ଆଦିବାସୀ ସମାଜର ଆଦର୍ଶ : ଲୈଙ୍ଗୀକ ସମାନତା

ଅରୁଣ କୁମାର ତ୍ରିପାଠୀ

ସମାନତା ମନୁଷ୍ୟର ମନର ଏକାନ୍ତ ବେଳର ଅଭିସାର । ସେ ଧର୍ମ କ୍ଷେତ୍ରରେ ହଉ, ବର୍ଣ୍ଣ କ୍ଷେତ୍ରରେ ଅବା ସାମାଜିକ ପ୍ରତିଷ୍ଠା କ୍ଷେତ୍ର, ସବୁଥିରେ ସେ ସମାନ ସମ୍ମାନ ଚାହେଁ । ହେଲେ ବିଧିର ବିଧାନରେ ସେୟା ନଥାଏ । ମନୁଷ୍ୟ ନିଜର ଗୌରବ, ଗାରିମା ତଥା ପ୍ରତିଷ୍ଠା କ୍ଷେତ୍ରରେ ଏଭଳି ନିମଜ୍ଜିତ କରି ପଇସା ବଳରେ ସେ ସବୁକିଛି ହାସଲ କରିପାରୁଛି ।

ଆଉ ଆଜିକାଲିର ବୈଷୟିକ ସୁବିଧା ସୁଯୋଗ ବଳରେ ଆମେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ବି କରିପାରୁ । ଅଶୀ ଦଶକରୁ ବହୁଳ ଭାବେ ପ୍ରସାରିତ ଏହି କୁପ୍ରଥା ଆଜିର ସମାଜରେ ବିବାହ ନିମନ୍ତେ କନ୍ୟା ଅଭାବ ଦେଖେଇଲାଣି । କିଛି ସ୍ଥାନରେ ବିବାହ ନିମନ୍ତେ ଉଚ୍ଚ ଦାମ୍ ଦେଇ ଝିଅଙ୍କୁ କିଣି ନିଆ ହଉଛି ଅବା କିଛି ସ୍ଥାନ ଏହିଭଳି ରହିଛି ଯେଉଁଠି ସ୍ୱଳ୍ପ ମାତ୍ରାରେ ବି ହଉ ଅପହରଣ ମାଧ୍ୟମରେ ଏହି କାର୍ୟ୍ୟ ସମାପନ କରାଯାଉଅଛି । ଆଉ କିଛି ସ୍ଥାନରେ ଧାର୍ମିକ ଆଦେଶକୁ ଆଖି ଆଗରେ ରଖି ଜଣଙ୍କର ସତ୍ତ୍ୱ ପରିବର୍ତ୍ତନ କରି ନିଜସ୍ୱ ଚାଲିଚଳଣି ମାନିବାକୁ ବାଧ୍ୟ କରାଯାଉଛି ବିଭିନ୍ନ ଆକର୍ଷଣ ବଳରେ । ତେବେ ତଥାକଥିତ ଭଦ୍ର ସମାଜରେ  ଯେଉଁ କନ୍ୟା ଅଭାବ ଦେଖାଦିଏ, ସେୟା ଆଦିବାସୀଙ୍କ ସମାଜରେ ଜମା ଦେଖା ଦିଏନି । ତାହାର କାରଣ ଏବଂ ପରିସଂଖ୍ୟାନର ବ୍ୟାଖ୍ୟା ନେଇ ଆଜିର ଆଲେଖ୍ୟଟି ସମୃଦ୍ଧ ।

ସମାଜ ବିକାଶର ମୁଖ୍ୟ ପରିଚାୟକ ହେଉଛି ସେଠି ଅବସ୍ଥାନ କରୁଥିନା ନାରୀଙ୍କ ପଦମର୍ୟ୍ୟାଦା । ବିକଶିତ ରାଷ୍ଟ୍ର ସମୂହ ଅଣବିକଶିତ ରାଷ୍ଟ୍ର ଭଳି ଲିଙ୍ଗକୁ ନେଇ ପାତରଅନ୍ତର କରନ୍ତି ନାହିଁ । ପୁତ୍ର ଶିଶୁର ଚାହିଦା କନ୍ୟାଭ୍ରୁଣ ହତ୍ୟା ତଥା କନ୍ୟା ଶିଶୁ ହତ୍ୟା ଭଳି କୁପ୍ରଥା କିଛି ମନୁଷ୍ୟ ରୂପୀ ରାକ୍ଷସଙ୍କ ସ୍ୱଭାବତଃ କର୍ମ ଥିଲା । ଭାରତୀୟ ସରକାରଙ୍କ ଦୃଢ ଆଇନ ବଳରେ ସେୟା ପ୍ରୟତଃ ବନ୍ଦ ହେଇଛି କହିଲେ ଅତ୍ୟକ୍ତି ହେବ ନାହିଁ । କିନ୍ତୁ ଯେତେବେଳେ ଝିଅଟେ ଜନ୍ମ କଲେ ମାଆଟେ ଜୋର୍ ରେ ରଡ଼ି କରି କାନ୍ଦେ, ବାପଟେ ତା ପ୍ରଥମ ସନ୍ତାନ ଝିଅଟିଏ ହେଲା ବୋଲି ବାହୁନି ବାହୁନି କାନ୍ଦି ସମ୍ପର୍କୀୟଙ୍କୁ ଜଣାଏ, ସେହି ସମୟରେ ଚଟକଣିଟେ ବସେଇବାକୁ ମନ କୁହେ । ବୈଦିକ ଯୁଗରେ ନାରୀଙ୍କ ସମ୍ମାନ ବହୁତ ଥିଲା । କିନ୍ତୁ ଯବନ ଶାସନ ସମୟରେ ପରଦା ପ୍ରଥା ସହ ସେମାନଙ୍କ ଆଶା ଅଭିଳାସା ତଥା ଦୂରଦର୍ଶିତାରେ ବି ଓଢଣା ବସିଗଲା । ବର୍ତ୍ତମାନର ପୁରୁଷକୈନ୍ଦ୍ରିକ ସମାଜରେ ନାରୀଗଣ ପ୍ରତିକ୍ଷେତ୍ରରେ ନିଜର ଅଧିକାର ନିମନ୍ତେ ଲଢେଇ କରୁଛନ୍ତି ।

ପ୍ରଥମେ ଜାଣି ନେବା ଲିଙ୍ଗାନୁପାତ କ’ଣ । ଜନସଂଖ୍ୟାରେ ନାରୀ ପୁରୁଷ ଅନୁପାତକୁ ଏହା ଦର୍ଶାଏ । ପରିସଂଖ୍ୟାନ କହିଲେ ପ୍ରତି ଏକହଜାର ପୁରୁଷ ତୁଳନାରେ ମହିଳାଙ୍କ ସଂଖ୍ୟା । ପ୍ରତି ଦଶବର୍ଷରେ ଥରେ ଦେଶରେ ଜନଗଣନା ହୁଏ, ସେଥିରୁ ଆମେ ଜାଣିବାକୁ ପାଉ ଏହି ବିଷୟରେ । ଶେଷଥର ନିମନ୍ତେ ଜନଗଣନା କରାଯାଇଥିଲା  ୨୦୧୧ ମସିହାରେ । ଆଉ ତାହାର ବିଷ୍ଳେଷଣାନୁସାରେ ଭାରତରେ ଏହି ହାର ୯୪୩ ଥିବା ସ୍ଥଳେ ଓଡ଼ିଶାରେ ଏହା ୯୭୯ ଥିଲା । କିନ୍ତୁ ସମାନ ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲା ଯାହା ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରିକୁ ନେଇ ଗଠିତ ଏବଂ ଯାହାକୁ ଭାରତୀୟ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ସମନ୍ୱିତ ଅଞ୍ଚଳ ବୋଲି ଘୋଷଣା ହେଇଅଛି, ସେଥିରେ ଏହା ଚମତ୍କୃତ କଲାଭଳି ପରିସଂଖ୍ୟାନ ପ୍ରଦାନ କରିଥିଲା । ରାୟଗଡାରେ ୧୦୪୮, କୋରାପୁଟରେ ୧୦୩୧, ନବରଙ୍ଗପୁର ରେ ୧୦୧୮ ତଥା ମାଲକାନଗିରିରେ ଏହା ୧୦୧୬ । ପାଠକଙ୍କ ସୂଚନା ନିମନ୍ତେ କହିରଖେ, ସମନ୍ୱିତ ଅଞ୍ଚଳ ସେୟା ଯାହାର ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଜନଜାତି ବା ଆଦିବାସୀଙ୍କ ଦ୍ୱାରା ଚିହ୍ନିତ । ଯେଉଁମାନଙ୍କ ସଂସ୍କୃତିର ମୌଳିକ ବୈଶିଷ୍ଟ୍ୟ ସମୟଚକ୍ରରେ ଅକ୍ଷୁଣ୍ଣ ରହିଅଛି, ସେମାନଙ୍କୁ ସ୍ଥଳ ବିଶେଷରେ ଆଦିବାସୀ, ଜନଜାତି, ମୂଳନିବାସୀ, ବନବାସୀ ବା ଭାରତୀର ସମ୍ବିଧାନର ଶବ୍ଦ ଅନୂସୂଚିତ ଜନଜାତି କୁହାଯାଇଅଛି । ତେବେ ଆଦିବାସୀ ସମାଜରେ ଏହି ଲିଙ୍ଗାନୁପାତ ଅଧିକ ହେବାର କାରଣ ତଥା ବୈଶିଷ୍ଟ୍ୟମାନ ନିମ୍ନରେ ଆଲୋଚନା କରାଗଲା ।

ଆମର ତଥାକଥିବ ଭଦ୍ର ବା ସଭ୍ୟ ସମାଜରେ ଯୌତୁକ ପ୍ରଥା ଦେଖାଦିଏ । ଝିଅଙ୍କୁ କମେଣ୍ଟ ମରା, ନାରୀ ଦୁଷ୍କର୍ମ, ଅବହେଳା ତଥା ହୀନ ଆଚରଣ ମାନ ଦେଖାଦିଏ । କିଛି ଲୋକ କହନ୍ତି ସ୍ୱଳ୍ପ ବସ୍ତ୍ର ପିନ୍ଧୁଥିବାରୁ ସେୟା ହୁଏ, କିନ୍ତୁ  ତଥାକଥିବା ଆଦିମ ଅଧିବାସୀ ବଣ୍ତା ସମ୍ପ୍ରଦାୟରେ ମହିଳାଗଣ କେବଳ ରିଙ୍ଗା ନାମକ ଏକ ବସ୍ତ୍ର ଯାହା ଅଣ୍ଟା ଅଞ୍ଚଳରେ ଘୋଡ଼େ ପିନ୍ଧନ୍ତି, ସେଥିରେ ସେମାନଙ୍କ ମଧ୍ୟରେ କୌଣସି ସାମାଜିକ ବିଶୃଙ୍ଖଳା ଦେଖାଦିଏନି ! ସେମାନଙ୍କ କ’ଣ ଜୈବିକ ପିପାସା ନାହିଁ ? ନିଶ୍ଚିତ ଭାବେ ରହିଅଛି । କିନ୍ତୁ ଯତ୍ର ନାର୍ୟ୍ୟାସୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା ଆମେ ନାରୀ ସଶକ୍ତିକରଣର ଭାଷଣ ପ୍ରଦାନ କରୁଥିବା ସ୍ଥଳେ ଆଦିବାସୀ ସମାଜରେ ସେୟା ଦିନଚର୍ୟ୍ୟାରେ ବ୍ୟବହାର ହୁଏ । ସେମାନେ ମୂହୂର୍ତ୍ତର ମନୁଷ୍ୟ, ଭବିଷ୍ୟତ ନିମନ୍ତେ ସେମାନଙ୍କର ଜମା ଚିନ୍ତା ନଥାଏ । ଚାର୍ବାକଙ୍କ ଉକ୍ତି ସେଠି ଆମେ ଉପଲବ୍ଧି କରିପାରିବା, “ଯାବେତ୍ ଜୀବେତ୍ ସୁଖିଂ ଭବେତ୍ ,ଋଣଂକୃତ୍ୱା ଘୃତଂ ପିବେତ୍, ଭସ୍ମୀଭୂତସ୍ୟ ଦେହସ୍ୟ, ପୁନରା ଗମନ କୃତ ?”  ଆଜିକାଲି ସମାଜରେ ଝିଅଟିଏ ଜନ୍ମ ହେଲେ ବାପା ମାଆଙ୍କ ଚିନ୍ତା ବଢିଯାଏ । କିନ୍ତୁ ଆଦିବାସୀଙ୍କ ବିଶ୍ୱାସ ରହିଅଛି କନ୍ୟା ଜନ୍ମ ହେଲେ ଗୃହକୁ ଦେବତା ଆସନ୍ତି । ଘର ଧନଧାନ୍ୟରେ ପୁରି ଉଠେ ।  ଆଦିବାସୀ ସମାଜରେ ନାରୀର ସ୍ଥାନ ଖୁବ୍ ଉଚ୍ଚରେ ।  ଦୈନନ୍ଦିନ ଜୀବନରେ ଗୃହକାର୍ଯ୍ୟଠୁ ଆରମ୍ଭ କରି  କୃଷିକାର୍ଯ୍ୟ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକଳାପରେ ନାରୀ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।  ପୁରୁଷଙ୍କ ତୁଳନାରେ ଆଦିବାସୀ ସମାଜରେ ନାରୀଗଣ ହିଁ କୃଷି କ୍ଷେତ୍ରରେ ଧାନ ରୁଆ, ଘାସ ବଛା ଏପରିକି ବଳଦ ଧରି ହଳ ମଧ୍ୟ କରନ୍ତି । ଯାହାଙ୍କ ଘରେ ଅଧିକ ମହିଳା ଥାନ୍ତି ସେମାନଙ୍କ କୃଷିକାର୍ଯ୍ୟ ସହଜରେ ସମ୍ପାଦିତ ହୁଏ, ଯାହା ସେମାନଙ୍କ ମେରୁଦଣ୍ତ । ଯେଉଁ ସମୟରେ ପୁରୁଷମାନେ ମଦ ପିଇ ମାତାଲ ହେଇ ବୁଲନ୍ତି ସେହି ସମୟରେ ମହିଳାଗଣ ଜଙ୍ଗଲରୁ ଫଳ, କନ୍ଦା, କୋଳି, ଛତୁ, ଝୁଣା, ଶାଗ ତଥା ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସଂଗ୍ରହ କରି ସହରରେ ବିକ୍ରି କରିବାକୁ ନେଇ ଅର୍ଥନୈତିକ ଉନ୍ନତି କରାନ୍ତି । ପତି ନିର୍ବାଚନରେ ମଧ୍ୟ ସେମାନଙ୍କୁ ସ୍ୱତନ୍ତ୍ରତା ଦିଆଯାଏ । କିନ୍ତୁ ଆମେ ଯୌତୁକ ଦାବି କରୁଥିବା ସ୍ଥଳେ ତାହାର ବିଲୋମ କନ୍ୟାସୁନା ବା ଝୋଲାଟଙ୍କା ବର ଘର ତରଫରୁ କନ୍ୟାପିତାଙ୍କୁ ଦେବାକୁ ହୁଏ ।

ସେଥିରେ ସାଧାରଣତଃ ଅର୍ଥ, ପଶୁ ସମ୍ପଦ, ବସ୍ତ୍ର ତଥା ମଦ୍ୟ ଏବଂ ଭୋଜି ପ୍ରଦାନ କରାଯାଏ । ସମାଗ୍ରିକ ଭାବେ ଝିଅଟେ ଆଦିବାସୀଙ୍କ ନିମନ୍ତେ ଭଗବାନଙ୍କ ଉପହାର ଯାହା ସେମାନଙ୍କ ମଧ୍ୟରେ ଲିଙ୍ଗାନୁପାତକୁ ନାରୀ ସପକ୍ଷରେ ନେଇଛି । ତେବେ ହୃଦୟରେ ଥିବା ସମସ୍ତ କୁପ୍ରଥା ତଥା କୁସଂସ୍କାରକୁ ପୋତି ଦେଇ ଆସନ୍ତୁ ସ୍ୱାଧୀନତାର ଅମୃତ ମହୋତ୍ସବରେ ଏହି ଶପଥ ନେବା ଯେ ନାରୀଙ୍କୁ ସମ୍ମାନ ଦେଇ ଦେଶର ବିକାଶ କରେଇବା । ଏହି ସବୁ କଥାକୁ ପଛରେ ଥୋଇ ଦେଲେ ମଧ୍ୟ ଗୋଟିଏ ବିଷୟ ସମସ୍ତେ ବିଶ୍ୱ ସମୁଦାୟର ଅଭିଜ୍ଞତା ତଥା ପରିସଂଖ୍ୟାନରୁ ଜାଣିପାରିବା, ଯେଉଁ ସ୍ଥାନ ମାନଙ୍କରେ ଲିଙ୍ଗାନୁପାତ ନାରୀ ସପକ୍ଷରେ ସେହି ସ୍ଥାନ ମାନଙ୍କରେ ମୁଣ୍ତପିଛା ଆୟ ଅଧିକ । ବିଚାର ଆପଣମାନଙ୍କର ! ବନ୍ଦେ ଉତ୍କଳ ଜନନୀ !!

ପାରାବେଡ଼ା, ଜୟପୁର, ମୋ – ୯୦୭୮୮୩୮୬୨୭

ଲେଖକ ପରିଚୟ

ନବମ ଶ୍ରେଣୀ ପଢିଲା ସମୟରେ କବିତାରୁ ନିଜର ସାରସ୍ୱତ ଯାତ୍ରା ପ୍ରାରମ୍ଭ କରିଥିଲେ । ଅର୍ଥଶାସ୍ତ୍ର, ଲୋକ ପ୍ରଶାସନ, ସମାଜ ଶାସ୍ତ୍ର, ସାମ୍ବାଦିକତା ଏବଂ ଗଣଯୋଗାଯୋଗରେ ସ୍ନାତକୋତ୍ତର ହାସଲ କରିଥିବା ଶ୍ରୀ ତ୍ରିପାଠୀ ଆଦିବାସୀ ଅଧ୍ୟୟନରେ ବିଦ୍ୟାନିଶାନ୍ତ ହାସଲ କରିଅଛନ୍ତି । ସାମ୍ପ୍ରତିକ ବିଷୟକୁ ନେଇ ରାଜ୍ୟର ବିଭିନ୍ନ ଖବରକାଗଜରେ ସ୍ତମ୍ଭ, ଗଳ୍ପ ତଥା କବିତାମାନ ଲେଖନ୍ତି । ଓଡ଼ିଆ ଏବଂ ଇଂରାଜୀ ମିଶାଇ ୩ ଟି ପୁସ୍ତକ ପ୍ରକାଶିତ ହୋଇ ସାରିଥିବାବେଳେ ନିକଟରେ ତାଙ୍କର ଆଉଏକ ପୁସ୍ତକ “ସ୍ମୃତି ଓ ବିସ୍ମୃତି” ପ୍ରକାଶିତ ହୋଇଯାଇଛି ।

Related Posts

Leave a Reply

Your email address will not be published. Required fields are marked *