ଓଡ଼ିଆ ଉପନ୍ୟାସ ଲେଖନୀକୁ ନୂଆ ଦିଗ ଦେଇଥିଲେ ଗଣେଶ୍ଵର ମିଶ୍ର

ଭୁବନେଶ୍ୱର : ଲେଖକ ଗଣେଶ୍ଵର ମିଶ୍ରଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ବୁଧବାର ଜୟ ଭାରତ ସେଣ୍ଟରରେ ସତୀର୍ଥ ପକ୍ଷରୁ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡ. ହୃଷୀକେଶ ମଲ୍ଲିକ ଯୋଗଦେଇ କହିଥିଲେ, ଗଣେଶ୍ଵର ମିଶ୍ର ଯଦିଓ ଇଂରାଜୀ ସାହିତ୍ୟ ପଢାଉଥିଲେ ତଥାପି ସେ ଓଡ଼ିଆ ସାହିତ୍ୟର ଗଭୀରକୁ ଯାଇଥିଲେ । ଓଡ଼ିଆ ସାହିତ୍ୟକୁ ଭଲ ଭାବେ ବୁଝିଥିଲେ । ଫକୀରମୋହନ ସେନାପତି ଓ ଗୋପୀନାଥ ମହାନ୍ତିଙ୍କ ପରେ ଗଣେଶ୍ଵର ମିଶ୍ର ଓଡ଼ିଆ ଉପନ୍ୟାସ ଲେଖନୀକୁ ନୂଆ ଦିଗ ଦେଇଥିଲେ ।

ଆୟୋଜିତ ଗଣେଶ୍ଵର ମିଶ୍ର ସ୍ମାରକୀ ବକ୍ତୃତାରେ ‘ସାହିତ୍ୟ ଓ ସାମ୍ବାଦିକତା’ ଶୀର୍ଷକରେ ଅତିଥି ଭାବେ ଅନୁବାଦକ ଓ ଗବେଷକ ଅସିତ ମହାନ୍ତି ଯୋଗ ଦେଇ କହିଥିଲେ, ସ୍ଵର୍ଗତ ମିଶ୍ରଙ୍କ ଲେଖନୀରେ ସାହିତ୍ୟ ଓ ସାମ୍ବାଦିକତାର ମିଶ୍ରଣ ଥିଲା । ସାମ୍ବାଦିକତା ଚକ୍ଷୁରେ ସେ ଯାହା ଅବଲୋକନ କରୁଥିଲେ ତାହା ତାଙ୍କ ଲେଖାରେ ପ୍ରତିଫଳିତ ହେଉଥିଲା । ତାଙ୍କ ସହିତ ଦୀର୍ଘ ବର୍ଷର ସମ୍ପର୍କକୁ ନେଇ ଅନୁବାଦକ ସୁଭାଷ ଶତପଥୀ କହିଥିଲେ, ମିଶ୍ରଙ୍କ କଥା ବହୁ ଛାତ୍ରଛାତ୍ରୀଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିଛି । ସେହିଭଳି ପ୍ରଫେସର ଯତୀନ୍ଦ୍ର କୁମାର ନାୟକ କହିଥିଲେ, ମିଶ୍ର ଡକ୍ୟୁମେଣ୍ଟସନରେ ବିଶ୍ଵାସ କରୁଥିଲେ ଏବଂ ଏଥିପ୍ରତି ଅନ୍ୟମାନଙ୍କୁ ଅନୁପ୍ରାଣିତ କରୁଥିଲେ । କଥାକାର ବିରାଜ ମୋହନ ଦାସ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *