ବ୍ୟାସକବି ଫକୀରମୋହନ ଜୟନ୍ତୀ ଅବସରରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଥମ ପଦଧ୍ଵନି

ଭୁବନେଶ୍ୱର : ଫକୀରମୋହନ ହେଉଛନ୍ତି ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା । ସେ କାବ୍ୟ କବିତା ତଥା ଅନୁବାଦ ଅନୁସରଣଧର୍ମୀ ରଚନା କରିଥିଲେ ମଧ୍ୟ କଥା ସାହିତ୍ୟ ସୃଷ୍ଟିରେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଥିଲେ । ତାଙ୍କର ଗଳ୍ପ ମାଧ୍ୟମରେ ସେ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରିଥିଲେ ବୋଲି ଫକୀରମୋହନଙ୍କ ଜୟନ୍ତୀ ଅବସରରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ରାଜ୍ୟ ସଂଗ୍ରହାଳୟରେ ଆଜି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଥିଲା । ଏହା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଥମ ପଦଧ୍ଵନି ବୋଲି ଅତିଥିମାନେ ମତ ଦେଇଥିଲେ ।

ଏଥିରେ ଭାଷାବିତ ଦେବୀପ୍ରସନ୍ନ ପଟ୍ଟନାୟକ, ଐତିହାସିକ ନିଦେବିତା ମହାନ୍ତି ଏବଂ ଓଟିଡ଼ିସି ଅଧ୍ୟକ୍ଷ ଲେନିନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ସ୍ଵତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଯୁଗ୍ମ ଶାସନ ସଚିବ ଅତସୀ ଦାସ, ପ୍ରତିଷ୍ଠାତ୍ରୀ ଫକୀରମୋହନ ଫାଉଣ୍ଡେସନ ଡ. ମନିକା ଦାସଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦାନ କରିଥିଲେ । ଏହି ଅବସରରେ ଅନିନ୍ଦିତା ଦାସ ଓ ସାଥିଙ୍କ ଦ୍ଵାରା ଫକୀର ମୋହନଙ୍କର ରଚିତ ସଙ୍ଗୀତ ପରିବେଷଣ, କବି କେଦାରନାଥ ମିଶ୍ର ଓ ଭାସ୍ଵତୀ ବସୁଙ୍କ ଦ୍ଵାରା ଫକୀରମୋହନଙ୍କର କବିତା ପାଠ, ଦିଲ୍ଲୀପ ରାଉତରାୟ ଏବଂ ଭାଗ୍ୟଲିପି ମଲ୍ଳଙ୍କ ଫକୀର ମୋହନଙ୍କର ଦୁଇଟି ଗଳ୍ପ ରେବତୀ ଓ ଡାକମୁନିସି ପାଠ, ପେଟେଣ୍ଟ ମେଡ଼ିସିନ ଉପରେ ଗୋପାଳ ଛୋଟରାୟ ଓ ଅକ୍ଷୟ ମହାନ୍ତି ସଂଯୋଜିତ ଗିତିନାଟ୍ୟ ଏବଂ ବିଶେଷ କାର୍ଯ୍ୟକ୍ରମ ମୁକ୍ତ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ସଂଗ୍ରାମ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ବଙ୍ଗଳା, ଇଂରାଜୀ, ହିନ୍ଦୀ କବିତା ପାଠ କରାଯାଇଥିଲା । ଇଟାଲୀର ଗିଆଁଲୁସା ଲାଜେରି କବିତା ପାଠ କରିଥିଲେ । ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କ୍ୟୁରେଟର ଭାରତୀ ପାଲ୍ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *