କୃଷ୍ଣ ସିଂହଙ୍କ ୮୬ତମ ଜନ୍ମ ଦିବସ ପାଳନ

ଭୁବନେଶ୍ୱର : ବର୍ଷୀୟାନ ଭୂଦାନ ଓ ସର୍ବୋଦୟ ନେତା ତଥା ବିଶିଷ୍ଟ ଶିକ୍ଷାବିତ, କବି ଓ କୋରାପୁଟର ଗାନ୍ଧୀ କୃଷ୍ଣ ସିଂହଙ୍କ ୮୬ତମ ଜନ୍ମୋତ୍ସବ ସ୍ଥାନୀୟ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । କ୍ୟାଟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ମନୋରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ଗାନ୍ଧୀ ସ୍ମାରକ ନିଧିର ସଭାପତି କୃଷ୍ଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ ମୁଖ୍ୟ ବକ୍ତା, କଥାକାର କୃପାସାଗର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ନାଟ୍ୟକାର ତଥା କବି ରମେଶ ଦାସ ପୌରହିତ୍ୟ କରିଥିଲେ । ଅନ୍ୟ ଏକ ଅଧିବେଶନରେ ଡାକ୍ତର ବିଶ୍ଵଜିତ ରାୟ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ପ୍ରାବନ୍ଧିକ ଓ ସାହିତ୍ୟିକ ବାସୁଦେବ ଦାସ ଗାନ୍ଧୀ ଦର୍ଶନ ଓ କୃଷ୍ଣ ସିଂହଙ୍କ ଉପରେ ଆଲୋକପାତ କରିଥିଲେ । ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ ଗାନ୍ଧୀ ଦର୍ଶନକୁ ବିଶ୍ଵମାନର ମହାଦୀକ୍ଷା ହୋଇ ଚିରଦିନ ରହିବ ବୋଲି କହିଥିଲେ ।

ଏହି ଅବସରରେ ଜାତୀୟ ଯୁବ ପ୍ରକଳ୍ପର ଅଧ୍ୟକ୍ଷ ମଧୁସୂଦନ ଦାସ ଓଡ଼ିଶା ପୁନଃଗଠନ ଉପରେ ଆଲୋଚନା କରିଥିବାବେଳେ କବି ଓ ପ୍ରାବନ୍ଧିକ ଅଶୋକ ମହାନ୍ତି କୃପାସାଗର ସାହୁଙ୍କ “ଚର୍ଚ୍ଚିତ ୫୦” ପୁସ୍ତକ ଉପରେ ଆଲୋଚନା କରିଥିଲେ । ଗାଳ୍ପିକା ବାସନ୍ତୀ ମହାନ୍ତି ‘କ୍ରାନ୍ତିଦର୍ଶୀ କୃଷ୍ଣ ସିଂହ’ ଉପରେ ଆଲୋକପାତ କରିଥିଲେ । ନବ ଗଠିତ ଜାତୀୟ ବୌଦ୍ଧିକ ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ଏହି ମନୋଜ୍ଞ ଉତ୍ସବକୁ ପରିଚାଳନା ଓ ସଂଯୋଜନା କରିଥିଲେ ବିଶିଷ୍ଟ କବି ତଥା ପୂର୍ବତଟ ରେଳପଥର ପ୍ରାକ୍ତନ ବରିଷ୍ଠ ଅଧିକାରୀ ନିରାକାର ଦାସ । ମଞ୍ଚର ମୁଖ୍ୟ ଉପଦେଷ୍ଟା ଧରଣୀଧର ଜେନା ସ୍ଵାଗତ ଭାଷଣ ଦେଇଥିଲେ । ସାହିତ୍ୟିକା ଝାନ୍ସି ସିଂହ ଓ ବିନ୍ଦ୍ରା ଧର୍ମରାଜନ ସିଂହ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମଞ୍ଚର ସମ୍ପାଦିକା ଗାଳ୍ପିକା ଅବନ୍ତି ବେହେରା ସମ୍ପଦକୀୟ ବିବରଣୀ ପାଠ କରିଥିବାବେଳେ ‘ପ୍ରାଚୀତାରା’ର ସମ୍ପାଦିକା ହରପ୍ରିୟା ମହାନ୍ତି ଧନ୍ୟବାଦ ଦେଇଥିଲେ ।

ଏହି ଅବସରରେ କବି କୃଷ୍ଣ ସିଂହଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା । କୃପାସାଗର ସାହୁଙ୍କ ଶ୍ରେଷ୍ଠ ଗଳ୍ପ “ଚର୍ଚ୍ଚିତ ୫୦” ଓ ବାସନ୍ତୀ ମହାନ୍ତିଙ୍କ ଦ୍ଵାରା ଲିଖିତ ‘କ୍ରାନ୍ତିଦର୍ଶୀ କୃଷ୍ଣ ସିଂହ’ ଦୁଇଟି ପୁସ୍ତକ ପାଠକାର୍ପିତ ହୋଇଥିଲା । କବି ମିନତୀ ମିଶ୍ର, ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀ ଓ କବି ଅକ୍ଷୟ ରାଉଳ କୃଷ୍ଣ ସିଂହଙ୍କ କବିତା ଆବୃତ୍ତି କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *