ବିଭୁଦତ୍ତ ଦାସ

ମୁଁ ଦୁହିତା, ଦୁର୍ଗା, ଲକ୍ଷ୍ମୀ, ଦ୍ରୌପଦୀ, ସୀତା
ପଦବୀ ଛଳେ ଲୁଚାଏ ମୋ ମନର ବ୍ୟଥା ।
ଛାତି ତଳେ ଚାପି ରଖେ କେତେ ଅକୁହା କଥା
ମହିୟସୀ ବୋଲି ମିଛ ଉପାଧିରେ ମୁଁ ଭୂଷିତା ।

ଝିଅପିଲା ତୁ ! କାହିଁକି କହୁଛୁ ଏତେ ଗୁଡ଼ିଏ କଥା ?
ଲାଜରେ ନଇଁକି ରହିବୁ ଆଉ ଓଢ଼ଣୀ ତଳେ ମଥା !
ଅଜଣା ଅଚିହ୍ନା ଲୋକଙ୍କ ସହ କ’ଣ ମ ଏତେ ମିଳାମିଶା ?
ହେଲେ ଅଚିହ୍ନା ଲୋକକୁ ବରଣ କରିବି ଏହା ହିଁ ପ୍ରଥା !

ଜାମାପଟା ମୋର ଦେଖି କେତେ ଯେ ଟାହିଟାପରା
ହେଲେ ନିଜ ଚିନ୍ତାଧାରା ଦେଖ ଏଇଠି ଭଙ୍ଗା ଖପରା ।
କିନ୍ତୁ ସଂସ୍କାରର ବସ୍ତ୍ରରେ ନରହି ଢାଙ୍କି ହୋଇ ରହିବ !
ସବୁବେଳେ ନିଜର ମାନ ମାରି ଅନ୍ୟର ମନ ନେଇ ଚଳୁଥିବ ।

ଭାଇ ଭାତ ଖାଉ, ମୋ ପାଠପଢ଼ା ସେତିକି ଥାଉ ।
ସ୍ଵପ୍ନ ବନ୍ଧା ପଡ଼େ ବେଦିରେ ହାତ ଗଣ୍ଠି ସାଙ୍ଗରେ ।
ମନ ଆଉ ପ୍ରେମ କଥା ମୋର କିଏ ବା ପଚାରେ ?
ଛାଡ଼ି ଆସେ ସବୁ ଆଶା, ଅଭିଳାଷା ମୋର ବାପ ଘରେ ।

ବିଭାଘରେ ମୋର କଣ ଅଛି ମହତ୍ତ୍ଵ ମୁଁ ଜାଣେନା !
ଯୌତୁକ ନହେଲେ ଝିଅର ବିଭାଘର ହୁଏନା ।
ମରିଯାଏନି ସ୍ତ୍ରୀ ସ୍ଵାମୀଠାରୁ ଗୁଡ଼ାଏ ମାଡ଼ ଖାଇଲେ
କି ଦି ଦିନ ଓପାସ୍ ରେ କାଟି ତୋରାଣି ପିଇ ରହିଲେ ।

ସମ୍ମାନ ଛାଡ଼ ନାରୀକୁ ଅଧିକାର ମିଳିଯାଉ ସେତିକି ଯଥେଷ୍ଟ
ଜାଣି ସବୁ ଅଜଣା ଏଇଠି, ଦେଖାଯାଉଥିଲେ ବି ପୁରା ସ୍ପଷ୍ଟ ।
XX କ୍ରୋମ୍ମୋଜୋମ୍ ନାରୀ ପାଖେ ଆଉ XY ରଖେ ପୁରୁଷ
ତଥାପି ଯଦି ଝିଅ ଜନ୍ମ ହୁଏ ତାହେଲେ ନାରୀର ହିଁ ସବୁଦୋଷ !

ବିଭାଘର ପାଇଁ ଝିଅ ନମିଳଇ ଖୋଜା ହୁଏ ଚତୁର୍ଦ୍ଦିଶ
ହେଲେ ଝିଅ ଜନ୍ମକୁ ନେଇକି ସମାଜ କରେ ଅବଶୋଷ ।
ଝିଅ ଜନମ ତ ପର ଘରକୁ ଲୋ, ସମାଜର ଏହି ରୀତି
ଝିଅ ଗଢେ ନୂତନ ପିଢ଼ିକୁ ଲୋ ଲେଖିଛି ଯାହା ପ୍ରକୃତି ।

ଜନ୍ମ ପୂର୍ବରୁ ଗର୍ଭରେ ଖାଏ ସନ୍ତାନର ଗୋଇଠା
ବୃଦ୍ଧ କାଳରେ ସହିକି ରହେ ତାରି ଗାଳି, କଟୁ କଥା ।
ନୟନୁ ମୋର ଝରୁଥାଏ ଧାରଧାର ଅଶ୍ରୁ ଧାର
ମହିୟସୀ ପରା ମୁହିଁ ସହନଶୀଳତା ଧରମ ମୋହର !!

ଇଚ୍ଛା ହୁଏ ଖୋଲିବି ଏଇ ଈଶ୍ଵରୀ ରୂପ ହାତର ହାତକଡ଼ି
ଛାଡ଼ି ଦେବୀ ହବାର ମୋହ ଦେବିନି ଆଉ ସ୍ୱପ୍ନର ବଳି
ନଡରି ସମାଜକୁ, ନଡରି ଦାଗକୁ ଜିଇଁବି ନିଜ ଭଳି ।
ମୁକ୍ତାକାଶେ ଉଡ଼ିଯିବି ଡେଣା ମେଲି ନିର୍ଡର ବିହଙ୍ଗ ଭଳି ।

ସବୁଥର ଚୁପ୍ ରହେ କାରଣ ମୁଁ ଦୁହିତା ଦୁର୍ଗା,ଲକ୍ଷ୍ମୀ, ଦ୍ରୌପଦୀ, ସୀତା
ସମ୍ମାନେ ଗ୍ରହଣ କରେ ସବୁ, ବଳିପକାଏ ମୁଁ ମୋର ସ୍ଵାଧୀନତା ।
ପରିବାର ସୁଖ, ଶାନ୍ତି , ସମୃଦ୍ଧି ପାଇଁ ସବୁ କରିବି ଯାହା ମୋ କର୍ତ୍ତବ୍ୟ
କାଳୀ ରୂପେ ଧରାରେ ଉଭା ହେବି ଯଦି ସ୍ୱାଭିମାନେ ଆଙ୍ଗୁଳି ଉଠିବ ।

ବସନ୍ତ ବିହାର, ବୁର୍ଲା, ସମ୍ବଲପୁର, ମୋ – ୮୪୫୬୯୨୩୭୨୩

ଲେଖକ ପରିଚୟ

ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ସହିତ କଳା ଓ ସାହିତ୍ୟ ପ୍ରତି ମୋର ଅଗାଧ ପ୍ରେମ । ଇଞ୍ଜନିୟରିଂ ପାଠ ପଢିଲାବେଳେ ଲେଖାଲେଖି ଆରମ୍ଭ କରିଥିଲି । ପ୍ରିୟ ବାନ୍ଧବୀ ଓ ବାନ୍ଧବୀଙ୍କ ଲେଖିକା ମାଆଙ୍କ ଠାରୁ ପ୍ରଥମେ ପ୍ରେରଣା ପାଇଲା ପରେ ସ୍ନାତୋତ୍ତର ପଢିଲାବେଳେ ସାହିତ୍ୟ ପ୍ରତି ପ୍ରେମ ଦ୍ଵିଗୁଣିତ ହେଲା । ଅନେକ ପତ୍ରପତ୍ରିକାରେ ଲେଖା ପ୍ରକାଶିତ ହେବାରେ ଲାଗିଲା । ନୃତ୍ୟ ଆଉ ପାଠପଢ଼ାରୁ ସମୟ ପାଇଲେ ଭାବନା ସବୁକୁ ଶବ୍ଦର ରୂପ ଦେବାକୁ ଭଲପାଏ ।

Related Posts

One thought on “ମନର ବ୍ୟଥା

Leave a Reply

Your email address will not be published. Required fields are marked *