ସାହିତ୍ୟର ପରିସର ଆଗକୁ ବଢିଲେ ଯୁଦ୍ଧର ଆଶଙ୍କା କମିବ

ଭୁବନେଶ୍ୱର : ମଣିଷ ଯେତେବେଳେ ପ୍ରଥମେ ପୃଥିବୀକୁ ଆସିଥିଲା ସେତେବେଳେ ଜୀବନର ଅର୍ଥ ଥିଲା ଭୋକ, ରୋଗ ଓ ଯୁଦ୍ଧ । ଏବେ ମାନବ ସଭ୍ୟତା ଶୀର୍ଷରେ ପହଞ୍ଚିଲା ପରେ ବି ଜୀବନର ଅର୍ଥ ସମାନ ରହିଛି । ଏପର୍ଯ୍ୟନ୍ତ ଆମେ ମଣିଷ ଓ ପଶୁ ମଧ୍ୟରେ ଫରକ ଜାଣି ପାରିନାହାନ୍ତି । ତେଣୁ ସାହିତ୍ୟିକମାନେ ନୂଆ ପରିକଳ୍ପନା ଓ ଚେତନାର ସାହିତ୍ୟ ମାଧ୍ୟମରେ ମଣିଷ ଭିତରେ ଥିବା ପଶୁତ୍ଵକୁ ଦୂର କରିବାକୁ ଚେଷ୍ଟା କରିବା ଉଚିତ । ବ୍ଲାକ ଈଗଲ ବୁକ୍ସ ପକ୍ଷରୁ ‘ବ୍ଲାକ ଈଗଲ ବୁକ୍ସ ପ୍ରଥମ ବହି ପୁରସ୍କାର-୨୦୨୩’ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ବରିଷ୍ଠ ସାହିତ୍ୟିକ ପ୍ରଫୁଲ୍ଲ କୁମାର ମହାନ୍ତି ।

କାର୍ଯ୍ୟକ୍ରମରେ ସଭାପତିତ୍ଵ କରି ବରିଷ୍ଠ କଥାକାର ଗୌରହରି ଦାସ ମେଘ ସହିତ ସାହିତ୍ୟକୁ ତୁଳନା କରିଥିଲେ । ମେଘର ଦାୟିତ୍ବ ଯେପରି ମାଟିକୁ ଆର୍ଦ୍ର ରଖି ଚାଷୋପଯୋଗୀ କରିବା ସେହିପରି ସାହିତ୍ୟର ଦାୟିତ୍ବ ହେଉଛି ମନୁଷ୍ୟର ମନରେ ଆବେଗ ସୃଷ୍ଟି କରି ତାକୁ ସୃଜନମୁଖୀ ରଖିବା । ପୃଥିବୀରେ ଯେତେ ଯୁଦ୍ଧ ହେଉଛି ତାହା ଭାଷା ଓ ଧର୍ମର ବିଭିନ୍ନତାକୁ ନେଇ । ତେଣୁ ସାହିତ୍ୟର ପରିସର ଯେତେ ଆଗକୁ ଯିବ, ଯୁଦ୍ଧର ପରିମାଣ ସେତେ କମିଯିବ । ବ୍ଲାକ ଈଗଲ ବୁକ୍ସର ପ୍ରଥମ ଲେଖାକୁ ପ୍ରକାଶିତ କରି ପ୍ରୋତ୍ସାହିତ କରୁଥିବାରୁ ସେ ଏହାର ପ୍ରତିଷ୍ଠାତା ସତ୍ୟ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଫେସର ସଂଘମିତ୍ରା ମିଶ୍ର ଯୋଗ ଦେଇ ସଂସ୍କୃତି ସହିତ ସମ୍ପୃକ୍ତିର ଆବଶ୍ୟକତା ରହିଛି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରଫେସର ବିଷ୍ଣୁପ୍ରିୟା ଓତା ସାହିତ୍ୟିକମାନେ ନିଜର ନୂତନ ଲେଖାରେ ସମାଜକୁ ପ୍ରେରଣା ଦିଅନ୍ତୁ ବୋଲି କହିଥିଲେ ।

ଏହି ଅବସରରେ ସ୍ମୃତିକଳା ମହାନ୍ତିଙ୍କୁ ‘ବ୍ଲାକ ଈଗଲ ବୁକ୍ସ ପ୍ରଥମ ବହି ପୁରସ୍କାର-୨୦୨୩’ ପ୍ରଦାନ କରାଯାଇଥିଲା । ବିଗତ ବର୍ଷର ବିଜୟିନୀ ଲେଖିକା ନୀହାରିକା ମଲ୍ଲିକ ଓ ନିବେଦିତା ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ପୁସ୍ତକ ‘ଦୁଇଟି ନାଟକ’ ଓ ସଂଘମିତ୍ରା ମିଶ୍ରଙ୍କ ପୁସ୍ତକ ‘ସୁବର୍ଣ୍ଣ ସେତୁ’ ଉନ୍ମୋଚିତ ହୋଇଥିଲା । ଅଶୋକ ପରିଡ଼ା ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *