ବିଭୁଦତ୍ତ ଦାସ

ସମୀରର ସୁଉସୁଉ ସଙ୍ଗୀତ ମୂର୍ଚ୍ଛନା
ସେଥିରେ କାକଳିର ସ୍ୱର ସଂଯୋଜନା,
ସତେ ଅବା ସୁସଜ୍ଜିତ ଅଙ୍ଗବାସେ କାନନ
ପ୍ରକୃତିର ଶୋଭାକୁ କରେ ମଣ୍ଡନ ।

ଋତୁ ଚକ୍ରେ ଏହା ଶରତର ଆଗମନ
ଶୁଣି ପ୍ରଫୁଲ୍ଲିତ ହୁଏ ପ୍ରକୃତିର ମନ,
କ୍ଷେତରେ ନୂଆ ଧାନ ଭାଙ୍ଗେ ଲହଡ଼ି
ବସା ତ୍ୟାଗି ବିହଙ୍ଗ ନଭେ ଯାଏ ଉଡ଼ି ।

ଧରା କରେ ଶୁଭ୍ର ଚାଦର ବିସ୍ତାର
ଭ୍ରମ ସୃଷ୍ଟି କରେ ଇଏ ଦୁଗ୍ଧ ସାଗରର,
କାଶତଣ୍ଡି ଫୁଲେ ମହି ଦିଶଇ ସୁନ୍ଦର
ସରୋବରେ ଫୁଟିଛି ଅବା କୁମୁଦ କମଳ ।

ଶରତର ଆଗମନେ ଧରା ସାଜେ ଶ୍ଵେତ ବର୍ଣ୍ଣର
ବଖାଣେ ଖୁସି ଜାଣି ମାଆ ଆସିବାର,
କାଶତଣ୍ଡି ଚାମରରେ ସ୍ଵାଗତ ମାଆର
ପ୍ରକୃତିର ଏ ରୂପ ସତେ କି ମନୋହର ।

ପବନର ତାଳେତାଳେ ତରଙ୍ଗାୟିତ କାଶତଣ୍ଡି
ଶାରଦୀୟ ଅଭିନନ୍ଦନ ଜଣାଏ ପ୍ରକୃତି ଶୋଭା ମଣ୍ଡି,
କାଶ ସ୍ୱତ ଫୁଲ ସହ ଆଶ୍ୱିନର ପଦାର୍ପଣ
ଜଣାଏ ଆଦିଶକ୍ତିଙ୍କ ଧରାବତରଣ ।

ବ୍ରହ୍ମ ଅନଳୁ ଜାତ ଦୂର୍ଗତିନାଶିନୀ !
ସାହା ହୁଅ ମାଆ ଗୋ ମହିଷାମର୍ଦ୍ଦିନୀ !
ଦଶଭୁଜା ମାଆ ଗୋ ସିଂହବାହିନୀ !
କଲ୍ୟାଣ କର ଜଗତର ହେ ଶକ୍ତି ସ୍ଵରୂପିଣୀ !

ଶରତର ପତ୍ରଝଡ଼ା ସହ ଶାରଦୀୟ ଖୁସି
ସବୁଜ ଗହନ ବୃକ୍ଷେ ଭାସ୍କର କିରଣ ପ୍ରକାଶି,
ଆସେ ପାର୍ବଣ ଦିନ ଦଶହରା ମଣ୍ଡପ ରୂପୀ
ତୋ ଆଶିଷେ ଥିଲେ ରାମଚନ୍ଦ୍ର ରାବଣକୁ ନାସି ।

କଳା ଶାଢ଼ୀ ପିନ୍ଧା ବରଷା ରାଣୀ
ମହୀରୁ ଘେନିଲା ଧୀରେ ମେଲାଣି,
ହସୁଛି ସବୁଜ ପଣତ ଟାଣି ଧରଣୀ ରାଣୀ
ଶରତରେ ଶାରଦୀୟ ଖୁସି ବଖାଣି ।

ଅପୂର୍ବ ରଚନା ଏହା ପ୍ରକୃତିର
ଶରତରେ ଲାଗେ ପାର୍ବଣର ସମ୍ଭାର !
ଶଙ୍ଖ ଧ୍ୱନି ସହ ଝୁଣା, କର୍ପୁର ସୁଗନ୍ଧ
ତୋଳେ ମାନେ ଆନନ୍ଦର ଛାନ୍ଦ ।

ମାଆ ଆଗମନ ଜାଣି ନାଚିଉଠେ ମନ
ଢୋଲ, ଝାଞ୍ଜ ସହ ବାଜେ ମଙ୍ଗଳ ଗାନ,
କାଶତଣ୍ଡି ସହ ଆସିଛି ମାସ ଆଶ୍ଵିନ
ହୃଦୟରୁ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ।

ବସନ୍ତ ବିହାର, ବୁର୍ଲା, ସମ୍ବଲପୁର, ମୋ – ୮୪୫୬୯୨୩୭୨୩

ଲେଖକ ପରିଚୟ

ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ସହିତ କଳା ଓ ସାହିତ୍ୟ ପ୍ରତି ମୋର ଅଗାଧ ପ୍ରେମ । ଇଞ୍ଜନିୟରିଂ ପାଠ ପଢିଲାବେଳେ ଲେଖାଲେଖି ଆରମ୍ଭ କରିଥିଲି । ପ୍ରିୟ ବାନ୍ଧବୀ ଓ ବାନ୍ଧବୀଙ୍କ ଲେଖିକା ମାଆଙ୍କ ଠାରୁ ପ୍ରଥମେ ପ୍ରେରଣା ପାଇଲା ପରେ ସ୍ନାତୋତ୍ତର ପଢିଲାବେଳେ ସାହିତ୍ୟ ପ୍ରତି ପ୍ରେମ ଦ୍ଵିଗୁଣିତ ହେଲା । ଅନେକ ପତ୍ରପତ୍ରିକାରେ ଲେଖା ପ୍ରକାଶିତ ହେବାରେ ଲାଗିଲା । ନୃତ୍ୟ ଆଉ ପାଠପଢ଼ାରୁ ସମୟ ପାଇଲେ ଭାବନା ସବୁକୁ ଶବ୍ଦର ରୂପ ଦେବାକୁ ଭଲପାଏ ।

Related Posts

Leave a Reply

Your email address will not be published. Required fields are marked *