ବାଳି ଉପାଖ୍ୟାନ !!

ପତିତପାବନ ପାଣି

ଟାଇଁ ଟାଇଁ ଖରାବେଳ, ମନହେଲା କିଛି ଥଣ୍ଡାପାନୀୟର ବ୍ୟବସ୍ଥା ଯଦି ହେଇପାରନ୍ତା ତାହେଲେ ଆତ୍ମା ଟିକେ ତୃପ୍ତି ଲାଭ କରନ୍ତା । ଆଜ୍ଞା ହଁ, ମୋ ପୈତୃକ ଗ୍ରାମର ନାଁ ହେଉଛି ଓଲଟୁଙ୍ଗା । କିନ୍ତୁ ଯେତେବେଳେ ଇଂଜିନିୟରିଂ କରୁଥିଲି କେହି ପଚାରିଲେ ଲଜ୍ଜାକୁ ଏଡ଼ାଇବା ପାଇଁ ଚୁନିଦା କହିଦିଏ । ସେଥିପାଇଁ ଯଦିଓ ପରମୁହୂର୍ତ୍ତରେ ମୁଁ ନିଜକୁ ଧିକାର ବି କରିଛି । ଏବେ କିନ୍ତୁ ପାଖାପାଖି ପଚିଶି ବର୍ଷ ହବ ଆମେ ସହରିଆ ହେଇଯାଇଛୁ । କେହି ପଚାରିଲେ ମୁଁ ଗର୍ବରେ କୁହେ ଭଦ୍ରକ ସହରରେ ଆମ ଘର । ଛାଡ଼ନ୍ତୁ ସେ କଥା । ଗାଁ ପ୍ରତି କିନ୍ତୁ କେଜାଣି କାହିଁକି ମୋର ଥିଲା ଅହେତୁକ ଦୁର୍ବଳତା । ଛୋଟବେଳର ଅନେକ ସ୍ମୃତି ସେ ଗାଁରେ । ଆଜି ବାଳି ଉପାଖ୍ୟାନ ବି ସେଇ ଗାଁ କଥାକୁ ନେଇ । ହଁ, ମୁଁ ରାମାୟଣର ବାଳି କଥା କହୁନାହିଁ ଆଜ୍ଞା, ମୁଁ କହୁଚି ଆଇସକ୍ରିମ ବିକାଳି ବାଳି କଥା ।

ଗଲା କିଛିବର୍ଷ ହେଲା ପ୍ରକୃତି ଯେମିତି ଦାଉ ସାଧିଛି ଏ ମଣିଷ ସମାଜ ଉପରେ । ଚିଡ଼ିଆଖାନାର ପଶୁ ଭଳି ବର୍ଷବର୍ଷ ବନ୍ଦ ରହିଲେ ଆମେ ଘର ଭିତରେ । ଆଉ ଏବେ ଟିକେ ସେଥିରୁ ମୁକ୍ତି ମିଳିଲା କି ନାହିଁ ଯେ ଏ ଖରା !! ଆଃ ! ସତେକି ଜୀବନଟା ବାହାରିଯିବ । ଏ ସଫ୍ଟୱାର ଚାକିରି ଆଉ ଏ ମିଟିଂ … ବିରକ୍ତିକର ଲାଗିଲାଣି ସବୁ.. ! ମିଟିଂରୁ ଅନ୍ୟମନସ୍କ ହୋଇ ମୁଁ ଅନେଇଥାଏ ଦିଦିଙ୍କ ଘର ସାମ୍ନାରେ ଥିବା ନଡ଼ିଆ ଗଛଗୁଡ଼ାକୁ । ଠିକ ଛ ଫୁଟ ଦୂରତାରେ ଯେମିତି ମହାମାରୀରେ ଆମମାନଙ୍କ ଦୂରତ୍ୱ ଛ ଫୁଟ ହେଇଯାଇଛି । ଏମିତି ଅନ୍ୟମନସ୍କତା ଭିତରେ ଇଛାହେଲା କେହିଜଣେ ଆଇସକ୍ରିମଟିଏ ଦିଅନ୍ତାନି ! ଆଇସକ୍ରିମ ହେଉଛି ମୋର ଦୁର୍ବଳତା, ସମ୍ଭାଳି ପାରେନି ନିଜକୁ । ଆଉ ଆଇସକ୍ରିମ କଥା ଆସିଲେ ମୋତେ ମନେପଡ଼େ ବାଳି କାକା । ଗାଁ ଶେଷମୁଣ୍ଡ ବରଗଛ ତଳେ ତାର ଚାଳି ଦୋକାନ, ନଡ଼ିଆ ଆଇସକ୍ରିମ ଆଉ ରଙ୍ଗବେରଙ୍ଗି ରସ୍ନା ବିକେ ସେ । ମଳିଛିଆ ପଟା ଖଣ୍ଡେ ପିଟା ହେଇ ଦିଖଣ୍ଡ ବାଉଁଶ ଉପରେ ଗୋଟେ ଲଙ୍ଗ ବେଞ୍ଚଟେ ବାଗେଇଦେଇଛି ସେ ନିଜ ହାତରେ । ଚାଳିରେ ଓଳା ହେଇଥିବା ମର୍ଫି ରେଡ଼ିଓଟା ସବୁବେଳେ ବାଜୁଥିବ ଆଉ ଖୋକା ଭାଇଙ୍କ ଗୀତ କିଛି ଅନତି ଦୂର ଯାଏଁ ଶୁଣା ଯାଉଥିବ । ମା ସହ ଜିଦି କରେ ସବୁଦିନ ଉପରବେଳା ଆଇସକ୍ରିମ ଖାଇବା ପାଇଁ । ଦି ଚଟକଣା ଦେଲେ ବି ବାପା ତାଙ୍କ ସାଇକଲରେ ବସେଇ ନେଇଯାନ୍ତି ବଜାରକୁ । ମୁଁ ବାପାଙ୍କୁ କୁହେ, ବାଳି କାକା ଦୋକାନକୁ ଯିବା ପାଇଁ । ହେଲେ ସେ କୁହନ୍ତି, ତା ଆଇସକ୍ରିମରୁ କାଳେ କିରୋସିନ ପକେଇକି ଦେଖିଲେ ପୋକ ବାହାରେ । ସେଥିପାଇଁ ବାପା ମୋତେ ବଜାରରେ ନେଇ କପ ଆଇସକ୍ରିମ ଖୁଆଇ ଦିଅନ୍ତି । ବାଳି କାକା ଦୋକାନରୁ ଆଇସକ୍ରିମ ଖାଇବାର ଅଦମ୍ୟ ଇଛା ମୋର ସ୍ଵପ୍ନରେ ହିଁ ରହି ଯାଇଥିଲା ।  

ପଞ୍ଚମ ଶ୍ରେଣୀରେ ଥାଏ ସେତେବେଳେ । ଖରାଛୁଟି ହେଇଥାଏ । ବାପା ଘରେ ନଥାନ୍ତି । ପଚିଶି ପଇସାଟେ ମା ପାଖରୁ ନେଇ ଲୁଚିଲୁଚି ଚାଲିଲି ବାଳି କାକା ଦୋକାନ ଆଡ଼େ । ବସିପଡ଼ିଲି ଯାଇ ତାର ସେ ବାଉଁଶ ଓ କାଠପଟାର ବେଞ୍ଚ ଉପରେ । ହସିଦେଲା ମୋତେ ଅନେଇ, କହିଲା – “ବାବୁ କଣ ଆଇସକ୍ରିମ ଖାଇବ ।“ ମୁଣ୍ଡ ଟୁଙ୍ଗାରି ହଁ କଲି, ପଚାରିଲା – “ନଡ଼ିଆ ନା କମଳା ଆଇସକ୍ରିମ !!” ନଡ଼ିଆ ବାଲା ଦବ । ତା ପାଖରୁ ନଡ଼ିଆ ଆଇସକ୍ରିମ ଖାଇବାର ଅଦମ୍ୟ ଇଛାକୁ ଗୋଟେ ନିଶ୍ୱାସରେ ପ୍ରକାଶ କରିଗଲି । ହାତକୁ ବଢ଼େଇଦେଲା ଧଳା ବରଫ ଉପରେ ନଡ଼ିଆ ଚାଦର ପଡ଼ିଥିବା ଆଇସକ୍ରିମଟେ । ସ୍ମିତହାସ୍ୟଟେ ବାହାରିଗଲା ଆଉ ତାକୁ ବାଳି କାକା ଠିକ ଅନୁଭବ କରି ପାରୁଥିଲା । ଖାଇସାରି ପଇସା ଯାଚିଲି, କହିଲା – “ବାବୁ ଆଜି ପ୍ରଥମଥର ଆସିଚ, ଏ ଆଇସକ୍ରିମଟା ମୋ ତରଫରୁ ।“ ସେଇତ, ଗାଁ ଲୋକଙ୍କ ଏ ନିଷ୍କପଟ ଭାବରେ ହିଁ ତ ପ୍ରେମ ଆଉ ଅତ୍ମୀୟତା ଥାଏ ! ବାହାରି ଆସିଲି ତା ଦୋକାନରୁ । ଚାଲିଲି ଘର ଅଭିମୁଖେ । ତାର ବାବୁ ଡାକ ଆଉ ଅନେକ ଦିନର ଆଇସକ୍ରିମ ଖାଇବାର ଆଶାପୂରଣ ମୋ ଚାଲିବାର ଦର୍ପ ଠିକ କହିଦେଉଥାଏ । ୟା ଭିତରେ ବୁଢୀମା କାନିରୁ ପଇସା ଚୋରି କରି କେତେଥର ଯେ ମୁଁ ବାଳି କାକା ପାଖରୁ ଆଇସକ୍ରିମ ଖାଇଛି ତାର ହିସାବ ନଥିଲା । ବାପା ବି ଭାବୁଥିଲେ ପିଲାଟା ସୁଧୁରିଗଲାଣି ଆଉ ଜିଦି କରୁନି ଆଇସକ୍ରିମ ପାଇଁ ।  

ପ୍ରତିବର୍ଷ ଖରାଛୁଟିରେ ମୁଁ କୋରାପୁଟରୁ ଯେତେବେଳେ ଗାଁକୁ ଯାଏ, ସେତେବେଳେ ନିଶ୍ଚିତ ବାଳି କାକା ଦୋକାନକୁ ଯାଏ ଆଇସକ୍ରିମ ଖାଇବା ପାଇଁ । ମୋର ବୟସ ବଢିବା ସହିତ ବାଳି କାକା ତାର ବୟସର ଅପରାହ୍ନ ଆଡ଼କୁ ଗତି କରୁଥାଏ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବା ପରେ ମୁଁ ଯାଇଥାଏ ଗାଁକୁ, ଯଦିଓ ସେତେବେଳେ ଆମେ ଭଦ୍ରକ ସହରରେ ଘର କରିସାରିଥିଲୁ । କିନ୍ତୁ ସମୟ ପାଇଲେ ମୁଁ ଦୌଡ଼େ ଗାଁକୁ । ପଶିଗଲି ତା ଦୋକାନରେ । ସେଇ ଚାଳଛପର ଦୋକାନ ଆଉ ସେଇ ମର୍ଫି ରେଡ଼ିଓ । ଦେଖି ଦେଇ ଖୁସି ହେଇଗଲା, କହିଲା – “ବାବୁ ତୁମେ ଜମା ବଦଳିନ, ଯେମିତି ଥିଲ ଠିକ ସେମିତି । ସହରର ଅମୁଲ ଆଇସକ୍ରିମ ଛାଡ଼ି ମୋ ପାଖକୁ ଆସୁଚ ଯେ ବାବୁ ! କଣ ଏମିତି ସ୍ୱାଦ ଅଛି ଏ ଆଇସକ୍ରିମରେ ?” ମନେମନେ ଭାବିଲି ଏ ଅତ୍ମୀୟତା କଉଠୁ ପାଇବି !!

କହିଲା – “ବାବୁ ଆଇସକ୍ରିମ ଦାମ ବଢିଯାଇଛି, ଦୁଇ ଟଙ୍କା ।“ ମୁଁ ହସିଲି, କହିଲି – “ହଉ ଦିଅ ।“ ଥରଥର ହାତରେ ବଢ଼େଇଦେଲା ମୋ ହାତକୁ, ଠିକ ସେଇ ପୁରୁଣା ଦିନର ସ୍ମୃତିକୁ । ଖାଇ ଦେଇ ପାଞ୍ଚଟଙ୍କା ବଢ଼େଇ କହିଲି, – “ଥାଉ, ପୁଣି କେବେ ଆସିବି ।“ କହିଲା, – “ନାଇଁ ବାବୁ, ପଇସା ନେଇଯାଅ । କେଉଁ ମୂହୁର୍ତ୍ତରେ ଜୀବନଟା ଚାଲିଯିବ, ବାକି ପଇସା କଣ ଆଉ ଫେରିପାଇବ !!” ମନଟା ଆମ୍ବିଳା ଲାଗିଲା, କାକା ନିଜର ନହେଲେ ବି ମୋର ପିଲାଦିନର ସ୍ମୃତିକୁ ଜାବୁଡି ଧରିଥିଲା । ପଚାରିଲି -” କାକା ବୟସ କେତେ ହେଲା ?” ହସି ଦେଇ କହିଲା – “ପଚସ୍ତରି !!”

ଫେରି ଆସିଲି କାକା କୁ ପଛକରି, ସେ କିନ୍ତୁ ସେମିତି ଅନେଇଥାଏ ସେ ଟୁଙ୍ଗୀ ଘରୁ ।

ଇଂଜିନିୟରିଂ ଆଡ଼ମିସନ ହେଇଯାଇଥାଏ ମୋର । କଲେଜର କୋଳାହଳ ଜୀବନ ଭିତରେ ଗାଁ କଥା ଆଉ ବାଳି କାକା କଥା ମୁଁ ପାସୋରି ଯାଇଥାଏ । ସେତେବେଳେ ଦ୍ଵିତୀୟ ବର୍ଷରେ ଥାଏ ଆଉ ସେମିଷ୍ଟାର ପରୀକ୍ଷା ସରିଥାଏ ।  ଅସହ୍ୟ ଗରମ । ହଠାତ ଘର ବାହାରେ ଆଇସକ୍ରିମ ବାଲାର ଡବଡବ ଶବ୍ଦରେ ମୁଁ ଚମକି ପଡ଼ିଲି । ମନେପଡ଼ିଲା ବାଳି କାକା କଥା । ସେଇ ଖରାବେଳଟାରେ ବାହାରି ପଡ଼ିଲି ଗାଁକୁ । ସେଦିନ କଣ ପାଇଁ କେଜାଣି ବାଳି କାକାର ଆଇସକ୍ରିମ ଖାଇବାକୁ ଭାରି ଇଛା ହଉଥିଲା । ପହଞ୍ଚିଗଲି ଗାଁରେ । ବାଳି କାକା ଦୋକାନ ସାମ୍ନାରେ ସ୍କୁଟି ରଖି ଅନେଇଲି ଏପଟସେପଟ, ମର୍ଫି ରେଡ଼ିଓଟା ବାଜୁଥିଲା – ହାତରେ ମୋ ମୁଠାମୁଠା ଶରଧା ବାଲି !!

ପାଖରେ ଥିବା ଗୋଟେ ଗାଁ ପିଲାକୁ ପଚାରିଲି – “ବାଳି କାକା ଦୋକାନରେ ନାହାନ୍ତି କି !!” କହିଲା – “କାକାଙ୍କୁ ରାମ ନେଇଗଲେ !!” ଅନେଇଲି ଦୂରକୁ ବାଳି କାକାର ଶବଯାତ୍ରା ଯାଉଥିଲା – ରାମନାମ ସତ୍ୟ ହେ !! ରାମନାମ ସତ୍ୟ ହେ !!

ସ୍ମୃତି ସବୁ ପାଉଁଶ ହେଇଯାଉଥିଲା !! ତାପରେ ହାତରେ ମୋ ମୁଠାମୁଠା ଶରଧାବାଲି ଗୀତଟି ମୋର ପ୍ରିୟ ହେଇଯାଇଥିଲା !! ହଁ ବାଳି କାକା ମାଟିରେ ମିଶି ସାରିଥିଲା !!

ଆରଡ଼ିଛକ , ପ୍ରାଚୀନଗର, ଭଦ୍ରକ

ଲେଖକ ପରିଚୟ

ପିଲାଟିଦିନରୁ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅଗାଧ ରୁଚି । ବ୍ୟସ୍ତବହୁଳ ଜୀବନର ଅବସର ମୁହୂର୍ତ୍ତ ଓଡ଼ିଆ କବିତା, ଗପ ଓ ଉପନ୍ୟାସ ଲେଖାରେ କଟାଇବାକୁ ଭଲପାଆନ୍ତି ଲେଖକ ମହାଶୟ । କାଳ୍ପନିକତାଠାରୁ ଅଧିକ ବାସ୍ତବତାରେ ବିଶ୍ୱାସ ରଖୁଥିବାରୁ ତାଙ୍କର ପ୍ରତି ଲେଖାରେ ସମାଜ ତଥା ବାସ୍ତବତାର ଝଲକ ଦେଖିବାକୁ ମିଳେ ।

Related Posts

Leave a Reply

Your email address will not be published. Required fields are marked *