ସ୍ଵାଧୀନତା ସଂଗ୍ରାମକୁ ଓଡ଼ିଶା ସାହିତ୍ୟର ଯଥେଷ୍ଟ ଅବଦାନ ଥିଲା

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଗୁରୁବାର ‘ସ୍ଵାଧୀନତା ସଂଗ୍ରାମକୁ ଓଡ଼ିଶା ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନାଚକ୍ର ଆରମ୍ଭ ହୋଇଯାଇଛି । ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଏହାକୁ ଉଦଘାଟନ କରି କହିଲେ, ସେତେବେଳେ ଓଡ଼ିଶାରେ ଆଜି ପରି ସାକ୍ଷରତା ନଥିବାରୁ ଜାତୀୟ କବି ବୀରକିଶୋର ଦାସଙ୍କ କବିତାକୁ ଲୋକେ ହାରମୋନିୟମ ଧରି ଗାଉଥିଲେ ।

ସମ୍ମାନିତ ଅତିଥି ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବୀନତା ରଥ ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ ଓଡ଼ିଆ ସାହିତ୍ୟର ଯଥେଷ୍ଟ ଅବଦାନ ଥିବା କହିବା ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ସାହିତ୍ୟ ଏକାଡ଼େମୀ ସଚିବ ଡ. କେ. ଶ୍ରୀନିବାସ ରାଓ ଓଡ଼ିଶାରେ ନାରୀ ଲେଖକ ଓ ସ୍ଵାଧୀନତା ସଂଗ୍ରାମୀଙ୍କ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଆବାହକ ଡ. ଗୌରହରି ଦାସ କହିଲେ, ସାହିତ୍ୟ ଚିରକାଳ ସଂଗ୍ରାମର ବାର୍ତ୍ତାବହ ଓ ପରିବର୍ତ୍ତନର ଭାଷ୍ୟକାର ଭାବେ ଭୂମିକା ନିର୍ବାହ କରିଆସିଛି । ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସଂଯୋଜକ ଡ. ରାମେଶଚନ୍ଦ୍ର ମଲ୍ଲିକ ମୁଖ୍ୟବକ୍ତା ଭାବେ ବକ୍ତବ୍ୟ ରଖିଥିଲେ । ଡ. ନିବେଦିତା ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଶ୍ଵବିଦ୍ୟାଳୟ କୁଳସଚିବ କାହ୍ନୁଚରଣ ଧୀର ଧନ୍ୟବାଦ ଅର୍ପଣ କରିଥିଲେ । କୃଷ୍ଣଚନ୍ଦ୍ର ପ୍ରଧାନ, ଶୁକମୁନି ବେହରେ ଓ ଲୋହିତାକ୍ଷ ଯୋଶୀ ପ୍ରବନ୍ଧ ପାଠ କରିଥିଲେ । ଦୁଇ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଆଲୋଚନାଚକ୍ରରେ ଓଡ଼ିଆ ଗୀତ, କବିତା, ନାଟକ, ଗଳ୍ପ, ପ୍ରବନ୍ଧ ଓ ପତ୍ରପତ୍ରିକା ଆଦି ଆଲୋଚନା କରାଯିବ ବୋଲି ସୂଚନା ଦିଆଯାଇଛି ।

Related Posts

Leave a Reply

Your email address will not be published. Required fields are marked *