ଗେଟ୍ଓ୍ୱେ ଓଡ଼ିଶାର ପାର୍ବଣ ସଂଖ୍ୟା ଉନ୍ମୋଚିତ : ମଣିଷକୁ ସମ୍ବେଦନଶୀଳ କରାଏ ସାହିତ୍ୟ

ଭୁବନେଶ୍ଵର : ସାହିତ୍ୟ ମଣିଷକୁ ସମ୍ବେଦନଶୀଳ କରାଏ । କଠିନ ପରିସ୍ଥିତିର ମୁକାବିଲା କରିବାରେ ସହାୟକ ହୁଏ । କିନ୍ତୁ ସାଂପ୍ରତିକ ସମୟରେ ବିନା ପ୍ରୋତ୍ସାହନରେ ସାହିତ୍ୟ ପତ୍ରିକା ତିଷ୍ଠି ରହିବା କଷ୍ଟକର । ଗଣମାଧ୍ୟମ ଅନୁଷ୍ଠାନ “ବିଜ୍ଞାପନ” ଗ୍ରୁପର ଦ୍ଵାବିଂଶତମ ପ୍ରତିଷ୍ଠା ଦିବସ ଏବଂ ବିଜ୍ଞାପନର ସହଯୋଗୀ ଅନୁଷ୍ଠାନ ମାରୁତି ମିଡ଼ିଆ ପକ୍ଷରୁ ପ୍ରକାଶ ପାଉଥିବା ପତ୍ରିକା ‘ଗେଟ୍ଓ୍ୱେ ଓଡ଼ିଶା’ର ପାର୍ବଣ ସଂଖ୍ୟା ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ ଗତକାଲି ବିଶିଷ୍ଟ ସାହିତ୍ୟିକମାନେ ଉପରୋକ୍ତ ମତପୋଷଣ କରିଛନ୍ତି ।

ବିଜ୍ଞାପନ ଗ୍ରୁପର ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର, ଭାରତୀୟ ସୂଚନା ସେବା ଅଧିକାରୀ କବି ଅଖିଳ ମିଶ୍ର, ୟୁସିସିଆଇଏଲ ସମ୍ପାଦକ ଅଶୋକ ଶାରଦା, ଓଡ଼ିଆ ଯୁବଲେଖକ ସମ୍ମେଳନର ସଭାପତି ଶଙ୍କର ପରିଡ଼ା ଏବଂ ତପସ୍ୟା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ସାହିତ୍ୟିକ ପ୍ରଫେସର ଡକ୍ଟର ତପନ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥିମାନେ ଓଡ଼ିଆ ସାହିତ୍ୟର ସାଂପ୍ରତିକ ସ୍ଥିତି, ପତ୍ରପତ୍ରିକା ପ୍ରକାଶନର ସମସ୍ୟା ଏବଂ ଲେଖକଲେଖିକା ଓ ପାଠକପାଠିକାମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।

ବିଜ୍ଞାପନ ଗ୍ରୁପର ପ୍ରାଶାସନିକ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପତ୍ରିକା ସମ୍ପାଦକ ଦିଲୀପ ମିଶ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପରଲୋକଗତ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ସଙ୍ଗୀତଜ୍ଞ ସ୍ଵରୂପ ନାୟକଙ୍କ ଅମରଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ପତ୍ରିକାର ଲେଖକ, ଲେଖିକାଗଣ ଏବଂ ଶୁଭେଚ୍ଛୁମାନେ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *