ବିଭୁଦତ୍ତ ଦାସ
ମୁଁ ଦୁହିତା ଦୁଇ କୂଳକୁ ହିତା
ନହେଲେ ଦୁଇ କୂଳକୁ ପିତା ।
କହନ୍ତି ପରା ମୁଁ ଭଗିନୀ, ମୁଁ ଜନନୀ, ମୁଁ ଗରୀୟସି
ଏଠି ମତେ ମିଳିଲା ପଦବୀ ମୁଁ ହେଲି ମହିୟସୀ ।
ତାପରେ କିଏ ପଚାରେ, ବୋଝ ଲଦାହୁଏ ପରିବାରର
ଏଠୁ ଆରମ୍ଭ, ମୁଁ ଦିଏ ଆହୁତି ମୋ ସ୍ଵପ୍ନ ତଥା ଦରକାରର ।
କିଏ ବା ବୁଝିଛି ବ୍ୟଥା ସେ ଝାଡ଼ିବା ଫୁଲର
ଫୁଟି ମହକି ବାସ ଚହଟାଇବା ଇଛା ଥିଲା ଯାହାର !
ଲୋଡ଼ା ନାହିଁ ସ୍ଵର୍ଗ କି ପଦବୀ ସମ୍ରାଜ୍ଞିର
ଆଶା କରେ ଖାଲି ଟିକିଏ ସମ୍ମାନର ।
ସ୍ୱାଭିମାନର ଲଢ଼େଇ କେବେଠାରୁ ଚାଲିଆସିଛି
ନିଜକୁ ପାଇବାକୁ ଜଳାଞ୍ଜଳି ମୁଁ ମୋ ସ୍ୱାର୍ଥର ଦେଇଛି ।
ସବୁ କିଛିକୁ ସହି ଆଗକୁ ବଢ଼ିଚାଲିଛି
ମହିୟସୀ ପରା ମୁଁ ସବୁ ସହିବା ମୋ ଧର୍ମ ପାଲଟିଛି ।
ମୁଁ ମହାନ ବୋଲି ଶୁଣି ସେ ମିଛବାକ୍ୟ ସବୁର
ମୁଁ ପାରାବାର ଭାଙ୍ଗେ ମୋ ଖୁସି ଓ ଆନନ୍ଦର ।
ଥରେ ଖାଲି ଖୋଲି ଦେଖ ଦରଜା ମୋ ହୃଦୟର
ଥରେ ଦେଖି ଅସହାୟତା ମୋ ଅଶ୍ରୁଭରା ନାୟନର ।
ଅଶ୍ରୁର ଧାରରେ ସବୁ ବହିଚାଲିଛି
ମୁଁ କନ୍ୟା ରତ୍ନ ବୋଲି ଖାଲି ଆଶ୍ୱାସନା ପାଇଛି ।
ଭଗିନୀ ହୋଇ ଭାଗ ଭାଇକି ଦେଇଛି ।
ଜନନୀ ହୋଇ ଅନ୍ନ ଦେଇ ପ୍ରସନ୍ନ ହୋଇଛି ।
ପତ୍ନୀ ସାଜି ପ୍ରେମ ଦେଇ ସ୍ଵପ୍ନ ମୁଁ ହାରିଛି ।
ତମେ ଦେଇଥିବା ପଦବୀରେ ଅଟଳ ରହିଛି ।
ବେଳେବେଳେ ଇଚ୍ଛାହୁଏ ଭଙ୍ଗିବି ଶିକୁଳି
ଭୁଲି ସବୁକିଛି ଜିଁଇବି ନିଜ ଭଳି !
ହେଲେ ସବୁ କଥା ମନରେ ରଖି ଆସିଛି
ସବୁ ସ୍ଵପ୍ନ ଓ ଆଶାକୁ ଘୋଡ଼େଇ ଦେଇଛି ।
ସେମିତି ବଞ୍ଚିଚାଲିଛି ଯେମିତି ତମର ଇଛା
କିଏ ବା ବୁଝିଛି ସେ ଝାଡ଼ିବା ଫୁଲର ବ୍ୟଥା
ଫୁଟି ମହକି ଝଡ଼ିବା ଥିଲା ଯାର ଇଛା ।
ମୁଁ ଦୁହିତା ଦୁଇ କୂଳକୁ ହିତା
ନହେଲେ ଦୁଇ କୂଳକୁ ପିତା ।
ହେଲେ ମୁଁ ନୁହେଁ ସେ ପିତା ଯାହା ଦିଏ ବ୍ୟଥା
ମୁଁ ତ ପିତା ହେଲେ ବି ହବାକୁ ଚାହେଁ ସମାଜ ପାଇଁ ହିତା
ମୁଁ ପରା ଦୁହିତା ।
ବସନ୍ତ ବିହାର, ବୁର୍ଲା, ସମ୍ବଲପୁର, ମୋ – ୮୪୫୬୯୨୩୭୨୩
ଲେଖକ ପରିଚୟ
ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ କଳା ଓ ସାହିତ୍ୟ ପ୍ରତି ଅଗାଧ ପ୍ରେମ । ଇଞ୍ଜନିୟରିଂ ପାଠ ପଢିଲାବେଳେ ଲେଖାଲେଖି ଆରମ୍ଭ କରିଥିଲି । ପ୍ରିୟ ବାନ୍ଧବୀ ଓ ବାନ୍ଧବୀଙ୍କ ଲେଖିକା ମା’ଠୁ ପ୍ରଥମେ ପ୍ରେରଣା ପାଇଲା ପରେ ସ୍ନାତୋତ୍ତର ପଢିଲାବେଳେ ସାହିତ୍ୟ ପ୍ରତି ପ୍ରେମ ଦ୍ଵିଗୁଣିତ ହେଲା । ଅନେକ ପତ୍ରପତ୍ରିକାରେ ଲେଖା ପ୍ରକାଶିତ ହେବାରେ ଲାଗିଲା । ନୃତ୍ୟ ଆଉ ପାଠପଢ଼ାରୁ ସମୟ ପାଇଲେ ଭାବନା ସବୁକୁ ଶବ୍ଦର ରୂପ ଦେବାକୁ ଭଲପାଏ ।