ଜଗା ଦପ୍ତରରୁ ଖୋଲା ଚିଠି

ବାବା ବାଇଡ଼ଙ୍କ

ଘେନିବ ହେ ମୁଖ୍ୟମନ୍ତ୍ରୀ ଗୁହାରୀ ମୋହର
ଜନତାର ଜନାର୍ଦ୍ଦନ ଦଳୀୟ ଠାକୁର ହେ
ମୋ ଆଡ଼େ ଟିକେ ଦୃଷ୍ଟି ଦେବ
ମାସକରେ ଥରେ ମାତ୍ର ଦର୍ଶନ ମିଳିବ ହେ ।

ବଡ଼ ଦେଉଳରୁ ମୋର ଖସୁଛି ପଥର
ବିଜୁ ପକ୍କା ଘର ଖଣ୍ଡେ କରିବ ମଞ୍ଜୁର ହେ
ଲାଞ୍ଚ ଫାଞ୍ଚ ଦେଇ ପାରିବିନି
ବିଡ଼ିଓ, ସରପଞ୍ଚକୁ କରିଦେବ ତୁନି ହେ ।

ବାସୁମତୀ ଚାଉଳକୁ ମନ୍ତ୍ରୀରୀ ଖାଇଲ
ପୋକରା ଡାଲି ଚାଉଳେ ମୋ ଅଭଡ଼ା ରାନ୍ଧିଲ ହେ
ରେସନ୍ କାର୍ଡ଼ ମୋ ପାଇଁ କରିବ
ଟଙ୍କିକିଆ ଚାଉଳରେ ମୋ ଚୂଲା ଜଳିବ ହେ ।

ମୋବାଇଲି ଖଣ୍ଡେ ମୋତେ ଦେବ ମହାପୁରୁ
ମାଉସୀ ସାଥେ ମୁଁ ହେବି ଟୁପୁର ଟାପୁରୁ ହେ
ସବୁବେଳେ କରୁଛି ସ୍ମରଣ
ବର୍ଷକରେ ଥରେ ଯାଇ ପୁରୁନି ମୋ ମନ ହେ ।

ପଣ୍ଡାଏ ଦକ୍ଷିଣା ପାଇଁ ହୋନ୍ତି ପିଟାପିଟି
ଟାଇଟି କରିବ ପ୍ରଭୁ ମୋର ସିକୁରିଟି ହେ
ନଇଲେ ମୋର ମୁଣ୍ଡ ଗଡ଼ିବ
କାଳିଆ ବୋଦାର ଗୋଳ ଏଇଠି ଲାଗିବ ହେ ।

ହାତ ଗୋଡ଼ ନାହିଁ ବୋଲି ପାରୁନି ମୁଁ ଯାଇ
ଦେଉଳରେ ବସି ବସି ବୋର୍ ହୁଏ ମୁହିଁ ହେ
ହୁଇଲ୍ ଚେୟାର କରିବ ସାଙ୍କସନ
ଏଲିଡ୍ ଟିଭିଟାଏ ଦେଲେ ଲାଗିବ ମୋ ମନ ହେ ।

ବଳଭଦ୍ର ଭାଇ ମୋର ଛାଡ଼ିଲେ ଲଙ୍ଗଳ
କୋଅପରେଟିଭରୁ ଟ୍ରାକ୍ଟର ଖଣ୍ଡେ କରିବ ମଞ୍ଜୁର ହେ
କରିଦେବ ତାଙ୍କ ଋଣ ଛାଡ଼
ସେଥିରେ ବିଦାରିବେ ସେ ଖଣି ବଡ଼ ବଡ଼ ହେ ।

ମହାଲକ୍ଷ୍ମୀ ପ୍ରିୟତମ ଭାରି ଖରଖରୀ
ଚଣ୍ଡାଳୁ ବ୍ରାହ୍ମଣ ଯାଏ ରଖିଥାଏ ଧରି ହେ
ଟିକେଟଟେ ବ୍ୟବସ୍ଥା କରିବ
ତେବେ କ୍ୟାପିଟାଲେ ଖଣ୍ଡେ ଜାଗା ମିଳିଯିବ ହେ ।

ବାର ହାତ ଖଣ୍ଡା ଧରି ଯାଆନ୍ତି ଛତିଆ
ବାର ଆଙ୍ଗୁଳି ଭୂଜାଲି ମୋ ଆଗରେ ଠିଆ ହେ
ମାଓବାଦୀ ଫୁଟାଇବେ ବୋମା
ଛତିଆରେ ପହଞ୍ଚିବ ନାହିଁ ଟ୍ରେନ ଜମା ହେ ।

ପୁରୀରୁ ଛତିଆ ଯାଏ ଏୟାରରେ ଯିବି
ହେଲିପ୍ୟାଡ୍ ଟାଏ ହେଲେ ସେଠି ଓହ୍ଲାଇବି ହେ
କରିବି ମୁଁ ମ୍ଳେଚ୍ଛଙ୍କୁ ସଂହାର
ମ୍ଳେଚ୍ଛ ଗଣନା କରିବେ ୟୁପି ସ୍କୁଲ ମାଷ୍ଟର ହେ ।

କରୋନା କାଳରେ ଭକ୍ତ ହେଲେ ଛଟପଟ
କାର୍ଡ଼ ଜାଲିଆତି କରି କଲେ ଭକ୍ତ ଭେଟ ହେ
କୁଣ୍ଢାଇଲେ ମୁଁ କି ମିଳିବି
ହୃଦେ ଯିଏ ଚିନ୍ତେ ତାକୁ ବାହୁରେ କିଳିବି ହେ ।

ସକାଳୁ ରାତି ଏଗାର ନୁହେଁ ମୋତେ ଇଜି
କେମିତି କରିବି କଲ୍ ନେଟୱାର୍କ ବିଜି ହେ
ଡବ୍ଲ୍ୟୁ ଡବ୍ଲ୍ୟୁ ଡବ୍ଲ୍ୟୁ ଡଟ୍ କମ୍ ଜମାନା
ୱେଲଥ, ୱାଇନ, ୱାଇଫାଇର ଉଡୁଛି ବାନା ହେ ।

ନୈତିକତା ଘରେ ଏଠି ପଡ଼ିଅଛି ତାଲା ହେ
ବେଶୀ ମାଗିଦେଲି ବୋଲି ନଧରିବ ଦୋଷ
ଦୁଇ ଜଗନ୍ନାଥ ଆମେ ଏକଇ ବଅଁଶ ହୋ
ମୁଁ ପାରୁନି ତମେ ତ ପାରୁଛ
ତମେ ବଳୀୟାର ଭୁଜ ମୁଁ ହୀନ ତୁଚ୍ଛ ହୋ ।

ଛେନାପଦୀ, କେନ୍ଦୁଝର, ମୋବାଇଲ :୯୭୭୭୧୮୪୩୫୭

ଲେଖକ ପରିଚୟ

ଷଷ୍ଠ ଶ୍ରେଣୀରୁ ଲେଖାଲେଖି ଆରମ୍ଭ କରିଥିଲି । ପ୍ରଥମ ଶିଶୁ କବିତା ଆକାଶବାଣୀର ଶିଶୁ ସଂସାରରୁ ପ୍ରଚାରିତ ହୋଇଥିଲା । ସ୍ନାତକ ପଢିଲାବେଳେ କ୍ରମେ ମୁଁ ବ୍ୟଙ୍ଗ ଆଡ଼କୁ ମୁହାଁଇଲି ଏବଂ ୧୯୮୫ ରେ କଲେଜ ମ୍ୟାଗାଜିନ୍ ରେ ତାହା ପ୍ରକାଶିତ ହୋଇଥିଲା । ବିଭିନ୍ନ ପ୍ରତିଷ୍ଠିତ ପତ୍ରପତ୍ରିକାରେ ଲେଖାମାନ ପ୍ରକାଶିତ ହୋଇ ଆସୁଥିଲାବେଳେ ପ୍ରାୟ ୧୦ ଟି ପତ୍ରିକାରେ ସମ୍ପଦାନ କାର୍ଯ୍ୟ ମୁଁ କରି ଆସୁଅଛି । ଟେଲିଭିଜନର ଅନେକ ବ୍ୟଙ୍ଗ ଶୋ’ ରେ ମଧ୍ୟ କାମ କରୁଚି । ଏହାସହିତ ୨ ଟି ରମ୍ୟ କଥା ସଂକଳନ ଓ ୪ ଟି ରମ୍ୟ କବିତା ସଂକଳନ ପ୍ରକାଶିତ ହୋଇଛି । ବର୍ତ୍ତମାନ ୟୁଟ୍ୟୁବ ଚ୍ୟାନେଲ “ଏକଦମ ଚୁପ”ରେ ସଂଳାପ, ନିର୍ଦ୍ଦେଶନା ଓ ଅଭିନୟ କରୁଛି ।   

Related Posts

Leave a Reply

Your email address will not be published. Required fields are marked *