ଲତିକା ମହାପାତ୍ର
ରାମ ବିରାଜିତ ହୁଅନ୍ତୁ ଭାବନା ରାଜ୍ୟରେ
ଅଧିଷ୍ଠିତ ହୁଅନ୍ତୁ ହୃଦୟ ସିଂହାସନରେ
ରାଜତ୍ୱ କରନ୍ତୁ ଚେତନା ରାଜ୍ୟରେ..
ନହେଉ ମର୍ଯ୍ୟାଦାର ଉଲ୍ଲଙ୍ଘନ
ନହେଉ ଦୁଃଖୀର ହୃଦୟ ଦହନ
ନହେଉ ଆଡମ୍ବରର ଆସ୍ଫାଳନ
ଆଭିଜାତ୍ୟର ପ୍ରଦର୍ଶନ
ରାମ ରମ୍ୟ
ରମଣୀୟ ମଣିଷର ମନ..
ପ୍ରସାରିତ ହେଉ ମାନବ ଚେତନା
ବ୍ୟାପକ ହେଉ ଭାବନା
ବ୍ୟଷ୍ଟି ନୁହେଁ ସମଷ୍ଟି ହେଉ ପରିଭାଷା ସମୟର..
ଏ ସବୁ କି ଦିବା ସ୍ଵପ୍ନ ?
ଅବାସ୍ତବ ପରିକଳ୍ପନା ?
ଆତ୍ମ ପ୍ରଦର୍ଶନୀର ବିକଳ ଦୈନ୍ୟ ଓ ଦ୍ୱନ୍ଦ୍ୱରେ
ଅର୍ଥହୀନ ପ୍ରତିଦ୍ୱନ୍ଦ୍ଵିତାରେ
ମୁମୂର୍ଷୁ ପ୍ରାଣ
ପ୍ରୀତିହୀନ
ପ୍ରବାହ ବିହୀନ..
ସମ୍ବେଦନା ହୀନ
ନୀତି ଆଉ ଆଦର୍ଶ ଠାରୁ ଦୂର ଯୋଜନ ଯୋଜନ
ଜୀବନ ଅର୍ଥହୀନ ବାଚାଳ ଆତ୍ମ ପ୍ରଦର୍ଶନୀ
ଆନ୍ତରିକତା ବିହୀନ ଲୋକାଚାର
ହୃଦୟହୀନ ହୃଦୟବତ୍ତା
ବୃଥା ଆଡମ୍ବର, ଉଲ୍ଲାସ,
ବ୍ୟସନ ବିଳାସ..
ହେ ମର୍ଯ୍ୟାଦା ପୁରୁଷୋତ୍ତମ
ଅବତରି ଆସ ହୃଦୟ ରାଜ୍ୟେ
ମନ୍ଦିର ହେଉ ମଣିଷର ମନ
ସେ ମନ୍ଦିରେ ଅଭିଷିକ୍ତ ହୁଅନ୍ତୁ
ରାମ ସୀତା ଲୟିକ୍ଷଣ
ଭବ୍ୟ ରାମ ମନ୍ଦିର ନିର୍ମାଣ
ଅଭିନନ୍ଦନ ଅଭିବନ୍ଦନ
ହେଉ ନୂତନ ପ୍ରାରମ୍ଭ
ପୂର୍ଣ୍ଣ ହେଉ ମହାତ୍ମାଙ୍କ ସ୍ଵପ୍ନ
ଭାରତ ରେ ପ୍ରତିଷ୍ଠିତ ହେଉ ରାମରାଜ୍ୟ
ନ ରୁହନ୍ତୁ ଦୁଃଖୀ ରଙ୍କୀ
ନ ରହୁ ରୋଗ କଷ୍ଟ କ୍ଳେଶ
ଶୋକ ନୁହେଁ ପୁଣ୍ୟ ଶ୍ଳୋକ ହେଉ
ମୋ ଭାରତ ବର୍ଷ.. ।
ତାଳଚେର, ଅନୁଗୁଳ
ଲେଖକ ପରିଚୟ
ପିଲାଦିନେ ସାହିତ୍ୟ ବହି ଓ ବିଭିନ୍ନ ପତ୍ରପତ୍ରିକାରୁ କବିତା ପଢି ମୁଗ୍ଧ ହେଉଥିଲି । ବଡ଼ପାଟିରେ ଡଗଡଗ ହୋଇ ଆବୃତ୍ତି କରୁଥିଲି । ସେ ଶିଶୁଲେଖା ହେଉ କି ମନପବନ, ବାରମଜା ହେଉ କି ବିଲୁଆନନା । ଆଉଟିକେ ବଡ଼ ହେଲାପରେ ଘରକୁ ଆସୁଥିବା ଝଙ୍କାର, ସୁଚରିତାରୁ କବିତା ସବୁ ପଢୁଥିଲି ଆଉ ଏକ ବିଚିତ୍ର ଅବ୍ୟକ୍ତ ଆନନ୍ଦ ମୋତେ ଆନମନା କରୁଥିଲା । ପଞ୍ଚମ ଶ୍ରେଣୀରୁ ପଦକୁ ପଦ ଯୋଡ଼ି ମନକଥା ଲେଖିବା ଆରମ୍ଭ କରିଥିଲି । ମୋତେ ଲାଗେ କବି ଜଣେ ସଂସାର ବାହାରର ଲୋକ, ଭାବର ସମ୍ରାଟ, ଶବ୍ଦର ବିନ୍ଧାଣୀ, ପ୍ରେମର ପାରାବାର, ସଂସାରର ସବୁ ଲୋଭ-ମୋହର ଉର୍ଦ୍ଧ୍ଵରେ ଉଚ୍ଚାଙ୍ଗ ଚୈତନ୍ୟର ପ୍ରତିଭୂ ।
ମନ ମନ୍ଦିରେ ରାମ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରୁ ଓ ସମସ୍ତଙ୍କ ମନ ମନ୍ଦିରରେ ପୂଜା ପାଆନ୍ତୁ ରାମ ଲଲ୍ଲା..