ମଲାଜହ୍ନର ଜ୍ୟୋତ୍ସ୍ନା : ଦଗ୍ଧ ଜହ୍ନର ଯନ୍ତ୍ରଣାମୟ ଜୀବନର କାବ୍ୟିକ ଗାଥା

ଦେବଦତ୍ତ ମିଶ୍ର

ସାମ୍ପ୍ରତିକ ସମୟର ଯୁବକବିମାନଙ୍କ ମଧ୍ୟରେ ସୌମ୍ୟ ସାରସ୍ଵତ ଦାଶ ଜଣେ ଶ୍ରଦ୍ଧାଶୀଳ ଉଚ୍ଚାରଣ । କବିଙ୍କ କବିତାର ନିଆରା କାବ୍ୟିକପଣ ଓ ଅପୂର୍ବ ଶଦ୍ଦ ସଂଯୋଜନା ହିଁ ତାଙ୍କ ଅମ୍ଳାନ ପ୍ରତିଭାର ପରିଚୟ ବହନ କରେ । କବିଙ୍କର ପ୍ରଥମ କବିତା ସଂକଳନ ‘ଝରାଫୁଲ’ ବହୁଳ ଭାବରେ ପାଠକାଦୃତି ହାସଲ କରିସାରିବା ପରେ ପ୍ରକାଶ ପାଇଛି ତାଙ୍କର ଦ୍ଵିତୀୟ କବିତା ସଂକଳନ ‘ମଲାଜହ୍ନର ଜ୍ୟୋସ୍ନା’ । ତାଙ୍କ କବିତାରେ କେବେ ପାଠକଟିଏ ଖୋଜିବସେ ଜଳନ୍ତା ଜହ୍ନର ଚିହ୍ନ ତ ପୁଣିକେବେ କେତେ ରାତି, କେତେ ଋତୁ ହୋଇପଡ଼ନ୍ତି ରକ୍ତାକ୍ତ ଓ ଖସିପଡ଼ନ୍ତି ଝରାଫୁଲ ପରି ।

ନିଜର ଦ୍ଵିତୀୟ ମୁଦ୍ରିତ କବିତା ସଂକଳନ ‘ମଲାଜହ୍ନର ଜ୍ୟୋତ୍ସ୍ନା’ କୁ କବି ଉତ୍ସର୍ଗ କରିଛନ୍ତି ତାଙ୍କ ବାପାମା ଓ ତାଙ୍କୁ ଭଲପାଉଥିବା ଶବ୍ଦମାନଙ୍କୁ । କବି କହନ୍ତି, ଶବ୍ଦମାନଙ୍କ ସହ ସମ୍ପର୍କ ପ୍ରାୟତଃ ପରିପୂରକ । ଶବ୍ଦମାନଙ୍କ ପ୍ରତି ପ୍ରେମ ନଥିଲେ ଧରା ଦିଅନ୍ତିନି ସେମାନେ । ସ୍ନେହରେ ହାତ ବଢ଼ାଇ ଆପଣେଇନେଲେ କାଳେ ଖୁବ୍ ସରଳ ଓ ସାବଲୀଳ ପାଲଟିଯାଆନ୍ତି ସେମାନେ । କବି ଏ ଶଦ୍ଦମାନଙ୍କୁ ଖୋଜନ୍ତି କେତେବଳେ ଫୁଲର ଡାଳରେ ତ ଆଉକେବେ ରକ୍ତାକ୍ତ ପ୍ରଜାପତିର ଡେଣାରେ । ପୁଣି କେବେ ପ୍ରେମିକାର କାନଫୁଲରେ ତ ଆଉ କେବେ ଜଳନ୍ତା ଧୂପର ଅବଶିଷ୍ଟ ଅଂଶରେ । ଶବ୍ଦମାନଙ୍କ ମଧ୍ୟରେ ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜୁଖୋଜୁ କବି ସେମାନଙ୍କୁ ବାନ୍ଧି ରଖିଛନ୍ତି ବିଭିନ୍ନ ଶୈଳୀ ସମୂହରେ ।

ନିରୁତା ସରଳପଣ ଓ ଆତ୍ମୀୟତାରେ ପୂର୍ଣ୍ଣ ଏହି କବିତା ସଂକଳନଟିରେ ରହିଛି ଚାରିଟି ପ୍ରହର । ପ୍ରତ୍ୟେକ କବିତାଗୁଡ଼ିକ ଏକ ଏକ ସନେଟ୍ ବା ଗଜଲ୍ । ସାଧାରଣ ପାଠକଟିଏ ସଂକଳନଟିକୁ ପଢ଼ିଲାବେଳେ ନିଶ୍ଚୟ ଅନୁଭବି ପାରିବ ପ୍ରତିଟି ଧାଡ଼ିରେ ଥିବା ପ୍ରେମିଳ ଆବେଦନକୁ ।
‘ଅନାସ୍ଥା’ ଶୀର୍ଷକ ସନେଟରେ କବି ଲେଖିଛନ୍ତି:
କାହାର ଆଖି ମଝିକୁ ଯଦି କେବେ ଜହ୍ନ ଓହ୍ଲେଇବ,
ସେଦିନ ଏ ପୃଥିବୀରେ ପ୍ରେମ ବୋଲି କିଛି ବି ନଥିବ ।

ପ୍ରତିଟି କବିତାର ଭାଷା ସରଳ ଓ ସାବଲୀଳ । ଶବ୍ଦ ସଂଯୋଜନା ତଥା ଉପସ୍ଥାପନା ଶୈଳୀ ମଧ୍ୟ ଚମତ୍କାର ।
ମୋ ମଥାରେ ମୋହୁଥିବ, ଶିଖୀ ଚୂଳ ଚନ୍ଦ୍ରିକାର ଚୁମା,
ତୁମ ପାଦ ପଥେ ପଡ଼ି ଆଙ୍କୁଥିବ ପ୍ରେମ ପଦ୍ୟ ଗାର,
ମୁଁ ମାଠିଆ ଭାଙ୍ଗିଦେଲେ, ଭୁଲ ଭାବି ଭାଙ୍ଗିବନି ଜମା,
ଗୋଟେ ମାତ୍ର ମନ ଅଛି, ମାନିନେଇ ମାନିନୀଗୋ ମୋର,

ଯଦି କେବେ ଓଠ ତୁମ ବୃନ୍ଦାବନ ବଂଶୀଟିଏ ହେବ ।
ମୁଁ କଦମ୍ବେ କୃଷ୍ଣ ହେବି, ତୁମେ ରାଧା ହେଇ ରୁଷିଯିବ । (ସ୍ଵପ୍ନାୟନ)

ଫୁଲଗୁଡ଼ିକୁ ମାଳାରେ ଗୁନ୍ଥିଲା ଭଳି ଶବ୍ଦଗୁଡ଼ିକୁ ଅତି କମନୀୟ ଭାବରେ ଗୁନ୍ଥି କବି ଲେଖିଛନ୍ତି ‘ପୁଷ୍ପ ଚୟନ’ । ସେହିପରି ବିବିଧ ବର୍ଣ୍ଣରେ ବର୍ଣ୍ଣାୟିତ କବିତା ‘ରଙ୍ଗ ଚୟନ’ ।
୪୧ଟି ଚମତ୍କାର ସନେଟର ହେଉଛି ଚାରିଟି ପ୍ରହର ମଧ୍ୟରେ ପ୍ରଥମ ପ୍ରହର । ପ୍ରତିଟି ସନେଟ୍ ସ୍ଵକୀୟ ଶୈଳୀରେ ଚମତ୍କାର ଓ ପରସ୍ପରଠାରୁ ଭିନ୍ନ ଭଙ୍ଗୀରେ ନିଜକୁ ଉପସ୍ଥାପନ କରିଛନ୍ତି । ପ୍ରଥମ ପ୍ରହରର ସନେଟ୍ ବ୍ୟତୀତ ସଂକଳନଟିରେ ଦେଖିବାକୁ ମିଳେ ଅତି ସୁନ୍ଦର ଓ ସୁଲଳିତ ଗଜଲ୍ । ଯାହା କି ପାଠକ ପ୍ରାଣକୁ ନିଶ୍ଚିତ ଭାବେ ସ୍ପର୍ଶ କରିବ ।

ପାଖୁଡ଼େ ପ୍ରେମର ସ୍ଵପ୍ନ ଦେଖିବାକୁ କିଏ ଚେଇଁଥିଲା ନିଦରେ ?
ପ୍ରେମ ନୁହେଁ ତାକୁ ପାପ କହିଦେଇ କିଏ ଶୋଇଗଲା ନିଦରେ ?

ପ୍ରଣୟ ପ୍ରଦୀପ ଲିଭିଗଲା ପରେ ଛାତିଟିଏ ଯାହା ଜଳୁଥିଲା,
ଅନ୍ଧାରରେ ତାକୁ ଲୁଚେଇଲା ବେଳେ ରାତି ଶୋଇଗଲା ନିଦରେ ।

କାହା ଆଖିସାରା ଅନ୍ଧାରର ଚିହ୍ନ ଆଉ କା’ ଆଖିରେ ତରାଫୁଲ,
ଫୁଲସବୁ ଜଣେ ଗୋଟାଉ ଗୋଟାଉ ଋତୁ ଶୋଇଗଲା ନିଦରେ ।

ରାତିଏ ସ୍ଵପ୍ନ ସରିଲା ପରେ ବି ନିଦରେ ହିଁ ଅଛି କେହିଜଣେ,
ଆଉଜଣେ ନିଦ ମାଗିଲା ବେଳକୁ ଦୁନିଆ ବି ଥିଲା ନିଦରେ ।

ଅହ୍ନିଟେ ଆସିବ, ବହ୍ନି ବି ଜଳିବ, ଏମିତି ଦୃଶ୍ୟଟେ ଦିଶିଯିବ,
ସାରା ଦୁନିଆ ହିଁ କାନ୍ଦୁଥିବ ଜଣେ ଶୋଇଥିବ ମଲା ନିଦରେ । (ନିଦରେ)

ପ୍ରହର ଦୁଇର ସବୁତକ ଗଜଲ୍ ପାଠକମାନଙ୍କୁ ବିଭୋର କରିବାରେ ସକ୍ଷମ । ସବୁଥିରେ ଯେମିତି ପ୍ରେମାଭିମାନର ଛୁଆଁ । ପ୍ରହର ତିନିରେ ତିନୋଟି ପ୍ରେମାନୁଭୂତ ଋତୁ ସହିତ କବିଙ୍କର ଅନ୍ତରଙ୍ଗ ଆଳାପ ।
୧) ବର୍ଷା ଋତୁରେ ଆଳାପ
୨) ଶୀତ ରାତିରେ ଆଳାପ
୩) ବସନ୍ତ ଋତୁରେ ଆଳାପ

ତୁମ ଲାଜ ପାଇଁ ବସନ୍ତଟା ବାୟା ଶୀତ ଯାଏ ଅପସରି,
ତୁମେ ଋଷିଗଲେ ଶୀତ ବଢ଼ିଯାଏ ଫାଲ୍ଗୁନ ଯାଏ ମରି ।
(ଶୀତ ରାତିରେ ଆଳାପ)

ଏସବୁ ବ୍ୟତୀତ ଚତୁର୍ଥ ତଥା ଶେଷ ପ୍ରହରରେ ଦେଖିବାକୁ ମିଳେ କବିଙ୍କର ଶବ୍ଦ ଚାତୁରୀ ତଥା ଶବ୍ଦର ଅଦ୍ଭୂତ କାରିଗରୀ । ମାତ୍ର ଚାରିଟି ଗଜଲ୍ ରେ ଗଢ଼ା ପ୍ରହରଟି କିନ୍ତୁ ପାଠକ ମନରେ ଛାପିଦେବ ଏକ ବିମୁଗ୍ଧ ସ୍ୱାକ୍ଷର ।
ଶୀର୍ଷକ କବିତା ‘ମଲାଜହ୍ନର ଜ୍ୟୋତ୍ସ୍ନା ‘ ରେ କବିଙ୍କର ଶବ୍ଦ ଚାତୁରୀ:
ସେ ଜହ୍ନର ଜିଦ୍ ପାଇଁ ଜହ୍ନ ଯେବେ ଜୁଇ ସଜାଇବ,
ଏ ମଲା ଜହ୍ନର ଜ୍ୟୋସ୍ନା ଜହ୍ନ ପାଇଁ ଆହୁରି ଜଳିବ । (ଜହ୍ନ)

ସେହିପରି ଫୁଲ ଶୀର୍ଷକ ଗଜଲ୍:
ଫୁଲ ପାଶେ ଥିଲା ବୋଲି ଫୁଲକୁ ମୁଁ ଚାହିଁଛି କି କେବେ ?
ଫୁଲ ମଧୁଝରା ବୋଲି, ଫୁଲକୁ ମୁଁ ଚୁମିଛି କି କେବେ ?
ଫୁଲ ପାଇଁ ଶେଯ କେବେ ସଜାଇବ ଫୁଲ ବାରମାସୀ,
ଫୁଲ ଶୁଖିଗଲେ କି ସେ ଫୁଲ ଦେହ ହୋଇଯିବ ବାସୀ ?

ସେମିତିକା ଫୁଲ କିଛି ଫୁଟେ ଫୁଲ ବଉଳ ବେଣୀରେ,
ବାକି ଫୁଲ ବନ୍ଧାହୁଏ ଫୁଲର ସେ ପାଟ ଓଢଣୀରେ । (ଫୁଲ)

ବାସ୍ତବିକ ସଂକଳନଟିର ପ୍ରତ୍ୟେକ କବିତା ଏକ ନବଉନ୍ମାଦରେ ଗଢ଼ା ଓ ତଥାକଥିତ କବିତାମାନଙ୍କ ଭିଡ଼ରେ ନୂଆ ଏକ ପରିଚୟ ବହନ କରେ । ଯାହାର ସଂକ୍ଷିପ୍ତ ବର୍ଣ୍ଣନା ଏଠାରେ ଦୂରାସାଧ୍ୟ । ପ୍ରେମ, ଅନୁଭବ ଓ ଜୀବନର ଅନେକ ସମ୍ଭାବନା ଭିତରେ କବିଙ୍କର ଅପୂର୍ବ ଉପସ୍ଥାପନ ଶୈଳୀ ସଂକଳନଟିକୁ ହୃଦୟସ୍ପର୍ଶୀ କରିପାରିଛି । କବିତା ସଂକଳନରେ ସ୍ଥାନିତ ପ୍ରତିଟି କବିତା ସିକ୍ତ କରିଦେବ ଅନାବିଳ ପ୍ରେମରେ, ବିରହରେ ତ ଆଉ କେବେ ଭେଦାଇ ଦେବ ଏ ହୃଦୟକୁ ମେଞ୍ଚାମେଞ୍ଚା କୋହରେ ଅଦୃଶ୍ୟ ଶୋକଫୁଲମାନଙ୍କ ଅଭ୍ୟୁଦୟରେ ।

             ବବକରପୁର, କେନ୍ଦ୍ରାପଡ଼ା, ମୋ -୯୦୪୦୭୦୦୩୦୩

ଲେଖକ ପରିଚୟ

ବୃତ୍ତିରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର ହେଲେ ରୁଚି ରଖେ ସାହିତ୍ୟ ପଢ଼ିବା ଏବଂ ଓଡ଼ିଆ କବିତା ଲେଖିବାରେ । ଏଯାବତ ପ୍ରକାଶିତ ପୁସ୍ତକ – ଅଚିହ୍ନା ଈଶ୍ୱର (କବିତା ସଂକଳନ) ।

Related Posts

Leave a Reply

Your email address will not be published. Required fields are marked *