭାଜନ କରି ଶିଖ, ଜୈନ, ବୌଦ୍ଧକୁ ସଂଖ୍ୟାଲଘୁ ଘୋଷଣା କଲେ । ୧୯୯୫ ରେ ୱାକଫ ବୋର୍ଡ ଆଇନ ଆଣି ଦେଶର ହିନ୍ଦୁ ସମ୍ପତିକୁ ସଂଖ୍ୟାଲଘୁମାନେ ଜବରଦଖଲ୍ କରିବା ପାଇଁ ସୁଯୋଗ ଦେଲେ । ଯଦି କିଛି ସମସ୍ୟା ଆସିଲା ହିନ୍ଦୁଙ୍କୁ ଅଦାଲତ ଯିବାକୁ ପ୍ରତିବନ୍ଧ କରାଗଲା । ୨୦୦୪ ରେ ରାମସେତୁ ଆଫିଡ଼େଭିଟରେ ଶ୍ରୀରାମଙ୍କୁ କାଳ୍ପନିକ ଘୋଷଣା କଲେ । ୨୦୦୯ ରେ ହିନ୍ଦୁ ଗୈରିକ ଆତଙ୍କବାଦୀ ବୋଲି ତତ୍କାଳୀନ କ୍ଷମତାଶୀଳ ସରକାରଙ୍କ ମନ୍ତ୍ରୀମାନେ ବିନା ଦ୍ୱିଧାରେ କହିଚାଲିଲେ ।

ନିଜକୁ ସିଂହଛୁଆ କହି ଗର୍ବ କରୁଥିବା ଏହି ହିନ୍ଦୁଧର୍ମର ଲୋକେ ବେଳହୁଁ ସାବଧାନ ହେଉନଥିବା ଯୋଗୁଁ ଆମ ଧର୍ମରେ ହିଁ ହେତୁବାଦୀ ସବୁ ବେଶୀ । ଅନ୍ୟ ଧର୍ମର ଧାର୍ମିକ ପରମ୍ପରା ସବୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଭଳି ହେଇଥିବାରୁ କେହି ନିରିଖେଇ ଅନେଇ ପାରନ୍ତିନାହଁ । କିନ୍ତୁ ଆମ୍ଭର ନୀତିସମୂହ ଚନ୍ଦ୍ରକିରଣ ଭଳି ପ୍ରତୀୟମାନ ହେଉଥିବାରୁ ଯେକେହି ଆଗାମୀ  ନିର୍ବାଚନରେ ନିଜର ରାଜନୈତିକ ଦୂରଭିସନ୍ଧି ରଖି ତଥାକଥିତ ସଂସ୍କାରକ ପାଲଟି ଯାଉଛନ୍ତି । ବେଳ ଆସି ଉପନୀତ, ସଚେତନତାର ସହିତ ଦୂରଦୃଷ୍ଟିକୁ ଶାଣିତ କରିବାର ।

ପାରାବେଡ଼ା, ଜୟପୁର, ମୋ – ୯୦୭୮୮୩୮୬୨୭

ଲେଖକ ପରିଚୟ

ନବମ ଶ୍ରେଣୀ ପଢିଲା ସମୟରେ କବିତାରୁ ନିଜର ସାରସ୍ୱତ ଯାତ୍ରା ପ୍ରାରମ୍ଭ କରିଥିଲେ । ଅର୍ଥଶାସ୍ତ୍ର, ଲୋକ ପ୍ରଶାସନ, ସମାଜ ଶାସ୍ତ୍ର, ସାମ୍ବାଦିକତା ଏବଂ ଗଣଯୋଗାଯୋଗରେ ସ୍ନାତକୋତ୍ତର ହାସଲ କରିଥିବା ଶ୍ରୀ ତ୍ରିପାଠୀ ଆଦିବାସୀ ଅଧ୍ୟୟନରେ ବିଦ୍ୟାନିଶାନ୍ତ ହାସଲ କରିଅଛନ୍ତି । ସାମ୍ପ୍ରତିକ ବିଷୟକୁ ନେଇ ରାଜ୍ୟର ବିଭିନ୍ନ ଖବରକାଗଜରେ ସ୍ତମ୍ଭ, ଗଳ୍ପ ତଥା କବିତାମାନ ଲେଖନ୍ତି । ଓଡ଼ିଆ ଏବଂ ଇଂରାଜୀ ମିଶାଇ ୩ ଟି ପୁସ୍ତକ ପ୍ରକାଶିତ ହୋଇ ସାରିଥିବାବେଳେ ନିକଟରେ ତାଙ୍କର ଆଉଏକ ପୁସ୍ତକ “ସ୍ମୃତି ଓ ବିସ୍ମୃତି” ପ୍ରକାଶିତ ହୋଇଯାଇଛି ।

Related Posts

Leave a Reply

Your email address will not be published. Required fields are marked *